ନୂଆଖାଇ
ନୂଆଖାଇ
ଜୟ ମା ମାଣୀକେଶ୍ୱରୀ। ତୋ ପାଦେ ମୋର କୋଟି ପ୍ରଣାମ। ତୋ କୋଳରୁ ଆସି ତୋ ଭଉଣୀ କୋଳରେ ମାଁ। ଦୟା ରଖିଥିବୁ।
ଜଗତସିଂହପୁର ଈଷ୍ଟ ମାଁ ଶାରଳାଙ୍କୁ ମୋର ନୂଆଖାଇ ଜୁହାର। ଜଗତସିଂହପୁରବାସୀ ସମସ୍ତ ଗୁରୁଜନଙ୍କୁ ମୋର ନୂଆଖାଇ ଜୁହାର। ସାନଙ୍କୁ ଅନେକ ଅନେକ ସ୍ନେହ ସହ ଭାଇଚାରା ର ଭ୍ରାତୃଭାବ।
ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଭବାନୀପାଟଣା ସହର କୁ ନୂଆଖାଇ ଆସିଲା। ଘରେ ଘରେ ତା'ର ମହକ ଛୁଟିଲା। ଘର-ଅଗଣା ରୁ ରାଜରାସ୍ତା ପର୍ଯ୍ୟନ୍ତ ଗହଳ ଚହଳ ଛାଇଁଗଲା। ଭଳିକି ଭଳି ଫଳ, ପରିବା କିଣାବିକା ର ପସରା ମେଲିଲା।ଘର ଲିପାପୋଛା, ସଫା ସୁତୁରା ଠୁ ଆରମ୍ଭ କରି କୁରେଇ ପତ୍ର, ଆମ୍ବଡାଳ, ସାରୁ ପତ୍ର, ତଥା ବାରିପଟ କଖାରୁ ଫୁଲ ଓ ଡାଳରେ ନୂଆଖାଇ ଚୁମିଗଲା। ଭଳିକି ଭଳି ନୂତନ ବସ୍ତ୍ର ରେ ଭବାନୀପାଟଣାର ରୂପ ସୌନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଗଲା। ଫେସବୁକ, ହ୍ୱାଟସାପ, ଟ୍ବିଟର୍ ଆଦି ସମସ୍ତ ସୋସିଆଲ ମିଡିଆରେ ରେ ଖୁସିର ତରଙ୍ଗ ଖେଳିଗଲା। ଗପସପ,ଭେଟଘାଟ, ଭଳିକି ଭଳି ଗୀତ-ସଙ୍ଗୀତ ମୂର୍ଚ୍ଛନା ର ଢେଉ ଖେଳିଗଲା।ଢୋଲ୍-ନିଶାଣ୍,ଢାବ୍-ଡାପକୁଡୁ,ବାଜା-ମହୂରୀ ଓ ଘୁମୁରା ବାଦ୍ଯ ର ତାଳେ ତାଳେ ସାରା ସହର ନାଚି ଉଠିଲା। ମାଁ ମାଣୀକେଶ୍ୱରୀ ଙ୍କ କୋଳାହଳ ପୂର୍ଣ୍ଣ ପୀଠ ର ଅପୂର୍ବ ସୌନ୍ଦର୍ଯ୍ୟ, ଶରୀର ରେ ଶିହରଣ ଓ ମନରେ ପୁଲକ ଖେଳେଇ ଦେଲା। ନୂଆଖାଇ ଆସିଛି।ସବୁ ନୂଆଁ ନୂଆଁ ଲାଗୁଛି। ବରଷ ସାରା ର ରାଗରୋଷ, ମାନ ଅଭିମାନ ସବୁ ଦୂରେଇ ଯାଇଛି। ଏକ ଅଭୂତପୂର୍ବ ଅନୁଭବ ରେ ସାରା ସହର ହଜି ଯାଇଛି।
ନୂଆଖାଇ କିନ୍ତୁ ଛୁଇଁ ପାରିନାହିଁ ଶୁକ୍ରୁ ନାଏକ ର ଖପର ଉଠି ଜଳ ଜଳ ଦିଶୁଥିବା ଜହ୍ନ, ତାରକା ର ଭଙ୍ଗା କୁଡିଆ ରେ। ଦାଦନ ଖଟି ଯାଇ ଦଲାଲ୍ ହାତରେ ବନ୍ଧା ପଡିଥିବା, ବିଦେଶ ରୁ ଅଫେରନ୍ତା ଭେଣ୍ଡିଆ ପୁଅ ଦିଆଲୁ ର ଘରେ। କ୍ରୁର କରୋନା ଛଡେଇ ନେଇଥିବା ଆତ୍ମିୟ ସ୍ୱଜନଙ୍କ ଘରେ। ଆଲରା ମାଲରା ହୋଇ ବୁଲିବୁଲି ଦୁର୍ଗନ୍ଧ ନାଳୀରୁ ଗୋଟେଇ ଖାଉଥିବା ଭୀମା ପାଗଳ ପାଖରେ।
ନୂଆଖାଇ ପହଞ୍ଚି ପାରିନାହିଁ ବିମଳା ଅପା ପାଖରେ। ସେହି ବିମଳା ଅପା, ଯିଏକି ଭଲ ପାଇ ବାହା ହୋଇଥିଲା ଅନ୍ୟ ଜାତିରେ, ଆଜକୁ ଚଉଦ ବର୍ଷ ତଳେ। ନା ଘର ଲୋକ ତାକୁ ସ୍ବୀକାର କରୁଛନ୍ତି, ନା ବାପ ଘରେ ତାକୁ ଘରେ ପୁରଉଛନ୍ତି! ତା ପାଇଁ ନୂଆଖାଇ ବାରି ଅଗଣା ଝାଟେଇବାରେ, ମହଣ ମହଣ ଲୁଗା ସଫା କରିବାରେ ଓ ଦୂରରୁ ସଭିଙ୍କୁ ଅନେଇ ଜବରଦସ୍ତ ଖୁସିର ଝଲକ ଦେଖେଇବାରେ।
ନୂଆଖାଇ ଛୁଇଁ ପାରିନାହିଁ ଗାଁ ଗୌନ୍ତିଆ ବୋହୂ ସୁଶୀଳା ପାଖରେ।ନୂଆଖାଇ ପରେ ନୂଆଖାଇ ବିତିଯାଏ। ସ୍ବାମୀ ଆସିବା ବାଟକୁ ଅନେଇ ବସି ଥାଏ। କେବେ ନ ଆସିଲେ କଣ ହେଲା, ଅନ୍ତତଃ ନୂଆଖାଇ ଦିନ ବାହୁଡି ଆସିବ ପରା, ତା ପାଇଁ ଶଙ୍ଖା,ସିନ୍ଦୂର ଓ ନୂଆ ଶାଢୀ ଧରି! ହେଲେ ଫେରେ ନାହିଁ। କେଉଁ ଏକ ବିଦେଶିନୀ କୁ ପୁନଃ ବିବାହ କରି ପଡି ଯାଇଛି ତା' ପ୍ରେମ ଜାଲରେ।ଆଖି ଲୁହ ଆଖିରେ ସୁଖିଯାଏ। ସାତ ବର୍ଷ ବିତିଯାଏ। ସୁଶୀଳା ଆଶା ବାନ୍ଧି ବସିଥାଏ।
ଶାଶୁମାଁଙ୍କୁ ହରେଇ ଥିବା ମୋ ଘରେ ମଧ୍ଯ ଏହି ବର୍ଷ ନୂଆଖାଇ ପ୍ରବେଶ କରି ପାରିନାହି। ନୂଆଖାଇ କେବଳ ପାଳନ ହେଉଛି ଆମ ଦୁଈ ପ୍ରାଣୀଙ୍କ ପରସ୍ପର ମିଠା ମିଠା କେଇପଦ କଥା ର ଭାବ ବିନିମୟରେ। ଦୂରାଭାଷ ଯୋଗେ ପିଲାଙ୍କ ସହ ହସିମଜା ର କଥାବାର୍ତ୍ତା ରେ,ସାମାଜିକ ଗଣମାଧ୍ୟମ ରେ, ଶାଶୁମାଁଙ୍କ ସ୍ମୃତିଚାରଣ ରେ ଓ କେଇଧାଡ଼ି ଲେଖା ପୋଷ୍ଟ କରି ଆପଣ ମାନଙ୍କୁ ସେୟାର କରିବାରେ।
ନୂଆଖାଇ ଭାଈଚାରା, ସ୍ନେହ ସୌହାର୍ଦ୍ଦ୍ୟଭରା, ଭାବପୂର୍ଣ୍ଣ ଖୁସିର ପର୍ବ।ପଶ୍ଚିମ ଓଡିଶାର ଏକ ଗଣପର୍ବ। ପୁନର୍ବାର ସମସ୍ତଙ୍କୁ ମୋର ନୂଆଖାଇ ଜୁହାର।
