ସେନାପତି ଫକୀରମୋହନ
ସେନାପତି ଫକୀରମୋହନ
ଆଜି ପବିତ୍ର ମକର ସଂକ୍ରାନ୍ତି- ଫକୀରମୋହନ ସେନାପତିଙ୍କର ପୁଣ୍ୟ ଜନ୍ମତିଥି | ୧୮୪୩ ମସିହାରେ ଏହିଦିନ ଫକୀରମୋହନ ବାଲେଶ୍ବର ସହରର କେନ୍ଦ୍ରସ୍ଥଳ ଠାରୁ ଅନତିଦୂରରେ ଅବସ୍ଥିତ ମଲ୍ଲିକାଶପୁର ଗ୍ରାମରେ ଭୂମିଷ୍ଠ ହୋଇଥିଲେ |
ଆଗରୁ ଯଦିଓ ଘରେ ଜେଜେ ଓ ବାପାବୋଉଙ୍କ ଠାରୁ ଫକୀରମୋହନଙ୍କ ବିଷୟରେ କିଛି କିଛି ଶୁଣିଥିଲି, ତାଙ୍କ ବ୍ୟକ୍ତିତ୍ବ ସହିତ ମୋର ପ୍ରଥମ ଉପଯୁକ୍ତ ପରିଚୟ ସପ୍ତମ ଶ୍ରେଣୀରେ ହୋଇଥିଲା | ସେହି ଶ୍ରେଣୀରେ ସାହିତ୍ୟରେ ଆମର ଫକୀରମୋହନଙ୍କ ଉପରେ ଏକ ଅଧ୍ୟାୟ ଥିଲା, ଯାହାର ଆରମ୍ଭ ଫକୀରମୋହନଙ୍କ ଲିଖିତ ନିମ୍ନୋକ୍ତ ଇତିହାସ-ପ୍ରସିଦ୍ଧ ପତ୍ରଟିରୁ ହୋଇଥିଲା-
“ମଇ ମାସ, ୧୬ ତାରିଖ, ସନ ୧୮୯୧
ମୁକାମ ରାଇସୁଆଁ
ଭୋଳାନାଥ ଖମାରିଆ ଜାଣିବୁ,
ମହାରାଣୀ-ପୁତ୍ରଙ୍କ ସକାଶେ ନିତାନ୍ତ ଦରକାର, ଅତି ଶୀଘ୍ର ଶହେ ହେଲେ ମଧ୍ୟ ପାନ, ଦୁଇଶ ଗୁଆ, ପଠାଇବୁ | ପଶ୍ଚିମ ପଟରୁ ମାହାର କରି ଆଖୁବାଡିକୁ ଶୀଘ୍ର ପାଣି ବୁହାଇବୁ | ନୋହିଲେ ଆଖୁବାଡି ବିନାଶ ଯିବ ବୋଲି ଜାଣିବୁ | ଇତି |
ଫକୀରମୋହନ ସେନାପତି”
ଏହି ଚିଠି ଲେଖିବା ସମୟରେ ଫକୀରମୋହନ କେନ୍ଦୁଝରର ମହାରାଜା ଧନଂଜୟ ନାରାୟଣ ଭଂଜଙ୍କ ଅଧୀନରେ ଆନନ୍ଦପୁର ଇଲାକାର ମ୍ୟାନେଜର ଭାବେ ଚାକିରି କରୁଥିଲେ | ଏହି ସମୟରେ କେନ୍ଦୁଝରର ଭୂୟାଁ ପ୍ରଜାମାନେ ମେଳି କରି ମହାରାଜାଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ କରୁଥିଲେ | ଏହି ପ୍ରଜାମେଳିର ନେତା ଥିଲେ ଧରଣୀଧର ଭୂୟାଁ, ଯେ ବଡାଇ ଦେଖାଇ ନିଜକୁ ମହାରାଣୀ-ପୁତ୍ର ବୋଲି କହି ବୁଲୁଥିଲେ | ଫକୀରମୋହନ ମହାରାଜାଙ୍କ ମ୍ୟାନେଜର ଥିବାରୁ ଭୂୟାଁମାନେ ସୁଯୋଗ ଦେଖି ତାଙ୍କୁ ବନ୍ଦୀ କରି ନେଇଥିଲେ | ଫକୀରମୋହନ କୌଣସି ଭୁଲ କରିଥିଲେ ଭୂୟାଁମାନେ ତାଙ୍କ ପ୍ରାଣନାଶ କରିଥାନ୍ତେ | ସାମରିକ ରଣକୌଶଳରେ ପରାଜିତ ସେନାପତି (ଫକୀରମୋହନ) ବିଦ୍ରୋହୀ ଭୂୟାଁଙ୍କ କବଳରୁ ଖସିବାକୁ ଓ କେନ୍ଦୁଝର ରାଜ ଉଆସକୁ ରକ୍ଷା କରିବାକୁ ବୁଦ୍ଧିର ଲଢାଇ ଜାରିରଖିଲେ | ବିଭିନ୍ନ ଚାଟୁ ବଚନ କହି ସେ ଭୂୟାଁମାନଙ୍କ ବିଶ୍ବାସଭାଜନ ହେଲେ ଓ ଧରଣୀଧରଙ୍କ ଠାରୁ ଆଦେଶ ପାଇଲେ ମହାରାଜାଙ୍କୁ ପରିତ୍ୟାଗ କରି ତାଙ୍କ ଅଧୀନରେ ମ୍ୟାନେଜର ଭାବେ କାର୍ଯ୍ୟ କରିବାକୁ ନିଜର (ଛଦ୍ମ) ଇଚ୍ଛା ପ୍ରକଟ କଲେ | ଫକୀରମୋହନ ପାନୁଆ ଥିଲେ | ଭୂୟାଁ ନେତା ଧରଣୀଧର ମଧ୍ୟ ପାନପ୍ରିୟ ଥିଲା | ଏହାର ସୁଯୋଗ ନେଇ ଫକୀରମୋହନ ଧରଣୀଧରକୁ ପାନ ଖାଇବାକୁ ଦେଇ ତା ସହିତ ବିଶେଷ ବନ୍ଧୁତା ସ୍ଥାପନ କରିଦେଲେ | ବିଦ୍ରୋହୀଙ୍କ କବଳରେ ପାଂଚ-ଛଅ ଦିନ ରହିବା ପରେ ଫକୀରମୋହନଙ୍କ ପାନତକ ସରିଆସିଲା | ଏହାକୁ ପ୍ରକୃଷ୍ଟ ସୁଯୋଗ ମନେକରି ଫକୀରମୋହନ ଧରଣୀଧରକୁ କହିଲେ, ଯେ ସେ ଭୋଳାନାଥ ନାମକ ତାଙ୍କର ଜଣେ ଖମାରିଆ (ଖମାରର ତତ୍ତ୍ବାବଧାରକ)କୁ କିଛି ପାନ ପଠାଇବାକୁ ପତ୍ର ଲେଖିବେ; ସାଥିରେ ସେହି ପତ୍ରରେ ତାଙ୍କର ଆଖୁକିଆରୀର ଯତ୍ନନେବା ପାଇଁ ମଧ୍ୟ ଲେଖିବେ | ଧରଣୀଧର ଚିଠି ପଢି ଦେଖିଲା, ଯେ ଏଥିରେ କିଛି ଆପତ୍ତି କରିବାର ନାହିଁ; ଅଧିକନ୍ତୁ ପାନ ଆସିଲେ ତାର ଲାଭ | ଫକୀରମୋହନଙ୍କ ସାଂଗରେ ବନ୍ଦୀ ହୋଇଥିବା ଚାରି ଜଣ ପାଇକଙ୍କୁ ମୁକ୍ତକରି ଧରଣୀଧର ତାଙ୍କ ହାତରେ ଏହି ଚିଠି ପଠାଇଲେ | ପୂର୍ବରୁ ପାଇକମାନଙ୍କୁ ଫକୀରମୋହନ ଠିକଣା ଭାବେ ଯାହା ବୁଝାଇବା କଥା, ବୁଝାଇଥିଲେ | କେନ୍ଦୁଝରର ମହାରାଜା ଓ ତାଙ୍କର ଅନ୍ୟ କର୍ମଚାରୀମାନେ ସେହି ସମୟରେ ଆନନ୍ଦପୁରରେ ଅବସ୍ଥାନ କରୁଥିଲେ | ପତ୍ରଟି ଯଥା ସମୟରେ ତାଙ୍କର ହସ୍ତଗତ ହେଲା | ଫକୀରମୋହନଙ୍କର ନା ଆନନ୍ଦପୁରରେ ଭୋଳାନାଥ ନାମରେ କେହି ଖମାରିଆ ଥିଲା, ନା ତାଙ୍କର କୌଣସି ଖମାର ବା ଆଖୁକିଆରୀ ଥିଲା | ତେଣୁ ଏହି ପତ୍ରଟି ଏକ ସାଂକେତିକ ସନ୍ଦେଶ ବୋଲି ମହାରାଜା ନିଃସନ୍ଦେହ ହେଲେ ଓ ଏହାର ପ୍ରକୃତ ଅଭିପ୍ରାୟ ଜାଣିବା ନିମନ୍ତେ ଜାଣିବା-ଶୁଣିବା ବ୍ୟକ୍ତିଙ୍କର ସହାୟତା ନେଲେ | ଚିଠିର ଅର୍ଥ ବାହାରିଲା- ପାନ ହେଲା ସିପାହି, ଗୁଆ ହେଲା ଗୁଳି, ଆଖୁକିଆରୀ ହେଲା ରାଜଉଆସ | ଅଧିକନ୍ତୁ ଫକୀରମୋହନ ଚିଠି ନେଇ ଯାଇଥିବା ଜଣେ ପାଇକର ପଇତାରେ ତିନି ଖଣ୍ଡ ତାର ବାନ୍ଧି ଦେଇଥିଲେ | ଏଥିରୁ ବୁଝାଗଲା ଯେ ଅତି କମରେ ଶହେ ବନ୍ଧୁକଧାରୀ ସିପାହି ପାଇଁ ଗଭର୍ଣ୍ଣର, ସୁପରିଣ୍ଟେଣ୍ଡେଣ୍ଟ ଓ ନନ୍ଦକିଶୋର ବାବୁଙ୍କୁ ତାର (telegram) ଯୋଗେ ବାର୍ତ୍ତା ପଠାଯିବ | ଏହି ଚିଠି ପଠାଇବା ପରେ ଫକୀରମୋହନଙ୍କ ପକ୍ଷେ ଥିଲା ଧୈର୍ଯ୍ୟର ପରୀକ୍ଷା | ଏହି ସମୟ ବିଷୟରେ ସେ ‘ଆତ୍ମ ଚରିତ’ରେ ଲେଖିଛନ୍ତି- “ମୁଁ ସୈନ୍ୟମାନଙ୍କ ବାଟ ଚାହିଁ ଦିନ କାଟୁଥାଏ | ମହାରାଣୀପୁତ୍ର ମୋର ହସ୍ତଗତ | ଅନେକ ଭୂୟାଁ ସର୍ଦ୍ଦାର ମଧ୍ୟ ଆୟତ୍ତକୁ ଆସିଗଲେଣି | ସେମାନଙ୍କୁ ପାଖରେ ବସାଇ ହସି ହସି ରାଜ୍ୟକଥା, ଘରକରଣା କଥା, ସୁଖ-ଦୁଃଖ କଥା କହେଁ | କେବଳ ମହାପାତ୍ରକୁ ପାରୁନାହିଁ | ସେ ସର୍ବଦା ମୋ ଗତିବିଧି ଓ କଥାବାର୍ତ୍ତାକୁ ଲକ୍ଷ୍ୟ ରଖିଥାଏ | ମାତ୍ର ମୋର ତା’ ପ୍ରତି ସନ୍ଦେହ, ମୁଁ ଏ ଭାବ ପ୍ରକାଶ କରେନାହିଁ | ମନ ମଧ୍ୟରେ ଭାବୁଥାଏ, ମନ୍ତ୍ରୀବୁଦ୍ଧି, ଭୂୟାଁ-ବୁଦ୍ଧି ବର୍ତ୍ତମାନ କଷାକଷି | ଜିଣାପଟ କାହାର ହେବ, ଦେଖାଯିବ | ଗୋପାଳିଆ ମୋତେ ଦେଖିଲେ ଦାନ୍ତ କଡମଡ କରେ | ମୋ ଲମ୍ବା ବେକ ହାଣିପକାଇବାକୁ ତାର ଭାରି ଇଚ୍ଛା |”
ଫକୀରମୋହନଙ୍କର ବୌଦ୍ଧିକ ସଂଗ୍ରାମର ଅବଶେଷରେ ବିଜୟ ହେଲା | ସଶସ୍ତ୍ର ସୈନ୍ୟ ଆସି ପହଂଚିଲେ, ପ୍ରଜାମେଳି ଦମନ ହେଲା ଓ ସେ ମୁକ୍ତ ହେଲେ | ସଂକଟ ସମୟ ହିଁ ଗୋଟିଏ ଯୋଦ୍ଧାର ଉପଯୁକ୍ତ ପରୀକ୍ଷା କରେ | ଅନୁରୂପ ନ୍ୟାୟରେ ଏହି ବିପଦପୂର୍ଣ୍ଣ ପରିସ୍ଥିତି ଫକୀରମୋହନଙ୍କର ସେନାପତିପଣିଆ ପରୀକ୍ଷା କରିଥିଲା | ସେନାପତି ସଫଳତାର ସହ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ |
ପୂର୍ବରୁ କହିରଖିଛି ଯେ ଏହି ସେନାପତି ୧୮୪୩ ମସିହା ଜାନୁୟାରୀ ମାସ ୧୪ ତାରିଖ, ମକର ସଂକ୍ରାନ୍ତି ଦିନ ବାଲେଶ୍ବର ଜିଲ୍ଲାର ମଲ୍ଲୀକାଶପୁର ଗ୍ରାମରେ ଭୂମିଷ୍ଠ ହୋଇଥିଲେ | ସୌର-ପଂଜିକାରେ ମକରସଂକ୍ରାନ୍ତି ପରି ଏହା ଉତ୍କଳର ଭାଗ୍ୟରବିଙ୍କର ଉତ୍ତରାୟଣ ପର୍ବର ଅୟମାରମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ | ତାଙ୍କର ପିତାଙ୍କ ନାମ ଥିଲା ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ଥିଲା ତୁଳସୀଦେଈ | ଜନ୍ମର ଏକ ବର୍ଷ ପାଂଚ ମାସ ପରେ ପିତା ଓ ଏହାର ବର୍ଷେ ଦୁଇମାସ ପରେ ମାତା ସ୍ବର୍ଗବାସୀ ହେଲେ | ଅନାଥ ଫକୀରମୋହନ ନିଜ ଜେଜେମା କୋଚିଲାଦେଈଙ୍କ ଦ୍ବାରା ପାଳିତ ହେବାକୁ ଲାଗିଲେ | ବାଲ୍ୟାବସ୍ଥାରେ ବିଭିନ୍ନ ରୋଗମାନ ସର୍ବଦା ପୀଡା ଦେବାରୁ ତାଙ୍କ ଜେଜେମା ମହରମ୍ ସମୟରେ ତାଙ୍କୁ ୮ (ଆଠ) ଦିନ ପାଇଁ ଫକୀର କରି ଦେଇଥିଲେ | ତା ପରେ ତାଙ୍କ ନାମ ‘ବ୍ରଜ ମୋହନ’ରୁ ବଦଳି ‘ଫକୀରମୋହନ’ ହୋଇଗଲା |
ଅର୍ଥାଭାବ ସାଂଗକୁ କେହି ଉପଯୁକ୍ତ ଅଭିଭାବକ ନ ଥିବାରୁ ବାଳକ ଫକୀରମୋହନ ମାତ୍ର ଅଢେଇ ବର୍ଷ ପାଇଁ ଚାଟଶାଳୀରେ ପଢିଥିଲେ | ଅଥଚ ମାତୃଭାଷା ଘୋର ସଂକଟରେ ପଡିଥିବା ସମୟରେ ଏହି ‘ଅଳ୍ପ ପାଠୁଆ’ ମଣିଷ ଜଣକ ଏକ କୁଶଳୀ ସେନାପତିର ଭୂମିକା ନିର୍ବାହ କରିଥିଲେ ଓ ତାହା କରି ଦେଖାଇଦେଲେ, ଯାହା ଶହ ଶହ ତଥାକଥିତ ‘ଉଚ୍ଚ ଶିକ୍ଷିତ’ ମାନଙ୍କର ସାଧ୍ୟ ଓ କଳ୍ପନାର ବାହାରେ ଥିଲା |
ବାପ-ମା ଛେଉଣ୍ଡ ହୋଇଥିବାରୁ ଭାଗ୍ୟର ତାଡନାରେ ତାଙ୍କୁ କକା ଓ ଖୁଡୀଙ୍କ ଆଶ୍ରୟରେ ରହିବାକୁ ପଡିଥିଲା | ଫକୀରମୋହନଙ୍କ ବିଷୟରେ ପୂର୍ବୋକ୍ତ ଯେଉଁ ଅଧ୍ୟାୟ ଆମର ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ଥିଲା, ସେଥିରେ ଲେଖାଥିବାର ମନେପଡୁଛି ଯେ କକା ସ୍କୁଲର ଅବଧାନଙ୍କୁ ମିଛସତ କହି ଅସହାୟ ଫକୀରମୋହନଙ୍କୁ ନିର୍ମମ ବେତ୍ରାଘାତ ଦେବାର ନିଶ୍ଚିତ ବ୍ୟବସ୍ଥା କରି ଖୁବ୍ ଆନନ୍ଦ ପାଉଥିଲେ | ଫକୀରମୋହନଙ୍କ ଜୀବନର ଏହି ଯନ୍ତ୍ରଣାସିକ୍ତ ପର୍ଯ୍ୟାୟ ବିଷୟରେ ଡଃ. ମାୟାଧର ମାନସିଂହ ‘ସରସ୍ବତୀ ଫକୀରମୋହନ’ରେ ଲେଖିଛନ୍ତି-
“ପ୍ରତିଭାର ଔଜ୍ଜ୍ବଲ୍ୟ ସହିତ ଅପରିଚିତ ପୁରୁଷୋତ୍ତମ ସେନାପତି ଓ ତାଙ୍କ ପତ୍ନୀଙ୍କ ପରି ଅଧମାଧମ କକାଖୁଡୀଙ୍କ ପ୍ରତି ଅସହାୟ ବାପମା’-ଛେଉଣ୍ଡ ପୁତୁରାଟିର ବୌଦ୍ଧିକ ସିଦ୍ଧି ଅସହ୍ୟ ହେଲେ ମଧ୍ୟ, ସେପ୍ରକାର ଅବାଂଛନୀୟ ଅତ୍ୟାଚାର ଓ ଅବହେଳା ଭିତରେ ମଧ୍ୟ ଏକ ପ୍ରତିଭା ନିଶ୍ଚୟ ଯେ ମୁଣ୍ଡ ଟେକି ଉଠିବ, ତା’ର ପ୍ରକୃଷ୍ଟ ଦୃଷ୍ଟାନ୍ତ ରୁଗ୍ଣ, ଅସହାୟ ଓ ଅତ୍ୟାଚାରିତ କିଶୋର ଫକୀରମୋହନ | ଅନ୍ତତଃ ଓଡିଆଜାତିର କିଶୋର-ତରୁଣ ସମ୍ପ୍ରଦାୟ ସମ୍ମୁଖରେ, ସକଳ ପ୍ରତିକୂଳ ଅବସ୍ଥା ଭିତରେ କିଶୋର ଫକୀରମୋହନଙ୍କର ଅଦମ୍ୟ ଜ୍ଞାନାର୍ଜନ-ଉତ୍ସାହ ଓ ସେଥିଲାଗି ଫଳଲାଭ ପର୍ଯ୍ୟନ୍ତ ସାଧନା କରିବାର ଅଧିକ ଉଜ୍ଜ୍ବଳତର ଦୃଷ୍ଟାନ୍ତ ନାହିଁ |”
ମାତ୍ର ୧୩ (ତେର) ବର୍ଷ ବୟସରେ ଫକୀରମୋହନଙ୍କର ବିବାହ ଲୀଳାବତୀଙ୍କ ସହିତ ସମ୍ପନ୍ନ ହୋଇଥିଲା | ଲୀଳାବତୀ ଅତିମାତ୍ରାରେ ନିର୍ଦ୍ଦୟ, କଟୁଭାଷିଣୀ ଓ ସ୍ବାମୀଙ୍କର ବିରୁଦ୍ଧାଚାରିଣୀ ଥିଲେ | ଏଣୁ ଫକୀରମୋହନଙ୍କର ପ୍ରଥମ ଦାମ୍ପତ୍ୟ ଜୀବନ (ପ୍ରାୟ ୧୫ ବର୍ଷ) ଏକ ପ୍ରକାର ହା-ହୁତାଶମୟ ଥିଲା | [ଲୀଳାବତୀ ବ୍ୟାଧିଗ୍ରସ୍ତ ହୋଇ ମୃତ୍ୟୁବରଣ କଲାପରେ ୨୯ ବର୍ଷ ବୟସରେ ଫକୀରମୋହନ କୃଷ୍ଣାକୁମାରୀଙ୍କୁ ବିବାହ କରିଥିଲେ | ଏହି ବିବାହ ସୁଖପ୍ରଦ ହେଲା | ପ୍ରାୟ ୨୩ ବର୍ଷ କାଳ କୃଷ୍ଣାକୁମାରୀ ଫକୀରମୋହନଙ୍କ ଦୁଃଖ ଜର୍ଜରିତ ଜୀବନରେ ପୁଲକର ଅନୁଭବ ଆଣିଦେଲେ | ଅବଶେଷରେ ୧୮୯୪ ମସିହାରେ କୃଷ୍ଣାକୁମାରୀ ୫୨ ବର୍ଷୀୟ ଫକୀରମୋହନଙ୍କୁ ଏକାକୀ କରିଦେଇ ପରଲୋକ ଗମନ କଲେ |]
ଫକୀରମୋହନଙ୍କ ତରୁଣ ଓ ପ୍ରୌଢ଼ ଜୀବନ ମଧ୍ୟ ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା | ୧୮୬୬ ମସିହାରେ ଓଡିଶାରେ ନ’ଅଂକ ଦୁର୍ଭିକ୍ଷ ଦେଖା ଦେଇଥିଲା | ସେତେବେଳକୁ ଫକୀରମୋହନଙ୍କର ବୟସ ୨୩ ବର୍ଷ |
ପରିଣତ ବୟସରେ ଏକମାତ୍ର ପୁତ୍ର ତାଙ୍କର ଘୋର ବିରୋଧୀ ହୋଇପଡିବାରୁ ଫକୀରମୋହନ ଜୀବନରେ ପୁନଶ୍ଚ ନର୍କ-ଯନ୍ତ୍ରଣା ଭୋଗକଲେ | ‘ଡାକ-ମୁନସୀ’ ଗଳ୍ପ (ଯାହାର ସ୍ରଷ୍ଟା ନିଜେ ଫକୀରମୋହନ)-ର ବିଷୟବସ୍ତୁ ଭଳି, ପରିଣତ ବୟସରେ ଫକୀରମୋହନ ପୁଅ-ବୋହୁ-ନାତି-ନାତୁଣୀଙ୍କ ସାନିଧ୍ୟରୁ ବଂଚିତ ହୋଇ ଏକାକୀ (ଚାକରବାକରଙ୍କ ସହାୟତାରେ) ନିଜ ବାଲେଶ୍ବର ସ୍ଥିତ ବାସଭବନରେ ଅବସ୍ଥାନ କରୁଥିଲେ | ଏହି ଏକାନ୍ତବାସ ବିଷୟରେ ଫକୀରମୋହନ ସ୍ବରଚିତ ‘ଆତ୍ମ ଚରିତ’ରେ ଲେଖିଛନ୍ତି-
“.................ଜ୍ଞାତି-ବନ୍ଧୁମାନଙ୍କ ଠାରୁ ବିଛିନ୍ନ ହୋଇ ମୁଁ ଏହି ଦୀର୍ଘ ୧୩ ବର୍ଷ କାଳ ପ୍ରାୟ ଏକାକୀ ରହିଅଛି | ଚିରଦିନ ଏକାକୀ ରହିବା ମୋର ଭାଗ୍ୟଲିପିରେ ଲେଖାଅଛି | ବାଲ୍ୟକାଳରେ ପିତୃମାତୃହୀନ ଥିଲି, ଯୌବନରେ ପତ୍ନୀବିରହିତ ହୋଇ ଦୂରଦେଶରେ ଥିଲି | ଏବେ ବାର୍ଦ୍ଧକ୍ୟରେ ସୁଦ୍ଧା ସନ୍ତାନଠାରୁ ବିଛିନ୍ନ ହୋଇ ନିର୍ଜନବାସ କରୁଅଛି | ଏକାକୀ ଥିବାରୁ ଚିନ୍ତା କରିବାକୁ ଯଥେଷ୍ଟ ସମୟ ପାଏ | ମୁଁ ଚିରଦିନ ରୋଗୀ ଥିବାରୁ କର୍ମପଟୁ ନୁହେଁ; ମାତ୍ର ବ୍ୟାଧି, ବିପଦ ସମୟରେ ମୋର ଲେଖା ଟିକିଏ ଭଲ ହୁଏ |.............”
ଓଡିଆ ସାହିତ୍ୟର ଏହି ମହା-ସେନାପତି, ‘ଛ-ମାଣ ଆଠଗୁଣ୍ଠ’, ‘ମାମୁଁ’, ‘ଲଛମା’, ‘ପ୍ରାୟଶ୍ଚିତ୍ତ’, ‘ବୌଦ୍ଧବତାର କାବ୍ୟ’, ‘ଆତ୍ମ ଚରିତ’, ‘ଉତ୍କଳ ଭ୍ରମଣଂ’, ରାମାୟଣ ଓ ମହାଭାରତର ଅନୁବାଦ, ‘ରେବତୀ’, ‘ଧୂଳିଆ ବାବା’ ଭଳି ଅସଂଖ୍ୟ କ୍ଷୁଦ୍ର ଗଳ୍ପ ଠିକଣା ସମୟରେ ସୃଷ୍ଟି କରିଗଲେ, ଯାହା ଏକ ମୁମୂର୍ଷୁ ଜାତିର ଜୀବନ ବଂଚାଇ ତାକୁ ଅସଂଖ୍ୟ ଘାତ-ପ୍ରତିଘାତ ଓ ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ ସାମର୍ଥ୍ୟ ଯୋଗାଇଲା | [ବି.ଦ୍ର. ଏଗୁଡିକ ମଧ୍ୟରୁ ଅଧିକାଂଶ ତାଙ୍କ ଜୀବନର ଶେଷ ପଚିଶି ବର୍ଷର ଅବଧିରେ ରଚିତ ହୋଇଥିଲା |]
ତାଙ୍କର ପ୍ରତିଟି ଲେଖାରେ ମାତୃଭାଷା ଓ ଜନ୍ମଭୂମି ପ୍ରତି ଗଭୀର ଶ୍ରଦ୍ଧା ପ୍ରତିଫଳିତ | ଉଦାହରଣ ସ୍ବରୂପ ତାଙ୍କର ‘ମୋ ଗାଁ ମଲ୍ଲିକାଶପୁର’ କ୍ଷୁଦ୍ର କବିତାଟିକୁ ନିଆ ଯାଇପାରେ | ଏହି କବିତାରେ ସେ ଲେଖିଲେ-
“ଅଟ୍ଟାଳିକାମାଳା ପୂର୍ଣ୍ଣ ସୁନ୍ଦର ନଗର,
ଉଜ୍ଜ୍ବଳ ତରଂଗମାଳା ନୀଳିମ ସାଗର,
କେତେ ନଦ କେତେ ନଦୀ ଗିରି ଅରଣ୍ୟାନୀ,
ହାଟ, ଗ୍ରାମ, ଲୋକ-ପରିପୂର୍ଣ୍ଣ ରାଜଧାନୀ |
ସ୍ଥାନେ ସ୍ଥାନେ ଭ୍ରମି ଭ୍ରମି ଦେଖିଲି ଜୀବନେ
ସେ ଗ୍ରାମ ଚିତ୍ରଟି ମାତ୍ର ଭାସୁଛି ନୟନେ,
ଥାଏ ଯହିଁ, ଯାଏ ଯହିଁ ପଡଇ ମନରେ
ବଳେ ମନ, ଧାଇଁ ଯାଇ ଦେଖିଆସେ ଥରେ |
@**********************************@
ସେ ଗ୍ରାମର ଦାଣ୍ଡେ ଅଛି ଯେଉଁ ବାଲି ଧୂଳି
ପିଲାଖେଳବେଳେ ହେଉଥିଲି ଦେହେ ବୋଳି |
ସେହି ଧୂଳି, ସେହି ବାଲି ପଡୁ ମୋ ଦେହରେ
ଏହିପରି କେତେଥର ଭାଳେ ମୁଁ ମନରେ |
ସେହି ସେ ବାସଂଗ, ଗେଂଡୁ ଫୁଟେ ଶୀତକାଳେ
ପେନ୍ଥା ପେନ୍ଥା କଷିଆମ୍ବ ଝୁଲୁଥାଏ ଡାଳେ,
ସେ ଫୁଲ ସୌରଭ, କଷି-ଆମ୍ବର ମାଧୁରୀ
ନ ପାଇଲି କାହିଁ ସାରା ଭାରତଟା ଘୂରି |
@***************************@
କରନ୍ତୁ ପଛକେ ସେହି ଗ୍ରାମଲୋକେ କଳି
ନ ପାଇଲି ସଂଗସୁଖ ତାହାଠାରୁ ବଳି |
ଯାଇଛି ସେ ଗ୍ରାମେ ଭାସି ମୋ ହୃଦୟ ଧନ
ତଥାପି ସେ ସ୍ଥାନେ ଯିବାପାଇଁ ଧାଏଁ ମନ |
ମୋ କାନକୁ ଶୁଭେ ତାହା ନାମ ସୁମଧୁର
ସେ କ୍ଷୁଦ୍ର ଗ୍ରାମର ନାମ ମଲ୍ଲିକାଶପୁର |
ଏତେ ସରଳ ଓ ସୁନ୍ଦର କବିତା ଲେଖିବା କ’ଣ ସେନାପତିଙ୍କ ବ୍ୟତୀତ ଅନ୍ୟ କାହା ଦ୍ବାରା ସମ୍ଭବ?
ସେହିପରି ମାତୃଭାଷା ପ୍ରତି ଓ ତଥାକଥିତ ଉଚ୍ଚଶିକ୍ଷା ପଛରେ ଧାବମାନ ସଂକୀର୍ଣ୍ଣଚେତା ବ୍ୟକ୍ତିମାନଙ୍କ ପ୍ରତି ବିଦ୍ରୁପ କରି ସେନାପତି ଲେଖିଛନ୍ତି-
ଭଲ ଗୋଟେ ମାତୃଭାଷା କିସ ହେବ ଭାଇ,
ଚଳି ଯାଉଅଛି କାମ ରୁନ୍ଡାଇ ପୁନ୍ଡାଇ │
କୁକୁର କିମ୍ପାଇଁ ଗୋଟେ ବନାଇବ ଘର ?
ଚାଟିବୁଲେ ବାରମିଶା ଅଇଁଠା ପତର │
ଅନୁରୂପ ବିଦ୍ରୁପ କରି ‘ହାଟ ବାହୁଡା’ରେ ସେ ଲେଖିଛନ୍ତି-
ମାତ୍ରକ ଯେ ବିକେ ବିଲାତୀ ମାଲ,
ଖାଇ ପିଇ ତାର ଫୁଲିଛି ଗାଲ |
ତାକୁ ଡରି ଥାନ୍ତି ବହୁତ ଲୋକେ,
କାଳେ ବୋଲିଦେବ କଥା ପଦକେ |
ଦେଖି ଲାଗିଲାଣି ତାଟଂଗା ମୋତେ,
ଦେଶୀ ବିଲାତୀରେ ପ୍ରଭେଦ ଏତେ |
@**********************@
ସେହିପରି ମାତୃଭାଷାର ଜୟଗାନ କରି ଫକୀରମୋହନ ଲେଖିଛନ୍ତି-
ପଢିଲି କେତେ ଦେଶ ଭାଷା
ତେବେ ତ ନ ପୂରିଲା ଆଶା
ହେଉଣ ପଛେ ସେ ନିକୃଷ୍ଟ
ମୋ ମାତୃଭାଷା ମୋତେ ଶ୍ରେଷ୍ଠ
@**********************@
ଅକ୍ଲାନ୍ତ ପରିଶ୍ରମ କରି ଫକୀରମୋହନ ୧୯୬୮ ମସିହାରେ ବାଲେଶ୍ବରରେ ଏକ ଛାପାଖାନା ପ୍ରତିଷ୍ଠା କରିଥିଲେ, ଯାହା ଓଡିଆ ଜନ-ଜୀବନରେ ଏକ ନୂତନ ଚମକ ଆଣି ଦେଇଥିଲା | ତାଙ୍କର ଏହି କାର୍ଯ୍ୟରେ ଗଭୀରଭାବେ ପ୍ରଭାବିତ ହୋଇ କବିବର ରାଧାନାଥ ରାୟ କହିଥିଲେ- “ଆପଣ ଯେଉଁ ଭାବରେ ପ୍ରେସ୍ କୋମ୍ପାନୀ ସ୍ଥାପନ କରିଛନ୍ତି, ତାହା ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିଖିତ ହୋଇ ରହିବା ଉଚିତ |”
ଜୀବନର ଦୁର୍ବାର ସଂଗ୍ରାମରେ ଦୀର୍ଘ ୭୫ ବର୍ଷ ସେନାପତିତ୍ବ କରିବା ପରେ, ଏହି ବୀରପୁରୁଷ ୧୯୧୮ ମସିହା ଜୁନ ମାସ ୧୪ ତାରିଖ (ରଜ ସଂକ୍ରାନ୍ତି) ଦିନ ତାଙ୍କ ବାରି ସମାପ୍ତିର ଘୋଷଣା କରି ଫେରି ଯାଇଥିଲେ | ଏହି ମହାପୁରୁଷଙ୍କ ଜୀବନ ସଂଗ୍ରାମରେ ଆରମ୍ଭ ଓ ସଂଗ୍ରାମରେ ଶେଷ; ସଂକ୍ରାନ୍ତିରେ ଆରମ୍ଭ ଓ ସଂକ୍ରାନ୍ତିରେ ଶେଷ | ସଂକ୍ରାନ୍ତିରେ ଜନ୍ମ ଓ ଦେହାବସାନ, ଉଭୟ ଲଭିଥିବା ଏହି ମହାପୁରୁଷଙ୍କୁ ଅନେକ ‘ସଂକ୍ରାନ୍ତି ପୁରୁଷ’ ଭାବେ ଅଭିହିତ କରିଥାନ୍ତି |
ଓଡିଆ ଭାଷା ପ୍ରତି ଅଭୂତପୂର୍ବ ଅବଦାନ ହେତୁ ବାମଣ୍ଡା ରାଜଦରବାର ତରଫରୁ ତାଙ୍କ ଜୀବନକାଳ ମଧ୍ୟରେ (୧୯୧୬ ମସିହାରେ) ତାଙ୍କୁ ‘ସରସ୍ବତୀ’ ଉପାଧିରେ ଭୂଷିତ କରା ଯାଇଥିଲା | ନିଜସ୍ବ ଉଦ୍ୟମରେ ଏକା ସମଗ୍ର ରାମାୟଣ ଓ ମହାଭାରତର ଓଡିଆ ଅନୁବାଦ କରିଥିବା ହେତୁ ଶ୍ରଦ୍ଧାରେ ଲୋକେ ତାଙ୍କୁ ‘ବ୍ୟାସକବି’ ଉପାଧି ମଧ୍ୟ ଦେଲେ | ଜାତିର କର୍ଣ୍ଣଧାର ଓ ପରମ ନମସ୍ୟ ଏହି ମହାପୁରୁଷଙ୍କ ପୁଣ୍ୟ ଜନ୍ମତିଥିରେ ତାଙ୍କ ଅମରାତ୍ମାକୁ ସଶ୍ରଦ୍ଧ ପ୍ରଣାମ |
