Sachidananda Kar

Others

3.6  

Sachidananda Kar

Others

ସ୍ୱାର୍ଥର ପରିସୀମା

ସ୍ୱାର୍ଥର ପରିସୀମା

3 mins
133


     ନିଜ ବୃତ୍ତିରେ ବଞ୍ଚୁଥିଲା ସେ।ଗୋଟେ ବୃତ୍ତ ଭିତରେ ଥିଲା ତା'ର ଜୀବନ।ତା' ବୃତ୍ତିଟି ତାକୁ କେହି ଦେଇ ନ ଥିଲା।ସେ ବାଛି ନେଇଥିଲା ନିଜେ।ବୃତ୍ତଟି ଭିତରେ ବି ତାକୁ କେହି ରଖି ନ ଥିଲା।ସେ ରଖିଥିଲା ତା' ନିଜକୁ ନିଜେ। 


     ଏଠି ଏବେ ପୃଥିବୀ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି।ବଢ଼ି ବଢ଼ି ଚାଲିଛି ସ୍ଵାର୍ଥର ପରିସୀମା।ଅନେକ କିଛି ବଦଳୁଛି ଏଠି।ହେଲେ ସେ ବଦଳିବା କ୍ଵଚିତ ଦେଖା ଯାଉଥିଲା। 


    ମେଣ୍ଢା ହୋଇ ମେଁ ମେଁ ନ କରିବା ତା'ର ଭାଗ୍ୟ ପାଲଟିଥିଲା।କେହି ଦେଇ ନ ଥିଲା ତାକୁ ତା'ର ଏ ଭାଗ୍ୟ।ବରଂ ସେ ନିଜେ ତା'ର ଏମିତି ଭାଗ୍ୟକୁ ଆଦରି ନେଇଥିଲା ସ୍ୱଇଚ୍ଛାରେ। 


    ଆଜି ବି ଏଇ କାରଣରୁ ତା' ଘରେ ଅନ୍ଧାର ମହଜୁଦ ରହିଥିଲା।ସୂର୍ଯ୍ୟ ତା' ପାଇଁ ଥିଲା ସ୍ୱପ୍ନ।ସ୍ୱାଧୀନ ହୋଇପାରି ନ ଥିଲା ସେ ଏଯାଏଁ।ବଞ୍ଚିପାରି ନ ଥିଲା ମୁକ୍ତ ଜୀବନ। 


    ସବୁବେଳେ ଅଭାବ, ଅନଟନରେ ସଢୁଥିଲା ସେ।ତା'ର ଆବଶ୍ୟକତା ଥିଲା କେବଳ ପେଟକୁ ଦି' ମୁଠା ଭାତ।ଯାହା ପିନ୍ଧିଲେ,ଯେମିତି ଘରେ ରହିଲେ ବି ତା'ର କିଛି ଯାଏ ଆସେ ନ ଥିଲା।ତା' ସଂସାରର ଦଦରା ନାଆର ନାବିକ ଥିଲା ସେ ନିଜେ।ନିଜ ହାତ ଥିଲା ତା'ର କାତ। 


    ତାକୁ ଦେଖିଲେ ଈଶ୍ୱର ତାକୁ ଗଢ଼ିଛନ୍ତି କି ନାହିଁ ମନରେ ସନ୍ଦେହ ଆସୁଥିଲା।ଈଶ୍ୱରଙ୍କ ସ୍ୱପ୍ନରେ ସେ ଥିଲା ଭଳି ଆଦୌ ମନେ ହେଉ ନ ଥିଲା।କିନ୍ତୁ ତା' ସ୍ୱପ୍ନରେ ଈଶ୍ୱର ଥିଲେ ନିଶ୍ଚୟ।ସେ ଗଢ଼ି ପାରୁଥିଲା ଈଶ୍ୱରଙ୍କୁ।ତିଆରି କରି ପାରୁଥିଲା ଈଶ୍ୱରଙ୍କ ଭାଗ୍ୟ। 


    ତା' ସାମ୍ନାରେ ଥିଲା ଗଦା ଗଦା ସୁଖ, ସୌଭାଗ୍ୟ ଓ ଐଶ୍ୱର୍ଯ୍ୟ।ହେଲେ ସେ ସେମାନଙ୍କ ପାଖ ପଶି ପାରୁ ନ ଥିଲା।ମଝିରେ ଥିଲା ଗୋଟେ ବିରାଟ ଅଦୃଶ୍ୟ ବ୍ୟବଧାନ।ତାକୁ ଦେଖିଲେ ଜାଣି ହେଉ ନ ଥିଲା କାହିଁକି ତା'ର ସେଥିପାଇଁ ଆଦର, ଶ୍ରଦ୍ଧା ଓ ଅନୁରାଗ ନ ଥିଲା ବୋଲି।ସେ ଆଶାଶୂନ୍ୟ କି ନିରାଶ ତାହା ମଧ୍ୟ ଜାଣି ହେଉ ନ ଥିଲା।ତା' ଜୀବନ ଭିତରେ ଆଉ ଗୋଟିଏ ଜୀବନ ଥିଲା। 


     ଗଛବୃଚ୍ଛରେ ପରିପୂର୍ଣ୍ଣ ଗୋଟେ ଜଙ୍ଗଲରେ ହିଁ ଥିଲା ତା'ର ସକାଳ ଓ ସଞ୍ଜ।ତା'ରି ଭିତରେ ଫସଲ ଫଳାଉଥିଲା ସେ।ଫସଲ କଟାବେଳେ ମିଠା ମିଠା ଗୀତ ଗାଉଥିଲା।ସବୁବେଳ ପାଇଁ ଜଙ୍ଗଲ ମାଟିରେ ବନ୍ଧା ପଡ଼ିଥିଲା ତା'ର ଆତ୍ମା।ଅସଜଡ଼ା ଥିଲା ତା'ର ସ୍ୱପ୍ନ, ହେଲେ ନିଜ ପେଟ ଚାଖଣ୍ଡକ ପାଇଁ ଥିଲା ସେ ବେଶ୍ ସୃଜନଶୀଳ।କାମନା,ବାସନା,ଭାବନା, ଧନଜନ ଗୋପଲକ୍ଷ୍ମୀ - ଏସବୁ କିଛି ବି ଜାଣି ନ ଥିଲା ସେ।ତଥାପି ତା'ର ସମୟ ତାକୁ ସବୁକାଳେ ସତେଜ ଦିଶୁଥିଲା। 


     ସେ ଜାଣିଥିଲା ମୁଣ୍ଡ ଝାଳ କେବେ ତା'ର ଶୋଷ ମାରି ପାରିବନି।ତଥାପି ଖରା, ବର୍ଷା, ଶୀତ,କାକର ନ ମାନି ନିଜ କାମରେ ଲାଗୁଥିଲା ସେ।ନା ତା'ର ଦାବି ବୋଲି କିଛି ଥିଲା ,ନା ସେ ବୁଝିଥିଲା ତା'ର ଅଧିକାର।ପେଟ ପୂରିଲେ ତା'ର କେତୋଟି ଶାନ୍ତିର ନିଃଶ୍ୱାସ ବାହାରି ଯାଉଥିଲା।ସେଇ ଭିତରେ ବିତି ଯାଉଥିଲା ତା'ର ଆୟୁଷର କିଛି କାଳ। 


    ସବୁଦିନେ ତାକୁ ଦେଖୁଥିଲି ମୁଁ।ପ୍ରେମ ଓ ତ୍ୟାଗରେ ଜଳି ଜଳି ନିଃଶେଷ ହେଉଥିଲା ସେ।ତା'ର ଶେଷହୀନ ଦୁଃଖ ମୋ ମନରେ ରେଖାପାତ କରୁଥିଲା।ହେଲେ ନା କିଛି କହି ପାରୁଥିଲି ନା କିଛି ପଚାରି ପାରୁଥିଲି ତାକୁ। 


    ସତ୍ୟନିଷ୍ଠ ପୃଥିବୀରେ ନିଜ ବୃତ୍ତିକୁ ଭଲପାଇ ବଞ୍ଚୁଥିବା ସେଇ ମଣିଷଟାକୁ ମୁଁ ବା କ'ଣ ପଚାରିବି କହିବି ଯେ! 


    ତଥାପି ଦିନେ ଅତ୍ୟନ୍ତ ଢଳଢ଼ଳ ଆବେଗରେ ତାକୁ ପଚାରିଦେଲି - ' ନିଜ ବୃତ୍ତିକୁ ଜାବୁଡ଼ି ଧରି ନିଜ ତିଆରି ବୃତ୍ତ ଭିତରେ ଏମିତି କେତେକାଳ ରହିଥିବୁରେ ସୁନାକର ? ' 


    ସେ ହସିଲା ମୋ କଥାଶେଷରେ।କହିଲା - ' ଏଇ ଜଙ୍ଗଲ ଓ ମୋ ବୃତ୍ତିର ମୁଁ ଜଣେ ବିମୁଗ୍ଧ ପ୍ରେମୀକ।ଭାଙ୍ଗିପଡ଼ିଲେ ଯିବି।ଉଜୁଡ଼ିଗଲେ ଯିବି।ବୃତ୍ତି ବଦଳେଇ ପାରିବିନି କି ଏ ଜଙ୍ଗଲ ଛାଡ଼ି ଆଉ କୁଆଡ଼େ ଯାଇ ପାରିବିନି।ଏଠି ବୃତ୍ତି ସହିତ ବୃତ୍ତ ଭିତରେ ରହିବାରେ ବି ଗୋଟେ ନିଆରା ଆନନ୍ଦ ଅଛି।ତା' ନ ହେଲେ ନିଜର ପ୍ରତିବିମ୍ବ ଦେଖିପାରିବି କେମିତି?ନିଜକୁ ନିଜେ ଆବିଷ୍କାର କରିପାରିବି କେମିତି? ' 


    ଭାବୁଥିଲି ବୃତ୍ତି ନୁହେଁ, ବୃତ୍ତକୁ ଡେଇଁଲେ ଜୀବନ ଥାଏ।ହେଲେ ଏବେ ଭାବିବାକୁ ବାଧ୍ୟ ହେଲି, ବୃତ୍ତ ଭିତରେ ବି ଗୋଟେ ଛଳଛଳ ନିଶ୍ଚିନ୍ତ ଜୀବନ ଥାଏ।ବୃତ୍ତ ଭିତରେ ରହି, ବୃତ୍ତିରେ ବଞ୍ଚି ନିଜ ଦୁଃଖ, ଅଭାବବୋଧକୁ ନିଜ କାନ୍ଧରେ ବୋହି ବଞ୍ଚିବାର ଆନନ୍ଦରେ ବିଭୋର ହେଉଥିବା ଏଇ ସରଳ,ନିଷ୍କପଟ ମଣିଷଟାକୁ ମୁଁ ଆଉ କ'ଣ କହିବି ଯେ?କ'ଣ ପଚାରିବି? ନିଜକୁ ନିଜେ କହିଲି। 


    - ' ତୁମ ନିଷ୍ଠା,ତ୍ୟାଗ ଓ ତୁମ ପବିତ୍ରତାର ପଟାନ୍ତର ନାହିଁ। ' ଶେଷରେ ଏତିକି କହିଲି। 


    ମୋ କଥା ଶୁଣି ମୁର୍କି ହସିଲା ସେ।ଖୁବ୍ ମିଠା ମିଠା ଥିଲା ତା'ର ସେଇ ହସ। 


     ତା'ର ହସହସ ମୁହଁ ଦେଖି ଏବେ ମୁଁ ମୋ ନିଜକୁ ଆବିଷ୍କାର କରିବାରେ ଲାଗିଗଲି।ମୋ ମୁହଁରେ ବି ତା' ମିଠା ମିଠା ହସ ପରି ହସ ଫୁଟିଉଠିଲା - ଅବଶ୍ୟ ନିଜକୁ ଆବିଷ୍କାର କଲାପରେ।ହଁ,ନିଜକୁ ଆବିଷ୍କାର କଲାପରେ - - - - -। 


   



Rate this content
Log in