ଶିଶିର ସାହୁ ମନୋଜ

Children Stories Classics

4  

ଶିଶିର ସାହୁ ମନୋଜ

Children Stories Classics

ଓଡ଼ସିୟସଙ୍କ ଛଳନା

ଓଡ଼ସିୟସଙ୍କ ଛଳନା

3 mins
207



ଟ୍ରୟ ରାଜ୍ୟର ରାଜକୁମାର ପାରିସ୍ ଙ୍କୁ ଦେଵୀ ଆଫ୍ରୋଡାଇଟ୍ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କୁ ଵିଶ୍ଵର ସବୁଠାରୁ ସୁନ୍ଦର ମାନଵୀର ପ୍ରିୟପାତ୍ର କରାଇଵାରେ ସାହାଯ୍ୟ କରିଵେ । ସେହି ଭୁଵନସୁନ୍ଦରୀର ଅନ୍ଵେଷଣରେ ଏକ ବଡ଼ ବୋଇତ ଧରି ପାରିସ୍ ଭୂମଧ୍ଯ ସାଗରୀୟ ଉପକୂଳଵର୍ତ୍ତୀ ଦେଶଗୁଡି଼କର ଯାତ୍ରା ଆରମ୍ଭ କରିଦେଲେ । ଏହିକ୍ରମରେ ସେ ସ୍ପାର୍ଟା ରାଜ୍ୟରେ ପହଞ୍ଚିଲାରୁ ତାଙ୍କୁ ସେ ଦେଶର ତତ୍କାଳୀନ ରାଜା ମେନେଲସ୍ ପାଛୋଟି ଆଣିଲେ ।


 ତେବେ ଏହା ଥିଲା ତାଙ୍କର ମସ୍ତବଡ଼ ଭୂଲ୍ । ମେନେଲସ୍ ଙ୍କ ପତ୍ନୀ ହେଲେନ ଥିଲେ ସେ ସମୟରେ ଵିଶ୍ଵର ସବୁଠାରୁ ସୁନ୍ଦରୀ ମହିଳା । ତାଙ୍କୁ ଦେଖିଵା ମାତ୍ରେ ଟ୍ରୟ ରାଜକୁମାର ପାରିସ୍ ତାଙ୍କୁ ପାଇଵାକୁ ଵ୍ୟଗ୍ର ହେଵାକୁ ଲାଗିଲେ । ଦେଵୀ ଆଫ୍ରୋଡାଇଟ୍ ଙ୍କ ସାହାଯ୍ୟରେ ସେ ହେଲେନଙ୍କୁ ମହନୀ କରି ଟ୍ରୟ ନେଇ ଆସିଲେ ।


 ପାରିସ୍ ପୂର୍ଵେ ଇଡା଼ ପର୍ଵତରେ ଜଣେ ମେଷପାଳକର ପୁତ୍ରଭାବେ ଜୀଵନଯାପନ କରୁଥିଵାବେଳେ ଏକ ସ୍ଵର୍ଣ୍ଣ ଆତ ପାଇଁ ଵିଵାଦ କରିଥିଵା ହେରା ,ଏଥିନୀ ଓ ଆଫ୍ରୋଡାଇଟ୍ ଙ୍କ ମଧ୍ୟରେ ଆଫ୍ରୋଡାଇଟ୍ ଙ୍କୁ ହିଁ ଉକ୍ତ ଆତ ପ୍ରଦାନ କରିଥିଲେ । ଏବେ ପ୍ରତିଶୋଧର ଓର ଉଣ୍ଡି ଉକ୍ତ ଦୁଇ ଦେଵୀ ଏଥିନୀ ଓ ହେରା ଯାଇ ମେନେଲସ୍ ଙ୍କ ବଡ଼ ଭାଇ ଓ ମାଇସେନ୍ ରାଜ୍ୟର ରାଜା ଆଗାମେନେନଙ୍କୁ ପାରିସ୍ ଙ୍କର ସବୁ କୁକୃତ୍ୟ ଜଣାଇଦେଲେ । 


ହେଲେନ୍ ଙ୍କ ସ୍ଵୟମ୍ବର ସଭାରେ ଗ୍ରୀସ୍ ଓ ଆଖପାଖ ଅଞ୍ଚଳର ସହସ୍ରାଧିକ ରାଜା ଯୋଗ ଦେଇଥିଲେ । ସେମାନେ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ ଯେ ହେଲେନ ଯାହାକୁ ବି ନିଜର ପତି ସ୍ଵୀକାର କରିଵେ ସେମାନେ ତାହା ସାଦରେ ଗ୍ରହଣ କରିଵେ ଏଵଂ କେହି ବି ଯଦି ହେଲେନ୍ ଙ୍କୁ ତାଙ୍କ ଚୟନିତ ପତିଠାରୁ ଛଡେ଼ଇ ନେଵାକୁ ଚେଷ୍ଟା କରେ ସେମାନେ ତାହାର ପ୍ରତିରୋଧ କରିଵେ । 


ପାଇଲସ୍ ର ଵୃଦ୍ଧରାଜା ନେଷ୍ଟର , ଆଗାମେନନ୍ ଙ୍କୁ ହେଲେନଙ୍କର ସ୍ଵୟମ୍ବର ସମୟର ଏଇ କଥା କହି ସମସ୍ତ ରାଜନ୍ୟଵର୍ଗଙ୍କୁ ଏକାଠି କରିଵାକୁ ଏଵଂ ଟ୍ରୟ ଉପରେ ଆକ୍ରମଣ କରିଵାକୁ ପରାମର୍ଶ ଦେଲେ । 


ଦେଵୀ ହେରା ଓ ଏଥିନୀ ମଧ୍ୟ ପାରିସ୍ ଙ୍କ ଉପରେ କ୍ଷୁଵ୍ଧ ଥିଵାରୁ ଅନେକ ରାଜାଙ୍କୁ ତାଙ୍କ ଵିରୁଦ୍ଧରେ ମତେଇଵାକୁ ଲାଗିଲେ । 


ଵିଭିନ୍ନ ରାଜ୍ୟର ସୈନ୍ୟଵାହିନୀ ଆସି ଏକ ସମୁଦ୍ର କୂଳଵର୍ତ୍ତୀ ସ୍ଥାନ ଅଲିସ୍ ଠାରେ ରୁଣ୍ଢ ହେଵାକୁ ଲାଗିଲେ । ଏତେ ବଡ଼ ଵିଶାଳ ସେନାର ସମର୍ଥନ ପାଇ ମାଇସେନ୍ ରାଜ୍ୟର ରାଜା ଆଗାମେନେନଙ୍କର ଛାତି କୁଣ୍ଢେମୋଟ ହୋଇଗଲା ।


ଵୃଦ୍ଧ ନେଷ୍ଟରଙ୍କ ପରି ଵିଦ୍ଵାନଙ୍କଠାରୁ ଆରମ୍ଭ କରି ସମୁଦ୍ରର ଦେଵୀ ଟେଥିସଙ୍କ ପୁତ୍ର ଆଚିଲେସ୍ ଙ୍କ ଯାଏଁ ଶତ ଶତ ଗ୍ରୀକ୍ ଵୀର ଏହି ସେନାଵାହିନୀରେ ଯୋଗଦେଲେ । 


ତେବେ ଇଥାକା ରାଜ୍ୟର ଓଡସିୟସ୍ ସେମାନଙ୍କ ମଧ୍ୟରେ ନଥିଲେ । ଓଡସିୟସ୍ ଙ୍କର ନୂଆ ନୂଆ ଵିଵାହ ହୋଇଥାଏ ଏଵଂ ସେ ତାଙ୍କ ପତ୍ନୀ ପେନେଲୋପଙ୍କୁ ଜୀଵନଠୁ ଅଧିକ ଭଲ ପାଉଥିଲେ ତେଣୁ ସେ ଏ ଯୁଦ୍ଧରେ ଯୋଗ ଦେଵାକୁ ଅନିଚ୍ଛୁକ ଥିଲେ । ଯୁଦ୍ଧରେ ଯୋଗ ନଦେଵା ପାଇଁ ସେ ଏକ ଅଭିନଵ ଉପାୟ ପାଞ୍ଚିଲେ । ଓଡସିୟସ୍ ଜଣେ କୃଷକର ଵେଶ ଧାରଣ କରି ସମୁଦ୍ର କୂଳର ବାଲିରେ ଯୋଡି଼ଏ ବଳଦକୁ ଯୋଚି ସେ ହଳ କରିଵାକୁ ଲାଗିଲେ । ହଳୁଆ ଗୀତ ଗାଇ ଗାଇ ସେ ହଳ କରୁଥାଆନ୍ତି ଆଉ ହଳଗାରରେ ବୀଜ ପରିଵର୍ତ୍ତେ ଲୁଣ ସିଞ୍ଚୁ ଥାଆନ୍ତି । ତାଙ୍କ ସ୍ତ୍ରୀ ପେନେଲୋପ ତାଙ୍କ ପାଖରେ ଆପଣା ଶିଶୁପୁତ୍ରକୁ କୋଳରେ ଧରି ଛିଡ଼ାହୋଇଥାଆନ୍ତି । ଏସବୁ ଦେଖି ସେ ଦେଶର ଲୋକ ଭାଵିଲେ ଓଡସିୟସ୍ କାଳେ ପାଗଳ ହୋଇଯାଇଛନ୍ତି । ହେଲେନଙ୍କ ପତି ମେନେଲସ ଓ ମାଇସେନ୍ ରାଜ୍ୟର ରାଜା ତଥା ମେନେଲସଙ୍କ ବଡ଼ ଭାଇ ଆଗାମେନନ ଇଥାକାରେ ଓଡସିୟସ୍ ଙ୍କୁ ଭେଟିଵାକୁ ଆସି ଏସବୁ ଦେଖିଲେ । ଆଗାମେନନ୍ ବୁଝିଗଲେ ଯେ ଓଡସିୟସ୍ ଯୁଦ୍ଧରେ ଯୋଗ ନଦେଵା ପାଇଁ କେଵଳ ଏ 

ମିଛ ନାଟକ କରୁଛନ୍ତି । ଓଡସିୟସ୍ ଙ୍କର ଗୋଟିଏ ଶିଶୁପୁତ୍ର ହୋଇଥିଲା ତାହାର ନାମ ଟେଲିମେକସ୍ । ରାଜା ଜଣକ ସେହି ଟେଲିମେକ୍ସକୁ ନେଇ ଓଡସିୟସ୍ ଙ୍କ ଲଙ୍ଗଳ ଆଗରେ ଥୋଇଦେଲେ । ଆପଣା ପୁତ୍ରକୁ ତ ଆଉ ଲଙ୍ଗଳରେ ଭୁଷି ମାରିପାରିବେ ନାହିଁ ତେଣୁ ବାଧ୍ୟ ହୋଇ ଓଡସିୟସ୍ ହଳକରିଵା ବନ୍ଦ କରି ଛିଡ଼ା ହେଇଗଲେ । ସେଇଠୁ ଓଡସିୟସ୍ ଙ୍କ ସବୁ ଫନ୍ଦି ଧରାପଡି଼ଗଲା । ଟ୍ରୟଯୁଦ୍ଧରେ ଯୋଗ ଦେଵାକୁ ଆସିଥିଵା ଅନେକ ଗ୍ରୀକ୍ ରାଜା ଓଡସିୟସ୍ ଙ୍କୁ ହେଲେନଙ୍କ ସ୍ଵୟମ୍ବରରେ ସେ କରିଥିଵା ପ୍ରତିଶ୍ରୁତି ବାରମ୍ବାର ମନେ ପକେଇ ଯୁଦ୍ଧକୁ ଯିଵାକୁ ବାଧ୍ୟ କଲେ । ଶେଷରେ ଵିଵଶ ହୋଇ ଓଡସିୟସ୍ ଆପଣା ସୈନ୍ୟ ସାମନ୍ତ ଧରି ଅଲିସ୍ ଠାରେ ଉପସ୍ଥିତ ହେଲେ । 


କ୍ରମଶଃ...




Rate this content
Log in