STORYMIRROR

Lipi Sahoo

Others

3  

Lipi Sahoo

Others

ନିଉଛଣିଆ ଉପାଖ୍ୟାନ

ନିଉଛଣିଆ ଉପାଖ୍ୟାନ

6 mins
254

ବିକଳା ଦାଦି ଗୋଟେ ହାତରେ ବାଡି ଆର ହାତରେ ଢାଳ ଧରି ସକାଳୁ ସକାଳୁ ତରତର ହେଇ ତୋଟା ଆଡୁ ଆସୁଥାନ୍ତି । କାହାରି ନଜର ଯେମିତି ତାଙ୍କ ଆଡେ ନ ପଡେ। ହେଲେ ସେମିତି କ'ଣ ହୁଏ ?? କଥାରେ ନାହିଁ, ଯୋଉଠି ବାଘ ଡର ସେଇଠି ରାତି । ବଡ଼ ବଡ଼ ପାହୁଲ ପକେଇ ବାଡିକୁ ଠକ ଠକ କରି ମାଡି ଚାଲୁ ଚାଲୁ ବଗୁଲିଆ ନେଫେଡା ନଜରରେ ପଡିଗଲେ । ତା'ର ନାଁ ଯେମିତି ଗୁଣ ସେମିତି । ସବୁବେଳେ ଦାନ୍ତ ନେଫେଡି ହେଁ ହେଁ ହେଉଥିବ । ଗୋଟେ ହେରଣ୍ଡା ରଡି ଛାଡ଼ିଲା ହୋଇହୋ ଦାଦି ! ରାତି ନ ପାହୁଣୁ କାମ ସାରିଦେଇ ଆସିଲଣି । ବିକଳା ତା ପାଖକୁ ଆସି, ହେଇ ! ଚୁପ୍ ଚୁପ୍ ଏତେ ବଡ଼ ପାଟି କ'ଣ କରୁଚୁ ବେ ଛତରା ଟୋକା ?? କହି ପିଟିବାକୁ ବାଡି ଉଞ୍ଚେଇଲା । ହେଲେ ସେ ଛୋପରା କ'ଣ ଛାଡିବା ପିଲା । କହିଲା ଏଇ ଦେଖିଲ ଦାଦି ସେଇ ବୋର୍ଡରେ କ'ଣ ଲେଖା ହେଇଛି ?? ସଂପୂର୍ଣ୍ଣ ବାହ୍ୟ ମଳତ୍ୟାଗ ମୁକ୍ତ ଗ୍ରାମ । ଆଉ ତମେ ଦାଦି ସରକାରଙ୍କୁ ଆଖିଠାର ମାରିଦେଉଛ ? ବଗଲା ପିଲା ଖେଷ୍ଟାଙ୍ଗି କରିବା ତା'ର ଅଭ୍ୟାସ । ଯୋଗକୁ ସକାଳୁ ବିକଳା ଦାଦି ତା ହାବୁଡ଼ରେ ପଡି ଯାଇଛନ୍ତି । ସରକାର ଯୋଉ ପାଇଖାନା ତମକୁ ଯୋଗଦେଇଛନ୍ତି ତା'ର ସଦୁପଯୋଗ କରୁନା ? ଏଠି ବାହାରେ କ'ଣ କରୁଛ ?

        ଏତିକିରେ ବିକଳା ଦାଦି ମୁଣ୍ଡରେ ପିତ୍ତ ଚଢ଼ିଗଲା । ତାଙ୍କୁ ଆଉ ସମ୍ଭାଳେ କିଏ ? କୋଉ ସରକାର ବେ ? କୋଉ ପାଇଖାନା କଥା କହୁଚୁ କହିଲୁ ? ତୁ ଶଳା ଚାଲ ମୋ ସାଙ୍ଗରେ ଦେଖିବୁ ପାଇଖାନା । କହି ତାକୁ ଟାଣି ଟାଣି ନେଇଗଲେ ତାଙ୍କ ଘରକୁ । ବାଡିପଟେ ନେଇ ଯାଇ ଦେଖେଇଲେ ଏଇ ଦେଖ ପାଇଖାନା । ନେଫେଡା ଦେଖି ପକେଇ ହସି ହସି ଗଡି ଗଲା । କହିଲା ଦାଦି ବହୁତ ଦେଶି ବିଦେଶୀ ପାଇଖାନା ଦେଖିଛି ହେଲେ ଏମିତି କୋଉଠି ହେଲେ ଦେଖିନି । ଏଇଟା କୋଉ ଶ୍ରେଣୀରେ ଯାଉଛି କିଛି ଜଣା ପଡୁନି । ଦିଇଟା କାନ୍ଥ ଉପରେ ଛୋଟିଆ ଟିଣ ଖଣ୍ଡେ ପଡିଚି ଆଉ ମଝିରେ ଗାତ ଖୋଳାହେଇଚି । ହେଲେ ପାଇଖାନା ନାହିଁ । ଆଗ ପଛ ମେଲା । ଦାଦି ଦାନ୍ତ କଡମଡ କରି କହିଲେ ମୁଁ ଆଖିଠାର ମାରୁଚି, ନା ସରକାର ମାରୁଛନ୍ତି । ତୋ ଠେଙ୍ଗି ଖୁଡି ଆଖିକୁ ଭଲରେ ଦିଶୁନି । ସେଇଥିରେ ସେ ସକାଳ ନ ପାହୁଣୁ ତୋଟାକୁ ଠୁକୁ ଠୁକୁ ହେଇ ଯାଉଛି । ଆଉ ତୁ କଥା କହୁଚୁ ? ଆମ ଦୁଃଖ ତୁ କ'ଣ ବୁଝିବୁ ବେ ??

        ସବାଖିଆ ସରପଞ୍ଚ ଧଣ୍ଡ ଯେତେବେଳେ କହିଲା ସବୁ ହିତାଧିକାରୀଙ୍କୁ ମାଗଣାରେ ପାଇଖାନା ମିଳିବ । ମୁଁ ଖୁସି ହେଇଗଲି ଯା ହେଉ ଆମେ ବୁଢ଼ାବୁଢ଼ୀ ଦୁଇଟା ଆଉ ହଇରାଣ ହେବୁନି । ଏତେ ବାଟ ଆଉ ଯିବାକୁ ପଡ଼ିବନି । ହେଲେ ସେ ଶଳାଟି ଦିଅଁ ଖାଇ ଖଟୁଲି ଖାଇଯିବା ଲୋକ ‌। ମୋତେ ପଞ୍ଚାୟତ ଅଫିସିକୁ ଡକେଇ ମୋଠୁ ଦସ୍ତଖତ ନେଇଗଲା । ଖାଲି କ'ଣ ମୋଠୁ ନଟିଆ, ବଟ, ଶୁକୁଟା ଆହୁରି କେତେ ଲୋକଙ୍କଠୁ ନେଇଚି ନା । ସମସ୍ତଙ୍କର ସମ ଦଶା । ହେଲେ ଗାଁ ବାହାରେ ବୋର୍ଡ଼ ମାରିଦେଇଛି । ପାଇଖାନା ନାଁରେ ହଜାର ହଜାର ଟଙ୍କା ଖାଇଗଲା । ସରକାର ପଇସା ପଠେଇ ଦେଇ ନାହିରେ ତେଲ ଦେଇ ଶୋଇଗଲେ । କ'ଣ ହେଲା ନହେଲା ବୁଝୁଚି କିଏ ??? ଛଅ ମାସ ହେଲା ଏମିତି ପଡିଚି ପାଇଖାନା ।

  

ନେଫେଡା କ'ଣ ଛାଡିବା ପିଲା । ସେ ତ ଜଗତ ବେହିୟା । କହିଲା ଦାଦି ଚାଲ ମୋ ସାଙ୍ଗରେ ଥାନାକୁ ଯିବା । ଏକା ତମେ ନୁହେଁ ବଟ, ନଟିଆ, ଶୁକୁଟା ଆଦିଙ୍କୁ ସାଙ୍ଗରେ ଡାକିକି ନେବା । ଥାନାରେ ରିପୋର୍ଟ ଲେଖେଇବା ସମସ୍ତଙ୍କର ପାଇଖାନା ଚୋରି ହେଇଯାଉଛି । ପୋଲିସ୍ ଆସି ଦେଖିଲେ ବଳେ ବୁଝିଯିବନି ସବୁକଥା । ଇତିହାସରେ ପ୍ରଥମ ଥର ପାଇଁ ଏମିତି ଘଟଣା ନିଉଛଣିଆଗଡ ଗାଁରେ ଘଟିବ । ଆମ ଗାଁ ସାରା ବିଶ୍ୱରେ ଚହଳ ସୃଷ୍ଟି କରିବ । ତମ ନାଁ ସବୁ ଆଡ଼େ ପ୍ରଚାର ହେଇଯିବ । ଚାଲ ଚାଲ ଜଲଦି ଚାଲ ମୋ ସାଙ୍ଗରେ । 

ନେଫେଡା ସିନା ଗମାତ କରି କହିଲା ହେଲେ କଥାଟା ଦାଦି ମନକୁ ପାଇଗଲା । ସେ କହିଲା ଚାଲ ସତରେ ଯିବା ଥାନାରେ ରିପୋଟ ଲେଖେଇ କି ଆସିବା । ଦେଖିବା କ'ଣ ହେଉଚି ??? ନେଫେଡା କହିତ ଦେଇଛି ଏବେ ଯାଏ କୁଆଡେ । ପାଟିରୁ ଖସିଲା କଥା ଆଉ କ'ଣ ଭିତରେ ପଶିବ ?? କହିଲା ହଉ ଚାଲ ଆଉ ଦୁଇ ତିନି ଜଣଙ୍କୁ ଡାକ । 

  ସବୁ ମିଶି ଥାନାକୁ ଗଲେ । ଥାନାବାବୁ ଟେବୁଲ୍ ଉପରେ ଗୋଡ଼ ଟେକି ଦେଇ ଆରାମ କରୁଥାଆନ୍ତି । ସବୁଯାଇ ଜୁହାର ମାରିଲେ । ମର୍ଦ୍ଦରାଜ ବାବୁ ସଳଖି ବସିଲେ । ଏକାଥରେ ତିନି ଚାରି ଜଣଙ୍କୁ ଦେଖି କହିଲେ କ'ଣ ୟେତେ ଲୋକ ଆସିଛ ?? କାଲି ଗାଁ ସାରା ଏକାଥରେ କଳାକନା ବୁଲିଯାଇଛି ନା କ'ଣ ???? ବିକଳା ହାତଯୋଡି କହିଲା ସାର୍ ଆପଣ କେମିତି ଜାଣିଲେ ?? ସମସ୍ତଙ୍କର ଚୋରି ହେଇଛି ବୋଲି। ମର୍ଦ୍ଦରାଜ ବାବୁ ନିଶାରେ ହାତମାରି କହିଲେ ୟେତେ ବର୍ଷ ହେଲା ଚାକିରୀ କଲିଣି କ'ଣ ଖାଲି ତୁଚ୍ଛା ଟାରେ । ସିନ୍ଧିଗାତ ଚୋରି ନା ଡକାୟତି ହେଇଚି ?? ବିକଳା କହିଲା ଆପଣ ଯାଇ ଦେଖିଲେ ଜାଣିବେନି । ଆମ ସାଙ୍ଗରେ ଚାଲନ୍ତୁ । ମୁଁ ଥାଉ ଥାଉ ଗାଁରେ ୟେତେ ବଡ଼ ଘଟଣା ଘଟିଗଲା । ବିକଳା ଚଟକିନି କହିଲା ଆପଣଙ୍କ ନିଶ ତଳେ ବହୁତ ଘଟଣା ଘଟି ଯାଉଛି କୋଉ ଖବର ପାଉଛନ୍ତି ?? 

  ମର୍ଦ୍ଦରାଜ ନିଶାରେ ହାତମାରି କହିଲେ କ'ଣ ଥଟ୍ଟା କରୁଛ??? ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ବିକଳା କହିଲା ନାଇଁ ସାର୍ ସେ ସତ୍ ସାହାସ ଆମର କାହିଁ ?? ଆପଣ ଚାଲନ୍ତୁ ଦେଖିବେ ଏକ ନୂଆ ପ୍ରକାର ଚୋରି । ମାନେ ??? କ'ଣ ଚୋରି ହେଇଛି କି ??? ମର୍ଦ୍ଦରାଜ ଆଶ୍ଚର୍ଯ୍ୟ ହେଇ ପଚାରିଲେ । ଆପଣ ଚାଲନ୍ତୁ ଆଗ, ସେଠି ପହଞ୍ଚିଲେ ଦେଖିବେନି । କହି ସବୁଯାକ ବାହାରି ଆସିଲେ ଥାନା ଭିତରୁ ।

  ଗାଡ଼ି ଆସି ସିଧା ଅଟକିଲା ବିକଳା ଘର ଆଗରେ । ଗାଁ ଲୋକେ ଟୁପୁରୁଟାପର ଆରମ୍ଭ କରିଦେଲେ । ଏମିତି କ'ଣ ହେଲା ଯେ ସକାଳୁ ପୋଲିସି ଗାଡ଼ି ଆସି ଲାଗିଲାଣି ଗାଁରେ । ପୁଣି ଗାଡିରୁ ବଟ,ନଟିଆ,ଶୁକୁଟା ଆଉ ନେଫେଡା ତକାତେ ଓହ୍ଲାଇଲେଣି । ବିକଳା ଘର ଆଗରେ ସବୁ ଗଦା ହେଇଗଲେ । ସେ ମର୍ଦ୍ଦରାଜ ବାବୁଙ୍କୁ ଡାକିକି ସିଧା ବାଡିଆଡେ ନେଇଗଲା । ପାଇଖାନା ଘର ଆଗରେ ଠିଆ କରେଇଦେଲା ।

ପୋଲିସ ବାବୁ ଟିକେ ଚିଡିଯାଇ ଖିଙ୍କାରି ହେଇ କହିଲେ, ହୋଇହୋ ! ଏଇଟା କ'ଣ ?? ଏଇ ଗାତଟାକୁ ଦେଖେଇବାକୁ ମୋତେ ଥାନାରୁ ଡାକିକି ଆଣିଲ ?? ନେଫେଡା ହସିକି କହିଲା, ଏଇ କାନ୍ଥକୁ ଦେଖୁ ନାହାଁନ୍ତି କ'ଣ ଲେଖା ହେଇଛି । ଆପଣ ଆପେ ସବୁ ବୁଝିଯିବେ ଯେ । 

କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଲେଖା ହେଇଥିଲା "ସରକାରୀ ଅନୁଦାନରେ ନିର୍ମିତ ଶୌଚାଳୟ" । ବାବୁ ପଢିଦେଇ ପଚାରିଲେ ଏଠି ପାଇଖାନା କାହିଁ ?? ନେଫେଡା କହିଲା, ସେଇକଥା ପା । ପାଇଖାନା ଚୋରି ହେଇଛି ପରା । ବିକଳା ନଟିଆ ଆଦି ହଁରେ ମୁଣ୍ଡ ହଲେଇଲେ ।

ଥାନାବାବୁ ବିରକ୍ତ ହେଇ କହିଲେ ସକାଳୁ ସକାଳୁ କେହି ମିଳିଲେନି ଥଟ୍ଟା ହେବାକୁ । ଲାଗୁଛି ରାତିରେ ସବୁ ଟିକେ ଢକଲମ ଚଢେଇ ଦେଇଛ ବୋଧେ । ନ ହେଲେ ଏମିତି ଆବୁରୁ ତାବୁରୁ ଗପନ୍ତ । ଦୁଇ କାନ୍ଥରେ କୋଉଠି ଶୌଚାଳୟ ହୁଏ କିହୋ ??? ପୁଣି ସେଠି ପାଇଖାନା ନାହିଁ । ଇୟେ କି ପ୍ରକାର ବ୍ୟାପାର ??

         ବିକଳି କହିଲା ଆମେ କ'ଣ କହିବୁ ବାବୁ ?? ଆପଣ ତ ନିଜେ ପଢ଼ିଲେ ସରକାରଙ୍କ ଦ୍ୱାରା ଲେଖା ହେଇଛି । ତାରିଖ ପଡ଼ିଛି । ଖାଲି କ'ଣ ମୋର ଏକା । ଏଇ ନଟ, ବଟ, ଶୁକୁଟା ସମସ୍ତଙ୍କର ଚୋରି ହେଇଛି ପରା । ଲୋକ ଶେଷରେ ପାଇଖାନା ଚୋରି କଲେଣି । 

         ଥାନାବାବୁ ଟିକେ ସନ୍ଦେହରେ ପଡିଲେ । ରାତାରାତି ଏତେଗୁଡେ ପାଇଖାନା କେମିତି ଚୋରି ହେଲା ?? ଏଟାତ ସମ୍ଭବ ନୁହେଁ । ସମସ୍ତଙ୍କର ଅଜାଣତରେ ଏତେଗୁଡେ ପାଇଖାନା ତାଡିକି ପୁଣି ବୋହିକି ନେବା ଅସମ୍ଭବ କଥା । ବାଡି ହଲେଇ ହଲେଇ କହିଲେ ସତ କୁହ ଏଠି କ'ଣ ହେଇଛି ?? ନ ହେଲେ ଜଣ ଜଣ କରି ସମସ୍ତଙ୍କୁ ଅନ୍ଦର କରିଦେବି । ଏଠି ଗୋଟେ ତାମସା ଲଗେଚ ସବୁ ।

         ବିକଳା ହାତଜୋଡି କହିଲା । ବାବୁ ଆମେ ମିଛ କହୁନାହୁଁ । ଚାଲୁ ନାହାନ୍ତି ପଞ୍ଚାୟତ ଅଫିସି ସେଠି ଦେଖିଦେବେ । ଆମ ସମସ୍ତଙ୍କ ର ପାଇଖାନା କରାହେଇଚି ନା ନାହିଁ ?? ସରପଞ୍ଚ ସବୁ କାଗଜ ଦେଖେଇ ଦେବେ । ଆମେ ସମସ୍ତେ ଦସ୍ତଖତ କରିଛୁ । ଆମକୁ ଆମ ଚୋରିହେଇ ଯାଇଥିବା ପାଇଖାନା ମିଳିଯାଉ । ଆମେ ବାସ୍ ଏତିକି ଚାହୁଁଛୁ । ଗରିବ ମାନଙ୍କ ଉପରେ ଏତିକି ଦୟା କରନ୍ତୁ ବାବୁ । ଏତିକି ଶୁଣି ଆଉ କୋଡ଼ିଏ ଜଣ ପାଖାପାଖି ଭିଡରୁ ବାହାରି ଆସି କହିଲେ ସାର୍ ଆମର ବି ଚୋରି ହେଇଛି । 

         ୟେତିକି ଶୁଣି ସାରିବା ପରେ ଥାନାବାବୁଙ୍କର ମୁଣ୍ଡ ଟିଣ ହେଇଗଲା । ସେ ଆଉ କିଛି ଉପାୟ ନପାଇ କହଲେ, ମୋତେ ଗୋଟେ ଦରଖାସ୍ତରେ ସମସ୍ତେ ଦସ୍ତଖତ କରି ଦିବ ତା'ପରେ ଯାଇ ଯାହା କରାଯିବ । ସେ ବେସ୍ ଭଲ ଭାବେ ଠଉରେଇ ନେଲେ ଘଟଣାଟା କ'ଣ ହେଇଛି । କିଏ ଜାଣେ ୟେ ଗଛର ଚେର କେତେ ଯାଏ ଲମ୍ବିଛି । ଯଦି ପାତାଳ ପର୍ଯ୍ୟନ୍ତ ଯାଇଥିବ, ୟାକୁ ଓପାଡିଲେ ନିଜେ ମରିବା ସାର ହେବ । ନାଲି ଫିତା ବାନ୍ଧି ମୁଣ୍ଡିଆ ମାରିବା କଥା ଏମିତି ଗଛକୁ । ନହେଲେ କୋଉ ପାତାଳପୁରିରେ ପୋଷ୍ଟିଂ ହେବ ଯେ ସ୍ତୀ ଛୁଆପିଲାଙ୍କୁ ବି ଦେଖିବା ସ୍ୱପ୍ନ ହେଇଯିବ । ଛାନିଆରେ ଗାଡିରେ ବସି ଫୁରକିନା ଉଡିଗଲେ ଥାନାବାବୁ ।

        ଦରଖାସ୍ତ ଦେବାର ମାସେ ହେଇଗଲା । ହେଲେ କିଛି ହେଲା ନାହିଁ । ପାଇଖାନା ଚୋରକୁ ଧରାହେଇ ପାରିଲାନି । ଶେଷରେ ନେଫେଡା କହିଲା ଚାଲ ଟିଭିବାଲାଙ୍କୁ ଡାକି ଦେଖେଇବା । ହୁଏତ ଟିଭିରେ ଦେଖିଲେ ସରକାର କିଛି କରିପାରନ୍ତି । ଗାଁ ଲୋକଙ୍କ ମନକୁ ପାଇଲା କଥାଟା । କିଛି ନ ହେଇପାରିଲେ ବି ଆମ ଗାଁ କମ୍ ସେ କମ୍ ଟିଭିରେ ଦେଖେଇବ ।ଆମେ ସବୁ ଟିଭିରେ ଆସିବା ଏଇଟା କ'ଣ କମ୍ କଥା କି ???

       ଦିନେ ନିଉଛଣିଆଗଡରେ ଟିଭିବାଲା ପହଞ୍ଚିଲେ । ଟିଭିବାଲା ବି ବେସ୍ ବନେଇଚୁନେଇ କହିଲେ ୟେ ଗାଁ ଇତିହାସରେ ପ୍ରଥମ ଗାଁ ଯୋଉଠାରେ ପାଇଖାନା ଚୋରି ହେଇଛି । ଗୋଟିଏ ନୁହେଁ ଦୁଇଟି ନୁହେଁ ଅନେକ ପାଇଖାନା । କିଏ ସେଇ ପାଇଖାନା ଚୋର ?? ବିକଳା, ନଟ, ଶୁକୁଟା ସମସ୍ତଙ୍କର ବାରିପଟେ ଯାଇ ପାଇଖାନାକୁ ଦେଖାଇଲା ଟିଭିବାଲା । ଏଇଠି ହେଇଥିଲା ପାଇଖାନା ଘର ହେଲେ ଏବେ ସେଠି ପାଇଖାନା ନାହିଁ । ରହସ୍ୟ ଭିତରେ ଏବେ ୟେସବୁ ପାଇଖାନା । ଏମିତି ତାମସା ଚାଲିଲା ଦିନସାରା । ଗାଁ ଲୋକେ ଭାରି ଖୁସ୍ ଟିଭିରେ ସେମାନେ ଆସିଲେ । ହେଲେ ଅସଲ ବେଳକୁ ଯେତେବେଳେ ସରପଞ୍ଚଙ୍କୁ ଖୋଜାହେଲା । ଧଣ୍ଡ ପଧାନେ ଫେରାର । ତାଙ୍କୁ ପାତାଳ ଗିଳି ଦେଲା ନା ପବନ ଶୋଷିନେଲା ଭଗବାନ ଜାଣନ୍ତି । ଟିଭିରେ ଦିନେ ଦୁଇ ଦିନ ଲୋକେ ନିଉଛଣିଆଗଡକୁ ଦେଖିଲେ । ମଜା ନେଲେ ।ସବୁ ପାଶୋରି ଦେଲେ । 

       ସଂସ୍କାର ଆଣ ସଂସ୍କାର ଆଣ ବୋଲି ଯେତେ ବୋଇଲେ କ'ଣ ହେବ ?? ଖଜୁରୀ ଗଛର କି ଗୁଣ ଗାଇବି ସେତ ମୂଳରୁ ପାହାଚ ପାହାଚ । ବେହିଆ ମୁହଁରେ ବଥ ପରିକା ।

         



Rate this content
Log in