Rasmi Rekha Tripathy

Others

3  

Rasmi Rekha Tripathy

Others

ପ୍ରତିଶୋଧ

ପ୍ରତିଶୋଧ

2 mins
574



       ସିପ୍ରା ଦିଦିଙ୍କୁ ଦେଖିବା ତ ଦୂରର କଥା ତାଙ୍କ ନାଁ ପଡିଲେ ମୋ ମୁଣ୍ଡ କ’ଣ ହେଇଯାଏ l କାହିଁକି କେଜାଣି ସେ ମୋତେ ଜମ୍ମା ପସନ୍ଦ କରୁ ନ ଥିଲେ l ବହୁତ ରାଗନ୍ତି ମୋ ଉପରେ l ଥରେ ମୋତେ ଶ୍ରେଣୀରେ ଦ୍ୱିତୀୟ ଧାଡିରେ ବସେଇ ଦେଇଥିଲେ l କାରଣ ମୋର ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଗଣିତରେ ଅଶି ତଳକୁ ଥିଲା l ମୋ ପାଇଁ ପ୍ରଥମ ଧାଡିରେ ବସିବାକୁ ସୁଯୋଗ ନ ପାଇବା ଠାରୁ ବଳି ବଡ ଅପମାନ ଆଉ କିଛି ନ ଥିଲା l ଦିନେ ଦିନେ ଭାବେ, ମୁଁ ଦିନେ ନା ଦିନେ ଏହି ଅପମାନର ପ୍ରତିଶୋଧ ନେବି ହିଁ ନେବି l

       ଆଜି ସେ ସୁଯୋଗ ମିଳିଗଲା ମୋତେ l ବହୁତ ବର୍ଷ ପରେ ଦେଖୁଥିଲି ଦିଦିଙ୍କୁ l ବୟସ ଭାରରେ ଯେତିକି ନୁହେଁ, ଚିନ୍ତାରେ ସେତିକି ବୟସ୍କା ଦେଖା ଯାଉଥିଲେ ସେ l ଯିଏ ମରି ସାରିଛନ୍ତି, ତା’ଙ୍କୁ ଆଉ କ’ଣ ମାରିବି ? ଦୁଃଖ ଲାଗିଲା ମୋତେ l ଆସିଥିଲେ ବ୍ୟାଙ୍କକୁ ଗୋଟିଏ ଋଣ ବିଷୟରେ ବୁଝିବା ପାଇଁ l ପୁଅ ବ୍ୟବସାୟ କରିବ l ମୁଁ ଋଣ ବିଭାଗରେ ଅଛି l କିନ୍ତୁ ତାଙ୍କୁ ବୁଝେଇ ଦେଲି ଋଣ ନ କରିବା ପାଇଁ l ଯେଉଁ ପୁଅ ଚାଳିଶି ବର୍ଷ ପର୍ଯ୍ୟନ୍ତ ନିଜ ଗୋଡରେ ଠିଆ ହେଇ ପାରିଲା ନାହିଁ, ଏହି ଋଣ ନେଇ ତା’କୁ ଠିକ୍ ଭାବରେ ବିନିଯୋଗ କରିବ ବୋଲି କିଛି ମାନେ ଅଛି ? ମଦ ଓ ଜୁଆ ଖେଳ ଯା’ର ନିଶାରେ ପରିଣତ ହୋଇଯାଇଛି, ସେ କି ବ୍ୟବସାୟ କରିବ ? ମୁଁ ଜାଣୁଥିଲି ମୋର ଲକ୍ଷ୍ୟ (ଟାର୍ଗେଟ୍) ହାସଲ ପାଇଁ ଗ୍ରାହକମାନେ ଋଣ ନେଲେ ହିଁ ମୋର ଲାଭ ହେବ, ତଥାପି ବି ମୁଁ ଦିଦିଙ୍କୁ ଋଣ ନ ନେବା ପାଇଁ ବୁଝେଇଥିଲି l

       ମୋର ଋଣ ସଂକ୍ରାନ୍ତୀୟ ସୁଧ ମୂଳ ହିସାବ ଶୁଣି ଦିଦି ତାଙ୍କ ନିଷ୍ପତ୍ତିରୁ ଓହରି ସାରିଥିଲେ l ପ୍ରଥମ ଥର ପାଇଁ ମୋ ମନରେ ତାଙ୍କ ପାଇଁ ପ୍ରତିଶୋଧ ବଦଳରେ ଦୟା ଆସୁଥିଲା l



Rate this content
Log in