STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ମାଙ୍କଡ଼

ମାଙ୍କଡ଼

3 mins
0


     କାଉ ଗୋଟେ ନୁହେଁ ବରଂ ଦୁଇଟା ଥିଲେ. ବଡ଼ବଡ଼ ପର ଥିବା କଳା ମଚମଚ କାଉ ଦୁଇଟି ଇତସ୍ତତଃ ଭାବେ ଏ ଗଛରୁ ସେ ଗଛ ହେଉଥିଲେ. କାରଣ କଣ ହୋଇପାରେ ବୋଲି ସ୍ନିଗ୍ଧା ଚାହିଁଲେ ଓ ପାଣି ମୁନ୍ଦେ ରଖିଲେ ହେଲେ ଯୋଉ କାଉ ଅନ୍ୟ ପକ୍ଷୀ ପରି ନଡରି ସ୍ନିଗ୍ଧାଙ୍କ ଭଳି ପାଖାପାଖି ପାଞ୍ଚ ହାତର ସ୍ତ୍ରୀ ଲୋକଟାକୁ ଭ୍ରୁକ୍ଷେପ ନକରି ପାଣି ପିଏ, ସେ ଆଜି ଖୁବ ଟାଣ ଖରାରେ ମଧ୍ୟ ପାଣି ପିଉନଥିଲା. କଣ ହୋଇପାରେ ବୋଲି ସ୍ନିଗ୍ଧା ଏଣିକି ତେଣିକି ଚାହିଁ କିଛି ସନ୍ଧାନ ପାଉନଥିବା ବେଳେ ପାଖ ଛାତରେ ବସିଥିବା ଦୁଇଟି ମାଙ୍କଡ଼ ଭିତରୁ ଗୋଟିଏ ଓଲ୍ହେଇ ଆସି ତାଙ୍କ ଶାଢ଼ୀ ଭିଡି କିଛି କହୁଥିଲା ତ ବାଲ୍ଟିରେ ପାଣି ଭରି ଥୋଇଦେଲା ପରେ ସେ ପିଇଦେଇ ଚାଲିଗଲା ପୁଣି ଉପରକୁ. ଡର, ଭୟ ଓ ଶଙ୍କା ବିଜଡିତ ସ୍ନିଗ୍ଧା ଉପରକୁ ଯେତେ ସାହାସୀ ବୋଲାଉଥିଲେ ମଧ୍ୟ ମାଙ୍କଡ଼ ଡରରେ ଏପଟ ଛାତକୁ ଚାଲିଆସିଥିଲେ. କାଉ ଦୁହେଁ କିନ୍ତୁ ସେମିତି ରାବ କରି ଚକ୍କର କାଟୁଥିଲେ.
         ଇଏ ସେଇ ବୁଦ୍ଧିମାନ କାଉ ଯିଏ ସକାଳ ହେଉ ହେଉ ସମସ୍ତଙ୍କୁ ନିଦରୁ ଉଠେଇ ଯେଝା ନିତ୍ୟକର୍ମ କରିବାର ସୂଚନା ଦେଇଥାଏ. ଇଏ ସେଇ କାଉ ଯିଏ କଲୁରୀ ବେଣ୍ଟ ଖାଇବାକୁ ଯାଇ ବୁଢ଼ୀ କଥାର ସମସ୍ତ ସର୍ତ୍ତ ମାନିଯାଏ. ଇଏ ସେଇ କାଉ ଯିଏ ମାଠିଆରେ ଥିବା ଜଳସ୍ତର ଉପରକୁ ଉଠେଇବା ପାଇଁ ଗୋଡି ପକେଇ ତୃଷା ମେଣ୍ଟାଈ ପାରେ. ଇଏ ସେଇ କାଉ ଯିଏ ଦୁଇ ବିଲେଇଙ୍କ ଭିତରେ ପିଠା ବାଣ୍ଟିବାକୁ ଯାଇ ସବୁ ଖାଇ ବିଲେଇଙ୍କୁ ଠକି ପାରେ. ଇଏ ସେଇ କାଉ ଯିଏ ଏକୁଟିଆ ରହୁଥିବା ସେଇ ନିଛାଟିଆ ଗଛର ପେଚା ସଙ୍ଗେ ସାଙ୍ଗ ହୋଇ ତାକୁ ମନେଇ ବନ୍ଧୁ କଣ ବୁଝେଇପାରି ସେଇ ଗଛରେ ପେଚା ସହ ରହିପାରେ. ଇଏ ସେଇ କାଉ ଯିଏ ନିଜ ଜାତି ଭାଇର କିଛି ଅସୁବିଧା ହେଲେ ମେଳି ବାନ୍ଧି ଦୁଃଖ ଓ ସୁଖରେ ସାମିଲ ହୋଇପାରେ. ପୁଣି ଇଏ ସେଇ କାଉ ଯିଏ ନିଜ ଅଣ୍ଡା ସହିତ କୋଇଲିର ଅଣ୍ଡା ଉଷୁମେଇ ଫୁଟେଇ ଛୁଆ କରି ମାଆର ଭୂମିକାକୁ ଚମତ୍କାର ନିଭେଇ ପାରେ.
           କାଉର ଏହି ଶେଷ କଥା ଭାବୁ ଭାବୁ ସ୍ନିଗ୍ଧାଙ୍କର ମନେପଡ଼ିଗଲା ମାସେ ତଳେ ଏଇ ଛାତ ଉପରେ ଠିଆ ହୋଇ ସେ ଦେଖିଥିଲେ ଦୁଇଟି କାଉ କାଠି କୁଟା ଗୋଟେଇ ନଡ଼ିଆ ଗଛରେ ବସା ବାନ୍ଧୁଥିଲେ. ଏଥର ନଡ଼ିଆ ଗଛ ଉପରକୁ ଚାହିଁ ସ୍ନିଗ୍ଧାଙ୍କୁ ବୁଝିବାକୁ ବାକି ନଥିଲା ଯେ କାଉବସା ଭାଙ୍ଗି ଦେଇଛି ନିଶ୍ଚୟ ମାଙ୍କଡ଼. ଏଇତ ସେଇ ମାଙ୍କଡ଼ ଯିଏ ଟିକେ ଆଗରୁ ସ୍ନିଗ୍ଧାଙ୍କ ଶାଢ଼ୀ ଭିଡି ପାଣି ମାଗୁଥିଲା ସେ ସେଇଠି ବସିଛି. ଅନ୍ୟ ମାଙ୍କଡ଼ ସବୁ ସେହି ନଡ଼ିଆ ଗଛ ପତ୍ରରେ ଡାଳମାଙ୍କୁଡ଼ି ଖେଳିବା ସହ କାଉବସା ଭାଙ୍ଗିସାରିଛନ୍ତି. ସେଇଥିପାଇଁ କାଉ ଦୁଇଟି ଇତସ୍ତତଃ ଉଡ଼ିବୁଲୁଥିଲେ ମଧ୍ୟ ସ୍ନିଗ୍ଧା ନାଚାର ଥିଲେ. ଏପଟକୁ ଅନେଇବା ବେଳକୁ ତାଙ୍କ ଆମ୍ବ ଗଛରେ ବାକି ଥିବା କେଇଟି ଆମ୍ବ କୁ ତୋଳି ତାଡି, ମୋଡି ଛିଣ୍ଡେଇ ଚାଲିଛନ୍ତି. ମନକୁ କେହି ଏମାନଙ୍କୁ ମାଙ୍କଡ଼ ନାମ ଦେଇଛି. ମାଙ୍କଡାମୀ କରୁ କରୁ ଆଜି କାଉବସା ଭାଙ୍ଗି ଡାଳମାଙ୍କୁଡ଼ି ଖେଳୁଥିବା ମାଙ୍କଡ଼ଙ୍କର କିଛି କରିନପାରି କାଉଙ୍କ ପାଇଁ ଖୁଦ ଓ ଚାଉଳ ରଖି ତଥା ପାଣି ଥୋଇ କହୁଥିଲେ କାଉ ରେ କାଉ... ଉଚ୍ଚ ପରବତେ ବୋବାଉ ଥାଉ... ଉଚ୍ଚ ପରବତ କୁଞ୍ଚିକୁଞ୍ଚିକା..... ତହିଁରେ ବସିଛି ତିନିମାଣିକା. ଏତିକି କହୁ କହୁ ମାଙ୍କଡ଼ ତିନୋଟି ମାଡି ଆସୁଥିଲେ ଚାଉଳ ଖାଇବାକୁ ତ କାଉଙ୍କ ଦୁଃଖରେ ଦୁଃଖୀ ହୋଇ ତଳକୁ ଓଲ୍ହେଇବା ଛଡା ଆଉ କିଛି ଉପାୟ ନଥିଲା ସ୍ନିଗ୍ଧାଙ୍କ ହାତରେ. କାଉ କୁ ଶକ୍ତି ଦେବାକୁ କହି ସ୍ନିଗ୍ଧା କହୁଥିଲେ ସମସ୍ତଙ୍କୁ ସଦବୁଦ୍ଧି ଦିଅ ପ୍ରଭୁ.ତଳକୁ ଆସି ବାଲକୋନିରେ ବସି ସ୍ନିଗ୍ଧା ଦେଖିଲେ କାଉ ଦୁହିଁଙ୍କ କାଠିକୁଟା ନଡ଼ିଆ ଗଛ ଉପରେ ସଜାଡି ଅଣ୍ଡା ରଖି ଚାଲିଯାଉଛନ୍ତି ମାଙ୍କଡ଼ପଲ. ନିଜକୁ ଧିକ୍କାର କରି ସ୍ନିଗ୍ଧା କହୁଥିଲେ ମାଙ୍କଡ଼ର ମସ୍ତିଷ୍କ, ମଣିଷ ପରି ଅଟେ. ତେଣୁ ତାର ମଧ୍ୟ ମଣିଷପଣିଆ ରହିବା ସ୍ୱାଭାବିକ. କିନ୍ତୁ କିଏ ସେହି ଖଳନାୟକ. ନିଶ୍ଚୟ ସାପ ବୋଲି ଭାବୁ ଭାବୁ ସ୍ନିଗ୍ଧା ନିଜକୁ ନିଜେ କହୁଥିଲେ ଯାହା ନଦେଖିବ ବେନି ନୟନେ... ପରତେ ନଯିବ ଗୁରୁବଚନେ. ଯାହା ହେଉ କାଉ ଦୁଇଟି ଏବେ ନିଶ୍ଚିନ୍ତ ମନରେ ନଡ଼ିଆ ଗଛରେ ବସି ହୁଏତ ମାଙ୍କଡ଼ ଭାଇଙ୍କୁ ଧନ୍ୟବାଦ ଦେଉଥିଲେ.


Rate this content
Log in