Sachidananda Kar

Others

2.5  

Sachidananda Kar

Others

ପାଦଚିହ୍ନ

ପାଦଚିହ୍ନ

2 mins
486


ପାଦଚିହ୍ନ
-----------

ସିଏ ଫେରିଆସିଲା।
ସିଏ ରମେଶ।ସୁମନ୍ତର ପୁଅ। ପରେଶର ବାଲ୍ୟବନ୍ଧୁ।
ଦିନ ଦିନ ଧରି ସେ ନିଖୋଜ ଥିଲା।
ଯେଉଁଦିନ ସେ ନିଖୋଜ ହୋଇଥିଲା ସେଦିନ ସୁମନ୍ତ ରାସ୍ତା ଉପରକୁ ଆସି ମୁଣ୍ଡକୋଡି କାନ୍ଦିଥିଲା।
ସୁମନ୍ତ ପଛେପଛେ ଅନ୍ୟମାନେ କେତେ କେଜାଣି ରାସ୍ତା ଉପରକୁ ଚାଲି ଆସିଥିଲେ ସେଦିନ। - ' କୁଆଡ଼େ ଯାଇଛି, ରମେଶ ? ' ତୁହାଇ ତୁହାଇ ପ୍ରଶ୍ନ କରିଥିଲେ ରାସ୍ତାକୁ।
ରାସ୍ତା ଉପରେ ସୃଷ୍ଟି ହୋଇଥିଲା ଗୋଟେ ବିରାଟ କୋଳାହଳ।
କାହିଁ କେତେ ଦୂରକୁ ଲମ୍ବିଥିବା ସେହି ଅଙ୍କାବଙ୍କା ରାସ୍ତାଟି ବିଚରା !କ'ଣ ବା ବୁଝେ ସେ ! କିଛି ପଦେ ତ କେବେ ବାହାରେ ନାହିଁ ତା' ମୂକ ପାଟିରୁ।ଆଖି ଡୋଳା ମେଲି ସବୁ ଦେଖିବାଟି ଯାହା ତା'ର ଅଭ୍ୟାସ।କ'ଣ ବା ଉତ୍ତର ଦିଅନ୍ତା ସେ !
କେବଳ ନିରବତା ହିଁ ଥିଲା ତା'ର ଉତ୍ତର।
ବହୁ ସମୟ ବିତିଗଲା ପରେ ସମସ୍ତେ ଫେରି ଆସିଲେ ଜଣକୁ ଛାଡି।ସିଏ ହେଉଛି ପରେଶ।
କୋଳାହଳ ଥମି ଯାଇଥିଲା।ପରେଶ ବସି ପଡିଲା ତା'ର ପ୍ରିୟ ପରିଚିତ ସେହି ରାସ୍ତା ଉପରେ।ରମେଶର ପାଦଚିହ୍ନ ଖୋଜିବାରେ ଲାଗିଲା।
ସୂର୍ଯ୍ୟର କିରଣ ରାସ୍ତା ଉପରେ ଝଲମଲ କରୁଥିଲା।ପରେଶ ତା'ର ଖୋଜିବା ଜାରୀ ରଖିଥିଲା।
ପିଲାଦିନର ରାସ୍ତା ସିଏ ପରେଶର।କେତେ ସେ ଖେଳିଥିଲା କେତେ ରକମର ଖେଳ ସେଇଠି ରମେଶ ସହିତ।କେଡ଼େ କୁନିକୁନି ଥିଲା ତା'ର ପାଦ ସେତେବେଳେ।ଆଜି ବଡ ହୋଇଗଲାଣି।- ' ଏଇ ରାସ୍ତାରେ ବଡ ବଡ ପାଦ ପକାଇ କୁଆଡ଼େ ଚାଲିଗଲା ରମେଶ ? ' ପଚାରିଲା ନିଜକୁ।ମର୍ମାହତ ହେଲା।
ଆଗରେ କେହି ଜଣେ ଖଇ, କଉଡି ବୁଣୁଥାଏ।ପଛରେ ଶୁଭୁଥାଏ ରାମ ନାମ ସତ୍ୟ ହେ ।ଛ' ଖଣ୍ଡ ବାଉଁଶରେ ବନ୍ଧା ହୋଇ କେହି ଜଣେ ଯାଉଥାଏ।ଏମିତିରେ ଯିଏ ଯାଏ ସେ ଆଉ ଫେରେନି।ତା'ର ଫେରନ୍ତା ପାଦଚିହ୍ନ କେହି ଦେଖନ୍ତିନି । ହେଲେ ସେମାନଙ୍କ ଭଳି ତ ଚାଲିଯାଇନି ରମେଶ ! ଫେରିବନି ସିଏ କାହିଁକି ! ନିଶ୍ଚେ ଫେରିବ।ଦିନେ ନା ଦିନେ ତା'ର ଫେରନ୍ତା ପାଦଚିହ୍ନ ଏ ରାସ୍ତା ଉପରେ ପଡିବ।
ଏମିତି ଭାବିଲା ପରେଶ।ଆତ୍ମବିଶ୍ବାସ ଆଣିଲା ମନକୁ।ଘରକୁ ଫେରି ଆସିଲା।
ରମେଶକୁ ମନରୁ ଭୁଲି ପାରୁନଥିଲା ପରେଶ।ସବୁବେଳେ ମନେ ପକାଉଥିଲା।
କିଛି ବର୍ଷ ପରେ.........
ଦିନେ ଫେରି ଆସିଲା ରମେଶ।ସାରା ଗାଆଁରେ ସେଦିନ କୋଳାହଳ।ଫେରଛି ରମେଶ।
ଫେରିବା ଲୋକଟିର ପାଦଚିହ୍ନ ଥାଏ।
ରାସ୍ତା ଉପରକୁ ଆସିଗଲା ପରେଶ।ରମେଶର ଫେରନ୍ତା ପାଦଚିହ୍ନ ଅଣ୍ଡାଳିଲା।ନିରାଶ ହୋଇ ଶେଷରେ ପହଞ୍ଚିଲା ତା' ଘର ଆଗରେ।ଲୋକ ଭିଡ଼ ଦେଖି ଆଶ୍ଚର୍ଯ୍ୟ ହେଲା।ଆଶଙ୍କା ଜାଗିଲା ତା'ମନରେ।ଲୋକେ କୁହାକୁହି ହେଉଥିଲେ - ରମେଶ ସହିଦ ହୋଇଛି।ଘରୁ ଲୁଚିଲୁଚି ଯାଇ ସୈନ୍ୟବାହିନୀରେ ଯୋଗ ଦେଇଥିବା ରମେଶ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛି।
ଆହା !ଦୁଃଖରେ ଦୁଇ ଟୋପା ଲୁହ ଗଡାଇ ଦେଲା ପରେଶ।ପୁଣି ସେହି ରାସ୍ତା ଉପରକୁ ଚାଲି ଆସି ପାଗଳଙ୍କ ପରି ରମେଶର ପାଦଚିହ୍ନ ଅଣ୍ଡାଳିବାକୁ ଲାଗିଲା।ସେ ଖୋଜୁଥିଲା ଆଉ ଖୋଜୁଥିଲା, ହେଲେ ନିରାଶ ହେଉଥିଲା।
ସେହି ରାସ୍ତାରେ ଆଗରୁ ହଜି ଯାଇଥିବା କୋଟି କୋଟି ପାଦଚିହ୍ନ ଭିତରୁ କୋଉଠୁ କେମିତି ବା ସେ ପାଇଥାନ୍ତା ରମେଶର ପାଦଚିହ୍ନ।
ସିଏ ପରା ରମେଶର ହଜି ଯାଇଥିବା ପାଦଚିହ୍ନ ।
ଅଫେରା ମଣିଷର ପାଦଚିହ୍ନ ଥାଏ କି !


Rate this content
Log in