Prasant Kumar Nath

Others Romance

3  

Prasant Kumar Nath

Others Romance

ସେଦିନର ବର୍ଷା ଓ ଡାକଘର ପିଣ୍ଡା

ସେଦିନର ବର୍ଷା ଓ ଡାକଘର ପିଣ୍ଡା

3 mins
7.2K


ରାସ୍ତାରେ ଯାଉଯାଉ ଯଦି ହଠାତ ବର୍ଷା ଆସିଯାଏ I ତା’ହେଲେ ଖୋଜା ପଡେ ରାସ୍ତା କଡରେ ଥିବା କୌଣସି ଘରର ପିଣ୍ଡା , ବର୍ଷା ଦାଉରୁ ନିଜକୁ ରକ୍ଷା କରିବା ପାଇଁ I କିନ୍ତୁ ଏହି ବର୍ଷା ବା ଅଜଣା ପିଣ୍ଡା ବେଳେବେଳେ କାହା ପାଇଁ ସ୍ମୃତି ହୋଇ ରହିଯାଏ I ଆଉ କାହା ପିଣ୍ଡାରେ ମୁଣ୍ଡ ଗୁଞ୍ଜୁ ଗୁଞ୍ଜୁ କେତେବେଳ ଅନେକ ସମ୍ପର୍କ ଗଢି ଉଠେ I କେବେକେବେ ଏହି ବର୍ଷା କାହାର ମାନସପଟରେ ଏମିତି ଲିପିବଦ୍ଧ ହୋଇ ରହିଯାଏ ଯେ ଭୁଲି ହୁଏନା I

ସେଦିନ କଲେଜରୁ ଫେରୁ ଫେରୁ ଏ ଅମାନିଆ ବର୍ଷାଟି ମାଡି ଆସିଲା I ଚାହୁଁ ଚାହୁଁ ବର୍ଷିଗଲା ଏ ଧରଣୀ ଉପରେ I କ'ଣ କରିବି କ'ଣ କରିବି ଏପଟ ସେପଟ ହୋଇ ଖୋଜି ବୁଲିଲି କାହା ଘରର ପିଣ୍ଡା I ଶେଷରେ ମୋର ନଜରକୁ ଆସିଲା ଏକ ଡାକଘର ପିଣ୍ଡା I ସେହି ଡାକଘର ପିଣ୍ଡାରେ ବର୍ଷା ଦାଉରୁ ନିଜକୁ ରକ୍ଷା କରିବାକୁ ଚାହିଁଲି I ସାଇକେଲଟିକୁ ବାହାରେ ରଖି ମୁଁ ସେ ପିଣ୍ଡା ଉପରକୁ ଉଠିଗଲି I କେରିଏଲରୁ ବହିଗୁଡାକ କାଢି ନେଲି I ସେ ପିଣ୍ଡାରୁ ଏକ ଶବ୍ଦ ଶୁଣିଲି ସାଇକେଲଟିକୁ ଉପରକୁ ଉଠେଇ ଆଣୁ ନାହାନ୍ତି I ଓଃ ... ଏତ ଏକ ନାରୀ କଣ୍ଠ I ମୁଣ୍ଡ ଟେକି ଉପରକୁ ଚାହିଁଲି I ଦେଖିଲି ଗୋଟେ ସୁନ୍ଦରୀ ତରୁଣୀ ଦରଭିଜା ଅବସ୍ଥାରେ ଠିଆ ହୋଇଛି I ଯାହାକୁ ଦେଖି ମୋର ଆଖି ଲାଖିଗଲା I କିଛି ନକହି ସାଇକେଲଟିକୁ ଉପରକୁ ଉଠାଇନେଲି I କିନ୍ତୁ ଏ ଅମାନିଆ ବର୍ଷାଟା ଏମିତି ଯେ ଦୀର୍ଘ ଦୁଇ ଘଣ୍ଟା ଧରି ବର୍ଷିଲା I ତା'ରି ଭିତରେ କେତେ କ’ଣ ଘଟିଯାଇଥିଲା ଆମ ଦୁହିଁଙ୍କ ମଧ୍ୟରେ I

ଦରଭିଜା ଅବସ୍ଥାରେ ମୁଁ ପକେଟରୁ ମୋବାଇଲ କାଢ଼ିଲି I ମୋବାଇଲଟି କିଛି ପରିମାଣରେ ଭିଜି ଯାଇଥିଲା I ପକେଟ ଉଣ୍ଡାଳିଲି.....ରୁମାଲ ନଥିଲା ....I ଝିଅଟି ମୋର ଏ ଅବସ୍ଥା ଦେଖି ବ୍ୟାଗରୁ ରୁମାଲ କାଢି ବଢ଼େଇ ଦେଇଥିଲା ମୋ' ହାତକୁ I ମୁଁ ମୋର ମୋବାଇଲ ପୋଛି ପୁଣି ତାର ରୁମାଲ ଫେରେଇଦେଲି I ରୁମାଲ ଫେରେଇ ଦିଅନ୍ତେ…. ତାର ହାତ ମୋର ହାତ କିଛି ସମୟ ପାଇଁ ଏକାଠି ହୋଇଗଲା I ଚାରୋଟି ଆଖିର ମିଳନ ଘଟିଲା I ଏହି ସମୟରେ ଜୋର କରି ଏକ ଘଡଘଡି ମାରିଲା I ଦୁହିଁଙ୍କର ହାତ ଆଉ ଆଖିର ମିଳନ ଭଙ୍ଗ ହେଲା I ପଚାରିଲି ତୁମ ନାଁ ....I ଝିଅଟି କହିଲା ବର୍ଷା ....I ପଚାରିଲା ତୁମ ନାଁ .... କହିଲି ବିବେକ .....I

କିଛି ସମୟ ନିରବ ରହିଲା ପରେ ଝିଅଟି ପୁଣି ଆରମ୍ଭ କଲା ଆମ ଘର ଦଶରଥପୁର I ମୁଁ ମୋର ମାଉସୀ ଘର ପ୍ରୀତିପୁରକୁ ଯାଇଥିଲି I ଫେରୁ ଫେରୁ ବର୍ଷା ହେଲା I ମୁଁ ଏହି ଠାରେ ନିଜକୁ ଆୟତ୍ତ କରିନେଲି I ତୁମେ କଲେଜ ଯାଇଥିଲ ବୋଧେ I କହିଲି ହଁ ମୁଁ ଏହି ଜେ.ବି.କଲେଜରେ ପଢୁଛି I

ଏମିତି କଥା ହେଉ ହେଉ ମୁଁ କାହିଁକି ତା'ପ୍ରତି ଆକର୍ଷିତ ହୋଇ ପଡିଲି ନିଜେ ବି ଜାଣେନା I ଝିଅଟିର କଥା ଓ କାହାଣୀ ମୋର ମନକୁ ଛୁଇଁ ଯାଇଥିଲା I ମୁଁ ଏକ ଗୁଟଖା ଖୋଲି ପକେଟରେ ପକାଇବାକୁ ଯାଆନ୍ତେ ଝିଅଟି ମୋର ହାତକୁ ଧରି ପକେଇଲା I କହିଲା ତୁମେ ଏ ବିଷ ଗୁଡାକ କ’ଣ ପାଇଁ ଖାଉଛ I ଭାବିଲି ଝିଅଟିର ମଧ୍ୟ ମୋ ପ୍ରତି ଦୁର୍ବଳତା ଅଛି I ଫୋପାଡ଼ି ଦେଲି ଗୁଟୁଖାଟିକୁ I ଝିଅଟି ତାର ବ୍ୟାଗରୁ ଦୁଇଟି ଚକଲେଟ କାଢି ମୋର ହାତକୁ ବଢ଼େଇଦେଲା I ମୁଁ ଗୋଟେ ଖୋଲି ପାଟିରେ ପକେଇଲି ଆଉ ତୁମେ ଖାଇବିନି କହି ଅନ୍ୟଟିକୁ ବଢ଼େଇ ଦେଲି I କିନ୍ତୁ ଝିଅଟି ମୋର ହାତକୁ ଆଡେଇ କହିଲା ମୋ ପାଖରେ ଅଛି ମୁଁ ଖାଇ ନେଉଛି I

ବର୍ଷା ଛାଡିଗଲା ....I ବର୍ଷା ଚାଲିଗଲା .... I କିନ୍ତୁ ସେହି ଚକଲେଟ ଆଉ ସେହି ଡାକଘର ପିଣ୍ଡା ମୋ'ପାଇଁ ସ୍ମୃତି ହୋଇ ରହିଗଲା I ଆଜି ପର୍ଯ୍ୟନ୍ତ ସେହି ଚକଲେଟ, ମୋର ପକେଟରେ ସାଇତି ରଖିଛି I ସେ ଝିଅ ସହ ମୋର ଆଉ ଦେଖା ହୋଇନି I ଆଉ ଏକଥା ବି ଜାଣିନି ସେ ମୋତେ ଆଉ ମନେ ରଖିଛି କି ନାହିଁ I

କିନ୍ତୁ ଆଜି ଯଦି ବର୍ଷା ହୁଏ,ମନେପଡିଯାଏ ସେହି ଡାକଘର ପିଣ୍ଡା ଆଉ ସେହି ବର୍ଷା I ଆଉ ଯଦି ସେହି ବାଟେ ଯାଉ ଯାଉ ଡାକଘର ପଡ଼ିଯାଏ ମନେପଡ଼ିଯାଏ ସେହି ସ୍ମୃତିର ଚକଲେଟ I ପକେଟରୁ ଚକଲେଟ କାଢି ଦେଖେ ଓ ଗୋଟେ ଚୁମ୍ବନ ଦେଇ ପୁଣି ରଖିଦିଏ ପକେଟରେ I ସାରା ଜୀବନ ପାଇଁ ବର୍ଷା ,ସେହି ଡାକଘର ପିଣ୍ଡା ,ସେହି ଚକଲେଟ ମୋର ମାନସପଟରେ ସବୁ ଦିନ ପାଇଁ ଲିପିବଦ୍ଧ ହୋଇ ରହିଗଲା I

ପ୍ରଶାନ୍ତ କୁମାର ନାଥ . ସୁନ୍ଦରପୁର,ଉତ୍ତରକୂଳ ହାଟ ,ପ୍ରୀତିପୁର,ଯାଜପୁର I ମୋ-8892301143


Rate this content
Log in