Sachidananda Kar

Others

2.5  

Sachidananda Kar

Others

ମୋ ଝିଅ କେଉଁଠି ଅଛି

ମୋ ଝିଅ କେଉଁଠି ଅଛି

2 mins
761


ମୋ ଝିଅ କେଉଁଠି ଅଛି
----------------------

ଝିଅ ବିଦା ହେଲା।
ଏଇ କେତେ ଦିନ ହେଲା ଝିଅକୁ ବିଦା କରିବା ପାଇଁ ମାଆ ଆଖିରେ ନିଦ ନ ଥିଲା।
ବାପା ଜାଣିଥିଲେ ଝିଅ ଜନ୍ମ ପରଘରକୁ।ଝିଅର ବୟସ ହୋଇଥିଲା। ତେଣୁ ସେ ଯୋଗାଡରେ ଥିଲେ।
ବର ଖୋଜା ଚାଲିଲା।ବନ୍ଧୁବାନ୍ଧବ,ପ୍ରିୟପରିଚିତ ସମସ୍ତଙ୍କୁ କୁହାଗଲା । ମଧ୍ୟସ୍ଥଙ୍କୁ ଧରିବାକୁ ହେଲା।ମାଟ୍ରିମୋନିଆଲ୍ ଦେଖାଗଲା।ଆଉ ତା'ସହିତ ଝିଅର ଗୋଟିଏ ଗୋଟିଏ ଜିନିଷ କିଣାକିଣି ହେଲା।
- ' ଝିଅକୁ ସୂତାରୁ ମୁକୁତା ଯାଏ ଦେବାକୁ ହେବ। ' ମାଆ କହିଥିଲେ।
- ' ତୁମେ ଚିନ୍ତା କରନା।ସବୁ ହୋଇଯିବ। ' ବାପା କହିଥିଲେ।
ବର ଖୋଜା, ଜିନିଷ କିଣା - ସବୁ ଏକସଙ୍ଗେ ଚାଲିଥିଲା।
ବାପା, ମାଆ ଦୁହେଁ ବସିଗଲେ ସବୁବେଳେ ସେଇ ଗୋଟିଏ କଥା - କେଉଁଦିନ ଝିଅ ବିଦା ହେବ।
ଝିଅ ଥିଲେ ତା' ପାଇଁ ବରଟିଏ ଥାଏ। ଯୋଗ୍ୟ, ସୁନ୍ଦର ଝିଅ।ଦିନ କେତେଟା ଭିତରେ ବର ମିଳିଗଲା।
ଝିଅ ବାହାଘର ଦିନ ସ୍ଥିର ହୋଇଗଲା।
ନିମନ୍ତ୍ରଣ ଦିଆଗଲା। ବନ୍ଧୁବାନ୍ଧବ ଆସିଲେ।ଭୋଜିଭାତର ବ୍ଯବସ୍ଥା ଚାଲିଲା।ମଙ୍ଗଳ ମହୁରି ବାଜିଲା।ଶଙ୍ଖ, ହୁଳହୁଳିରେ ଘର କମ୍ପିଲା।ଝିଅର ବାହାଘର ହେଲା।
ଝିଅ ବିଦାବିଦି ବେଳ ଆସିଲା।ପୁଣି ବାଜା ବାଜିଲା।ରୋଷଣୀ ଜଳିଲା।ବାଣ ଫୁଟିଲା।ଶଙ୍ଖ, ହୁଳହୁଳିରେ ଘର କମ୍ପିଲା।ବଡ ଜାକଜମକରେ ଝିଅ ବିଦା ହୋଇ ଶାଶୂଘରକୁ ଗଲା।
ଶାନ୍ତିରେ ଗୋଟେ ନିଶ୍ୱାସ ଛାଡିଲେ ମାଆ।
ଏହାପରେ ଘରର ଜିନିଷପତ୍ର ଗଣିବାକୁ ଲାଗିଲେ ମାଆ।ଯୋଉ ଜିନିଷ ଯୋଉଠି ଥିଲା, ସେଇଠି ତାହା ସବୁ ଅଛି କି ନାହିଁ ଦେଖିବାକୁ ଲାଗିଲେ।ଥାଳି, ଥାଳିଆ,ଗିନା,ଡେକଚି,ଗିଲାସ,ଚାମଚ, ପାପୋଛ,ଚପଲ - ସବୁ ଠିକ୍ ଅଛି।କିଛି ହେଲେ ହଜି ନାହିଁ।
ଅଚାନକ କିଏ ଯେମିତି ତାଙ୍କ ସ୍ମୃତିକୁ ଉଖାରି ଦେଲା।ସେ ଏ ଘର ସେ ଘର ହୋଇ ଖୋଜିବାରେ ଲାଗିଲେ।କେଉଁଠି ନ ପାଇ ବଡ ବ୍ୟସ୍ତ ହେଲେ।ଗୋଟିଏ ଦୁଆରବନ୍ଧ ପାଖରେ ଠିଆହୋଇ କାନ୍ଦିବାକୁ ଲାଗିଲେ।
ଝିଅର ବାପା ପହଞ୍ଚିଲେ।ମାଆକୁ କାନ୍ଦୁଥିବା ଦେଖି ଭାବିଲେ ବୋଧହୁଏ କିଛି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ କେଉଁଠି ରହିଯାଇଛି ମିଳୁନାହିଁ,ଅବା ହଜିଯାଇଛି।ବାହାଘର ଗହଳଚହଳ ଭିତରେ ସେପରି ହେବା ବଡ କଥା ନୁହେଁ।ହେଲେ ସେଥିପାଇଁ କାନ୍ଦିବାରେ କ'ଣ ଅଛି ! ବ୍ଯସ୍ତ ହୋଇ ପଚାରିଲେ - ' କାନ୍ଦୁଛ କାହିଁକି ? କ'ଣ କିଛି ଖୋଜି ପାଉନାହଁ ? '
ଆଖିରୁ ଝରି ପଡୁଥାଏ ଥପ୍ ଥପ୍ ଲୁହ।କୋହଭରା କଣ୍ଠରେ ସେ କହିଲେ - ' ମୋ ଝିଅ କେଉଁଠି ଅଛି ? '
ସ୍ତବ୍ଧ ହୋଇଗଲେ ବାପା।ତାଙ୍କ ଆଖିରୁ ବି ଟପ୍ ଟପ୍ ପାଣି ପଡିବାକୁ ଲାଗିଲା।ସେ ' ବି କହିବାକୁ ଲାଗିଲେ - ' ସତରେ ମୋ ଝିଅ କେଉଁଠି ଅଛି ! '
......ମୋ ଝିଅ କେଉଁଠି ଅଛି !!!


Rate this content
Log in