Madhabi Patel

Others

3  

Madhabi Patel

Others

ପ୍ରକୃତି ଓ କାଶତଣ୍ଡି।

ପ୍ରକୃତି ଓ କାଶତଣ୍ଡି।

3 mins
177


ଶରତ ଓ କାଶତଣ୍ଡୀର ନିବିଡ ସଂପର୍କ ରହିଛି । ଶରତ ଆସୁଆସୁ କାଶତଣ୍ଡୀ ଆସେ ବା ଏମିତି କୁହାଯାଇପାରେ କାଶତଣ୍ଡୀ ଆସିଲେ ଯାଇ ଶରତ ଆସେ । ସ୍ୱଚ୍ଛ ସ୍ୱଚ୍ଛ ପରିବେଶ ଭିତରେ ମାଆର ଗର୍ଭ ଚିରି କୁସୁମିତ ହୁଏ କାଶତଣ୍ଡୀ । ଧଳା ଚଅଁର ଖେଳାଇଦିଏ କ୍ଷେତ ହିଡ ଚାରିଆଡେ । ଲାଗେ ଯେମିତି ଆକାଶରୁ ମେଘସବୁ ଧରଣୀ ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି

ଦୁର୍ଗାମାଆଙ୍କ ସ୍ୱାଗତ ପାଇଁ । ବିଭିନ୍ନ ରକମ ଫୁଲ ବିକଶିତ ହୁଅନ୍ତି ବନ ଉପବନରେ । ସରୋବରରେ କୁମୁଦ ଓ ପଦ୍ମିନୀ ଦିନ ଓ ରାତ୍ରିର ଶୋଭା ବଢାନ୍ତି । 

ବଗିଚାରେ ମନ୍ଦାର ଟଗର ଗେଣ୍ଡୁ ହରଗୌରା ଓ ଜହ୍ନି କଖାରୁଲତାରେ ହଳଦୀ ଗୁରୁଗୁରୁ ଫୁଲଫୁଟି ଚତୁର୍ଦ୍ଦିଗକୁ ହଳଦୀରଂଗରେ ରଙ୍ଗାୟିତ କରିଦିଅନ୍ତି । ଶିରିଶରି ଶୀତୁଆ ପବନ ଜନ୍ମହୁଏ । ଭୁରୁଭୁରି କୁହୁଡିର ଆସ୍ତରଣ ଆଡେଇ ଗୁରୁଣ୍ଡି ଆସେ କଅଁଳ ଶିଶୁ ଶୀତ ଛୁଆ । ଧିରେ ଧିରେ ବୟସ ବଢିବା ସଙ୍ଗେ ସଙ୍ଗେ ତାର ପ୍ରଭାବ ବଢିବଢିଯାଏ । ହାଡ କଡମଡ କରେ ମୁହଁପାଟି ଥରିଉଠେ ଶୀତର ପ୍ରଭାବରେ । ଆଉ ଏପରି ମନୋରମ ପରିବେଶ ଭିତରେ ସ୍ୱର୍ଗରୁ ଓହ୍ଲାଇ ଆସନ୍ତି ମଆ ଦୂର୍ଗା ଧରଣୀ କୋଳକୁ । ନଅଦିନ ପୃଥିବୀ ସ୍ୱର୍ଗ ପାଲଟିଯାଏ ଯେମିତି । ଚାରିଆଡ ମହମହ ମହକେ ଧୂପ ଧୂଆଁ ବାସ୍ନା । ପବିତ୍ର ବାତାବରଣଟେ ଖେଳିଯାଏ । ପ୍ରତି ଜନ ମନ ଭିତରେ ଭକ୍ତିଭାବର ଲହରଟେ ଜନ୍ମଲାଭ କରେ । ଆଶୁରିକ ପ୍ରକୃତିର ଅବସାନ ଘଟି ମଣିଷ ମନରେ ଦୟା କରୁଣାର ଭାବନା ଜାଗ୍ରତ ହୁଏ । 

କାଶତଣ୍ଡୀ ଶିରି ଶିରି ପବନର ଶିଶିକାରି ସୁରେ ସୁରେ ହଲିଦୋହଲି ସ୍ୱାଗତିକା ପାଇଁ ନୃତ୍ୟ ଆରମ୍ଭ କରିଦିଏ । 

 ଦୁର୍ଗାଦେବୀଙ୍କ ଅତ୍ୟନ୍ତ ବିଶ୍ୱସ୍ଥ ଅଟେ ଏ କାଶତଣ୍ଡୀ । ଦେବୀଙ୍କ ବସର୍ଜନ ପରେପରେ ସେ ବି ହଜିଯାଏ କୁଆଡେ । ମନଦୁଃଖରେ ଫେରିଯାଏ ପୁଣି ଆର ବର୍ଷ ଫେରିବାକୁ । ପ୍ରକୃତିର ଏକ ସୁନ୍ଦର ସର୍ଜନା ଏ କାଶତଣ୍ଡୀ । ଏ ଅନ୍ୟ ଫୁଲମାନଙ୍କ ସହ ତୁଳନାରେ କମ୍ ପଡିପାରେ ହେଲେ ଏହାର ଦର୍ଶନରେ ମଣିଷ ମନରେ ଯେଉଁ ଖୁସିର ଲହରଟେ ଦଉଡେ ସେ ଅନ୍ୟ ସୌନ୍ଦର୍ଯ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ । କାଶତଣ୍ଡୀ ସହ ଦୁର୍ଗାମାଆଙ୍କ ସମ୍ପର୍କ ଯୋଡି ରହିଥାଏ । 

କାଶତଣ୍ଡୀ ଫୁଟିବା ଦେଖିଲେ ମନେପଡିଯାଏ ଏବେ ଦେବୀଙ୍କ ଆସିବାର ବେଳ ହେଇଗଲା । 

ଢୋଲ ମହୁରୀର ତାଳେ ତାଳେ ବ୍ରାହ୍ମଣଙ୍କ ମନ୍ତ୍ରଗାନରେ ଉଚ୍ଛୁଳି ଉଠେ ପେଣ୍ଡାଲ ମାନ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରତି ଛକରେ ଗାଁ ରୁ ସହର ଦେବୀଙ୍କ ଭବ୍ୟ ମଣ୍ଡପ ତିଆରି ହୁଏ । ରାଜମହଲ ପରି ଜକମକ କରୁଥାଏ ବିଜୁଳିବତୀ ଓ ଲିଚୁବଲ୍ ର ରୋଷଣୀରେ । ସାକ୍ଷାତ ଦେବୀ ଉତୁରି ଆସନ୍ତିମର୍ତ୍ତ୍ୟମଣ୍ଡଳକୁ । ମଣିଷ ମନରୁ ଆସୁରିକ ଭାବନାର ବିନାଶ କରନ୍ତି । 

ଦୁଷ୍ଟମାନଙ୍କୁ ନାଶ କରି ପୃଥିବୀରେ ଶାନ୍ତି ସ୍ଥାପନ କରନ୍ତି । ରୋଗ ମହାମାରୀରୁ ରକ୍ଷା କରନ୍ତି । ଏ ବିଶ୍ୱାସ ନେଇ ମଣିଷ ପୂଜାକରେ ମାଆଙ୍କୁ । ବିଶ୍ୱାସ ଅନୁଯାୟୀ ଦେବୀ ଫଳ ପ୍ରଦାନ କଳିଥାନ୍ତି ଭକ୍ତଙ୍କୁ । ପ୍ରକୃତିର ସର୍ଜନା କାଶତଣ୍ଡୀ ପ୍ରକୃତିକୁ ସଜାଇଦିଏ ତାର ଧବଳ ଓଢଣୀର ଆସ୍ତରଣରେ । ପ୍ରକୃତି ହସହସ ହେଉଥାଏ

 ଶରତ ଆସିଲେ । ମଣିଷରୁ ଜୀବ ଜନ୍ତୁ ସମସ୍ତେ ପୁଲକିତ ହେଇ ଉଠନ୍ତି । ଗରମ ଥଣ୍ଡା କି ବର୍ଷାର କଷଣ ଠାରୁ ଦୂରେ ଏ ଶରତଋତୁ ପୃଥିବୀ ବାସୀଙ୍କୁ ମତୁଆଲି କରେ ତାର କାଉଁରୀ ଯାଦୁରେ । 

ବିନୋଦ ଏବର୍ଷ ଫେରିଆସିଛି ବିଦେଶରୁ ନିଜ ଗାଆଁକୁ । ଦୀର୍ଘ ବର୍ଷର ବ୍ୟବଧାନ ପରେ ଏବର୍ଷ ସେ ଏକ ନିଆରା ଆନନ୍ଦ ଅନୁଭବ କରିଛି ଗାଁରେ । ବିଦେଶରେ କର୍ମ ଜଞ୍ଜାଳରେ ବୁଡି ସେ ଏ ସୌନ୍ଦର୍ଯ୍ୟ ସବୁରୁ ଦୂରେଇ ଯାଇଥି୍ଲା । ହେଲେ କରୋନା ପାଇଁ ଚାଲିଆସିଛି ଗାଆଁକୁ । ଏଠିରହି ଅନଲାଇନ କାମ କରୁଛି । ପ୍ରକୃତିର ଶୋଭା ରାଜିକୁ ପାଖରୁ ଦେଖୁଛି । ତାଜା ପନିପରିବାର ସ୍ୱାଦର ମଜା ଉଠାଉଛି । ପୁରୁଣା ସାଙ୍ଗମାନଙ୍କ ସହ ପୁଣି ସମ୍ପର୍କ ସ୍ଥାପନ ହେଇ ଯାଇଛି । ପିଲାଦିନର ସବୁ ସ୍ମୃତି ପୁଣି ସତେଜ ହେଇ ଉଠିଛି । ପରିବେଶ ଏବେ ଆଗ ଅପେକ୍ଷା ଟିକେ ପ୍ରଦୁଷଣ ମୁକ୍ତ ହେଇ ଯାଇଛି । ଅନେକ ଦିନ କଳକାରଖାନା ଗାଡିମଟର ବନ୍ଦ ଥିବାହେତୁ ପୃଥିବୀ ପୃଷ୍ଠରୁ ଧୂଆଁର କାଳିମା ହଟି ସଫା ଦିଶୁଛି ନଭମଣ୍ଡଳ । ଗଛ ବୃକ୍ଷବି କାର୍ବନ ଗୁଣ୍ଡରୁ ଟିକେ ତ୍ରାହି ପାଇଛନ୍ତି । ଜଳପ୍ରଦୂଷଣ ବି ଆଗ ଅପେକ୍ଷା କମ୍ ହେଇଛି । ପୃଥିବୀ ହସୁଛି ତାର ମନ ମର୍ଜିରେ । ଏବେ ମଣିଷର ଅତ୍ୟାଚାର ଆଗପରି ଆଉ ନାହିଁ । ଯଦି ମଣିଷ ସୁଧୁରିଯାଇ ତା ସହ ବନ୍ଧୁତା କରି ନିଅନ୍ତା ତାହେଲେ କେତେ ସୁନ୍ଦର ଲାଗନ୍ତା ଏ ସଂସାର?

ଅଧିକ ଲାଭ ଆଉ ଲୋଭରେ ପଡି ମଣିଷ ନିଜ ପରିବେଶକୁ ଦୂଷିତ କରିପକାଉଛି । ନିଜ ଜୀବନରେ ବି ବିପଦକୁ ଡାକି ଆଣୁଛି । କାର୍ବନ ଅଙ୍ଗାରକାମ୍ଲ ପ୍ରଭାବରେ ପ୍ରକୃତି ଆକ୍ତାମାକ୍ତା ହେଇପଡୁଛି । ନାନା ଭୂତାଣୁର ଜନ୍ମ ହେଉଛି । ଅନେକ ଶ୍ୱାସଜନିତ ରୋଗର ଶିକାର ହେଉଛି । ଏବେ ବି ଯଦି ମଣିଷ ପ୍ରକୃତିର ସଠିକ ଉପଯୋଗ କରିବ ତାହେଲେ ସମସ୍ତେ ସୁଖରେ ରହିପାରିବେ । ଦେବୀ ଦୁର୍ଗା ମଣିଷକୁ ଏଇ ବାର୍ତ୍ତା ଦେଇ ବିଦାୟ ନେଇ ଗଲେଣି ଧରାପୃଷ୍ଠରୁ । ଏବେ ମଣିଷ କେତେ ଦୂର ଏହା କାମରେ ଲଗାଇବ ତା ଉପରେ ନିର୍ଭର କରେ । ପକୃତି ଓ କାଶତଣ୍ଡୀର ବି ଏଇ ସନ୍ଦେଶ ମଣିଷ ପାଇଁ । ତାକୁବି ଏମିତିଫୁଟି ହସିବାକୁ ଦିଆଯାଉ । ସୌନ୍ଦଯ୍ୟର ପସରା ଖୋଲି ନିଜକୁ ସମସ୍ତଙ୍କ ସାମନାରେ ଦେଖେଇ ହେବାର ସୁଯୋଗ ମିଳୁ । କାରଣ ସବୁ ଜୀବ ଓ ଉଦ୍ଭିଦର ବି ଖୁସିରେ ବଞ୍ଚିବାର ଅଧିକାର ଅଛି । 



Rate this content
Log in