STORYMIRROR

Gayatri Singh

Others

3  

Gayatri Singh

Others

ଖୁସି

ଖୁସି

3 mins
264


 ଶ୍ୱେତମ୍ବର ବାବୁ ରାଜସ୍ୱ ବିଭାଗରୁ ହେଡକ୍ଲର୍କରରେ ଅବସର ନେଲେ । ଚାକିରୀ ସମୟ ଭିତରେ ଦୁଇ ଝିଅଙ୍କ ବିବାହ କାର୍ଯ୍ୟ ସାରି ଦେଇଥିଲେ । ପୁଅ ଏସବିଆଇ ବ୍ୟାଙ୍କରେ ପିଓ । ତା ପାଇଁ ପ୍ରସ୍ତାବ ଖୋଜା ଚାଲିଛି । ପିଲାମାନଙ୍କ ପାଠ ପଢାରେ ସେ କେବେବି ଅବହେଳା କରିନାହାଁନ୍ତି । ପୁଅ ଝିଅଙ୍କୁ ସେ ନିଜେ ପାଠ ପଢାଇ ମଣିଷ କରିଛନ୍ତି । ଚାକିରୀ ପାଇବା ପୂର୍ବରୁ ସେ କିଛି ପିଲାଙ୍କୁ ଟିଉସନ ମଧ୍ୟ କରୁଥିଲେ । ଭାରୀ ପରିଶ୍ରମୀ ଥିଲେ ସେ । ସକାଳୁ ବଜାର କାମ ସାରି ଦେଇ ଅଫିସ ଯିବେ । ଅଫିସରୁ ଫେରି ପିଲାଙ୍କ ପାଠ ପଢା ନିଜେ ଦେଖନ୍ତି । ପିଲାଙ୍କ କ୍ୟାରିଅରକୁ ସେ ଭଲ ଭାବେ ସଜାଡି ପାରିଛନ୍ତି ବୋଲି ନିଜକୁ ଗର୍ବ ଅନୁଭବ କରନ୍ତି ।

ସ୍ତ୍ରୀ ଶ୍ୟାମା ମଧ୍ୟ ତାଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରନ୍ତି । ସ୍ୱାମୀଙ୍କ ପକେଟର ପଇସା ଦେଖି ସେ ଖର୍ଚ୍ଚ କରନ୍ତି । ଝିଅମାନେ ତାଙ୍କ ପରିବାରରେ ଖୁସିରେ ଅଛନ୍ତି । ପୁଅର ବିବାହ କାର୍ଯ୍ୟ ସାରିଦେଲେ ତାଙ୍କ ପରିବାରରେ ପୂର୍ଣ୍ଣତା ଆସିଯିବ । ଇତି ମଧ୍ୟରେ ପୁଅର ବାହାଘର ମଧ୍ୟ ସୁରୁଖୁରୁରେ ସରିଗଲା । ଏଥର ସ୍ୱାମୀ ସ୍ତ୍ରୀ ତୀର୍ଥ କରିଯିବାର ଯୋଜନା କଲେ । ପୁଅ ବୋହୁ ହନିମୁନରୁ ଫେରିବା ପରେ ବୁଢାବୁଢୀ ବାହାରିଲେ ତୀର୍ଥ କରିବା ପାଇଁ । ଚାକିରୀ ସମୟ ଭିତରେ ବୁଲାବୁଲି କରିବା ପାଇଁ ସମୟ ପାଇନଥିଲେ । ତା ଉପରେ ପୁଣି ପିଲାଙ୍କ ଜଞ୍ଜାଳ, ପାଠପଢା । କିରାଣୀ ଚାକିରୀରେ ଘର ପରିବାର ଚଳାଉ ଚଳାଉ ଦରମା ଗଣ୍ଡିକ ମାସ ଶେଷ ହେବା ପୂର୍ବରୁ ସରି ଯାଉଥିଲା । ଶ୍ୟାମା ସେଇ କେତେ ଦିନ ଘର କେମିତି ଚଳାନ୍ତି ସେ ହିଁ ଜାଣନ୍ତି । ପିଲାମାନଙ୍କୁ ଖାଇବା ବାଢି ସାରିବା ପରେ ଯାହା କିଛି ନିଜ ପାଇଁ ଥାଉ ବା ନଥାଉ ଚଳାଇ ନିଅନ୍ତି । କେବେ ପାଟି ଖୋଲି ନାହାଁନ୍ତି । ସ୍ୱାମୀଙ୍କ ପାଖରେ ତାଙ୍କର କେବେ କିଛି ଅଭିଯୋଗ ନଥାଏ । ଶ୍ୱେତମ୍ବର ବାବୁ ବି ଖାଇବା ପିନ୍ଧିବାରେ ଯେମିତି ସେମିତି ଚଳାଇ ନିଅନ୍ତି । ପୁରୁଣା ସାର୍ଟ ପୁରୁଣା ଜୋତାରେ ତାଙ୍କର ପର୍ବ ପାଳନ ହୋଇଯାଏ । ପିଲାମାନେ ନୂଆ ଆଣିବାକୁ କହିଲେ, କହିବେ ଏଇଟା ତ ସଫା କରି ଆଇରନ କରିଦେଲେ ନୂଆ ଦେଖାଯିବ ଆଉ ନୂଆ କଣ ଦରକାର । ହେଲେ ପିଲାମାନଙ୍କର ପ୍ରତ୍ୟେକ ପର୍ବ ପର୍ବାଣିରେ ନୂଆ ଡ୍ରେସ ହେବ । ପିଲାମାନେ ତୁମେ ସବୁ ନୂଆ ପିନ୍ଧ,ତୁମ ହସରେ ହିଁ ବାପାମାଙ୍କ ଖୁସି ଥାଏ । ପିଲାଙ୍କ ଖୁସିରେ ସେ ଭାରୀ ଖୁସି ହୁଅନ୍ତି । ଦିନକୁ ଦିନ ତାଙ୍କୁ ଲାଗିଲା ପୁଅ ବୋହୁଙ୍କ ସଂସାରରେ ସେମାନେ ଯେମିତି ଅତିଥି । ବୋହୁର କଥାବାର୍ତ୍ତା ବ୍ୟବହାର ଦିନକୁ ଦିନ ଖାପଛଡା ଲାଗୁଥିଲା । ଶାଶୁ ପ୍ରତି ତା ବ୍ୟବହାର ଠିକ ନଥିଲା । ଜୀବନ ସାରା ପିଲାମାନଙ୍କ ପାଇଁ ଖଟିବା ପରେ ବି ବୋହୁ ଆସିବା ପରେ ଏଇ ବୟସରେ ପୁଣି ଶ୍ୟାମାର ପରିଶ୍ରମ କରିବା ଶ୍ୱେତମ୍ବର ବାବୁଙ୍କ ଆଖିରେ ଯାଉ ନଥିଲା । ସେ ବୋହୁକୁ ଦୁଇପଦ ଶୁଣାଇ ଦେଉଥିଲେ । ଏମିତି ପରିବାରରେ ଦିନକୁ ଦିନ ଅଶାନ୍ତି ବଢିଲା । ସବୁବେଳେ ଖୁସି ମିଜାଜ୍ ରେ ରହୁଥିବା ଶ୍ୟାମା ଆଉ ଏ ସବୁ ସହ୍ୟ କରି ପାରିଲାନି । ସେଦିନ ତାର ଶେଷ ରାତି ଥିଲା । ସକାଳର ସୂର୍ଯ୍ୟୋଦୟ ଆଉ ସେ ଦେଖିନି । ରାତିରେ ତାର ହାର୍ଟ ଷ୍ଟୋକ ହୋଇଯାଇଛି । ଭିତରେ ଭିତରେ ବୋହୁର ବ୍ୟବହାର ନେଇ ସେ ବିବ୍ରତ ଥିଲା । କିଛି କହିଲାନି ଚାଲିଗଲା । ଜୀବନ ସାରା ପାଟି ଖୋଲି କେବେ କିଛି ମାଗିନି । ଆଜି ବି ପାଟି ନଖୋଲି ଚାଲିଗଲା । ଶ୍ୟାମା ଯିବାପରେ ଶ୍ୱେତାମ୍ବର ବାବୁ ପୁରାପୁରି ଭାଙ୍ଗି ପଡିଲେ । ତାଙ୍କୁ ଲାଗିଲା ଜୀବନରେ ସେ ହାରି ଯାଇଛନ୍ତି । ନିଜକୁ ଭାରି ଅସହାୟ ମନେ କଲେ । ଶ୍ୟାମା କଥା ଭାବି ଭାବି ଦିନକୁ ଦିନ ଦୁର୍ବଳ ହୋଇ ପଡିଲେ । ତାଙ୍କୁ ଲାଗିଲା ଶ୍ୟାମା ଯେମିତି ତାଙ୍କୁ ଡାକୁଛି । ପୁଅ ବୋହୁ ସଂସାରରେ ତୁମର କଣ କାମ? ଯାହା ତ ଆଗରୁ ଶୁଣୁଥିଲା ଦେହ ଖରାପ ହେବା ପରେ ଅସହ୍ୟ ହେଲାଣି । ବୋହୁ କହୁଥିଲା ସହୁଥିଲେ । ହେଲେ ନିଜର ରକ୍ତ, ନିଜର ଅଂଶ ଯାହାକୁ ରକ୍ତ ମାଂସ ଦେଇ ବଡ କରିଛନ୍ତି ତା ପାଟିର କଥା ଆଉ ସହି ହେଲାନି । ଦିନେ ତ ପୁଅ ମୁହଁ ଖୋଲି କହିଲା ବାପା ତମ ପାଇଁ ଘରେ ଅଶାନ୍ତି ବଢୁଛି,ଆମର ସୁଖ ଶାନ୍ତି ନଷ୍ଟ ହେଉଛି, ତମେ କିଛି ବ୍ୟବସ୍ଥା କର । ‘ହଉରେ ବାପା କହି ଦୀର୍ଘନିଶ୍ୱାସ ଛାଡିଲେ’ ଶ୍ୱେତମ୍ବର ବାବୁ । ଏତେ ରାତିରେ କୁଆଡେ ଯିବେ ସକାଳ ହେଉ ମନସ୍ଥ କରିନେଲେ । ଜୀବନ ସାରା ପିଲାଙ୍କ ଖୁସି ପାଇଁ ସ୍ତ୍ରୀ ଶ୍ୟାମା ସହିତ ସବୁକିଛି ତ୍ୟାଗ କରିଛନ୍ତି । ଆଉ ଆଜି ପୁଅର ଖୁସି ପାଇଁ ଏତିକି ବାକିଥିଲା । ଶ୍ୱେତମ୍ବର ବାବୁ ଘର ଛାଡିବା ବେଳେ କେହି ତାଙ୍କୁ ଅଟକାଇ ନଥିଲେ । କେବଳ ନାତି ପଛରୁ ଧାଇଁ ଆସି ତାଙ୍କ ହାତ ଆଙ୍ଗୁଳିକୁ ଧରି ପକାଇ କହିଲା ଜେଜେ ତମେ କୁଆଡେ ଯାଉଛ ମୁଁ ବି ତୁମ ସହିତ ଯିବି । ଖୁସିରେ ଥା କହିି ନାତିକୁ ବୁଝାଇ ଚାଲିଗଲାବେଳେ ନାତି କହିଲା ଜେଜେ ଯଦି ତୁମ ସହିତ ନେବ ନାହିଁ ତାହେଲେ ଫେରିବା ବେଳେ ମୋ ପାଇଁ ଚକୋଲେଟ ଆଣିଥିବ । 


Rate this content
Log in