ପାଣିଭାତ
ପାଣିଭାତ


- ତୁମେ ଓଡିଆ ମାନେ ଖୁବ୍ ଅନହାଇଜେନିକ୍ ।
- ହ୍ୱଆର୍ଟ?
- ଏ କ'ଣ ଅର୍ଡର କରୁଛ ? ବାସିଭାତ , ତୋରାଣି ,ବ୍ୟାକ୍ଟେରିଆଜ୍ ?
- ଷ୍ଟପ୍ ! ତୁମେ ତୁମପାଇଁ ମେନ୍ୟୁ ଦେଖ । ମୋର ଖାଲି ' ଦହି ପଖାଳ ' ବାସ୍ ।
- ଈଈଈ ! ସାମ୍ନା ଚେୟାରରେ ବସ ତାହେଲେ ।
- ବେଡରେ ତ ଏମିତି ହାଇଜେନିକ୍ କାଇଁ ହୁଅନି ଜମା ???
★★★
ସୁମୋନା ଧିରେଧିରେ ଓଡିଆ ଶିଖିଗଲାଣି । ତେବେ ଓଡିଆଣୀ ହେବ ବା କେମିତି ? ସେ ରସଗୋଲା ରାଜ୍ୟର ଝିଅ ! ଅବଶ୍ୟ ସେମାନେ ପ୍ୟାଟନ୍ ଚୋରି କରିବାରେ ଧୁରନ୍ଧର। ତେବେ ଖୁବ୍ ସୁନ୍ଦର ଜାତି ମଧ୍ୟ।
ସୁମୋନା ଗୋଟାପଣେ ରସଗୋଲା । ବିବାଦ ହେବନି ତ ଆଉକଣ ?
ପଡୋଶୀମାନଙ୍କ ସହ ବିବାଦର ମୁଖ୍ୟ କାରଣ ସବୁ ଏଇ ସୁମୋନା ମାନେ କେବଳ !!!
★★★
ପ୍ରେସରର ଦୁଇଟା ସିଟି ଦେଇଦେଲେ ରାଇସ୍ ରେଡି । ପନ୍ଦର ମିନିଟରେ ଲଞ୍ଚ୍ ଡିନର୍ ପ୍ରସ୍ତୁତ। ଆଜିର ନାରୀ ଟାଇମ୍ ମ୍ୟାନେଜମେଣ୍ଟରେ ନିପୁଣା । ତାପରେ ମଜା ହି ମଜା । ଟିଭିଥିଏଟର , ପାର୍ଟି ପାର୍ଲର , ମୋବାଇଲ ଟ୍ୟାବ୍ , ଜିମ୍ ରାମ୍ପ୍ ଆଦି କେତେକଣ । ଅଥଚ ସମୟ କହିଲେ ମାତ୍ର ଚବିଶ୍ ଘଣ୍ଟା !!!
ବିଘ୍ନେଶ ଫ୍ରେସ୍ ହେଉହେଉ , ସୁମୋନା ଫ୍ରେସ୍ ଡିଶ୍ ଆଣି ଟେବୁଲରେ ଥୋଇଦିଏ ।
ପ୍ରେମ ବଢିଯାଏ । ସମୟ ନିଅଣ୍ଟ ହୁଏ। ଲଭ୍ ମ୍ୟାରେଜରେ ଏଇତକ ହିଁ ଫାଇଦା । ସମୟ ବାଣ୍ଟିବାକୁ ନଥାନ୍ତି ବନ୍ଧୁ ସହୋଦର । ସେମାନେ ପ୍ରାୟତଃ ବାହାଘରକୁ ମୂଳରୁ ବିରୋଧ କରି , ବସ୍ତୁତଃ ଦୁରେଇ ଯାଇଥାନ୍ତି।
ଲଭ୍ ମ୍ୟାରେଜ୍ କେବଳ ଦୁହିଁଙ୍କ ଭିତରେ ପ୍ରେମ ତିଆରେ । ଅନ୍ୟ ଆତ୍ମୀୟ ମାନେ ଶେଷଯାଏଁ ସେମାନଙ୍କୁ ବିଶ୍ୱାସରେ ନିଅନ୍ତିନି ।
★★★
ଲିପ୍ସା ! ବିଘ୍ନେଶଙ୍କ ବଡନାନୀ । ବାହାଘର ବେଳେ , ସବୁଠାରୁ ବଡ କଣ୍ଟା ଥିଲେ ଏଇ ନଣନ୍ଦ ! ତାଙ୍କୁ କୁଆଡେ ଲାଗୁଥିଲା ଯେ ସୁମୋନା ତା' ରୂପମୋହରେ , ତାଙ୍କର ନିରୀହ ଭାଇକୁ ବଶ କରିଦେଇଛି ।
ଏଇକଥାରେ , ବିଘ୍ନେଶ ବି ଖୁବ୍ ଚିଡିଯାଇଥିଲା ନାନୀ ଉପରେ । ଅନ୍ଧ ପ୍ରେମ ଆଗରେ , ସମ୍ପର୍କର ପରିଭାଷା ଖୁବ୍ ନ୍ୟୁନ ହୋଇଯାଏ !!
ସେଇଠୁଁ ଆରମ୍ଭ , ଉପରକୁ ଭଲ ଭିତରେ ଫାଟ । ସୁମୋନା ସହି ପାରେନି ଲିପ୍ସାକୁ । ସମୟକ୍ରମେ କଥାରୁ ଅକଥା କାଢି ଦୁହେଁ ଦୁହିଁଙ୍କଠୁ ଦୂରେଇ ଯାଇଥିଲେ , ଯଦିଓ ସମସ୍ତେ ଗୋଟାଏ ସହରରେ ରହୁଥିଲେ ।
ଖାଲି ପର୍ବପର୍ବାଣିରେ ହ୍ୟାଲୋ ହାଏ ।
★★★
ପଖାଳ ଏକ ପରମ୍ପରା । ଏକ ଜାତିର ସଙ୍କେତ । ପ୍ରତ୍ୟେକ ତୋରାଣି ଠୋପାରେ , ଠୋପାଏ ମାତୃତ୍ୱ ଛପିଥାଏ । ଗୋଟାଏ ବେଲାରେ ପାଞ୍ଚୁଟା ହାତ ବାରମ୍ବାର ଘାଣ୍ଟିହେଉଥିଲେବି , ଅଇଁଠା ହେବାର ପ୍ରଶ୍ନ ଉଠେନି । ଓଡ଼ିଆମାନେ ଏଯାବତ ଅଇଁଠା ସଂସ୍କୃତିକୁ ଆପଣାଇନାହାଁନ୍ତି । ପ୍ରେମବନ୍ଧନର ଏକ ଅବିଶ୍ୱନୀୟ ସୁଖାଦ୍ୟ ପଖାଳ ।
★★★
- ଭାଭି ! ଆଜି ଆମଘରେ ପାର୍ଟି ।
- କେଉଁ ଖୁସିରେ ଦିଦି ?
- ଆଜି ବିଶ୍ବ ପଖାଳ ଦିବସ । ପଖାଳ ପାର୍ଟି ।
- ଓଃ !
ପଖାଳ ପାର୍ଟି ??? ହାଉ ଡିସଗଷ୍ଟିଙ୍ଗ୍ ??
ଖବରଟା ପହଞ୍ଚି ସାରିଥିଲା ବିଘ୍ନେଶ ପାଖରେ । ସଅଳ ଅଫିସ ଛୁଟିକରି , ତରତର କଲା ସୁମୋନାକୁ ,
- ଚାଲ ନାନୀ ଘରକୁ ।
- କି ନାନୀ ସୁଆଗ ମଁ ? ବୋପାଲୋ ?
- ଚାଲଚାଲ । ନୋ ଆରଗ୍ୟୁ ।
★★★
କଂସା ( ନାନୀ ଯୌତୁକ ରେ ନେଇଥିବା ) , ତା' ଭିତରେ ଡହଡହ , ଧୋବ ଫରଫର ନରମ ଦହିଫେଣ୍ଟା ପଖାଳ , ତୋରାଣି ଉପରେ ଆମ୍ବକଷିଆ ଛେଚାଅଦା , କଞ୍ଚା ଲଙ୍କା ସାଙ୍ଗକୁ ଭେର୍ସୁଙ୍ଗ ପତ୍ରର ଛୁଙ୍କ , ପୋଡାଆଳୁ ଚକଟା , କଖାରୁ ବଡିଚୂରା , ଚୁନାଚୁନା ମିଶାମାଛ ଭଜା , ଚେକାଚେକା ଛଣା ବାଇଗଣ , ଲେଉଟିଆ ଶାଗ , ମସଲା ଦିଆ ସଜନା ଛୁଇଁ ଡାଙ୍ଗ , ସୁରାସୁରା ଚୋପାଛଡା କାକୁଡି ଲୁଣ , ଗାଁ ବରକୋଳି ଆଚାର !!!
ଏଇତକ ପାଇଁ ଆନ୍ତର୍ଜାତିକ ଦିବସ ??? ଫୁଃ !!!
ସୁମୋନା କଂସାରେ , ହୀରାବସା ମୁଦି ଆଙ୍ଗୁଳିକୁ ବୁଡାଇବ କି ନାହିଁ ଭାବୁଭାବୁ , ସେପଟ କଂସାରେ , ବିଘ୍ନେଶ ଆଉ ଲିପ୍ସାଙ୍କ ହାତ ଛନ୍ଦାଛନ୍ଦି ଖେଳ । ମୁଠା ମୁଠା କରି ବଳେଇ ଖୁଆଇବାରେ ଲାଗୁଛି ନାନୀ ବିଘ୍ନେଶକୁ ।
ଓଃ! କି ପ୍ରେମ ? ଏମାନେ ଭାଇଭଉଣୀ ନା ଆଉକିଛି ??? କୁଆଡେ ଗଲା ବାହାଘରକୁ ନେଇ ପରସ୍ପରକୁ ସବୁଯାକ ବିରୋଧ ଘୃଣାସବୁ ???
ବିଘ୍ନେଶ ସେତେବେଳକୁ କାନ୍ଦିବ କାନ୍ଦିବ ହେଲାଣି ।
ସତରେ ଦୁହିଁଙ୍କର ଏସବୁ ଭାଇଭଉଣୀ ପ୍ରେମପରି ଆଦୌ ନଥିଲା। ଥିଲା ଭିନ୍ନକିଛି। ବୋଧେ ସେତବେଳକୁ ମା' ସ୍ନେହଁ ପରି କିଛିକୁ ରୁପାନ୍ତରିତ ହୋଇସାରିଥିଲା ସମ୍ପର୍କ !!!!
ସୁମୋନା ଭାବୁଥିଲା -
" ଏ ସାମାନ୍ୟ ପାଣିଭାତର ଏଡେ ଦମ୍ ? ମୁଠାଏ ଖାଏଁ ଦେଖି ......"
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■