ସବୁ ମାୟାରେ ବାୟା
ସବୁ ମାୟାରେ ବାୟା


ଶାଶୁଘରେ ନୂଆ ନୂଆ ଦିନ।ବେଶ୍ ଫୁଲାଫାଙ୍କିଆ ଥିଲା ସର୍ବାଣୀ।
ଇଚ୍ଛା ହେଲେ ସେ କିଛି କରୁଥିଲା , ନ ହେଲେ ନାହିଁ।
- " ମୁଁ ଥକିପଡିଲେ ତୁ କରିବୁ।ଏବେ ତୁ ଖାଲି ରନ୍ଧାବଢା ଦି'ଟା କର। " ଶାଶୁ କହିଥିଲେ।
ସେତିକି ହିଁ କରୁଥିଲା ସେ।ଆଉ ଅଧିକ କିଛି ନୁହେଁ।
ଶାଶୁ ଖୁସି ଥିଲେ।ସେ ' ବି ଖୁସି ଥିଲା।
ତା'ର ଗୋଟେ ପୁଅ ହେଲା।ଏବେ କାମ ବଢିଲା।
ପୁଣି ଗୋଟେ ପୁଅ ହେଲା।କାମ ଆହୁରି ବଢିଲା।
ଧୀରେ ଧୀରେ ବୟସ ବଢିଲା।କାମ ପୁଣି ବଢିଲା।
ଏବେ ବୋଧହୁଏ ଘରଟା ଯାକର କାମ କରୁଥିଲା ସେ।କାମ କରି କରି ତା'ର ଅଣ୍ଟା ପିଠି ବିନ୍ଧି ଉଠୁଥିଲା।କେମିତି ଦିନ ଯାଉଥିଲା, କେମିତି ରାତି ପାହୁଥିଲା କିଛି ଜାଣି ପାରୁ ନ ଥିଲା ।
ପିଲା ଦୁଇଟା ଧୀରେ ଧୀରେ ବଡ ହେଉଥିଲେ।ବେଳ ନାହିଁ କାଳ ନାହିଁ ଖାଲି ଖାଇବାକୁ ମାଗୁଥିଲେ।ଶ୍ବଶୁର ବୁଢା ହେଲେଣି।ତାଙ୍କର ଗରମ ପାଣି ଦରକାର।ଔଷଧ, ଚା' ପୁଣି ମୁସୁମୁସୁ ଚୁଡା ଭଜା ଦରକାର।ସେ ଆଉ ଶୋଇବ କ'ଣ ! ସେମାନଙ୍କ ସାଙ୍ଗରେ ବକର ବକର ହେଉଥିଲା।କାମ ବି କରୁଥିଲା।
ସ୍ବାମୀଙ୍କୁ କେବେ କେମିତି ଫାଙ୍କା ଥିବା ଦେଖୁ ନ ଥିଲା ସେ।ଅଫିସ ସମୟତକ ବାହାରେ।ଘରକୁ ଫେରିଲେ ଲେଖାଲେଖି ଟେବୁଲ୍ ପାଖରେ।ବସିଥିବେ ଯେ ବସିଥିବେ।ଉଁ ନାଇଁ କି ଚୁଁ ନାଇଁ।କି ପୋଡା କାମ କରନ୍ତି କେଜାଣି ! ମନ ହେଲେ କିଛି କରିବେ,ନ ହେଲେ ନାହିଁ।ବିରକ୍ତି ହେଲେ ବି ମନେମନେ ରହୁଥିଲା ସେ।
ଟିଭି ସିରିଏଲ୍ ଦେଖିବାକୁ ଇଚ୍ଛା, ହେଲେ ଦେଖି ପାରୁ ନ ଥିଲା ସେ।ବାପଘର ଆଡେ ଯାଇ ବୁଲି ଆସିବାକୁ ମନ,ହେଲେ ଯାଇ ପାରୁ ନ ଥିଲା ସେ।ନିଃଶ୍ବାସ ଗୋଟେ ନେଉ ନେଉ କିଏ ନା କିଏ ଡକା ପକାଉଥିଲେ ତାକୁ।
ଏବେ ଶାଶୁଘରେ ତା'ର ସମୟ ଏହିପରି କଟୁଥିଲା।
ଧୀରେ ଧୀରେ ବୁଢ଼ୀ ହୋଇ ଯାଇଥିଲେ ଶାଶୁ।ତାଙ୍କ ଅଣ୍ଟା ନଇଁ ଯାଇଥିଲା।ତଥାପି ଦଣ୍ଡେ ବସୁ ନ ଥିଲେ ସେ।ନଇଁ ନଇଁ ଯେତିକି ଯାହା ଘରକାମ ପାରୁଥିଲେ କରୁଥିଲେ।
ଝିଅଟିଏ ଥାଆନ୍ତା କି ! ଘରକାମରେ ସାହାଯ୍ୟ କରନ୍ତା ତ ! - କେବେ କେମିତି ନିରୋଳାରେ ବସିଗଲେ ମନକୁମନ କହୁଥିଲା ସେ।ସିଏ ବା କାହା ହାତର କଥା।ପୁଣି ଏମିତି କହି ନିଜ ମନକୁ ବୁଝାଇ ଦେଉଥିଲା।
କୋଉ ପୁଅ କୋଉ ଝିଅ କାହାର ! - ମନେମନେ ଏମିତି ପୁଣି କହୁଥିଲା।ତଥାପି ମୋର ମୋର ମାୟାରେ ବାନ୍ଧି ହୋଇ ଯାଇଥିଲା ତା'ର ମନ।
ସବୁବେଳେ ଖାଲି କାମ ଆଉ କାମ।ଦାଣ୍ଡ ଠୁଁ ବାରି ଯାଏ ଯେମିତି ଅନେକ କାମ ପଡିରହିଛି ତା' ଆଗରେ - ସେମିତି ଲାଗୁଥିଲା।ସେ କାମରେ ମାତିଥିଲା।
ମଣିଷ ଜୀବନଟା ଆଉ କ'ଣ ଯେ ! ଜୀବନ ସରିବ - କାମ ଛିଣ୍ଡିବ।ଦଣ୍ଡେ ବସି ହେବ କ'ଣ ! ଗାଇବାକୁ ହେବ ପୁଣି ନାଚିବାକୁ ବି ହେବ।ନଈକୂଳରେ ଘର କରି ନଈକୁ ଡରିଲେ ହେବ କି !
ଏମିତି କେତେ କ'ଣ ଭାବୁଥିଲା ସେ।
- " ଯାଏ ଲୋ ମା' ! କେତେ କାମ ପଡିଛି ଅଥଚ କୁଆଡ଼େ ଗଲାଣି ବେଳ। " ପୁଣି ଏମିତି କହି ଉଠି ଯାଉଥିଲା।
ସବୁ ମାୟାରେ ବାୟା ! ! !