Sachidananda Kar

Others

2  

Sachidananda Kar

Others

ନୂଆ ବର୍ଷ : ଶୋକର ସମୟ

ନୂଆ ବର୍ଷ : ଶୋକର ସମୟ

3 mins
499


ଆଜି ୩୦ ଡିସେମ୍ବର ୨୦୧୮ ସମାଜ ରବିବାର ସାହିତ୍ୟ ପୃଷ୍ଠାରେ ପ୍ରକାଶ ପାଇଥିବା ମୋର ଗଳ୍ପ " ନୂଆବର୍ଷ : ଶୋକର ସମୟ " ଏବେ ଫେସବୁକରେ ମୋର ପ୍ରିୟ ପାଠକ ଓ ଶୁଭେଚ୍ଛୁମାନଙ୍କ ପାଇଁ .........

------------

ନୂଆବର୍ଷ : ଶୋକର ସମୟ

-----------------

ଊଣେଇଶ ଆସୁଛି ବୋଲି ଖୁବ୍ ଜୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା ନନ୍ଦ।

ଅଭିନନ୍ଦନ ପତ୍ରରେ କ'ଣ ଲେଖାଯିବ, କେଉଁଠି ମଦ ଓ ମାଂସର ଆସର ଜମିବ, କିଏ କିଏ ସାଙ୍ଗରେ ରହିବେ, ସମସ୍ତଙ୍କର ଗାର୍ଲଫ୍ରେଣ୍ଡମାନେ କେତେବେଳେ ଆସିବେ, କେଉଁ କେଉଁ ଗୀତରେ ନାଚ ହେବ - ଏଇ ସବୁ କଥାକୁ ଛାଡିଦେଲେ କିଛି ଆଉ ତା' ମୁଣ୍ଡରେ ନ ଥିଲା।

ହଠାତ୍ ରୁଦ୍ର ତା' ପାଖରେ ପହଞ୍ଚିଲା।ତାକୁ ଚମକେଇ ଦେବା ଭଙ୍ଗୀରେ କହିଲା  -  ଆରେ କ'ଣ କରୁଛୁ ? ସେପଟେ କୋକେଇ ବନ୍ଧା କାମ ଆରମ୍ଭ ହୋଇଗଲାଣି।ଖଇ,କଉଡି ଆସିଗଲାଣି।ଆଉ କିଛି ସମୟ ପରେ କୋକେଇ ଉଠିବ।ରାମ ନାମ ସତ୍ୟ ହେ - ଚାଲିବ।ତୋର କ'ଣ ଦେଖା ନାହିଁ ?

 -  ଦେଖ୍, ନୂଆବର୍ଷକୁ ସ୍ବାଗତ କରିବା ପାଇଁ ମୁଁ ଲାଗିଛି।ମୋ ମୁଣ୍ଡରେ ସେ ଦୁଃଖର କଥା ପୂରାନା।ଏଇନା ମୋର ଖାଲି ଖୁସି ଆଉ ଖୁସି।ଆଚ୍ଛା...., କିଏ ଚାଲିଗଲା କିରେ ? ଦେଶୀମଦ ପିଇପିଇ ସେ ପହଲିର ଅବସ୍ଥା ନ ଥିଲା।ସିଏ ଚାଲିଯାଇନି ତ ! ନନ୍ଦ ଖୁବ୍ ବେଫିକର୍ ସ୍ବରରେ କହିଲା।

 -  ସେ କଥା ପଛରେ କହିବି।ଏଠି ସହର, ଗାଆଁରେ କିଛି ତ ବଦଳିଲା ନାହିଁ।ବୁଝିପାରୁନି କ'ଣ ପାଇଁ ତୁ ଏତେ ଖୁସି ! ରୁଦ୍ର କହିଲା।

 -  କ'ଣ ବଦଳିଥାନ୍ତା,ଅଥଚ ବଦଳି ନାହିଁ ? ନନ୍ଦ ସିରିଅସ୍ ଭଙ୍ଗୀରେ କହିଲା।

 -  ନାଳ,ନର୍ଦ୍ଦମା ଯେପରି ଥିଲା ସେପରି ଅଛି ନା ନାହିଁ ?

 -  ଅଛି.....।

 -  ମଶା, ମାଛି,ପୋକଜୋକ ସାଲୁବାଲୁ ଅବସ୍ଥା, ଆବୁଡାଖାବୁଡା ବାଟ ଆଉ ଖାଲଖମା - ଏସବୁ ଅଛି ନା ନାହିଁ ?

 -  ଅଛି.......।

 -  ଦେଶୀମଦ ଯାହାକୁ ଯେତେ।

 -  ସେଇଟା ନ ରହିଲେ କେମିତି ହବ ! ଖେଳ ଜମିବ କେମିତି ?

 -  ସୀତା ନାନୀ ଖାଇବାକୁ ନ ପାଇ ମରିଗଲା।

 -  ମିଛ କଥା। କିଏ ନ ମରୁଛି ଏଠି !ତା'ର ବୟସ ହୋଇଥିଲା।ମରିଗଲା।କ'ଣ କରିଥାନ୍ତା ଆଉ ବଞ୍ଚିରହି !

 -  ଏକନ,ସୁକନ ପରିବାର ନେଇ ଦାଦନ ଖଟିବାକୁ ଗଲେ।

 -  ଖଟିବା,ଖାଇବା ପାପ କଥା ନୁହେଁ।ଏଠି କାମ ନାହିଁ।ଯୋଉଠି କାମ ମିଳୁଛି ସେଠିକି ଗଲେ।ଖରାପ କ'ଣ ହେଲା ?

 -  ସନା'ଇର ଚାରିବର୍ଷର ଝିଅକୁ ଟୋକାମାନେ ଟେକି ନେଇ ଜଙ୍ଗଲରେ ବଳାତ୍କାର କଲେ।

 -  ଚାରି ହଉ କି ଚଉଦ - ଝିଅଟେ ତ ! ପାପ ଆଶା ଅଛି, ଥିଲା, ରହିବ।କିଏ ବା କ'ଣ କରିବ !

 -  ଭତ୍ତା, ଆବାସ ବଣ୍ଟନରେ ପାତର ଅନ୍ତର,ରାସ୍ତା କାମ ନ କରି ଟଙ୍କା ଆତ୍ମସାତ - ସେମିତି ଚାଲିଛି ନା ନାହିଁ ?

 -  ଚାଲିଛି...... ଚାଲିଥିବ।ସେ ରାଜନୀତିରୁ ଆମକୁ କ'ଣ ମିଳିବ ?ନିର୍ବାଚନ ବେଳେ ତ ପୁଣି ମଦ,ଟଙ୍କା ବାଣ୍ଟିବାକୁ ପଡୁଛି।ସିଏ ବଡ ଗହନ କଥା '

 -  ଦୁଃଖିଆ ଭାଇର ପୁଅ ଇଂଜିନିୟରିଂ ପରେ ପି.ଏଚ୍.ଡି. କରି ଘରେ ବସିଛି।ଚାକିରୀ ମିଳୁଛି ?

 -  କେତେ ପିଲା ବାହାରିଲେଣି।କାହା କଥା ଏବେ ସରକାର ବୁଝିବେ ?

 -  କ'ଣ ବଦଳୁଛି ତା' ହେଲେ ?କାହିଁକି ଏତେ ଖୁସି ?

 -  କ୍ୟାଲେଣ୍ଡର ବଦଳୁଛି।

କହି ଠୋ ଠୋ ହସିଲା ନନ୍ଦ।

ମୁହଁ ବୁଲାଇଲା ରୁଦ୍ର।ଫେରିବାକୁ ଚାହିଁଲା।

 -  ଆରେ କିଏ ମରିଗଲା ? କାହାର କୋକେଇ ଉଠୁଛି ? ନନ୍ଦ ଵ୍ୟସ୍ତ ହେଲା ଭଳି ପଚାରିଲା।

 -  ଅଠର......। ଦୁଃଖିତ ସ୍ବରରେ କହିଲା ରୁଦ୍ର।

ନନ୍ଦର ଆଖି ଦୁଇଟା ଉଦାସିଆ ହୋଇଗଲା।ମୁହଁରେ ଫୁଟିଉଠିଲା କାରୁଣ୍ଯର ଛାପ।  -  ସତରେ କାହିଁକି ଏତେ ଖୁସି ମୁଁ ! ନିଜକୁ ନିଜେ କହିବାକୁ ଲାଗିଲା ସେ।

ଦୂରରୁ ଶୁଭୁଥିଲା  -  ରାମ ନାମ ସତ୍ୟ ହେ......।


Rate this content
Log in