ସେବା
ସେବା
ପ୍ରଥମ ଦୃଶ୍ୟ-
ଦୟାକରି ମିଠା ଆଣନ୍ତୁ ନାହିଁ। ବେଶୀ ମିଠା ଖାଇଲେ ମୋ ପିଲା ମାନଙ୍କର କୁଣ୍ଡିଆ ହେବ। ମିଠା ଗୁଡ଼ିକ ବେଶୀ ଦିନ ମଧ୍ୟ ରହିବନି। ତେଣୁ ଜଲଦି ସାରିବାକୁ ପଡ଼ିବ ।ମୋ ପିଲାମାନେ ବେଶୀ ମିଠା ଖାଇଲେ ତାଙ୍କ ପେଟ ବି ଖରାପ ହେବ। କିଛି ଦେବାକୁ ଇଚ୍ଛା ଅଛି ତ ପିଲାମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଅନ୍ତୁ।
ଏସବୁ କହୁଥିଲେ ଅନ୍ଧ , ମୂକ ,ବଧିର ସ୍କୁଲର ମୁଖ୍ୟ କର୍ମଚାରୀ ମହାଶୟା। ମହାଶୟାଙ୍କ ବେଶଭୁଷା ଓ ବିଦ୍ୟାଳୟ ଦୁହେଁ ଅତି ସାଧାରଣ। ସେ ଆଜୀବନ ଅବିବାହିତର ବ୍ରତ ନେଇଛନ୍ତି। ନିଜେ ସରକାରୀ ଚାକିରୀ କରିଛନ୍ତି। ସେଥିରୁ ଯାହା ପାଆନ୍ତି ଏହି ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି।
ମ୍ୟାଡ଼ାମ ଆପଣ ଜଣେ ମହାନ ବ୍ୟକ୍ତିତ୍ବର ଅଧିକାରୀ। ଏହି ଦିବ୍ୟାଙ୍ଗ ପିଲାମାନଙ୍କର ଏତେ ସେବା କରୁଛନ୍ତି।
ନା - ନା ମୁଁ କିଏ ଏମାନଙ୍କ ସେଵା କରିବାକୁ। ବରଂ ଏହି ପିଲାମାନେ ମୋ ନିରସ ଜୀବନରେ ରସ ଭରି ଦେଇଛନ୍ତି।
ଠିକ ଅଛି ମ୍ୟାଡ଼ାମ ଆପଣ ଆମ ଫୋନ ନଂ ରଖନ୍ତୁ। କିଛି ସାହାଯ୍ୟ ଦରକାର ହେଲେ ଯୋଗାଯୋଗ କରିବେ।
ସ୍ମିତହାସ୍ୟ କରି ମ୍ୟାଡ଼ାମ କହିଲେ - ମୁଁ କିଏ ଯୋଗାଯୋଗ କରିବାକୁ। ଆପଣମାନଙ୍କର ଯେବେ ଇଚ୍ଛା ହେବ ଏଠାକୁ ଚାଲି ଆସିବେ। ମୁଁ କାହିଁକି ଫୋନ କରି ହଇରାଣ କରିବି। ସମୟ ମିଳିଲେ ଆପଣମାନେ ନିଜ ଇଚ୍ଛା ମୁତାବକ ଆସିବେ,କିନ୍ତୁ ମନେ ରଖନ୍ତୁ ମିଠା ଆଣିବେନି। ଆଣିବେ ଯଦି ଡାଲି, ଚାଉଳ,ଖାତା, ପେନ ଏସବୁ ଆଣିବେ।ଖାଲି ହାତରେ ଆସିଲେ ବି ଅସୁବିଧା ନାହିଁ। ଆପଣମାନଙ୍କୁ ଦେଖି ମୋ ପିଲାଏ ଖୁସି ହେବେ। ଦୟାକରି ମିଠା ପ୍ୟାକେଟ ଗୁଡ଼ିକ ଫେରେଇ ନିଅନ୍ତୁ। ଅନ୍ୟ କାହାକୁ ଦେଇ ଦେବେ। ଆଜି ପାଇଁ ବହୁତ ମିଠା ଗଦା ହେଲାଣି।
ଦ୍ଵିତୀୟ ଦୃଶ୍ୟ-
ମ୍ୟାଡାମ ଆମ ଆଶ୍ରମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ପଢ଼ୁଥିବା ଅନାଥ ପିଲାମାନେ ରୁହନ୍ତି। ପାଖ ସ୍କୁଲରେ ପଢ଼ନ୍ତି। କାହାର ବାପା ନାହିଁ, କାହାର ମା ନାହିଁ ତ କାହାର ଦିହେଁ ନାହାନ୍ତି। ଅବାଞ୍ଛିତ ଗର୍ଭର ପିଲାମାନେ ବି ଏଠି ରହନ୍ତି।
ହେଇ ଦେଖୁଛନ୍ତି କମଳା ରଙ୍ଗର ସାର୍ଟ ପିନ୍ଧି ଯୋଉ ପିଲାଟି ବାଣ ଫୁଟଉଛି ତା ମା ଅବିବାହିତା । ଲୋକଲଜ୍ୟାକୁ ଏଠି ଆଣି ଛାଡ଼ି ଦେଇ ଯାଇଛି। କେତେ ଖୁସିରେ ଆମେ ପିଲାମାନଙ୍କୁ ରଖିଛୁ। ପ୍ରତିଟି ପିଲା ପାଇଁ ଶୋଇବାକୁ ଗୋଟିଏ ଗୋଟିଏ ଅଲଗା ଖଟ। ଦେଖୁଛନ୍ତି ତ କେତେ ସୁନ୍ଦର କୋଠା ଘରେ ଆମ ଆଶ୍ରମ। ପୁରା ଘରୋଇ ମାହୋଲ।
ସେଇ ଯୋଉ ହଳଦିଆ ସାର୍ଟ ପିନ୍ଧିଛି ତା ର ବାପା ମା କେହି ନାହାନ୍ତି। ମୋତେ ସବୁ ବୁଝିବାକୁ ପଡୁଛି। ମ୍ୟାଡ଼ାମ ଆପଣ ତ ଶିକ୍ଷୟିତ୍ରୀ ଅଛନ୍ତି। ନିଜ ସହକର୍ମୀମାନଙ୍କୁ କହିବେ କିଛି କିଛି ସାହାଯ୍ୟ କରିବେ। ଦେଖୁଛନ୍ତି ତ କେତେ ଖୁସିରେ ମୁଁ ଏ ବାପା, ମା ଛେଉଣ୍ଡ ,ଏମିତି କି ବାପା ,ମା ପରିଚୟ ହୀନ ପିଲାଙ୍କୁ ରଖିଛି।ତାଙ୍କ ସେବା କରୁଛି।ପୁଣିଥରେ ନିଶ୍ଚୟ ଆସିବେ। ଏକୁଟିଆ ଆସିବେନି, ନିଜ ସହକର୍ମୀମାନଙ୍କୁ ନେଇ ଆସିବେ। ଆସିଲା ବେଳେ ପିଲାଙ୍କ ପାଇଁ କିଛି ସାହାଯ୍ୟ ଆଣିଥିବେ। ମିଠା ପ୍ୟାକେଟ ଗୁଡ଼ିକୁ ସଜାଡୁ ସଜାଡୁ ଆଶ୍ରମର ମୁଖ୍ୟ କର୍ମକର୍ତ୍ତା କହିଲେ।
