ମୁଖ୍ୟ ଆସାମୀ
ମୁଖ୍ୟ ଆସାମୀ
ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମି ସ୍ତ୍ରୀ ଦିଟା ନୟାନ୍ତ ହେଇଗଲୁଣି।ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଆଁ କୂଅ ମୂଳ,ପୋଖରୀ ତୁଠକୁ ବାଦ ଦେଇନୁ।କିନ୍ତୁ ବାବୁ, ଝିଅର କିଛି ଖବର ମିଳୁନି।ସାଙ୍ଗସାଥୀମାନେ କେହି ବି କିଛି କହି ପାରୁନାହାନ୍ତି।ଆମକୁ ଦୟା କରନ୍ତୁ ସାହେବ"
କାନ୍ଦି କାନ୍ଦି ଜାନି ମୁଣ୍ଡା ପୁଲିସ ବାବୁଙ୍କୁ ଗୁହାରି କରୁଥିଲା।
ପୁଲିସ ବାବୁ ତଳକୁ ମୁହଁ ପୋତି ଫାଇଲି ଖେଳାଉଥିଲେ।ସତରେ ଯେମିତି ସେ କିଛି ଶୁଣି ପାରୁନାହାନ୍ତି।ଲାଗୁଥିଲା ତାଙ୍କ ଉପରେ ଜାନି ମୁଣ୍ଡା କଥା କିଛି ପ୍ରଭାବ ପକାଉନଥିଲା। ହଁ ଏମିତି ତ ସବୁ ଦିନେ ଘଟୁଛି;କେଉଁ ନୂଆ କଥା କି?
ଫାଇଲି ଖେଳା ପରେ ଚାହା ପିଆଗଲା।ପୋଲିସ୍ ବାବୁ ମୁହଁରେ ସିଗେରେଟ୍ ଧରିଲେ।ଧୂଆଁ ଗୁଡା ଫୁ ଫୁ କରି ଛାଡିଲେ।ଜାଗାଟି ଧୂଆଁମୟ ହୋଇଗଲା।
ଜାନି ମୁଣ୍ଡା ହେଲା ଖୁଁ ଖୁଁ ଧୂଆଁ ଅତ୍ୟାଚାରରେ।
ବିକଳ ସ୍ୱରରେ ଜାନି ମୁଣ୍ଡା କହିଲା "ବାବୁ ଆମ କଥା ଟିକେ ଶୁଣନ୍ତୁ,ଆଜ୍ଞା।ମୂରୁଖ ଲୋକ ଆମେ।..ବାବୁ ନଅଟି ନାହିଁ କି ଛଅଟି।ସେଇ ଗୋଟିଏ ମାତ୍ର ଆଖି ଆମର।
ପୋଲିସ୍ ବାବୁ ଟିକେ ଗମ୍ଭୀର ହୋଇ ପଚାରିଲେ ଆଚ୍ଛା ତୁମ ଝିଅ ଦେଖିବାକୁ କିପରି?କଣ ପିନ୍ଧି
ଥିଲା?କେତେବେଳୁ ଘରୁ ଆସିଛି?ତାକୁ କିଛି ଘରେ କିଏ ଗାଳି ଗୁଳଜ କରିଥିଲ କି?
ମୁନୀ !ମୋ ଝିଅ ଭାରି ସୁନ୍ଦର,ଆଜ୍ଞା।ଡେଙ୍ଗା,ପତଳୀ,ଗୋରା ଦେଖିବାକୁ।ଗୋଲଗାଲିଆ ମୁହଁଟିଏ।ଖଣ୍ଡା ପରି ନାକ।ଇସ୍କୁଲ ପୋଷାକ ପିନ୍ଧିଥିଲା।ଦୁଇ ଦିନ ହେଲା ସ୍କୁଲ ଯାଇ ଆଉ ଫେରି ନାହିଁ।ସ୍କୁଲରେ ପଚାରିଲାରୁ ସେମାନେ କହିଲେ କି ମୁନୀ କାଲିଠାରୁ ସ୍କୁଲ ତ ଆସିନି।କିନ୍ତୁ ସେ ଘରୁ ସବୁଦିନ ପରି ସ୍କୁଲ ଯାଇଥିଲା ବାବୁ।
କାହା ସଙ୍ଗେ ଚକ୍କର୍ ଥିଲା କି?
ଚକ୍କର!!ସେ କଣ ବାବୁ?
ଆରେ କେଉଁ ଟୋକା ସାଙ୍ଗେ ଲଟର ପଟର ହେଉଥିଲା କି?
ଲଟର ପଟର?
ଆରେ ବାବୁ କାହାକୁ ଭଲପାଉଥିଲା କି?
ଜିଭ କାମୁଡି ପକାଇ ମୁଣ୍ଡା ସ୍ୱାମୀ ସ୍ତ୍ରୀ ଦୁହେଁ କହିଲେ ନାଇଁ ନାଇଁ ଆମ ମୁନୀ ସେମିତି ନୁହଁ ଆଜ୍ଞା।ଛୁଆଟିଏ ପରା... ଆଜ୍ଞା।
ଛୁଆ!କାହାକୁ ଛୁଆ କହୁଛ?ଆଜିକାଲିକା ପିଲା ପରା।ଖୁବ୍ ସୈତାନ।ଓଳିଆରୁ ପଡି ଗଜା।ତୁମେ ଯାହା ନ ଜାଣିଛ ସେମାନେ ତା ଠାରୁ ଅଧିକ ଜାଣିଛନ୍ତି।
ପଳେଇଥିବ କାହା ସାଙ୍ଗରେ।
ନାଇଁ ନାଇଁ ଆମ ଝିଅକୁ ଆମେ ଜାଣିନୁ?ସେ ସେମିତିକା ଜମାରୁ ନୁହେଁ।
ହେଉ ଠିକ୍ ଅଛି ଆମେ ଖୋଜା ଖୋଜି କରିବୁ,ପାଇଲେ ଖବର ଦେବୁ।ଝିଅର ଫୋଟ ଥିବ ତ ଦେଲ।ନଲେ ଚିହ୍ନିବୁ କେମିତି?
ଧନୁ ମୁଣ୍ଡା ସ୍ତ୍ରୀ କାନିରୁ ଖୋଲି ଦେଖେଇଲା ଗୋଟେ ଫୋଟୋ।
ଚମକି ପଡିଲେ ପୋଲିସ୍ ବାବୁ।ଏ କାହାର ଫୋଟୋ ସେ ଦେଖୁଛନ୍ତି?
ଝାମ୍ପି ଆଣି ପୋଲିସ୍ ବାବୁ ଏପଟ ସେପଟ କରି କଣ ଦେଖିଲେ।
ଏ ତୁମ ଝିଅ?
ହଁ ବାବୁ।
ପୋଲିସଵାଲା ମୁହଁ ଫିକା ପଡିଗଲା।ଏଇ ଝିଅଟିକୁ କାଲି ତ ସେ ରାତି ଡିୟୁଟିରୁ ଫେରିଲା ବାଟରେ ମୁଣ୍ଡିଆକୁ ଲମ୍ବିଯାଇଥିବା ଝଙ୍କାଳିଆ ବୁଦା ମୂଳେ ଥିବା ପୋଲ ତଳୁ ଉଦ୍ଧାର କରି ମେଡିକାଲରେ ଆଡମିସନ୍ କରିଛନ୍ତି।ଝିଅଟିର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗଗୁଡିକ ଫାଟି ଯାଇଛି।ରକ୍ତର ତତଲା ଲାଭାରେ ଗୋଟାପଣେ ଭିଜି ବେହୋସ ହୋଇପଡିଥିଲା ସେ । ଦେହରେ ନଥିଲା ପୋଷାକ।ସେଇ ଝିଅଟି କଣ ଏମାନଙ୍କ ଝିଅ ମୁନୀ!
ହେ ଭଗବାନ! କେମିତି କହିବି ତୁମ ଏକମାତ୍ର ଅଲିଅଳି ଝିଅ କି ଅବସ୍ଥାରେ ମରଣ ସହ ଯୁଦ୍ଧ କରୁଛି ମେଡିକାଲରେ ଦୁବୃର୍ତ୍ତ ମାନଙ୍କ ଦ୍ୱାରା ଧର୍ଷିତା ହୋଇ।ବଞ୍ଚିଛି କି ମରିଛି ତାହା ବି ମୋତେ ଅଜଣା।ଝିଅଟିର କୌଣସି ଖବର ନ ପାଇବାରୁ ଆଜି ସବୁ ପେପରରେ ଝିଅଟି ମୁହଁ ସହ ଖବର ଛପା ଯାଇଛି।ଏମାନେ ବା କେମିତି ଜାଣିବେ।ବଡି ସକାଳୁ ତ ଏମାନେ ଏଠି।ସେଥିରେ ପୁଣି ମୂର୍ଖ।
ମୋ ନିରବତାକୁ ପଢି ନେଇ ମୁଣ୍ଡା ଦମ୍ପତି କହିଲେ ଚୁପ୍ ରହିଲେ ଯେ ବାବୁ।ଆମ ଝିଅକୁ ଖୋଜି ଦେବେ ନା?
ମେଡିକାଲରୁ ଡ଼ଃକ୍ଟର ଫୋନ୍ କଲେ ସାର୍ ତୁରନ୍ତ ଆସନ୍ତୁ ଆପଣଙ୍କ ପେସେଣ୍ଟ ସିରିଅସ୍।
ବ୍ୟତି ବ୍ୟସ୍ତ ହୋଇ ପୋଲିସ୍ ବାବୁ ଚାଲି ଯାଉଥିଲେ।
ମୁଣ୍ଡା ଦମ୍ପତି କହିଲେ କଣ ହେଲା ସାର୍?ଆମ ଝି..ଅ କୁ ଖୋଜି ଦେବେ ତ?
ପୋଲିସ୍ ବାବୁ କିଛି ନ କହି ନିଜେ ପୋଲିସ୍ ଗାଡ଼ିରେ ବସିଲେ ଓ ମୁଣ୍ଡା ଦମ୍ପତିଙ୍କୁ ବସିବା ପାଇଁ ଇସାରାରେ କହିଲେ।
ଜାନି ମୁଣ୍ଡା ସ୍ୱାମୀ ସ୍ତ୍ରୀ ପରସ୍ପର ମୁହଁ ଚାହାଁ ଚାହିଁ ହୋଇ ବିକଳରେ ଗାଡିରେ ବସିଲେ।ଆମେ କୁଆଡେ ଯାଉଛୁ ପୋଲିସ୍ ବାବୁ?
ଆଁ... ହଁ... ହଁ ଆମେ କୁଆଡେ ଯାଉଛେ?ବ୍ୟସ୍ତ ହୁଅନି ଜାଣିଯିବନି ଶୀଘ୍ର, କହିଲେ ପୋଲିସ୍ ବାବୁ।
ଗୋଟେ ମେଡିକାଲ୍ ଆଗରେ ଗାଡି ଅଟକିଲା।ପୋଲିସ୍ ବାବୁ ଗାଡିରୁ ଓହ୍ଲେଇ ପଡି ଆସନ୍ତୁ କହି ଭିତରକୁ ମାଡି ଚାଲିଲେ।ଜାନି ମୁଣ୍ଡା ଦମ୍ପତ୍ତି କିଛି ବୁଝି ପାରୁନଥାନ୍ତି।ଏଇଟା ଡାକ୍ତରଖାନା ହେବ ପରା...!ଏଠି କାହିଁକି? ଦେହ ଖରାପ ହେଲେ ସିନା ଲୋକେ ଏଠିକୁ ଆସନ୍ତି...! କାହା ଦେହ ଖରାପ ହୋଇଛି? ଦ୍ୱନ୍ଦ୍ୱ ସଂଶୟ ଭିତରେ ଚୁପ୍ ଚାପ୍ ପୋଲିସକୁ ଅନୁସରଣ କଲେ ସେମାନେ।
ପୋଲିସଙ୍କୁ ଦେଖି ଡାକ୍ତରବାବୁ କହିଲେ ସବୁ ଚେଷ୍ଟା ବିଫଳ ହେଲା ସାର୍। ପାଖାପାଖି ସାତ ଜଣ ବ୍ୟକ୍ତି ଅତି ଜଘନ୍ୟ ଭାବେ ଆକ୍ରମଣ କରିଥିଲେ ଏତେ ସାନ ପିଲାଟାକୁ।ସେ କଣ ସହି ପାରନ୍ତା ଏପରି ଦୁଷ୍କର୍ମ!
ପୋଲିସ୍ ବାବୁ ଧଳା ଚାଦର ଘୋଡା ଗୋଟିଏ ବେଡ୍ ପାଖକୁ ଆଙ୍ଗୁଳି ଦେଖାଇ ଜାନି ମୁଣ୍ଡାକୁ କହିଲେ ତୁମ ଝିଅକୁ ଖୋଜୁଥିଲ ପରା। ଦେଖ ତ ଏଇ କି ନୁହେଁ?
ଜାନି ବୁଢା ଦମ୍ପତ୍ତି କାଠ ହୋଇ ଯାଇଥିଲେ।ତାଙ୍କ ଝିଅ ଏଠିକୁ କାହିଁକି ଆସିଲା??ତାକୁ କି ରୋଗ ହୋଇଥିଲା। ସେ ପୁଣି ମୁହଁ ଘୋଡାଇ ଶୋଇଛି କାହିକି?। ମୁହଁ ଘୋଡେଇଲେ ତାକୁ ବା ଅଣନିଃଶ୍ଵାସୀ ଲାଗେ? ଇଏ ତାଙ୍କ ଝିଅ କାହିଁକି ହେବ?
ଥରୁଥିଲା ଜାନି ମୁଣ୍ଡା ହାତ।ଜାନି ମୁଣ୍ଡା ସ୍ତ୍ରୀ ନିରବେ ଯାଉଥିଲା ତାର ପଛେ ପଛେ।ଡାକ୍ତର ବାବୁ ଧଳା ଚାଦରଟି ପେସେଣ୍ଟ୍ ମୁହଁରୁ କାଢି ଦେଲେ।
ହଁ ହଁ ଏ ଆମ ମୁନୀ ସାର୍।ମୁନୀର ଖଣ୍ଡିଆ ଖାବରା ମୁହଁ,କଟା ଫଟା ବ୍ୟାଣ୍ଡେଜ୍ ଦେହକୁ ଦେଖି ମୋ ଧନର କଣ ହୋଇଛି କହି ବେହୋସ ହୋଇ ଗଲେ ମୁଣ୍ଡା ସ୍ୱାମୀ ସ୍ତ୍ରୀ ଦୁଇଜଣ।
ଝିଅଟିକୁ ନିଆ ଯାଉଥିଲା ପୋଷ୍ଟମର୍ଟମ୍ ରୁମକୁ।ମଲା ପରେ ବି ଆହୁରି ବାକି ଅଛି କଷଣ।ଏବେ ଚିରା ହେବ କେମିତି ମଲା ଜାଣିବା ପାଇଁ।
ଜାନି ମୁଣ୍ଡା ଓ ତା ସ୍ତ୍ରୀ ଦେହରେ ସାଲାଇନ୍ ଲାଗିଥିଲା।ବେହୋସ୍ ଅବସ୍ଥାରେ ସେମାନେ ବିଳିବିଳଉ ଥିଲେ ମୁନୀ ମୁନୀ ଲୋ....
ପୋଲିସ ବାବୁ ଦାନ୍ତ କଡ ମଡ଼ କରି କହୁଥିଲେ,ଶଳେ ହାବୁଡ଼ରେ ପଡିଲେ ଆଗ ତାଙ୍କ ଦୁଷ୍କର୍ମ ଅଙ୍ଗଗୁଡିକ କଟିବି।
କେତେ ତନା ୃଘନା ପରେ ମୁଖ୍ୟ ଆସାମୀ ଧରା ପଡିଲେ । ପୋଲିସ ବାବୁ ଛୁଟିରେ। ମୁଖ୍ୟ ଆସାମୀ କାଳେ କେଉଁ ନାମୀ ଦାମୀ ଲୋକର ପୁଅ ।
ଅନ୍ଧାର ରାତିରେ ପୋଛା ହେଉଥିଲା ଦୁଷ୍କର୍ମ ଛିଟା ବ୍ୟାଗ୍ ଭର୍ତ୍ତି ଟଙ୍କାରେ। ଲୋକେ କୁହାକହି ହେଉଥିଲେ ଜାନି ମୁଣ୍ଡା ଦମ୍ପତ୍ତି ଏବେ କୋମାରେ।
