Prasant Kumar Senapati

Others

3  

Prasant Kumar Senapati

Others

ମଧୁର ସମ୍ପର୍କ

ମଧୁର ସମ୍ପର୍କ

3 mins
7.2K


ମଧୁର ସମ୍ପର୍କ-: (କିଛି ସ୍ମୃତି କିଛି ଅନୁଭୂତି) ଫେସବୁକ୍ ରେ ଜଣେ ଅଜଣା ବ୍ୟକ୍ତି ସହିତ କିଛି ମେସେଜ୍ ଦିଆନିଆ ଭିତରେ ସେ ଅତି ନିଜର ହୋଇ ପାରିଥିଲା । ଉଭୟ ପ୍ରଥମରୁ ବିବାହିତ ଥିଲେ ମଧ୍ୟ ପ୍ରଥମ ଥର ପାଇଁ ତାର ମନରେ ଜଣେ ଅଜଣା ଅଚିହ୍ନା ପୁରୁଷ ପ୍ରତି ସ୍ନେହ ପ୍ରେମର ଭାବନା ଜନ୍ମ ନେଇଥିଲା। ଆଜି ବହୁତ ଖୁସି ଅଛି ସେ । କେହିଜଣେ ଅତି ନିଜର (ଜୀବନ ସାଥି) ପରି ସାଥୀଟିଏ ମିଳିଯାଇଛି ତାକୁ । ସେ ପ୍ରଥମରୁ ବିବାହିତ ହୋଇ ମଧ୍ୟ କଣ ପାଇଁ ଜଣେ ଅଚିହ୍ନା ବ୍ୟକ୍ତି ପ୍ରତି ଢଳି ଯାଉଛି, ନିଜେ ବି ବୁଝି ପାରୁନି । ସେ ଚାହିଁକି ବି ନିଜ ସ୍ବାମି ସହ ସେ ଅଜଣା ଲୋକର ପରିଚୟ କରିବାକୁ ଭୟ କରୁଛି । ଏହା ଅର୍ଥ ନୁହେଁ ଯେ ସେ ନିଜ ସ୍ବାମୀକୁ ଭଲ ପାଉନାହିଁ କି ପ୍ରେମ କରୁନାହିଁ । ସେ ତାର ସ୍ବାମୀକୁ ମଧ୍ୟ ବହୁତ ଭଲ ପାଉଛି । ହେଲେ ଏପରି ଏକ ଅଜଣା ସହିତ ତାର ମନ ଭାବନା ଏକତ୍ର ହୋଇଯିବା ଓ ସେ ଧୀରେ ଧୀରେ ଅତି ନିଜର ଲାଗିବା ଏକ ଅଦ୍ଭୁତ ଅନୁଭୂତି । ଯେପରି କି ପ୍ରତି ଶ୍ବାସ ପ୍ରଶ୍ବାସରେ ତାର ଅସ୍ତିତ୍ବକୁ ସେ ଅନୁଭବ କରି ପାରୁଛି । ସେ ତାର ମନକଥା କିଛି ବ୍ୟକ୍ତ କରିବା ପୂର୍ବରୁ ଅଜଣା ବ୍ୟକ୍ତିଟି ସବୁକିଛି ବୁଝିପାରୁଛି। ତେବେ କାହିଁକି ନିଜର ନଲାଗିବ ସେ ? ଯେଉଁଠି ସ୍ବାମୀ ନିଜ କର୍ମମୟ ଜୀବନରେ ସାମାନ୍ୟ ସମୟ ଦେଇ ପାରୁନାହାନ୍ତି ଓ କେବେ ଖାଇଛ କି ନାହିଁ ବୁଝନ୍ତି ନାହିଁ, ସେପରି କ୍ଷେତ୍ରରେ ଏମିତି ଏକ ଅଜଣା ଲୋକର ପ୍ରବେଶ ତାକୁ ଖୁବ୍ ଆନନ୍ଦ ଦେଉଥିଲା । ଧୀରେ ଧୀରେ ମନରେ ଷୋହଳ ଫଗୁଣର ଝରଣା ବହି ଯାଇଛି ଓ ସେ ସେହି ଝରଣାର ସ୍ରୋତରେ ନିଜକୁ ସେ ଭସାଇ ଦେଇଛି । ସେ ଆଜି ସମସ୍ତ ଶକ୍ତି ଏକଜୁଟ କରି ସାହସର ସହିତ ନିଜ ମନକଥା ତା ସାମନାରେ ରଖିଥିଲା । ତାର ହୃଦୟ ସ୍ପନ୍ଦନର ଗତି ବଢିବାକୁ ଲାଗିଲା, କାହିଁକିନା କଣ ଭାବିବ ମୋତେ ସେ ? ତାର ଉତ୍ତର ଶୁଣିବା ପାଇଁ ଯେତିକି ଅଧର୍ଯ୍ୟ ସେତିକି ଭୟଭୀତ । ହଠାତ ନିରବତା ଭାଙ୍ଗି ଅଜଣା ବ୍ୟକ୍ତି କହିଥିଲେ ମୁଁ ତୁମର ଭଲ ମନ୍ଦ, ପସନ୍ଦ ଅପସନ୍ଦ ସାରା ଜୀବନ ବୁଝିବି । ହେଲେ ଆମ ସମ୍ପର୍କର କୌଣସି ନାମ ଦେବି ନାହିଁ । ସାଧାରଣ ଶଦ୍ଦରେ ବନ୍ଧୁତ୍ବର ନାମ ବି ଦେବି ନାହିଁ । ଯେଉଁଠି ସମ୍ପର୍କର ନାମ କରଣ କରାଯାଏ, ସେଠାରେ ସମ୍ପର୍କ ସିମୀତ ହୋଇଯାଏ । ସମ୍ପର୍କର ନାମ ଦେବା ମାତ୍ରେ ନିଜ ସ୍ବାର୍ଥ ବି ଜନ୍ମ ନିଅନ୍ତି । ଆଉ ସେହି ସ୍ବାର୍ଥ ଭବିଷ୍ୟତରେ ଏକ ସୁନ୍ଦର ସମ୍ପର୍କକୁ ଭାଙ୍ଗି ଦେଇଥାଏ । ମୁଁ ତୁମ ସହିତ ଏକ ମଧୁର ଓ ଅନ୍ତହୀନ ସମ୍ପର୍କ ରଖିବାକୁ ଚାହେଁ ସାରା ଜୀବନ ପାଇଁ । ଯେମିତି ମୀରା ସହିତ କୃଷ୍ଣର ସମ୍ପର୍କ । ତୁମକୁ ଯେପରି ମୋ ଉପସ୍ଥିତି ଖୁସି ଦେଉଛି, ସେମିତି ବି ତୁମ ଉପସ୍ଥିତି ମୋତେ ବହୁତ ଖୁସି ଦିଏ । ମୋ ପାଇଁ ତୁମ ହୃଦୟରେ ଯେପରି କିଛି ସ୍ଥାନ ଅଛି, ସେପରି ବି ତୁମେ ମୋ ହୃଦୟରେ ନିଜ ସ୍ଥାନ ନୀରୁପଣ କରି ସାରିଛ । ମୁଁ ତୁମକୁ ବହୁତ ଭଲ ପାଇବି ଓ ତୁମ ଭଲମନ୍ଦର ହିସାବ ରଖିବି । ଅପର ପାର୍ଶ୍ବରୁ ଏପରି ଉତ୍ତର ପାଇ ସେ ନିଜ ଆଖି ଲୁହକୁ ଅଟକାଇ ପାରିଲା ନାହିଁ । ସେ କେବେ ବି ଏମିତି ଏକ ଅଦ୍ଭୁତ ଅକଳ୍ପନୀୟ ଉତ୍ତର ଆଶା କରି ନଥିଲା । ଅଜଣା ବ୍ୟକ୍ତିର ଉତ୍ତର ପାଇ ଯେତିକି ଖୁସିରେ ଗଦଗଦ୍ ହୋଇଥିଲା ସେତିକି ଧନ୍ୟ ମନେ କରୁଥିଲା ଏପରି ଏକ ବ୍ୟକ୍ତିତ୍ବ ସହ ତାର ସମ୍ପର୍କକୁ । ଜୀବନ ସମୟର ସ୍ରୋତରେ ବହି ଚାଲିଲା । ସୁଖ ଓ ଦୁଃଖର ସମୟ ସହିତ ତାଳ ମିଳାଇ ସେ ଆଜି ପଚାଶ ବର୍ଷର ପହଞ୍ଚି ପାରିଛି । ତାର ବୈବାହିକ ଜୀବନ ସହିତ ପାରିବାରିକ ଖୁସିକୁ ସେ ବଜାୟ ରଖି ପାରିଛି । ଆଜି ପର୍ଯ୍ୟନ୍ତ ସେ ମଧୁର ସମ୍ପର୍କ ସହିତ ବ୍ୟକ୍ତିଗତ ସମୟ ଦେଇ ନିଜ ହସ ଖୁସି ସବୁ ବାଣ୍ଟି ଆସିଛି । ସେଦିନର ଷୋଡଶୀ ପ୍ରଜାପତିର ମୁଣ୍ଡ ବାଳ ଆଜି ଧଳା ହୋଇଗଲାଣି । ଜୀବନର ଅନେକ ଉତ୍ଥାନ ପତନରେ ପାଦ ରଖି ସମ୍ପର୍କର ମୂଲ୍ୟ ସେ ବୁଝି ସାରିଲାଣି । ହଠାତ୍ ସଦର ଦ୍ବାରରେ କାହାର କରାଘାତ ଶୁଣି ସେ ଚଷମାକୁ ଲଗାଇ ଧୀରେ ଧୀରେ ଦ୍ବାର ଖୋଲିବା ମାତ୍ରେ ତାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେଦିନର ସେହି ଅଜଣା ବ୍ୟକ୍ତି ନିଜ ସ୍ତ୍ରୀ ସହିତ ଦ୍ବାର ସମ୍ମୁଖରେ ଦଣ୍ଡାୟମାନ । ଫେସବୁକ୍ ରେ ବହୁତ ଥର ଦେଖିଥିଲେ ମଧ୍ୟ ପ୍ରଥମ ଥର ସମ୍ମୁଖରେ ଦେଖି କେଇବୁନ୍ଦା ଆନନ୍ଦଶ୍ରୁ ସମସ୍ତଙ୍କ ଅଜାଣତରେ ସେ ନିଜ ଶାଢୀ କାନିରେ ସାଇତି ନେଲା । ସସମ୍ମାନେ ସେ ଭିତରକୁ ନିମନ୍ତ୍ରଣ କରି ବସିବା ପାଇଁ ଅନୁରୋଧ କଲା । ସେ ମଧୁର ସମ୍ପର୍କ ଧାରୀ ବ୍ୟକ୍ତି ହାତଯୋଡି କହିଲେ "କଣ ଆପଣ ମୋ ଝିଅର ପସନ୍ଦ ଓ ନାପସନ୍ଦକୁ ବୁଝିବାକୁ ସକ୍ଷମ ହେବେ' ? ଆପଣଙ୍କ ପୁଅ ପାଇଁ ମୋ ଝିଅର.....। ଏତିକି ଶୁଣିବା ମାତ୍ରେ ତାର ଆଖିରୁ ଧାର ଧାର ଲୁହ ଝରି ଆସି ଚିବୁକ୍ ଭିଜାଇବାରେ ସଫଳ ହୋଇଥିଲେ ଓ ସେ ମଧ୍ୟ ବିନମ୍ରତାର ସହିତ ଉତ୍ତର ଦେଇ କହିଲେ "ମୁଁ ଏ ମଧୁର ସମ୍ପର୍କକୁ ଦୂରେଇ ଦେବାକୁ ଚାହେଁନାହିଁ' । ଆଜି ମୋତେ ମଧୁର ସମ୍ପର୍କ ନୁହଁ, ସମ୍ପର୍କରେ ମଧୁରତା ଦୃଶ୍ୟ ହେଉଛି । (ବି.ଦ୍ର- ଏହା ସତ୍ୟ ଘଟଣା ଉପରେ ଆଧାରିତ । କେବଳ ଶେଷ ପାରା'ଟି କାହାଣୀକୁ ନାଟକୀୟ ମୋଡ ଦେଇ ସମାପ୍ତ କରିବା ଉଦ୍ଦେଶ୍ୟରେ କାଳ୍ପନିକତାର ସାହାଯ୍ୟ ନିଆ ଯାଇଛି ) (ପ୍ରଶାନ୍ତ ସେନାପତି)


Rate this content
Log in