ନାଲି ଫ୍ରକ୍
ନାଲି ଫ୍ରକ୍
ଏକ ନମ୍ବର ମାର୍କେଟ ଫୁଟପାଥ୍ କଡର ଗୋଟେ ଉଠା ଦୋକାନର ହ୍ୟାଙ୍ଗରରେ ସେଇଟି ଝୁଲୁଥିଲା । ତାକୁ ଦେଖୁ ଦେଖୁ ମୋର ପାଦ ଦୁଇଟି ସେଇଠି ଅଟକିଗଲା ।
- " ବାପା ! ମୋ ପାଇଁ ଗୋଟେ ନାଲି ଫ୍ରକ୍ ଆଣି ଦବ । "
ମନେପଡିଲା ମୋ ଛଅ ବର୍ଷର ଝିଅର ଏ କଥା ।
ପ୍ରାୟ ଅଧିକାଂଶ ବାପାଙ୍କୁ ସେପରି ଫ୍ରକ୍ ପସନ୍ଦ ଆସିପାରେ । ଝିଅ ଯଦି ଗୋରା ହୋଇଥାଏ, ତେବେ ତ ଆହୁରି । ମୋ ଝିଅ ତୋଫା ଗୋରା ରଙ୍ଗର ଝିଅ । ତେଣୁ ଅଟକିଗଲି ମୁଁ ।
ଧୀର ପବନରେ ଝୁଲୁଥିଲା ତ ହଲୁଥିଲା ଫ୍ରକ୍ । ମୋ ଆଖି ଦୁଇଟି ଲାଖି ରହିଥିଲା ସେଇଠି ।
ମୋ ମନିପର୍ସରେ କେତେ ଟଙ୍କା ଥିଲା କେଜାଣି !
ମୁଁ ପର୍ସ ବାହାର କଲି ।
ସ୍ୱପ୍ନକୁ ହାତରେ ଧରାଇ ଦେବାର ପ୍ରତିଶ୍ରୁତି ଦେଇଥିବା କିଛି ଲୋକଙ୍କ ଫୋନ୍ ନମ୍ବର ଓ ଠିକଣାରେ ମୋ ମନିପର୍ସ ଭର୍ତ୍ତି ହୋଇ ରହିଥାଏ ସବୁବେଳେ । ଟଙ୍କା ସବୁ ଶୀତରେ ଚୁଲିମୁଣ୍ଡରେ ଜାକିଜୁକି ହୋଇ ଶୋଇଥିବା କୁକୁର ପରି ଥାଆନ୍ତି ।
କମ୍ପାନୀ ଚାକିରୀ । ଦରମା ମିଳୁ ମିଳୁ ଦଶ ତାରିଖ, ବେଳେବେଳେ ପନ୍ଦର ବି ହୁଏ । ମୋ ଅସହାୟତା ଏକ ତାରିଖରୁ ବିକ୍ରି ହୋଇ ସାରିଥାଏ ।
କେହି ଯେପରି ଦେଖି ନ ପାରିବ ଲୁଚେଇ ଲୁଚେଇ ମୁଁ ପର୍ସ ଅଣ୍ଡାଳିଲି । ପର୍ସରେ ଅଟୋ ଭଡାକୁ ବାଦ୍ ଦେଲେ ଅଳ୍ପ କିଛି ଅଧିକ ଥିବା ଦେଖିଲି । ହେଲେ ସେଥିରେ ଯେ ଫ୍ରକ୍ ଖଣ୍ଡିକ କିଣି ହେବ,ଏ ବିଶ୍ୱାସ ମୋର ଆସିଲା ନାହିଁ ।
ଜୁଆର କୂଳକୁ ତା'ର ଜିନିଷ ଫେରାଇ ଦେଲା ଭଳି ମୁଁ ମୋର ପକେଟକୁ ମନିପର୍ସ ଫେରାଇଦେଲି ।
ଫ୍ରକଟିର ଦାମ୍ କେତେ ହେବ ! ପଚାରି ବୁଝିନେଲେ ଭଲ ହୁଅନ୍ତା । ଏମିତି ଭାବି ଦୋକାନୀ ପାଖକୁ ଚାଲି ଆସିଲି ।
- " ଭାଇ ! ଏ ନାଲି ଫ୍ରକଟିର ଦାମ୍ କେତେ ? " ଫ୍ରକ୍ ଆଡେ ହାତ ଠାରି ପଚାରିଲି ।
ଦୋକାନୀ କୌଣସି ଉତ୍ତର ଦେଲା ନାହିଁ ।
ଦୋକାନୀ କ'ଣ ଜାଣିଗଲା କି ସେଇ ଫ୍ରକଟିର କିଣିବା ଯୋଗ୍ୟତା ମୋର ନାହିଁ ବୋଲି ! ମୁଁ ଟିକେ ସନ୍ଦେହରେ ପଡିଗଲି ।
- " ଭାଇ ! ଏ ନାଲି ଫ୍ରକଟିର ଦାମ୍ କେତେ ? " ପୁଣି ପଚାରିଲି ମୁଁ ।
- " ତିନି ଶ' । " ଦୋକାନୀ ଠୋସ୍ ଉତ୍ତର ଦେଲା ।
ମୋ ମୁହଁ ଶୁଖିଗଲା । ମୁଣ୍ଡ ଝାଇଁ ଝାଇଁ ହୋଇଗଲା । ମୁଁ ଖସିବାର ବାଟ ଖୋଜିଲି । ଧୀରେ ଧୀରେ ଆଗକୁ ଆଗକୁ ପାଦ ପକାଇଲି ।
- " ଏଥର ଦରମା ମିଳିଲେ ତୋ ପାଇଁ ନିଶ୍ଚେ ନାଲି ଫ୍ରକ୍ ଆଣିଦେବି । " ଘରେ ପହଞ୍ଚି ଝିଅକୁ କହିଲି ।
ଝିଅ ଫିକ୍ ଫିକ୍ ହସିଲା । ମୁଁ କିନ୍ତୁ ଭିତରେ ଭିତରେ କାନ୍ଦି ପକେଇଲି ।
ଏବେ ସବୁଦିନ କମ୍ପାନୀରୁ ଫେରିଲେ ଦୋକାନରେ ଝୁଲୁଥିବା ସେହି ନାଲି ଫ୍ରକଟିକୁ ଦେଖୁଥିଲି । କେହି ତାକୁ ନେଇ ନ ଯାଉ ଯେମିତି । ଦରମା ମିଳିବା ପର୍ଯ୍ୟନ୍ତ ସେଇଠି ସେଇମିତି ଥାଉ ସେ । ମନେମନେ ଠାକୁରଙ୍କୁ ଡାକିଲି ।
ହେଲେ ଯେଉଁଦିନ ଦରମା ମିଳିଲା ଆସି ଦେଖିଲାବେଳକୁ ସେ ଫ୍ରକଟି ଆଉ ସେଠାରେ ନ ଥିଲା । ମୋ ଛାତି ଭିତରେ ଗୋଟେ ମୃଦୁ କମ୍ପନ ଖେଳିଗଲା । ପଚାରିଲାରୁ ଦୋକାନୀ କହିଲା - " ଫ୍ରକଟି ଆଜି ବିକ୍ରି ହୋଇ ଯାଇଛି । "
ମନଦୁଃଖରେ, ନିରାଶ ହୃଦୟରେ ଘରକୁ ଫେରିଲି । ହେଲେ ଘରେ ପହଞ୍ଚି ଦେଖିଲି ସେଇ ନାଲି ଫ୍ରକଟି ପିନ୍ଧି ମୋ ଝିଅ ଖେଳୁଥିଲା । ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା ।
ଏତିକିବେଳେ ପତ୍ନୀ ପାଖରେ ପହଞ୍ଚି କହିଲେ - " ଫ୍ରକଟି ଆମ ପଡୋଶୀ ମହାପାତ୍ର ବାବୁ ଦେଇଛନ୍ତି । ତାଙ୍କ ଝିଅ ପାଇଁ କିଣି ଆଣିଥିଲେ । ହେଲେ ସେ ପସନ୍ଦ କଲାନାହିଁ । ଫ୍ରକଟି ବି ତାକୁ ଛୋଟ ହେଲା । କହିଲେ - ନିଅ, ତୁମ ଝିଅକୁ ହେବ । ସେ ପିନ୍ଧିବ । ଏବେ ତା' ଖୁସିକି ଦେଖ । ଓହ୍ଲାଇବାକୁ ଜମାରୁ ଇଚ୍ଛା କରୁନି ପରା । "
ପତ୍ନୀଙ୍କ କଥାଶେଷରେ ମୋ ନିଃଶ୍ୱାସ କେଉଁଠି ଅଟକିଯିବା ଭଳି ମୁଁ ଅନୁଭବ କଲି । ମୋର ପିତୃତ୍ୱ ମୋତେ ବେଶ୍ ଫିକା ଦିଶୁଥିଲା ।
ହେଲେ ନାଲି ଫ୍ରକରେ ବହୁତ ସୁନ୍ଦର ଦିଶୁଥିଲା ମୋ ଝିଅ । ହଁ,ବହୁତ ସୁନ୍ଦର ଦିଶୁଥିଲା ।
