ପ୍ରେମ-ଏକ ଭୁଲ୍ ଗଣିତ
ପ୍ରେମ-ଏକ ଭୁଲ୍ ଗଣିତ
ବୁଝାମଣା ହୋଇଥିଲା । କଥା ଦିଆନିଆ ହୋଇଗଲା । ସନ୍ଦୀପର ମନ ଆକାଶରେ ଉଡିଲା ।
ନିଜକୁ ଆଉ ଏକା ଭାବି ପାରିଲାନି ସନ୍ଦୀପ । ନିଜର ଡ୍ରେସ୍ ସହିତ ଦୀପାର ଡ୍ରେସ୍ କିଣିଲା । ନିଜର ଜୋତା କିଣିଲେ ଦୀପାର ବି ଆଣିଲା । ଏପରିକି ସେ ତା'ର ଫ୍ଲାଟରେ ସିଙ୍ଗଲ ବେଡ୍ ବଦଳରେ ଡବଲ୍ ବେଡ୍ ପକାଇଦେଲା । ଗୋଟିଏ ବଦଳରେ ଦୁଇଟି ତକିଆ ରଖିଲା । ଦୀପା ପାଇଁ ଗୋଟେ ଆକଟିଭା ବି କିଣି ଆଣି ଥୋଇଦେଲା ନିଜର ବାଇକ୍ ପାଖରେ ।
ଏବେ ସବୁଦିନ ସକାଳେ ଦୁଇ କପ୍ ଚା କରୁଥିଲା ସନ୍ଦୀପ । ଗୋଟିଏ କପ୍ ନିଜେ ପିଉଥିଲା । ଅନ୍ୟ କପଟି ଦୀପା ପାଇଁ ରଖୁଥିଲା ଟେବୁଲର ଆରପଟେ । ଚା ପିଇଲାବେଳେ ଗୁଣୁଗୁଣୁ ଗପୁଥିଲା ବି , ଯେମିତି ସେ ଗପେ ଦୀପା ସହିତ ପାର୍କରେ ।
ଏହି ଯେ ପ୍ରେମ । ଏବେ ସବୁଥିରେ ସନ୍ଦୀପ୍ ନିଜ ସହିତ ଦୀପାକୁ ରଖୁଥିଲା । ମନେମନେ ଏକରୁ ଦୁଇ ହୋଇ ଯାଇଥିଲା । ହେଲେ ଦୀପା ଟିକିଏ ଟେନସନ୍ ଭିତରେ ଥିଲା । କାଳେ ବାପା ତା'ର ବାହାଘର ଅନ୍ୟ କୋଉ ପିଲା ସାଙ୍ଗରେ କରିଦେବେ,ସେମିତି ଭାବୁଥିଲା ସେ ।
ଦିନେ ପାର୍କରେ ଦୁଇଟି ବାଦାମ ପୁଡିଆ ଆଣିବା ବେଳେ ସନ୍ଦୀପର ଇଚ୍ଛା ବୁଝିପାରି ଦୀପା କହିଲା - ଗୋଟିଏ ଆଣିଥିଲେ ତ ଚଳିଥାନ୍ତା । ଦୁଇଟି କ'ଣ ପାଇଁ ?
ସନ୍ଦୀପ୍ କହିଲା - ଏବେ ସବୁଥିରେ ମୋର ଦୁଇଟି । ଆଉ କ'ଣ ଏକା ଅଛି ?
ସ୍ମିତ ହସିଲା ଦୀପା ।
ତା'ପରେ ସନ୍ଦୀପ୍ ସବୁକଥା ଗପିଦେଲା ।
ଦୀପା କହିଲା - ତା'ହେଲେ ଏମିତି କଥା ! ଏତେ ଶ୍ରଦ୍ଧା ! ଏତେ ଭଲପାଇବା ! ତେବେ ଚାଲ,ତୁମ ସହିତ ଆଜି ପଳେଇବି ।
- ନା,ନା,ସେମିତି ହୋଇ ପାରିବନି । ଚିହିଁକି ଉଠିଲା ସନ୍ଦୀପ୍ ।
- କାହିଁକି ! ମୁଁ ତ ରାଜି । ଅସୁବିଧା କୋଉଠି ! ଦୀପା ହସିହସି କହିଲା ।
- ବଡଭାଇ ଏଯାଏଁ ବାହା ହୋଇନାହାନ୍ତି । ଆଉ କିଛି ଦିନଯାଉ,ସନ୍ଦୀପ୍ କହିଲା ।
- ତାଙ୍କର ଲଭ୍ ନାହିଁକି ? ଅଳ୍ପ ହସି କହିଲା ଦୀପା ।
ସନ୍ଦୀପ୍ ନିରୁତ୍ତର ରହିଲା । ଦୁହେଁ ବାଦାମ ଖାଇଲେ, ଗପିଲେ । ସଂଧ୍ୟାକୁ ଉପଭୋଗ କଲେ । ଦୀପା ଘରକୁ ଫେରିଗଲା ।
ଆଉ ଦିନେ ପାର୍କରେ ଦୀପା ଗୋଟେ ପଇଡ ଆଣିଲା । ଦୁଇଟି ଷ୍ଟ୍ର ଧରିଥାଏ । - ଆସ,ପଇଡ ପିଇବା । ସନ୍ଦୀପକୁ ଡାକି କହିଲା ସେ ।
- ଆଉ ଗୋଟେ ଆଣିଲନି? ସନ୍ଦୀପ୍ କହିଲା ।
- ନା,ଆଜି ଆମକୁ ଦୁଇରୁ ଏକ ହେବାକୁ ପଡିବ । ଦୀପା କହିଲା ।
ସନ୍ଦୀପ୍ କହିଲା - ବଡଭାଇର ବାହାଘର ହୋଇପାରୁନି ଏଯାଏଁ । କ'ଣ କରିବା !
ଦୀପା କହିଲା - ହେଲେ ବାପା ମୋର ବାହାଘର ସ୍ଥିର କରି ସାରିଲେଣି । ଆସନ୍ତା ଲଗ୍ନରେ ମୋର ବାହାଘର ।
- ଆଁ ! ସତେ ନା କ'ଣ ! କହିଲା ସନ୍ଦୀପ୍ ।
ସେଦିନ ପାର୍କରୁ ଆଉ ଘରକୁ ଫେରି ନଥିଲା ଦୀପା । ସନ୍ଦୀପର ଫ୍ଲାଟରେ ପହଞ୍ଚିବା ପରେ ପାଖରେ ବସି ବେଶ୍ ହସହସ ହୋଇ କହିଲା - ପ୍ରେମଟା ଗୋଟେ ଭୁଲ୍ ଗଣିତ । ଆଗେ ଥିଲେ ଦୁଇ, ଏବେ ହେଲେ ଏକ । ସନ୍ଦୀପର ମୁହଁରେ ସ୍ମିତ ହସ ଫୁଟିଉଠିଲା ।
ଦୀପାର ଟେନସନ୍ ଓହ୍ଲାଇଗଲା ।