ରାଜାଙ୍କର ଶେଷ ହସ
ରାଜାଙ୍କର ଶେଷ ହସ
ମରିବା ପରି ବଞ୍ଚିବା ସହଜ ନୁହେଁ । କାନ୍ଦିବା ପରି ହସିବା ବି ସହଜ ନୁହେଁ । କେତେଦିନର ଜୀବନ କାଟିବା ଭିତରେ ଏସବୁ ମର୍ମେମର୍ମେ ଅନୁଭବ କରୁଥିଲି ମୁଁ । ତଥାପି ବଞ୍ଚୁଥିଲି ଆଉ ହସୁଥିଲି । ବାଧ୍ୟ ଥିଲି ଏଥିପାଇଁ । କହିବାର କଥା କି ମୋ ରାଜ୍ୟର ରାଜାଙ୍କ ପାଇଁ ମୁଁ ଏମିତି ଥିଲି । କେବଳ ମୁଁ ନୁହେଁ, ରାଜ୍ୟର ଅନେକ ପ୍ରଜା ଏପରି ଥିଲେ । ରାଜା ବଞ୍ଚୁଥିଲେ । ମୁଁ ବଞ୍ଚୁଥିଲି । ଅନେକ ବଞ୍ଚୁଥିଲେ । ରାଜା ହସୁଥିଲେ । ମୁଁ ହସୁଥିଲି । ଅନେକ ହସୁଥିଲେ ।
ରାଜାଙ୍କର ହସ ହେଲେ କ'ଣ ହେଲା, ସେଇ ହସକୁ ମୋର ଭାରି ଭୟ ଥିଲା । ସେ ନ ହସନ୍ତୁ ବା କେବେ ବି ତାଙ୍କ ହସ ମୋ କାନକୁ ନ ଶୁଭୁ - ଏପରି ଚାହୁଁଥିଲି ମୁଁ । ଆଦୌ ବୁଝି ପାରୁ ନ ଥିଲି କେଉଁ ସ୍ୱପ୍ନକୁ ନେଇ ମୁଁ ବଞ୍ଚୁଛି ଆଉ କେଉଁ ସୁଖରେ ହସୁଛି ।
ରାଜା ମୃଗୟାରେ ଯାଉଥିଲେ । ନିରୀହ ମୃଗମାନଙ୍କୁ ଶିକାର କରୁଥିଲେ । ମୃଗମାନେ ଆର୍ତ୍ତଚିତ୍କାର କରୁଥିବାବେଳେ ହସୁଥିଲେ ରାଜା । କାହିଁକି ଯେ ରାଜା ନିରୀହ ମୃଗମାନଙ୍କୁ ଶିକାର କରି ଖୁସିରେ ହସୁଥିଲେ ବୁଝି ପାରୁନଥିଲି । ମୃଗଙ୍କର ଆର୍ତ୍ତଚିତ୍କାର ସହିତ ମରିଯାଆନ୍ତା କି ରାଜାଙ୍କର ହସ ! ରାଜପ୍ରାସାଦର ମେଘନାଦ ପାଚେରୀ ଡେଇଁ ବାହାରକୁ କେବେ ନ ଆସନ୍ତା କି ସେଇ ହସ ! ମନେମନେ ପ୍ରାର୍ଥନା କରୁଥିଲି ମୁଁ । ଅନେକ ବି ପ୍ରାର୍ଥନା କରୁଥିଲେ । ହେଲେ ଏସବୁ ନିଷ୍ଫଳ ପ୍ରାର୍ଥନା ଥିଲା ।
ରାଜା ବଞ୍ଚୁଥିଲେ । ମୁଁ ବଞ୍ଚୁଥିଲି । ଅନେକ ବଞ୍ଚୁଥିଲେ ।
ରାଜା ହସୁଥିଲେ । ମୁଁ ହସୁଥିଲି । ଅନେକ ହସୁଥିଲେ ।
ଦୁଃଖରେ ଥିବାବେଳେ ବି, ଭୋକିଲା ପେଟରେ ଥିବାବେଳେ ବି,ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ବି ମୁଁ ହସୁଥିଲି । ଅନେକ ମଧ୍ୟ ଏହିପରି ଅବସ୍ଥାରେ ଥାଇ ହସୁଥିଲେ ।
ମୋ ମୁହଁରେ ସବୁବେଳେ ଗୋଟିଏ କଥା ବସା ବାନ୍ଧି ରହିଥିଲା । - "ଭୋ ରାଜନ୍ ! ଆପଣଙ୍କ ହସରୁ ଅମୃତ ଝରୁଛି । ସେଇ ଅମୃତ ମୋତେ ବଞ୍ଚାଇ ରଖିଛି । କି ସୁନ୍ଦର ଆପଣଙ୍କର ହସ !ଆପଣଙ୍କ ହସରେ ତ ଫୁଲ ଫୁଟିଯାଉଛି । ମନ ନାଚିଯାଉଛି । ଦେଶ ହସିଉଠୁଛି ।"
ଅନେକଙ୍କ ମୁହଁରେ ବି ଏହି ଗୋଟିଏ କଥା ବସା ବାନ୍ଧି ରହିଥିଲା ।
ହେଲେ ଅସଲରେ ଆମେ ସମସ୍ତେ ଜାଣିଥିଲୁ ସେ ହସର ନିର୍ଯ୍ୟାତନା କେତେ କେତେ ପ୍ରଜାଙ୍କ ଛାତିରେ ନିଆଁ ଲଗାଏ ସେ ହସ, କେତେ ଚୁଲିର ନିଆଁ ଲିଭାଏ, ଲୁହରେ କେତେ ଘର ବୁଡାଏ ଓ କେତେ ପିଲା ଭୟରେ ଯାଇ ମା'ର ଲୁଗାକାନି ଭିତରେ ଲୁଚନ୍ତି । ଆମର ମନ ସବୁ ଜଳୁଥିଲା ।
ମନର ଜ୍ୱଳନ ବେଶ୍ ତୀବ୍ର । କେହି ତାକୁ ଦେଖି ପାରନ୍ତିନି । ଜୀବନକୁ ଖିନଭିନ୍ କରିଦିଏ ସେ । ଯନ୍ତ୍ରଣାରେ ଆଉଟୁ ପାଉଟୁ ହୋଇଯାଏ ଜୀବନର ପ୍ରତିଟି ମୁହୂର୍ତ୍ତ । ଦୁନିଆଟା ବିଷ ପରି ଲାଗେ ।
ତଥାପି ଆମେ ସବୁ ବଞ୍ଚୁଥିଲୁ ଆଉ ହସୁଥିଲୁ ।
ମୋ କାନ ପର୍ଯ୍ୟନ୍ତ ଯେତେବେଳେ ରାଜାଙ୍କର ହସ ଚାଲି ଆସୁଥିଲା,ମୁଁ ବୁଝୁଥିଲି କେହି ଜଣେ ନିର୍ଦ୍ଦୋଷ ଆଜି ଶୂଳିରେ ଚଢୁଛି,ଅବା କାହାର ନା କାହାର ମୁଣ୍ଡକାଟ ହେଉଛି ଆଜି ନିଶ୍ଚୟ, ଅବା ବିନା ଅପରାଧରେ କେହିଜଣେ ଭରପୂର ରାଜଦରବାରରେ ଅପଦସ୍ତ ହେଉଛି ।
ଅନେକ ଏହିପରି ବୁଝୁଥିଲେ ।
ହେଲେ ଆମେ କେହି କିଛି କରିପାରୁ ନ ଥିଲୁ । ଅଭିଯୋଗ, ପ୍ରତିବାଦ କରିବାକୁ ସାହସ ଆମର ନ ଥିଲା । ମୂକ ପ୍ରାୟ ବଞ୍ଚି ରହିଥିଲୁ ଆମେ । ଶୂନ୍ୟରେ ମିଳେଇ ଯାଉଥିଲା ଆମର ଯେତେ ସବୁ ଅଶାନ୍ତି ଓ ଅସନ୍ତୋଷର ସ୍ୱର ।
ଦିନେ ରାଜା ଭୟଙ୍କର ଭାବରେ ହସିଲେ । ସେ ହସ ଏମିତି ହସ ଥିଲା ଯେ ମୋ ପଞ୍ଜରା ଥରାଇ ଦେଲା । ମୋ ପରି ରାଜ୍ୟର ଅନେକ ଥରିବାରେ ଲାଗିଲେ ।
ସେଇ ହସ ରାଜାଙ୍କର ଜୀବନର ଶେଷ ହସ ଥିଲା । ସେଦିନ କିନ୍ତୁ ମୁଁ ଆଦୌ ହସିପାରି ନ ଥିଲି । ଅନେକ ମଧ୍ୟ ହସିପାରି ନ ଥିଲେ ।
ରାଜାଙ୍କର ଶେଷ ହସ ।
