STORYMIRROR

Sachidananda Kar

Others

4  

Sachidananda Kar

Others

ନାଟକର ଶେଷ ଦୃଶ୍ୟ

ନାଟକର ଶେଷ ଦୃଶ୍ୟ

3 mins
374


     ଦୃଶ୍ୟ ପରେ ଦୃଶ୍ୟ, ଅଙ୍କ ପରେ ଅଙ୍କ ଚାଲିଥିଲା । ଜାଣିଥିଲି ସମୟ ଆସିଲେ ନାଟକ ସରିଯିବ ।  


     ଛୋଟ କଳାକାରଟିଏ ଥିଲି । ମୋତେ ଯେମିତି ମାନିବ ସେମିତି ଭୂମିକା ମିଳିଥିଲା । ଗ୍ରୀନ୍ ରୁମ୍ ରେ ପେଣ୍ଟର୍ ଓ ଡ୍ରେସର୍ ମୋ ଭୂମିକାକୁ ଚାହିଁ ମୋତେ ସଜେଇ, ପୋଷାକ ପିନ୍ଧେଇ ଦେଇଥିଲେ ।  


     କେତେବେଳେ ଖଣ୍ଡା, କେତେବେଳେ ବିଷ ଲେଖା ହୋଇଥିବା ଶିଶି ଓ କେତେବେଳେ ମଦର ଭ୍ରମ ସୃଷ୍ଟି କରୁଥିବା ନାଲି ରଙ୍ଗର ପାଣି ବୋତଲ ମୋ ହାତରେ ଧରାଇ ଦେଉଥିଲେ ନିର୍ଦ୍ଦେଶକ । କେଉଁ ଦୃଶ୍ୟରେ କେମିତି ଅଭିନୟ କରିବାକୁ ହେବ ବୁଝାଇ ଦେଉଥିଲେ । ମୁଁ ବୁଝି ଯାଉଥିଲି ।  


      ପରଦା ଉହାଡରେ ରହି ମୋତେ ସଂଳାପ ମନେପକାଇ ଦେଉଥିଲେ ଆଉ ଜଣେ । ମଞ୍ଚରେ ଦର୍ଶକମାନଙ୍କ ସମ୍ମୁଖରେ ଅଭିନୟରେ ହଜି ଯାଉଥିଲି ମୁଁ । ନିଖୁଣ, ଜୀବନ୍ତ ଅଭିନୟ କରିବାକୁ ଷୋଳପଣ ଉଦ୍ୟମ କରୁଥିଲି ।  


     ବେଳେବେଳେ ମୋର ଅଭିନୟ ଉତ୍ତମ ହେଉଥିଲା କି କ'ଣ ମୋତେ ଫୁଲମାଳ, କରତାଳି ମିଳିଯାଉଥିଲା । ଉତ୍ସାହିତ ହେଉଥିଲି । ଆଉ ବେଳେବେଳେ ନିକୃଷ୍ଟ ଅଭିନୟ ପାଇଁ ଲୋକେ ଗାଳି ଅଜାଡି ଦେଉଥିଲେ । ମନେମନେ ଦୁଃଖୀ ହୋଇ ପଡୁଥିଲି ।  


     ଅଭିନୟରେ ହସ, କାନ୍ଦ କେତେ କଥା ଥାଏ । ବାସ୍ତବରେ ମୁଁ ହସୁ ନ ଥିଲି, କିନ୍ତୁ ମୋ ହସରେ ହସୁଥିଲେ ଦର୍ଶକ । ବାସ୍ତବରେ ମୁଁ କାନ୍ଦୁ ନ ଥିଲି, କିନ୍ତୁ ମୋ କାନ୍ଦରେ କାନ୍ଦୁଥିଲେ ଦର୍ଶକ । ବେଳେବେଳେ ତ ମୋତେ ମରି ଶୋଇବାକୁ ପଡୁଥିଲା । ମରି ଶୋଉଥିଲି ମୁଁ । ହେଲେ ପୁଣି ଜୀବନ୍ତ ହୋଇ ଉଠୁଥିଲି । ଅଭିନୟ କରୁଥିଲି । ଦର୍ଶକମାନେ ମୋ ବଞ୍ଚିଲା ମୁହଁ ଦେଖୁଥିଲେ ।  


     ସବୁ ଆରମ୍ଭର ଶେଷ ଥାଏ । ଶେଷ ଦୃଶ୍ୟ ଆସିଗଲା । ନାଟକ ସରିଲା । ବେଶ, ପୋଷାକ, ଖଣ୍ଡା, ବିଷ ଶିଶି କି ମଦ ବୋତଲର ଆଉ ପ୍ରୟୋଜନ ନ ଥିଲା । ଏବେ ଫେରିବାକୁ ହେବ । ଯିବାକୁ ପଡିବ ସେଇଠିକି ଯେଉଁଠାରୁ ଆସିଥିଲି । ମୁଁ ଯିବାକୁ ବାହାରିଲି ।  


      ଦେଖିଲି ସାମ୍ନାରେ ଗୋଟିଏ ଛାୟାମୂର୍ତ୍ତି । କେବଳ ତା'ର ପଛଭାଗଟି ଦିଶୁଥିଲା ମୋତେ । ଚାଲି ଆସିଲି ତା' ପର୍ଯ୍ୟନ୍ତ । ସେ ଚାଲିଲା, ତା' ପଛେ ପଛେ ମୁଁ ଚାଲିଲି । ଏହା ଆଦୌ ମୋର ଭ୍ରମ ନ ଥିଲା ।  


      କିଛି ବାଟ ଆସିଗଲିଣି ସେତେବେଳକୁ । ହଠାତ୍ କାହିଁକି କେଜାଣି ପୁଣି ମଞ୍ଚକୁ ଫେରି ଅଭିନୟ କରିବାକୁ ଇଚ୍ଛା ହେଲା । ମୁଁ ଅଟକିଗଲି । ଛାୟାମୂର୍ତ୍ତିଟିକୁ ସେଇଠି ଛାଡିଦେଇ ଫେରି ଆସିବାକୁ ଉଦ୍ୟମ କଲି । କିନ୍ତୁ ହାୟ! ମୋ ପାଦ ଆଉ ପଛକୁ ପଡୁ ନ ଥିଲା ।  


      ତେବେ କ'ଣ ମୋତେ ରୋକିଦେବାର ସାମର୍ଥ୍ୟ ଏ ଛାୟାମୂର୍ତ୍ତିଟିର ଅଛି?ନିଜକୁ ପ୍ରଶ୍ନ କଲି । ନିରବ, ନିଶ୍ଚଳ ହୋଇ ଠିଆ ହେଲି ।  


      ନାଟକ ତ ସରିଲା । ଦର୍ଶକମାନେ ତ ଆଉ ନ ଥିବେ ସେଠାରେ!ମୋ ସହ କଳାକାରମାନେ ମଧ୍ୟ ନ ଥିବେ!ପେଣ୍ଟର୍, ଡ୍ରେସର୍, ନିର୍ଦ୍ଦେଶକ, ପରଦା ପଛରେ ରହି ସଂଳାପ କହି ଦେଉଥିବା ବ୍ୟକ୍ତି - କିଏ କୁଆଡ଼େ ଯାଇ ସାରିବେଣି ସେଠାରୁ । ତା' ଛଡା ଯେଉଁ ନାଟକ ପାଇଁ ଆମେ ସବୁ ଏକାଠି ହୋଇଥିଲୁ,ପୁଣି ଥରେ କ'ଣ ସେହି ନାଟକଟି ମଞ୍ଚସ୍ଥ ହେବ?ନା, ସେପରି କେବେ ହେବନାହିଁ । - ଏମିତି ଭାବିବାକୁ ଲାଗିଲି । 


      ଛାୟାମୂର୍ତ୍ତିଟି ଅଟକି ରହିଥିଲା । ମୋ ମନକଥା ସେ ବୁଝି ପାରୁଥିଲା କି ନାହିଁ ଜାଣି ପାରୁ ନ ଥିଲି । ଉପାୟଶୂନ୍ୟ ମଣିଷଟେ ପରି ମୁଁ ଠିଆ ହୋଇ ରହିଥିଲି ।  


      ନା,ଆଉ ଫେରି ଲାଭ କ'ଣ!ଖୁବ୍ ହୋଇଗଲା ନାଟକ କରିବା । ଖୁବ୍ ହୋଇଗଲା ଅଭିନୟ । - ଏମିତି ଭାବି ମନ ପରିବର୍ତ୍ତନ କରିଦେଲି ।  


       ପଛକୁ ବୁଲି ଚାହିଁବାର ସାମର୍ଥ୍ୟ ନଥିଲା । କେତେ ଜଣ ମିଳିମିଶି କାନ୍ଦୁଥିବା ଶୁଣିପାରିଲି । ନାଟକରେ ମୋତେ ଯେଉଁ ଭୂମିକାଟି ମିଳିଥିଲା ସେହି ଭୂମିକାରେ ମୁଁ ଖୁବ୍ ଭଲ ଅଭିନୟ କରିଥିବା ମୋର ମନେହେଲା । ମୋତେ ତାହା ଖୁବ୍ ଖୁସି ଆଣିଦେଲା । ମୁଁ ଖୁସି ହେଲି ।  


       ମଞ୍ଚକୁ ଫେରିବା କଥା ଆଉ ମୋ ମନରେ ନ ଥିଲା । ନାଟକ ସରିଲେ କଳାକାରକୁ ଫେରିବାକୁ ପଡେ । ତେଣୁ ମୋତେ ଫେରିବାକୁ ପଡିଛି । ମୁଁ ଫେରୁଛି । ବାସ୍! - ଏମିତି ଭାବି ପୁଣି ଛାୟାମୂର୍ତ୍ତିଟିର ପଛରେ ଚାଲିଲି ।  


      ଏବେ ମୋର ମନେ ହେଉଥିଲା ମଞ୍ଚକୁ ନ ଫେରି ମଧ୍ୟ ମୁଁ ଅଭିନୟ କରୁଛି - ସତସତିକା ଅଭିନୟ କରୁଛି ।  


      ତେବେ କ'ଣ ବାସ୍ତବରେ ଇଏ ମୋର ନାଟକର ଶେଷ ଦୃଶ୍ୟ ଥିଲା? 


      ନାଟକର ଶେଷ ଦୃଶ୍ୟ! 



Rate this content
Log in