STORYMIRROR

Prakas Tripathy

Others

3  

Prakas Tripathy

Others

ପୁଅ

ପୁଅ

2 mins
15.6K


ଭାଗିରଥି ବାବୁ ଗତ ଚାରି ଦିନ ହେବ ଆଉ ଚାଲିବାକୁ ଆସୁନାହାନ୍ତି। ଆମ ମର୍ନିଂ କ୍ଲବର ସେ ଜଣେ ସକ୍ରିୟ ସଦସ୍ୟ । ମର୍ନିଂ କ୍ଲବ ବୋଲି ସେମିତି କିଛି ନାହିଁମ । ପ୍ରତିଦିନ ଆମେ ଆଠ ଦଶ ଜଣ ସକାଳୁ ସକାଳୁ ଚାଲୁ ।ଏହାକୁ ଆମେ ମର୍ନିଂ କ୍ଲବ କହିଥାଉ ।ମଝିରେ ମଝିରେ ଭୋଜି ଭାତ କରୁ, ମିସି କରି ଭଲ ସିନେମା ଯାଉ, ବର୍ଷକୁ ଥରେ ବାହାରକୁ ବୁଲିବାକୁ ଯାଉ। ସକାଳ ଚାଲିବା ବେଳେ ଥଟା ମଜା ରେ ଚାରି ପାଞ୍ଚ କିଲୋମିଟର ଚାଳିବାରେ ଜମା ଥକା ଜଣା ପଡେନି। ଅଧିକ ମଜା କରନ୍ତି ଭାଗିରଥି ବାବୁ। ପାଞ୍ଚ ବର୍ଷ ତଳୁ ଅତିରିକ୍ତ ତହସିଲଦାର ପଦରୁ ଅବସର ନେଲେଣି। ଗୋଟିଏ ବୋଲି ପୁଅ। ବମ୍ବେରେ ଏକ କର୍ପୋରେଟ ସେକ୍ଟରରେ ଭଲ ପଦବୀରେ ଅଛି। ଭାଗିରଥି ବାବୁ କହୁଥିଲେ ସେ କୁଆଡେ ଆଠ ଲକ୍ଷ ପ୍ୟାକେଜରେ ଅଛି।

ଭାଗିରଥି ବାବୁ କେବେବି ଅନୁପସ୍ଥିତ ରୁହଁନ୍ତିନି ।କି ବର୍ଷା, କି ଶୀତ, ସବୁଦିନ ତାଙ୍କ ଉପସ୍ଥିତ ଆମକୁ ଉତ୍ସାହିତ କରେ ବଡିଭୋରରୁ ଉଠିବାକୁ ।କିନ୍ତୁ ଦିନେ ନୁହେଁ, ଦୁଇଦିନ ନୁହେଁ, ଲଗାତାର ଚାରିଦିନ ହେଲାଣି ଭାଗିରଥି ବାବୁ ସକାଳେ ଚାଲିବାକୁ ଆସୁନାହାନ୍ତି। କ'ଣ କାରଣ ହୋଇପାରେ ? କ'ଣ ପୁଅ ପାଖକୁ ବମ୍ବେ ଚାଲିଗଲେ କି ? ନା ଦେହ ହଠାତ ଅସୁସ୍ଥ ହୋଇଗଲା ।ଆମ ସମସ୍ତଙ୍କୁ ଭାଗିରଥି ବାବୁଙ୍କ ଅନୁପସ୍ଥିତ ଚିନ୍ତାରେ ପକାଇଲା ।ନିଷ୍ପତ୍ତି ନେଲୁ ତାଙ୍କ ଘରକୁ ଆମେ ସମସ୍ତେ ଯିବୁ। ଘଟଣା କ'ଣ ବୁଝିବୁ।

ଠିକ୍ ସକାଳ ସାତଟାରେ ଆମେ ସମସ୍ତେ ପହଂଚିଗଲୁ ଭାଗିରଥି ବାବୁଙ୍କ ଘରେ ।ଡ୍ରଇଂ ରୁମରେ ବସି ସେ ପେପର ପଢୁଥିଲେ। ଆମ ସମସ୍ତଙ୍କୁ ହଠାତ ତାଙ୍କ ସମୁଖରେ ଦେଖି ଆଶ୍ଚର୍ଯ୍ୟ ତ ହେଲେ, କିନ୍ତୁ ତା ଠାରୁ ଅଧିକ ଖୁସି ଜାହିର କରିଥିଲେ। ପତ୍ନୀଙ୍କୁ ଆଠ କପ ଚା’ ବରାଦ କରି ନିଜ ଆଡୁ କୈଫତ ଦେବା ଆରମ୍ଭ କରିଦେଲେ। ମନଟା ଭଲ ଲାଗୁନାହିଁ ଓ ସେଥିପାଇଁ ସେ ସକାଳେ ମର୍ନିଂ ୱକକୁ ଯାଇ ପାରୁନାହାନ୍ତି ।ଆମେ ଯେତେବେଳେ ମନ ଦୁଃଖର କାରଣ ପଚାରିଲୁ, ସେ ତତ୍କ୍ଷଣାତ ଏକ ଫାଇଲରୁ ଗୋଟିଏ ଲେଟର ଆମ ହାତକୁ ବଢାଇ ଦେଲେ ।ସେଇ ଲେଟରଟି ପଢି ଆମେ ସମସ୍ତେ ବି ସ୍ତବ୍ଧ ହୋଇଗଲୁ। ଗତ କୋଡିଏ ବର୍ଷ ତଳର ଏକ ଭଜିଲାନ୍ସ କେସରେ ତାଙ୍କୁ ଛଅ ମାସ ଜେଲ ଓ ଦୁଇ ଲକ୍ଷ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅନାଦେୟ ଆଉ ତିନ ମାସ ଅଧିକ ଜେଲ। ଆମେ ସମସ୍ତେ ଚୁପ୍। କାହା ପାଟିରୁ କିଛି କଥା ବାହାରୁ ନଥିଲା। କିଛି ସମୟ ନୀରବତା ପରେ ଭାଗିରଥି ବାବୁ ପୁଣି କହିଲେ, ପୁଅକୁ ଦୁଇ ଲକ୍ଷ ଟଙ୍କା ମାଗିଥିଲି ଜମା କରିବାକୁ। ଦେଖିବା କହି ଫୋନ କାଟିଦେଲା। କାଲି ତା’ ମାଆକୁ ଫୋନ କରି କହିଛି, ବାପା ଛଅ ମାସ ଜେଲରେ ରହିବେ, ଆଉ ତିନି ମାସ ଅଧିକ ରହି ପାରିବେନି ଯେ ଦୁଇ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ତା ପାଖରେ ଏବେ ଟଙ୍କା ନାହିଁ।

ଭାଗିରଥି ବାବୁଙ୍କ ଆଖିରେ ଲୁହ। ଆମ ସଭିଙ୍କ ଆଖିରେ ବି।

ପ୍ରକାଶ ତ୍ରିପାଠୀ


Rate this content
Log in