ନଟି ଗାର୍ଲ
ନଟି ଗାର୍ଲ
ସେଦିନ ପ୍ରଥମ କରି ସେ ମୋ ପାଖରେ ବସି ପଡ଼ିଲା ।
ପ୍ରଥମ ପ୍ରେମ !
ବୁଝି ପାରି ନ ଥିଲି ସେଦିନ । ପ୍ରେମ ତ ସବୁଦିନେ ଅବୁଝା ପାଠ ।
ଟିଉସନକୁ ଆସୁ ଆସୁ ବାଟରେ ତା'ର ଲଣ୍ଠନ କାଚ ଭାଙ୍ଗି ଯାଇଥିଲା । ଖୁବ୍ ଭଲ ଜଳୁଥିଲା ମୋ ଲଣ୍ଠନ । ବସିବାକୁ ମୋ ପାଖରେ ଜାଗାଟେ ବି ଥିଲା ।
ସେ ବସୁ ବସୁ ତା'ର ଦୁଇଟାଯାକ ବେଣୀ ଆଗକୁ ଝୁଲି ପଡି ମୋତେ ଟିକେ ତା' ମନସ୍କ କରିଦେଲେ । କଥା ହେବାକୁ ସୁଯୋଗ ପାଇଲି । କହିଲି - ' ପାଖକୁ ଲାଗି ବସ । ଭଲ ଦିଶିବ ।
ସେ ହସିଦେଇ ପାଖକୁ ଲାଗି ବସିଲା । ମୁଁ ଟିକେ ଅଧିକ ଖୁସି ଅନୁଭବ କଲି ।
ପ୍ରଥମ ପ୍ରେମ !
କେଜାଣି ହୋଇଥିବ ।
- ' କାଚ ନ ଥିବା ଲଣ୍ଠନ ଥିବା ଯାହା ନ ଥିବା ସେୟା । ' ସେ ତା' ଲଣ୍ଠନ ଆଡ଼କୁ ଚାହିଁ କହିଲା ।
- ' କାଲି ନୂଆ କାଚ ଲଗାଇ ଦେବୁ । ବ୍ୟସ୍ତ କାହିଁକି ହେଉଛୁ ? ମୁଁ କହିଲି ।
ସେଦିନ ସାଙ୍ଗ ହୋଇ ପଢିଲୁ ।
- ' ଆଜି ବି ତା'ର ଲଣ୍ଠନ କାଚ ଭାଙ୍ଗି ଥାଆନ୍ତା କି ! ' ପରଦିନ ଟିଉସନରେ ପହଞ୍ଚୁ ପହଞ୍ଚୁ ଭାବିଲି ।
ତାହା ସତ ହେଲା । ସେ ଆସି ମୋ ପାଖରେ ବସିଲା । ତା' ହାତରେ ଥିଲା କାଚ ନ ଥିବା ଲଣ୍ଠନଟି । ପଚାରିଲି - ' ଆଜି ବି କାଚ ଭାଙ୍ଗିଗଲା ? '
- ' ହଁ,ଜାଣି ଜାଣି କିଏ ସେପରି କରେ କ'ଣ ? ' ଅଭିମାନ ଭରା ସ୍ବରରେ ସେ କହିଲା । ଆମେ ଦୁହେଁ ଗୋଟିଏ ଲଣ୍ଠନରେ ଲଗାଲଗି ହୋଇ ବସି ପଢୁଥିଲୁ ।
ଏମିତିରେ ପ୍ରାୟ ସପ୍ତାହେ ବିତିଲା ।
- ' କେଉଁଠି ତୋର ଲଣ୍ଠନ କାଚ ଏମିତି ଭାଙ୍ଗି ଯାଉଛି ? ' ଦିନେ ତାକୁ ପଚାରିଦେଲି ।
ସେ ଟିକେ ଥତମତ ହେଲା । କହିଲା - ' ତୋ ପାଖରେ ବସିଲେ ଭଲ ଲାଗୁଛି । ତୁ ପାଠ କହି ଦେଉଛୁ । ସାର୍ ମୋତେ ଆଉ ଗଧୀ କହୁ ନାହାନ୍ତି । ଯେଉଁଠି କାଚ ଭାଙ୍ଗୁଛି ଭାଙ୍ଗୁ । ତୋର କାହିଁକି ସେ ଚିନ୍ତା ? '
- ' ଏଇଟା ବାହାନା ତେବେ ? ' ମୁଁ କହିଲି । ସେ ମୁର୍କି ହସିଲା ।
ନିଜର ଇଚ୍ଛା ପୂରଣ ପାଇଁ ଯିଏ ଲଣ୍ଠନ କାଚ ଭାଙ୍ଗି ପାରୁଛି, କାଲି ଅନ୍ୟର ହୃଦୟ ଭାଙ୍ଗିବା ତା' ପାଇଁ ବଡ କଥା ହେବ କ'ଣ ! ଏମିତି ଭାବିବାକୁ ବାଧ୍ୟ ହେଲି ।
ପରଦିନ ଜାଣି ଜାଣି ନିଜ ଲଣ୍ଠନର କାଚ ଭାଙ୍ଗିଦେଲି । ମନ ମାରି ବସିଲି ।
କାଚ ନ ଥିବା ଲଣ୍ଠନଟେ ଧରି ମୋ ପାଖରେ ପହଞ୍ଚିଲା ସେ । ତାକୁ ସଫା ସଫା କହିଦେଲି - ' ଆଜି ମୋ ଲଣ୍ଠନର କାଚ ଭାଙ୍ଗିଯାଇଛି । ତୁ କେଉଁଠି ବସୁଛୁ ବସ । '
ମୋତେ କିଛି ନ କହି ସେ ବାହାରକୁ ଦୌଡ଼ିଲା । କିଛି ସମୟ ପରେ ଜଳୁଥିବା ଲଣ୍ଠନଟିଏ ହାତରେ ଧରି ଆସି ମୋ ପାଖରେ ପହଞ୍ଚିଲା ଓ ମୋତେ ତାହା ଦେଖାଇ କହିଲା - ' ହେଲେ ମୋ ଲଣ୍ଠନର କାଚ ଆଜି ଭାଙ୍ଗିନି । ଆସ ଏବେ ମୋ ପାଖକୁ ଲାଗି ବସିଯାଅ । '
- ' ନଟି ଗାର୍ଲ । ' ମୋ ପାଟିରୁ ବାହାର ଗଲା । ସେ ମୁର୍କି ହସିଲା ।