ମୋ ଗପଟି ସରିଲା
ମୋ ଗପଟି ସରିଲା
“ମୋ ଗପଟି ସରିଲା।
ଫୁଲଗଛଟି ମରିଲା।”
ହେଲେ ବୁଢୀମା'ର ଗପ କେବେ ସରେନି।ଫୁଲଗଛ ବି ମରେନି। ସଂଜ ହେଲେ ଝିଅର ଆଖିରେ ନିଦ ଆସିଯାଏ।ସେଇଠୁ ବୁଢୀମା'ର ଗପ ଆସେ। ବୁଢୀମା' କୋଳରେ ଥାଏ ଝିଅ।
ଆରମ୍ଭ ହୁଏ ଗପ। ନିଦରେ ନିଦରେ ଅଗନା ଅଗନି ବନସ୍ତରେ ପହଞ୍ଚିଯାଏ ଝିଅ।ଅନ୍ଧାର ଭର୍ତ୍ତି ଗୁମ୍ଫା, ବୁଢ଼ୀ ଅସୁରୁଣୀର ପାଦ ଚିହ୍ନ - ସବୁ ଦେଖିପାରେ। କେବେ ପୁଣି ବୁଢ଼ୀ ଅସୁରୁଣୀ ତା' ନିଜ ହାତ ଗୋଡକୁ ଜଳେଇ ସେଥିରେ କଅଁଳା ଛୁଆକୁ ସେକୁଥାଏ।ଆଖି ମଳୁ ମଳୁ ସବୁ ଦେଖୁଥାଏ ଝିଅ।
- ' ତା' ପରେ କ'ଣ ହେଲା ଜାଣୁ ? ' ବୁଢୀମା' ପଚାରେ।
- ' କ'ଣ ହେଲା ? ' ଝିଅ କହେ।
ଗପ ଲମ୍ବୁଥାଏ ଯେ ଲମ୍ବୁଥାଏ।ସରିବାର ନାଁ ଧରୁ ନ ଥାଏ। କେବେକେବେ ପଦ୍ମ ପୋଖରୀ, କଲୁରୀ ବେଣ୍ଟ ଗପ କହେ ବୁଢୀମା'। ମଝିରେ ମଝିରେ ହୁଁ ମାରୁଥାଏ ଝିଅ।ନିଦ ମଳମଳ ଆଖିରେ ତାକୁ ଲାଗେ ସେ ନିଜେ ଯେମିତି ଅଣ୍ଟାଏ ପାଣିରେ ଠିଆ ହୋଇଛି।ଓଦା ସରସର ଦେହ।ସେ ତା'ର ବୟସକୁ ମାପିବାକୁ ଚେଷ୍ଟା କରେ।
ପୁଣି ବୁଢୀମା' ତାକୁ ଗଭୀର ପାଣି ଆଡକୁ ନେଇଯାଏ।ସେଇଠି କୁମ୍ଭୀରର ଘର।କୂଳରେ ଠିଆ ହୋଇଥାଏ ଝିଅର ବାପା।ତାକୁ ଡାକୁଥାଏ।କାହାକୁ ପର କରିବ,କାହାକୁ ନିଜର କରିବ ଭାବୁଥାଏ ସେ।
ଝିଅ ପାଠ ପଢିଲା।ଧୀରେଧୀରେ ତା'ର ବୟସ ବଢିଲା।ଏବେ ନିଦ ନୁହେଁ, ଆଖିରେ ତା'ର ଆଖିଏ ଅନ୍ୟମନସ୍କତା ହିଁ ଥିଲା।
ଦିନେ ଶାଗ କେରାଏ କାଟୁ କାଟୁ ନିଜର ଆଙ୍ଗୁଠି କାଟିଦେଲା ଝିଅ। ବୁଢୀମା'
ତା' ପାଖକୁ ଆସି ଦେଖିଲା।
ଦେଖି କହିଲା - ' ଗୋଟେ ରାଜକୁମାର ପାଇଁ ତୋର ମନ ହେଲାଣି।ଆଉ କିଏ ବୁଝୁ କି ନ ବୁଝୁ ମୁଁ ବୁଝି ସାରିଲିଣି ଏକଥା।ତୋ ବାପାକୁ ଏବେ କହିବି।ତୋ ପାଇଁ ସେ ରାଜକୁମାରଟେ ଖୋଜି ଆଣିବ। '
ଝିଅ ମୁର୍କି ମୁର୍କି ହସିଲା। ଏବେ ଝିଅ ପାଇଁ ରାଜକୁମାର ଖୋଜା ଚାଲିଲା।
ଦିନେ ଦେଖିଲାବେଳକୁ ଶବାରି ଆସି ଦାଣ୍ଡ ଦୁଆରେ ଥୁଆ ହୋଇଛି।
ଝିଅ ଏବେ କରିବ କ'ଣ ?
ତା' ପାଖକୁ ଆସି ବୁଢୀମା' କହିଲା - ' ମୋ ଗପଟି ସରିଲା। '
ହେଲେ ' ଫୁଲଗଛଟି ମରିଲା ' ବୋଲି ଆଉ କହି ପାରିଲାନି ଝିଅଟି।ତା' ଆଖିରେ ଥିଲା ଆଖି ଭର୍ତ୍ତି ଲୁହ। ଝିଅ ବିଦା ହୋଇ ଶାଶୁଘର ଚାଲିଗଲା।
ଏବେ ଆଉ ବୁଢୀମା'ର ଗପ ଶୁଣିବାକୁ କେହି ନ ଥିଲେ।ଆଉ ମରୁ ନ ଥିବା ଗପ ଗଛଟି ଆକାଶକୁ ଛୁଇଁଥିଲା।ତା'ର ଡାଳରେ ଡାଳରେ ଲଦି ହୋଇ ଯାଇଥିଲେ ଅନେକ ଅନେକ ଫୁଲ।ସେସବୁକୁ ଜଗାରଖା କରିବ ବା କିଏ ! ଗାଈ ଚରି ଯାଉଥିଲେ ଗଛଯାକର ଫୁଲ।
ପ୍ରାୟ ବର୍ଷକ ପରେ ........
ଦିନେ ଝିଅ ଫେରିଲା ବୁଢୀମା' ପାଖକୁ।ତା'ର ବଢି ଯାଇଥିବା ପେଟ ଆଡେ ଚାହିଁ ଦେଇ ବୁଢୀମା' ମୁର୍କି ହସିଲା।କହିଲା - ' ଏବେ ଗଛଯାକର ଫୁଲ ତୋ ପେଟରେ ଥିବା ଭଳି ଦିଶୁଛି।ମୋ ଗପ ତ କେବେଠୁଁ ସରିଛି।ଏବେ ତୋର ଗପ ଶୁଣେଇବାର ପାଳି। '
ଝିଅ ତା' ନିଜର ପେଟ ଆଡେ ଟିକେ ଚାହିଁ ଦେଇ ମୁହଁ ଫେରାଇ ବୁଢୀମା'କୁ ଚାହିଁଲା।ତା' ନିଜ ଅଜାଣତରେ ମୁର୍କି ମୁର୍କି ହସୁଥିଲା ସେ।