Amiya Bej

Others

3  

Amiya Bej

Others

ନାରୀ ପରି

ନାରୀ ପରି

2 mins
7.2K


{୧}

ଅଜବ ଆକର୍ଷଣ । ମୁଁ ତା' ପଛେପଛେ , ସେ ମୋ' ଆଗେଆଗେ । ମୁଁ ପିଛା କରୁଥିଲି , ନା ସେ ବାଟ କଢାଉଥିଲା ?

ଷ୍ଟେସନ୍ ରୁ ବାହାରି ଆମେ ଆଗପଛ ହୋଇ ସେଇ ଯାକେ ଗଲୁ , ଯେଉଁଠି ପ୍ରବେଶ - ପ୍ରସ୍ଥାନ ରାସ୍ତାଟି , ମୁଖ୍ୟରାସ୍ତା ସହ ଯୋଗ କରୁଥିଲା । ସେ ଆଉ ଆଗକୁ ଗଲାନି । ମୋ' ଗନ୍ତବ୍ୟସ୍ଥଳ ଅଲଗା ଥିଲା । ତଥାପି ମୁଁ ସେଇଠି ରହିଗଲି । ତା'ରି ଆଖପାଖରେ ! ମୋହାଚ୍ଛନ୍ନ ହୋଇ । କିମିଆ କରିଦେଇଥିଲା ଯେମିତି । 

ନାରୀପ୍ରତି ପୁରୁଷର ସ୍ୱାଭାବିକ ଦୁର୍ବଳତା ନ ରହିଲେ , ପ୍ରକୃତିର ସ୍ଥିରତା ଆସିନପାରେ । କିନ୍ତୁ ଜଣେ ଅଜଣା ପ୍ରତି ଏତେ କୌତୂହଳୀ ହୋଇଯିବାର ମୋର ଆଗ୍ରହ , ଅପ୍ରାକୃତିକ ହୋଇପାରେ । ମୋ' ଆଚରଣରେ ହୁଏତ ଢେର ଅସ୍ୱାଭାବିକତା ରହିଥିଲା । ମୁଁ ଆଦୌ ସାମାଜିକ ହୋଇପାରୁନଥିଲି । ଏକ ଅଦ୍ଭୁତ ଆକର୍ଷଣରେ ମୁଁ ନିୟନ୍ତ୍ରଣ ହରାଇ , ସେ ଡିଭାଇଡର୍ ର ଲାଇଟ୍ ପୋଷ୍ଟ ତଳେ ଲଥ୍ କି ବସିଗଲି । 

ସେ ପାଚେରୀ କୁ ଭରାଦେଇ ଛିଡ଼ାହୋଇ ରହିଲା , ରାସ୍ତାର ସେ ଧାରରେ । ଅପେକ୍ଷାରେ କି ମୋର ? ମାତ୍ର ଚାରି ପାହୁଣ୍ଡର ଦୂରତା ! ଇଛାସବୁ ମୋ' ହାତପା'ନ୍ତାରେ ! ଆବରଣ ତଳର ରହସ୍ୟଭେଦ ପାଇଁ ଅଥୟ ମୁଁ ! ଅଥଚ ବିବେକର କ୍ରମାଗତ ଦଂଶନ ରେ ଅସ୍ତବ୍ୟସ୍ତ !!

କିଏ ଗଢିଛି ଏ ମଣିଷ ପାଇଁ ସମାଜ ? ଇପସିତ଼ କାମନା ସବୁଙ୍କୁ ଆତ୍ମହତ୍ୟା କରିବାକୁ କାହିଁକି ଏଠି କରାଯାଏ ବାଧ୍ୟ ?

{୨}

ନାରୀ ସର୍ବସୁନ୍ଦର । ପୂର୍ଣ୍ଣସୁନ୍ଦରୀ କି ଅର୍ଦ୍ଧସୁନ୍ଦରୀ ବୋଲି କିଛିନଥାଏ । ପୁରୁଷ ପାଖରେ ଦେଖି-ମାପିବାର ଆଖିଟିଏ ଲୋଡା ଯାହା ।

ଇଷତ୍ ଅନ୍ଧାରରେ ସ୍ପଷ୍ଟ ମୁଁ ଦେଖିପାରୁଛି , ତା' ସାରା ଦେହାବୟବ । ଲୋଭିଲା ଆଖିର ଚମକ । ନିଖୁଣ ସେ । ସମ୍ପୂର୍ଣ୍ଣ ସେ । ଉନ୍ମାଦ କରିଦେବାକୁ ଯଥେଷ୍ଟ ସେ !

ମାଳମାଳ ଷ୍ଟେସନ୍ ସୁନ୍ଦରୀଙ୍କଠୁଁ ମୁଁ ଆଖି ଫେରାଇ , ହୋଇଯାଇଛି ଏକନିଷ୍ଠ ! କ୍ରମଶଃ ସତ୍ତାହୀନ ହୋଇଯାଉଛି ମୁଁ !!!

{୩}

ଏଇ ହେବା ଓ ହୋଇଯିବା ଭିତରେ ବାଜିମାରିନିଏ ଆଉ କିଏ ! 

ନୀର ଓ ନାରୀ କାହା ଅପେକ୍ଷାରେ ରୁହେନାହିଁ ! 

ଯେ ' ପଛେଇ ଯାଏ , ସେ କାପୁରୁଷ !

ମୋ' ଭିତରର ଅଥୟତାକୁ ନେଇ , ମୁଁ ବ୍ୟସ୍ତ ଥିଲାବେଳେ , ଅଚାନକ କେହିଜଣେ ଆସି , ତା'ସହ ହସଖୁସି ଜମାଇଦିଏ । ପୁଣି ତା' ହାତଧରି ଟାଣିନିଏ , ପାଚେରୀ ସେପାଖ ଘନଅନ୍ଧାରକୁ ।

ରହସ୍ୟଭେଦର ମୋ ସବୁଯାକ ଇଚ୍ଛା ଯେମିତି ଆଖିସାମ୍ନାରୁ ଦୂରେଇ ଯାଉଥିଲେ । କାପୁରୁଷ ମୁଁ , ଖାଲି ବସିରହିଥିଲି ସେ ଲାଇଟ୍ ପୋଷ୍ଚର ତଳେ । 

ଏ' ଡହଡହ ଆଲୁଅର ବେଳ , ମେଣ୍ଟାଇ ପାରେନି ଇଛାମାନଙ୍କର ତୃଷ୍ଣାକୁ ! ତା'ପାଇଁ ଲୋଡା ଘନ ଅନ୍ଧକାର ! କେବଳ ଅନ୍ଧାର ହିଁ ସତ୍-ପୁରୁଷର ସତ୍' କୁ ଅପହରଣ କରିପାରେ ।

ଏକ ଅସମର୍ଥ , ଅସହାୟ ପୁରୁଷାର୍ଥକୁ ନେଇ ଅପେକ୍ଷାରେ ରହିଲି ମୁଁ , ତା'ର ପୁଣି ଅନ୍ଧାରରୁ ଆଲୁଅକୁ ଫେରିଆସିବା ଯାଏଁ ।

{୪}

ଦୁହେଁ ଫେରିଲେ । ସେଇ ପାଚେରୀ ପାଖକୁ । ମୁହଁ ସାରା ସନ୍ତୁଷ୍ଟିର ଛାପ । ଲୋକଟା ପାଖରୁ ନିଜ ପ୍ରାପ୍ୟ ନେଇ , ସେ ଏକ ତୀର୍ଯ୍ୟକ୍ ଦୃଷ୍ଟି ଫୋପାଡିଲା ମୋ' ଉପରକୁ ! କେମିତି ଗୋଟେ ଉପହାସ କରି ପୁଣି ଫେରିଗଲା ଷ୍ଟେସନ୍ ଭିତରକୁ । 

ମୁଁ ଛିଡାହେଲି । ଝାଡିଝୁଡି ହେଲି । ଲକ୍ଷେ ଅସମାହିତ ପ୍ରଶ୍ନ ନେଇ , ସନ୍ତୋଷର ଧୂଆଁ ଛାଡୁଥିବା ସୁପୁରୁଷ ପାଖକୁ ଯାଇ ଅସହାୟ ହୋଇ ପଚାରିଲି -

- ନାରୀ ?

କଟମଟ କରି ଚାହିଁଲା ଲୋକଟା । କହିଲା -

- ନାଃ !

- ଆଉ ?

- ନାରୀପରି "

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର


Rate this content
Log in