Sachidananda Kar

Others

3  

Sachidananda Kar

Others

ପରାଜିତାର ମୁହଁ

ପରାଜିତାର ମୁହଁ

3 mins
376


     ସେ ଯେଉଁଦିନ ପ୍ରଥମକରି ତା' ସିନ୍ଥିରେ ସିନ୍ଦୂର ପିନ୍ଧିଲା ଓ ତା'ର ଦୁଇ ଭ୍ରୂଲତା ମଝିରେ ଗାଢ଼ ନାଲି ରଙ୍ଗର ଟିକିଲିଟେ ଲଗେଇଲା ସେଦିନ ତା' ବୃତ୍ତାକାର ମୁହଁରେ ବେଶ୍ ଗୋଟେ ଗୌରବର ଚିହ୍ନ ଫୁଟିଉଠିଲା ।  

     ଏବେ ବାପା ପାଖରେ ନୁହେଁ, ତା' ମନର ମଣିଷ - ତା' ସ୍ୱାମୀ ପାଖରେ ଥିଲା ସେ ।  

     ଜଣେ ଧନୀଲୋକର ଝିଅଟିଏ ଥିଲା ସେ । ଅଭାବ, ଅନଟନ, ପେଟର ଭୋକ - ଏସବୁ କିଛି ହେଲେ ଜାଣି ନ ଥିଲା । ହେଲେ ଏବେ ସ୍ୱାମୀ ପାଖକୁ ଆସିବା ପରେ ସେ ଏସବୁ ବୁଝିଲା । ଅଙ୍ଗେ ନିଭେଇଲା । ତଥାପି ଜୀବନକୁ ଜିତି ଜିତି ବଞ୍ଚୁଥିଲା ସେ ।  

     ବାପାଙ୍କର ନାଁ, ତା'ର ହଁ - ଏମିତିରେ ହୋଇଥିଲା ତା'ର ବାହାଘର । ତା'ର ଜିଦି ଆଗରେ ହାରି ଯାଇଥିଲେ ତା'ର ବାପା । ତାକୁ ସେ ବାହା ଦେଇଥିଲେ ସିନା,ହେଲେ ତା'ପରେ ବାପ ଝିଅଙ୍କ ମଧ୍ୟରେ ଦୂରତା ବହୁତ ବଢି ଯାଇଥିଲା ।  

     ବାହାଘର ପରେ ସ୍ୱାମୀ - ସୁଖ ଓ ସ୍ୱାମୀ - ଶାନ୍ତି ,ତା' ଜୀବନର ସବୁଠୁ ବଡ ସମ୍ବଳ ଥିଲା । ଜୀବନ ବଞ୍ଚିବାକୁ ସେଇଠୁ ସେ ପାଉଥିଲା ବଡ ଉତ୍ସାହ ଓ ପ୍ରେରଣା ।  

     ସବୁଦିନେ ସାଇକେଲ ପଛରେ ବସି ସ୍ୱାମୀ ସହିତ କାମକୁ ଯାଉଥିଲା ସେ । ଖରାରେ ସିଝି ସିଝି ହାଡଭଙ୍ଗା ପରିଶ୍ରମ କରି ଘରକୁ ଫେରିବା ପରେ ଆଳୁ, କୋବି ସହିତ ନିଜେ ରୋଷେଇଘରେ ଭାଜି ହେଉଥିଲା । ଫୁଲବଡି ପରି ତେଲରେ ଛାଣି ହେଉଥିଲା ତା'ର କ୍ଳାନ୍ତି । ଫୁଟଣ ପରି ଟକ୍ ଟକ୍ ଫୁଟୁଥିଲା ତା'ର ଅବସନ୍ନତା ।  

     ତଥାପି ଖୁବ୍ ସରାଗରେ ସ୍ୱାମୀ ପାଇଁ ପ୍ରସ୍ତୁତ କରୁଥିଲା ସେ ଭାତ,ଡାଲି, ଭଜା,ବଡିଚୁରା । ଆସନ ପକେଇ ପାଣି,ଲଙ୍କା, ଲୁଣ ଥୋଇ ସବୁ ଗରମ ଗରମ ବାଢିଦେଇ ଶ୍ରଦ୍ଧାରେ ଡାକି କହୁଥିଲା - " ବାଢିଲିଣି ପରା । ଖାଇବ ଆସ । " 

      ଦିନ ରତ ରତ ହେଲେ ନିଜର କଳାଭଅଁରିଆ ଲମ୍ବା ଚୁଟିରେ ମେଞ୍ଚେ ନଡିଆ ତେଲ ମାଖିଦେଇ ବେଣୀ ପକାଉଥିଲା । ପୁଣି ବେଣୀକି ଗୁଡେ଼ଇ ଗାଡେଇ ସଜାଡି ଦେଉଥିଲା ଗୋଟେ ବଡ ସୁନ୍ଦର ଖୋସା । ଇଏ ଯେମିତି ଥିଲା ତା' ସ୍ୱାମୀର ରାତି ଓ ରତି ସୁଖ ପାଇଁ ତା'ର ପ୍ରାକ୍ ପ୍ରସ୍ତୁତି ।  

      ସର୍ତ୍ତ ନ ଥିଲା କିଛି । ସେ ସବୁଦିନେ କରୁଥିଲା ଏମିତି । ନିଜକୁ ସଜାଡି ରଖୁଥିଲା ସଞ୍ଜ ଆଗରୁ ।  

      ଏଠି ତ ଏମିତି କିଛି ସମ୍ପର୍କ ଅଛି ଯେଉଁଥିରେ ଆଦୌ ସର୍ତ୍ତ ନ ଥାଏ । କେବଳ କିଛି କର୍ତ୍ତବ୍ୟ ପାଳନର ଇଚ୍ଛାରେ ସେପରି କରିବାକୁ ହୋଇଥାଏ ଓ ସେପରି କଲେ ହିଁ ତିଷ୍ଠି ରହିପାରେ ଗୋଟେ ସମ୍ପର୍କର ସେତୁ । ଏବେ ଏଥିପାଇଁ ସେ ବାଧ୍ୟ ଥିଲା ଯେମିତି । ଜଣେ ନାରୀ ହିସାବରେ ଏସବୁ ଏବେ ଯେମିତି ଥିଲା ତା'ର ସହଜାତ ସୁବିଚାର ଓ ଚେତନା ।  

     ମୋକ୍ଷ ଲୋଭରେ ମଣିଷ ବଞ୍ଚିବା କ୍ଵଚିତ ଦେଖାଯାଏ ଏଠି । ଜୀଇଁବାର ବି ଗୋଟେ ବାଧ୍ୟବାଧକତା ଥାଏ ଓ ସେଇ ବାଧ୍ୟବାଧକତା ମଣିଷକୁ ବଞ୍ଚାଇରଖେ । ଗୋଟେ ସଂପର୍କକୁ ବଞ୍ଚାଇରଖି ମଣିଷ ବଞ୍ଚେ । ସେମିତି ଗୋଟେ ଇଚ୍ଛାକୁ ନିଜ ଭିତରେ ପାଳି ପୋଷି ବଞ୍ଚୁଥିଲା ସେ ଅମାପ ସୁଖରେ, ଶାନ୍ତିରେ ।  

      ଦିନେ ତା'ର ସ୍ୱାମୀ ତା'ର ଆତ୍ମପ୍ରସନ୍ନତା ଓ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା । କହିଲା - " କିଛି ବୁଝିଲୁନି କି ଶୁଣିଲୁନି । ଗୋଟେ ଧନୀ ବାପା ପାଖରୁ ଗୋଟେ ଗରିବ ସ୍ୱାମୀ ପାଖକୁ ଚାଲିଆସିଲୁ । କାହିଁ କେବେ ତ କିଛି ପାଇଁ ମୋତେ କହିନୁ ଆଜିଯାଏ?ଅଭିଯୋଗ ବି କରିନୁ? " 

      ସେ ହସିଦେଇ କହିଲା - " ମୁଁ ଏମିତି ଜୀବନ ଜୀଉଁଛି । ଇଏ କ'ଣ ଗୋଟିଏ ଜୀବନ ନୁହେଁ?ମିଛ ହସ,ମିଛ ସୁଖ ଓ ମିଛ ଗୌରବରେ ଏଠି ଅନେକ ବଞ୍ଚନ୍ତି । ସେମିତି ଜୀବନ ମୋର ପସନ୍ଦ ନୁହେଁ । କାହିଁକି ବଞ୍ଚିବି ସେମିତି ଜୀବନ?ନାରୀ ସର୍ବଂସହା, ସର୍ବହରା ନୁହେଁ । ଜରାୟୁ ଅଛି ତ ଜନ୍ମ ଦେବି । ନିଃସ୍ୱ ଭାବନା ମନକୁ ଆଣିବି କାହିଁକି?କୁହ,କାହିଁକି ଅଭିଯୋଗ କରିବି?କାହିଁକି ହେବି ଅସୁଖୀ,ଅଶାନ୍ତି? " 

      - " ମାନି!ଟିକେ ତ ନିଜ ସୁଖ କଥା ଦେଖ୍ । ଆବଶ୍ୟକତା କଥା ଚିନ୍ତା କର । ଚିରକାଳ ଏମିତି ଅଜ୍ଞ ହୋଇ ରହିଯିବୁ ନା କ'ଣ?ତୋ ଠାରୁ ଆଉ କେହି ନିଃସ୍ୱ ନାହିଁ ଏଠି,ତୁ କ'ଣ କେବେ ଭାବିପାରୁନୁ?ଖୁବ୍ ଗୋଟେ ଜିଦି କରି,ପ୍ରେମର ଦ୍ୱାହି ଦେଇ କାହିଁକି ମୋ ପରି ଗୋଟେ ଗରିବଲୋକର ହାତ ଧରିଲୁ ତୁ? " 


      ଏଇକଥା ତାକୁ କହିଦେବାକୁ ଚାହିଁଲା ତା'ର ସ୍ୱାମୀ । ହେଲେ କହି ପାରିଲାନି । ଜୀବନକୁ ଜିତି ଜିତି ଯେ ବଞ୍ଚୁଛି, ତାକୁ ବା କାହିଁକି କହିଥାନ୍ତା ସେ ଏକଥା!କାହିଁକି ଏମିତି କହି କଷ୍ଟ ଦେଇଥାନ୍ତା ତା' ମନରେ!ଏମିତି ଭାବିଲା ସେ । ଚୁପ୍ ରହିଗଲା ।  

      ଜୀଇଁବାକୁ ହେବ ଜୀବନକୁ । ଆଉ କଥା ଭାବିବାକୁ ବେଳ କାହିଁ ଯେ!ସାମ୍ନାରେ ସ୍ୱାମୀ - ତା'ର ସୁଖର ପସରା । ଏମିତି ଭାବି ମନେମନେ ସେ ସୁଖୀ ହେଉଥିଲା ସିନା,ବାସ୍ତବରେ ତା'ର ମୁହଁଟି ଗୋଟେ ପରାଜିତାର ମୁହଁ ଭଳି ଦିଶୁଥିଲା ।  

       ପରାଜିତାର ମୁହଁ ! 



Rate this content
Log in