The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ଶିଶିର ସାହୁ ମନୋଜ

Others

4.0  

ଶିଶିର ସାହୁ ମନୋଜ

Others

ପାଣି

ପାଣି

3 mins
414



ସେଠି ଉପରମୁଣ୍ଡରେ ପାଣି ବନ୍ଧେଇ ଦିଆଯାଇଥିଲା ଏବଂ ଏଠି ତଳମୁଣ୍ଡରେ ଲୋକେ ପ୍ରତ୍ୟହ ପରସ୍ପର ମଧ୍ୟରେ ପାଣି ପାଇଁ ହଣାମରା ହେଇ ମରୁଥିଲେ ।ଏମିତିରେ ଦିନେ ତଳମୁଣ୍ଡର ଜଣେ ଦନ୍ତା ସ୍ଥାନୀୟ(ନେତା) ଲୋକ ଉପରମୁଣ୍ଡର କ୍ଷମତାସୀନ ନେତାଙ୍କୁ ଯାଇ କହିଲେ–


–“ହଇଓ ବାବୁ ! 

ଲୋକେ ତେଣେ ପାଣି ଅଭାଵରୁ ଛଟପଟ ହେଇ ମଲେଣି ତମେ ପାଣି କ’ଣ ପାଇଁ ଛାଡୁ଼ନା ?”


ଉପର ମୁଣ୍ଡର ନେତା କହିଲେ–

“କାହିଁକି ଛାଡି଼ବୁ ? ଛାଡ଼ିଲେ ଜାଣିଛ ଵନ୍ୟାରେ କେତେ ଲୋକ ମରିଯିବେ ?”


–“ଧେତ୍ ! “ମୂଳରୁ ମାଇପ ନାହିଁ ପୁଅ ନାଆଁ ଗୋପାଳିଆ !

କିହୋ ! ତମକୁ କିଏ କହୁଛି ଏକାବେଳକେ ସବୁ ପାଣି ଛାଡ଼ି ଦେବାକୁ ? ଅଳ୍ପ ଅଳ୍ପ ତ ଛାଡ଼ନ୍ତୁ ! ସମସ୍ତଙ୍କୁ ସମାନ ପରିମାଣ ର ପାଣି ପାଇବାର ଅଧିକାର ଅଛି ।” 


–“ତୁମେ କମ୍ୟୁନିଷ୍ଟ କି ?”


–“ଏଥିରେ ପୁଣି କମ୍ୟୁନିଷ୍ଟ ସାମ୍ୟଵାଦୀ କୁଆଡୁ଼ ଚାଲିଆସିଲା ? ଆମ ଧର୍ମଗ୍ରନ୍ଥରେ ଉପଦେଶ ଛଳରେ କୁହାଯାଇଛି ଯେ ଜଳ,ଵାୟୁ, ସୌରରଶ୍ମି ଉପରେ ସବୁ ପ୍ରାଣୀଙ୍କର ସମାନ ଅଧିକାର ଅଛି...”


–“ଧର୍ମ କଥା ଏଠି ନକହିଲେ ଭଲ ଭାଇ । ଆମ ଦଳ ଓ ଏ ଦଳର ମୋ ଭଳି ପ୍ରତ୍ୟେକ ଟି ନେତା ଦେଶର ସଂଵିଧାନ ଅନୁସାରେ ଶତକଡା଼ ୧୦୦% ଧର୍ମନିରପେକ୍ଷ ଅଟନ୍ତି ।”


–“କିନ୍ତୁ ତଳମୁଣ୍ଡର ଲୋକଙ୍କ ପାଇଁ ପାଣି.............?”


–“ଆରେ ଭାଇ ତମ ମୁଣ୍ଡ ସହ କଣ୍ ଆଖି ବି ଖରାପ ହେଇଯାଇଚି କି ? ଦେଖିପାରୁନା ଏଠି ପାଣି ଅଟକେଇ ଆମେ କେତେ ସୁନ୍ଦର ଟୁରିଷ୍ଟ ରିସୋର୍ଟ ବନେଇଛୁ । ବୋଟ୍ ଭାସୁଛି,ଓ୍ଵାଟର ଗେମ୍ସ ହେଉଛି,କେତେ ସୁନ୍ଦର ସୁନ୍ଦର କନ୍ୟା ଠିକ୍ ଜଳପରୀ ଭଳି ସନ୍ତରଣ ଆଉ ସ୍ନାହାନ କରୁଛନ୍ତି । ଵିଦେଶୀ ଏଇଭଳି ଯାଗାକୁ ତ ଆସନ୍ତି ଆଉ ତାଙ୍କ ସହିତ ଆସେ ଵିଦେଶୀ ମୁଦ୍ରା । ଏଥି ଯୋଗୁଁ କେତେ ଯେ ଵିଦେଶୀ ମୁଦ୍ରା ଏ ଦେଶକୁ ମିଳିପାରୁଛି ଆଉ ତମେ ଦି ଚାରି ଟା ଲୋକ ମରିଗଲେ ବୋଲି ମୁଣ୍ଡପିଟା କାନ୍ଦୁଛ ? ଦେଶ ଉନ୍ନତି ପାଇଁ ଦି ଚାରିଟା ଲୋକ କଣ୍ ଲକ୍ଷ ଲକ୍ଷ ଲୋକ ମଧ୍ଯ ବଳିଦାନ ଦେଇ ଦେବାକଥା”


–“ତାହେଲେ ତମ ହିସାଵରେ 

ଲୋକ ମଲେ ମରନ୍ତୁ ! କଣ୍ ଠିକ୍ କହିଲି ନା ?”


–“କିନ୍ତୁ ଆମେ ତ କହୁନୁ କି ଚାହୁଁନୁ ଯେ ଲୋକ ମରନ୍ତୁ ! ଆଉ ସେମାନେ ମରିବେ ଵା କାହିଁକି ? ମିନରଲ୍ ଓ୍ଵାଟର୍ ପିଅନ୍ତୁ ନା....”


–ଦେଖନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ଶୋଷ...


―“ଆରେ ଭାଇ ତମେ ସେତେବେଳୁ ଅଯଥାରେ ଶୋଷ ଶୋଷ କହି ମୁଣ୍ଡ ପିଟୁଛ ହେଲେ ମନେ ରଖ ଯେଉଁଠି ପାଣି ବନ୍ଧା ହେବ ବହୁତ ଲୋକଙ୍କୁ ହଇରାଣ ହେବାକୁ ପଡି଼ବ ହିଁ ପଡି଼ବ,ଆଜି ଶୋଷ ର କ୍ଲେଶ ସହିଲେ ହିଁ ତ କାଲି ଵିକାଶର ସୁଖଫଳ ଖାଇବ । ଏ ମାମଲାରେ ଧନ ଆଉ ପାଣି ଏକା ଭଳିଆ । କାଲି ନବୁଝି ନସୁଝି ଚାଲିଆସିବ ଆଉ କହିବ ଯୋଉ ଏତେ ଟଙ୍କା ରଖିଛ ତାକୁ ବି ସମସ୍ତଙ୍କୁ ବାଣ୍ଟିଦିଅ...

ଵିକାଶର ସିଦ୍ଧାନ୍ତ ବୁଝ ଭାଇ ! ଦୁନିଆ କଥା ପଛେ ବୁଝିବ ଆଗେ ନିଜ ଘର କଥା ଭାବ !”


–“ମାନେ ?”


–“ମାନେଟା ବହୁତ ସହଜ ! ତୁମେ ସେ ତୃଷାର୍ତ୍ତ ଲୋକଙ୍କ କଥା କାହିଁକି ଭାବୁଛ ଆଉ ନିଜ ଜୀଵନର ବହୁମୂଲ୍ୟ ସମୟକୁ ନଷ୍ଟ କରୁଛ ?ଆସ ଭାଇ ! ଆମ ସହିତ ଆସି ଦେଖ । ଏହି କୃତ୍ରିମ ହ୍ରଦର କୂଳରେ ଥରେ ବୁଲିକି ଦେଖ । ସେଇ ବୋଟ୍ ରେ ବସ ନହେଲେ ସନ୍ତରଣର ମଜା ନିଅ । ଥରେ ତ ଏହି ଶୀତଳ ଜଳରେ ଗାଧୋଇକି ଦେଖ । ତମେ ଆମ ସହିତ ହାତ ମିଶେଇ ନିଅ ତୁମ ଲାଇଫ୍ ବନେଇ ଦବୁ । ଭୂଲିଯାଅ ସେ ତଳୁଆ ଶୋଷିଲା ଲୋକଙ୍କୁ । ତମେ କେବଳ ନିଜ କଥା ଚିନ୍ତାକର ଆଉ ଏଇ ମନୋରମ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କର !”


ନଦୀର ପାଣି ଏବେ ବି ଅଟକ ରହିଛି...

ତଳିଆ ଲୋକ ଏଣେ ଟୋପାଏ ପାଣି ପାଇବାକୁ ସର୍ଵସ୍ଵ ବିକିଦେବାକୁ ପ୍ରସ୍ତୁତ ହେଲେଣି । ସର୍ଵତ୍ର ସଭିଏଁ ହାହାକାର ଡାକିଲେଣି । କିନ୍ତୁ ତୃଷାର୍ତ୍ତ ଲୋକେ ଏବେ ବି ବୁଝିପାରୁନାହାନ୍ତି ସେମାନେ ଯାହାକୁ ବି ବାଛିକି ଉପରମୁଣ୍ଡକୁ ପଠାଉଛନ୍ତି,ସେ ଲୋକ ମାନେ କାହିଁକି ଫେରୁନାହାନ୍ତି ? 


(ଜ୍ଞାନ ଚତୁର୍ବେଦୀଙ୍କ ଏକ ହିନ୍ଦୀ ଲେଖାର ଅନୁକରଣରେ ଏହି ଲେଖାଟି ପ୍ରସ୍ତୁତ କରାଯାଇଛି । ଶ୍ରୀ ଜ୍ଞାନ ଚତୁର୍ଵେଦୀଙ୍କର ଉକ୍ତ ଲେଖାଟି “ନୟା ଜ୍ଞାନୋଦୟ(ମାର୍ଚ୍ଚ ୨୦୦୪)” ପତ୍ରିକାରେ ପ୍ରକାଶ ପାଇଥିଲା । )


Rate this content
Log in