ପିତୃତ୍ୱ
ପିତୃତ୍ୱ
ଜୀବନ ଗୋଟେ ଏକମୁହାଁ ଚଲାପଥ ! ଚାଲୁଚାଲୁ ଅଚାନକ୍ ଛିଡିପଡେ ରାସ୍ତା । ଠିକ୍ ସେଇ ସରିଯାଇଥିବା ରାସ୍ତାମୁଣ୍ଡରେ , ଦେହକୁ ଓହ୍ଲାଇ ଦେଲାପରେ , ଜୀବନ ଯାଏ କୁଆଡେ କେ ଜାଣେ ?
ଏବେ ଦେହକୁ ଓହ୍ଲାଇ ଦେବାର ବେଳ ଆଦିକନ୍ଦଙ୍କର ।
ଅବଶେଷକୁ ନେଇ ଅବଶୋଷ କରିବାର ଅର୍ଥ କିଛି ନାହିଁ । ଈଶ୍ୱର ମଣିଷକୁ ବଞ୍ଚି ରହିବାକୁ ଅନେକ ସୁଯୋଗ ଦେଇଥାନ୍ତି । ଯେମିତିକି ଦୁଇଟା କିଡନୀ । ଆଦିକନ୍ଦଙ୍କର କିନ୍ତୁ ଦୁଇଟାଯାକ ଅଚଳପ୍ରାୟ । ଡାଇଲେସିସ୍ ରେ ଅଟକି ରହିଛି ଜୀବନ।
କିଡନୀଟିଏ ମିଳେ। କାହାକୁ କୋଡିଏ ଲକ୍ଷ ନିହାତି ଦରକାର ପଡିଯାଏ ତ କିଏ ବଞ୍ଚିବାକୁ ନିହାତି ଚାହିଁରୁହେ। ଏସବୁପାଇଁ ଆଦିକନ୍ଦ ଅସମର୍ଥ । ମଣିଷ ଏତେ ଦୁର୍ମୂଲ୍ୟ ଅଙ୍ଗପ୍ରତ୍ୟଙ୍ଗ ନିଜ ଦେହରେ ଧରି , ପୁଣି ଏତେ କାଙ୍ଗାଳ କେମିତି ଯେ ?
ନିଜକୁ ବିକ୍ରି କରିଦେଇ ନିଜକୁ ବଞ୍ଚାଇ ପାରେନି ମଣିଷ। କିଏ ବଞ୍ଚାଇବ ତାଙ୍କୁ ? ଭାଙ୍ଗିରୁଜି ଯାଇଥିବା ଋଗଣ ସ୍ତ୍ରୀ ନା ସୃଷ୍ଟିକର୍ତ୍ତା ବୋଲାଉଥିବା ସ୍ୱୟଂ ଈଶ୍ଵର !! ସଭିଏଁ ନାଚାର୍ ଆଉ ଅସହାୟ ।
କେଇଟାଦିନ ବଞ୍ଚିବାକୁ ସେ ବା କାହିଁକି ଖର୍ଚ୍ଚ କରିବେ ଅଜସ୍ର ? ଯା'କିଛି ଅଛି ଥାଉ। ବୁଢୀ ଚଳିଯାଉ କିଛିକାଳ।
ଅତଏବ ଏବେଏବେ ମରିଗଲେ ସର୍ବମଙ୍ଗଳ।
★★★
ଶେଷଶଯ୍ୟାରେ ମଣିଷ ନିଜକୁ ଥରୁଟିଏ ପଢିନିଏ । ନିଜସହ ଅନ୍ତତଃ କନଫେସ୍ କରିନିଏ । ପାଇବା ହରାଇବାର ହିସାବକୁ ବୁଝିନିଏ। ଜୀବନ ତ ଗୋଟାଏ, କେଉଁ ବାଗରେ ସାରିବାକୁ ପଡିଲା , ଆଖିପକାଇବାକୁ ଥରେ ମନହୁଏ।
ସଂସାର ଗଢି, ତାପର ପିଢ଼ିକୁ ବଢାଇବା ପଛରେ , ସଂସାର ସୁଖ ଭୋଗିବାର ସାମାଜିକତା ଥାଏ ନା ନିଜ ଅସ୍ତିତ୍ଵର ଛାପ ଛାଡିଯିବାର ଅକୁହା ସ୍ୱାର୍ଥ ???
ଦେଇଥିଲେ ପାଇ । ଆଶାରହିତ 'ଯତ୍ନ' କିଛି ଅଛିକି ?
ଚାରାଟିଏ ଯତ୍ନକରି ପୋତାହୁଏ ସତ । କିନ୍ତୁ ନଫଳିଲେ ବାହାରିଯାଏ ଦୀର୍ଘଶ୍ୱାସ !!!
★★★
ଆଜକୁ ତିରିଶ ଚାଳିଶ ବର୍ଷ ତଳର ପୁରୁଣା ସମୟରେ, ପୁତ୍ରପ୍ରାପ୍ତି ଏକ ପ୍ରଚଣ୍ଡ ଅହଂକାର ଥିଲା । ସପତ୍ନୀକ ଆଦିକନ୍ଦ ଉଛୁଳି ପଡିଥିଲେ ଖୁସିରେ। ବଂଶର ମଶାଲ୍ ପ୍ରଜ୍ଵଳିତ ହୋଇ ରହିବାର ସିକୃତୀଟିଏ ମିଳିଯାଇଥିଲା।
ସମୟକ୍ରମେ ସେଇ ପୁଅ କଲା କ'ଣ ? ନା ଫୁଲ ହୋଇ ଚହଟିଲା , ନା ଫଳଟିଏ ହେଲା । ଅପବାଦ ପାହାଡର ବୋଝ ଲଦିଦେଲା ଆଣି ମା ବାପାଙ୍କର ପିଠିରେ । କୁବ୍ଜ ହୋଇ କୁଳାଙ୍ଗାର ପୁତ୍ରର ବୋଝ ବୋହିବା ଅପେକ୍ଷା , ବୋଝ ଓହ୍ଲାଇ ଦେଇ ଉଶ୍ୱାସ ହେବାର ସପକ୍ଷରେ ରହିଲେ ଆଦିକନ୍ଦ । ଯେଉଁଦିନ ସୁରଜ ତା' ସାଙ୍ଗରେ ପଢୁଥିବା ଗୋଟେ ନୀଚ୍ଚକୂଳର ଝିଅଟେକୁ ନେଇ ଘରେ ପଶିବାକୁ ଚେଷ୍ଟାକଲା, ଆଦିକନ୍ଦ ହିଁ ବାଟ ଓଗାଳି କହିଲେ -
- ଏଇଟା ଆଉ ତୋର ଠିକଣା ହୋଇ ରହିନାହିଁ । ଫେରିଯା' ଏଠୁ। ଆମେ ଭାବିନେଇଛୁ , ରାଜରାସ୍ତାରେ ଗୋଟେ ଛୁଆକୁକୁର ଉପରେ ଗାଡି ଚଢିଯାଇଛି। ମୋ ଜୀବନ ଥିବାଯାଏ , ଆଶାକରିବି ତୁ ସାମ୍ନାକୁ ଆସିବୁନି। ପୁନର୍ବାର ଦେଖାହେଲେ ହୃଦଘାତ ହୋଇଯାଇପାରେ ମୋତେ।
ସୁରଜ୍ ପଛକରି ଚାଲିଯାଇଥିଲା ମା ବାପାଙ୍କୁ । ବୁଢ଼ୀ ଗୁମୁରି ଗୁମୁରି କାନ୍ଦୁଥିଲେ। କାନ୍ଦିବା ଛଡା ମା' ଟିଏ କରିପାରେ ବି ଆଉକଣ ??
★★★
ଚିନ୍ତା ଗଣ୍ଡି ଖାଏ। ପୁଅକୁ ଘରୁ ବିଦା କରିଦେବା ସହଜ ଥିଲା। କିନ୍ତୁ ନିଜକୁ ବୁଝାଇ ସମ୍ଭାଳି ନେବା ଥିଲା ଖୁବ୍ ବିଷମ। ଖୁସି ଭୁଲି ସାରିଥିବା ବୁଢ଼ୀ , ଅଣ୍ଟା ସଳଖାଇ ବେଳେବେଳେ ସ୍ୱାମୀଙ୍କୁ ସାନ୍ତ୍ଵନା ଦିଅନ୍ତି -
- କଞ୍ଚାକାଦୁଅରେ ଗଢାହେଉଥିବା ଈଶ୍ୱରୀୟ ଅବୟବ ବି ବେଳେବେଳେ କୁରୂପ ହୋଇଯାଏ! ମୂର୍ତ୍ତିକାର , ଈଶ୍ୱରଙ୍କ ପାଇଁ କେବଳ ଦୀର୍ଘଶ୍ୱାସଟିଏ ହିଁ ଛାଡିପାରେ !! ମଣିଷ ଗଢିବା ଗୋଟେ ନାମମାତ୍ର ପ୍ରଚେଷ୍ଟା ନୁହଁ ତ ଆଉକଣ ?? ଆମେ ଗଢିପାରିଲେନି ଠିକ୍ ଭାବେ ତାକୁ । ଆମର ମାତ୍ରାଧିକ ସ୍ନେହଶ୍ରଦ୍ଧାକୁ ନେଇ ସେ ଆତ୍ମବିଶ୍ୱାସୀ ହୋଇଗଲା ସତ , କିନ୍ତୁ ଆମ ବିଶ୍ଵାସକୁ ଭାଙ୍ଗିଦେଲା । ଆଉ ଆଗକୁ କି ପଛକୁ ଆମର କେହିନାହିଁ ଯେ, ଜଣକୁ ଭୂଲିଯାଇ ଆଉଜଣକ ଉପରେ ଭରସା କରି ଜୀବନ କାଟିବାକୁ । ସେତେବେଳେ ତ ଗୋଟିଏ ପୁଅ ନେଇ ଖୁବ୍ ଖୁସିଥିଲେ ଆମେ ? ତାକୁ ସବୁ ସୁଖସୁବିଧା ଯୋଗାଇ ମଣିଷଟେ କରିବାର ଇଛାଟିଏ ରଖିଥିଲେ । ଏବେ ତାରି ପାଇଁ ଆମେ କରୁଛନ୍ତି ପଶ୍ଚାତାପ । ଭୁଲିଯାଅ ସବୁକିଛି । ଫେରାଇଆଣ ପୁଅକୁ ମୋର ।
ବୁଢୀଙ୍କ ଏଇ ଯୁକ୍ତିରେ , ଛାତିଯନ୍ତ୍ରଣା ଆଉରି ବଢିଯାଏ ଆଦିକନ୍ଦଙ୍କର ।
- ମୁଁ ବାପ । ସେ ମୋରି ଅଂଶ। ଦେହର କେଉଁ ଏକ ଅଂଶକୁ କ୍ୟାନସର୍ ହୋଇଗଲେ , ବ୍ୟାପିବା ପୂର୍ବରୁ କାଟି ହଟାଇବାକୁ ପଡେ। ତାକୁ ଧରି ରଖିହୁଏନି । ଫେରାଇ ଆଣିଲେ ହୁଏତ ମୁଁ ମରିଯାଇପାରେ ଶିଘ୍ର । ଥିଲାଯାଏ ତା' ମୁହଁ ଚାହିଁବିନି । ମୋ ଅନ୍ତେ ତୁମେ କିଛିବି କରିପାର । ମୋତେ କିଛିଦିନ ବଞ୍ଚିବାକୁ ଦିଅ ।
ବୁଢୀଙ୍କ ପାଖରେ ଆଉ ଯୁକ୍ତି ବଳେନି । ସ୍ତ୍ରୀଟିଏ ପାଇଁ ନିଜ ସ୍ୱାମୀ ସର୍ବଶେଷ । ଚୁପ୍ ରହି ଲୁହ ତିଆରିବାର ବେଳ ଖାଲି।
★★★
କେଉଁ ବଞ୍ଚି ଯେ ପାରିଲେ ଠିକ୍ ରେ ଆଦିକନ୍ଦ ? ଚଳତ୍ ଶକ୍ତିହୀନ ହୋଇ କୋମା ଅବସ୍ଥାରେ ରହିଲେଣି ମାସାଧିକ। କିଡନୀ ପ୍ରତ୍ୟାରୋପଣ ଛଡା ଅନ୍ୟ ଉପାୟ କିଛି ନାହିଁ ବୋଲି ଶେଷବାଣୀ ଶୁଣାଇ ସାରିଛନ୍ତି ଡାକ୍ତର।
ବୁଢୀଙ୍କ ଆଖିରେ ଆଉ ଲୁହ ସରି ସାରିଥିଲା । ସତ୍ୟକୁ ସାମ୍ନା କରିବାର ସମୟ ଆସିଯାଇଥିଲା। ଫୋନ୍ ଲଗାଇଲେ -
- ସୁରୁ ....!!!!
★★★
କ୍ରମଶଃ ସୁସ୍ଥ ହେଉଥିଲେ ଆଦିକନ୍ଦ । ମାତ୍ରାଧିକ ଚିନ୍ତା କଲାପରି କିଛି କଥାକୁ ସାମ୍ନାକରିବାକୁ ବାରଣ କରି କେବଳ ବିଶ୍ରାମ ନେବାର ପରାମର୍ଶ ଦେଇଥିଲେ ଡାକ୍ତର।
ତେବେ , ବିଛଣାର ତଳମୁଣ୍ଡରେ , ମୁହଁପୋତି ବସିଥିବା ଝିଅଟି ଓ କଡରେ ଗୁଲୁରୁଗାଲୁରୁ ହେଉଥିବା କୁନିପୁଅଟିକୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଆଦିକନ୍ଦ। ଠିକ୍ ସୁରଜ୍ ର ପିଲାବେଳ ପରି। ପ୍ରଶ୍ନପ୍ରଶ୍ନ ହୋଇ ବୁଢୀକୁ ଚାହିଁପଚାରିଲେ
- ସୁରୁ ??
- ସେପାଖ କ୍ୟାବିନ୍ ରେ ଅଛି , ଠିକ୍ ହେବାକୁ ଆଉରି ମାସଟିଏ ଲାଗିଯିବ !!!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■