ଖୁସି : ଚାକିରୀ ବନାମ ଚାଷ
ଖୁସି : ଚାକିରୀ ବନାମ ଚାଷ
-----------------------------------
ଖୁସି : ଚାକିରୀ ବନାମ ଚାଷ
------------------------------------------
- ମୁଁ କ'ଣ କଲେ ଭଲ ହେବ?
ଦିନେ ସମୟ ଦାସକୁ ଦେଖୁ ଦେଖୁ ପଚାରିଦେଲି ଏ ପ୍ରଶ୍ନ।
ସମୟ ଦାସ ମୋ ଠାରୁ ବୟସରେ ଯଥେଷ୍ଟ ବଡ।ତା'ର ଜ୍ଞାନ, ବୁଦ୍ଧି, ବିବେକ ପ୍ରଶଂସନୀୟ।ତାକୁ କେବେ ଦେଖି ନ ଥିଲେ ବି ତା' ବାବଦରେ ବହୁତ ଶୁଣିଥିଲି।ତେଣୁ .........।
- ଆଚ୍ଛା, ତୁ ଜାଣିଛୁ କ'ଣ?ପଢିଛୁ କେତେ?
- ମୁଁ ପଣକିଆ ଜାଣେ।ମିଶାଣ,ଫେଡାଣ ଚାରି ସୂତ୍ର ଜାଣେ।ଟେନସ୍ ମନେଅଛି।ଏ ପ୍ଲସ୍ ବି ର ହୋଲସ୍କୋୟାର୍ କହିପାରିବି।ଲେଖିପାରିବି ଇଂରାଜୀ ରଚନା।ଜ୍ୟାମିତି ଊପପାଦ୍ୟ ସବୁ ମୋ ମୁହଁରେ ଅଛି।ଇତିହାସ ବହିରୁ ଖ୍ରୀଷ୍ଟାବ୍ଦ ଘୋଷି ମନେରଖିଛି।ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ଜାଣେ।ଜଳ କେମିତି ସୃଷ୍ଟି ହୁଏ କହିପାରିବି।ସଂସ୍କୃତ ଶଦ୍ଦ ରୂପ,ଧାତୁ ରୂପ ମୁଖସ୍ଥ କରିଛି।ଜଳବାୟୁ ପରିବର୍ତ୍ତନ ଓ ମୃତ୍ତିକା ସଂରକ୍ଷଣ ବିଷୟରେ ଜାଣେ।ଆଉ କ'ଣ କହିବି?ଏମିତି ବହୁତ କଥା ଜାଣେ ମୁଁ।ବି.ଏ.ପାଶ୍ କରିଛି।
- ଜାଣିନାହୁଁ କ'ଣ ତୁ?
- ଘାସ ଉପାଡି ଜାଣିନି।ମଞ୍ଜି ପୋତି ଜାଣିନି।ଚାରା ଲଗେଇ ଜାଣିନି।କୋଦାଳ ଧରି ପାରିବିନି।ଗାଈଗୋରୁଙ୍କୁ ଖୁଆଇ ପାରିବିନି।ଗୁହାଳ ସଫା କରି ଆସିବନି।ହଳ ଯୋଚି ପାରିବିନି କି ଧରି ପାରିବିନି।ସାଇତି ରଖିବା ଜାଣିନି।ବିରି,ମୁଗ,ଧାନ ସାଇତି ପାରିବିନି।କେଉଁ ଜମିରେ କି ସାର ପଡିବ ଓ କେତେବେଳେ ପଡିବ ଜଣାନାହିଁ।ଧାନ ବୁଣା ଓ କଟା ଆସିବନି।ଏମିତି ଆହୁରି କେତେ କଥା ଜଣାନାହିଁ।ସବୁ ଏଇ ଚାଷବାସ ସଂପର୍କିତ।
- ତେବେ ତୁ କ'ଣ କରିବାକୁ ଚାହୁଁ?କାହିଁକି କରିବାକୁ ଚାହୁଁ?
- ମୁଁ ଚାକିରୀ କରିବାକୁ ଚାହେଁ।କିରାଣୀ ଚାକିରୀ।କାରଣ ମୁଁ ଯଦି ଚାକିରୀ କରେ ମୋ ପାଠର ମୂଲ୍ୟ ରହିବ।ସମସ୍ତେ କହିବେ - ପିଲାଟା ଭଲ ପଢୁଥିଲା।ତା'ର ବହୁତ ଜ୍ଞାନ।ସେ କଥା କଥାରେ ଇଂରାଜୀ କହେ।ଗୋଟେ ଶିକ୍ଷିତ ପିଲା ଭଳି ଦିଶେ।ସେ ଚାକିରୀ କରିବନି ତ ଆଉ କିଏ କରିବ?ତା' ଛଡା ଚାକିରୀରେ ଝିନଝଟ ନାହିଁ।ପିଲାଛୁଆ ଧରି ସହରରେ ରହିହେବ।ଉପୁରି ଆସିବ।ମାସ ଶେଷରେ ଦରମା ମିଳିବ।ରିଟାୟାର୍ଡ ପରେ ପେନସନ୍ ପାଇ ଘରେ ବସି ଖାଇବି।
- କ'ଣ କରିବାକୁ ତୋର ଇଚ୍ଛା ନାହିଁ?କାହିଁକି ନାହିଁ?
- ଚାଷବାସ ଧନ୍ଦା କରିବାକୁ ମୋର ଆଦୌ ଇଚ୍ଛା ନାହିଁ।ଲୋକ କହିବେ - ପିଲାଟା ଭଲ ପଢୁ ନ ଥିଲା।ଚାକିରୀ କିଏ ଦବ ଏମିତି ପିଲାକୁ?ଧାଡିଏ ଇଂରାଜୀରେ ଲେଖିପାରିବ ଇଏ?ବାବୁ,ଅଫିସରଙ୍କ ପାଖରେ ବସି କଥା ହୋଇପାରିବ?ତା' ଛଡା ଚାଷବାସ ଧନ୍ଦାରେ ମାଟି ସାଙ୍ଗେ ମାଟି ହେବାକୁ ପଡିବ।ଶେଷରେ ପେଟ ପୂରିବ ନାହିଁ।ପିଲାଛୁଆ ଉପାସ ରହିବେ।ସ୍ତ୍ରୀ ରଙ୍ଗଛଡା ଶାଢ଼ୀ ପିନ୍ଧିବ।ଋଣ, କରଜରେ ମଣିଷ ବୁଡିବ।କାଳିଆ ଟଙ୍କା ଭରସା ହେବ।
- ତା'ହେଲେ ଚାକିରୀ କରିବାକୁ ଚାହୁଁ ତୁ?କିରାଣୀ ହେବୁ?
- ହଁ,ଆଉ କ'ଣ କରିବି?କହିଲି ତ ଚାଷବାସ ଧନ୍ଦା ପାରିବିନି।ତା' ଛଡା ଘରେ ବସିଲେ ଲୋକେ ବେକାର ବୋଲି କହିବେ।କେହି ଝିଅ ଦେବେନି।ବାହା ହୋଇ ପାରିବିନି।ବାହା ନ ହୋଇ ରହିଲେ ଲୋକେ ଆହୁରି କ'ଣ କ'ଣ କହିବେ।ଏପରିକି ନପୁଂସକ କହିବାକୁ ମଧ୍ୟ ପଛେଇବେନି।ମତେ କ'ଣ ମିଳିବ ସେସବୁରୁ!କିରାଣୀ ଚାକିରୀ ଖଣ୍ଡେ ମିଳିଗଲେ ଭଲ।
- ଏତେ କଥା ତା'ହେଲେ?ହଉ,ଯା',ତୁ କିରାଣୀ ଚାକିରୀ କର।ପାଠ ପଢିଛୁ।କାହିଁକି ମାଟି ସାଙ୍ଗେ ମାଟି ହେବୁ?ଚାଷବାସ ଧନ୍ଦା ଚୁଲିକି ଗଲେ ଯାଉ।ତୁ ସେକଥା ଚିନ୍ତା କରିବା ଦରକାର ନାହିଁ।
ଶେଷରେ ଏତିକି କହିଦେଇ ସମୟ ଦାସ ତା' ବାଟରେ ଚାଲିଗଲା।
ଚାଷବାସ ଧନ୍ଦା ଚୁଲିକି ଗଲା,ସେଇଠୁ ମୋର କ'ଣ ହେଲା?ମୁଁ ପାଠ ପଢିଛି।ଚାକିରୀ କରିବି।କିରାଣୀ ହେବି ......,ହେବି।
ଏବେ ଭାରି ଖୁସି ହୋଇଗଲି ମୁଁ।ମୋ ଖୁସି ଆକାଶକୁ ଛୁଇଁଗଲା।
ସତକଥା!ଚାକିରୀ ଖୁସି ଚାଷବାସରେ ଥାଏ କ'ଣ!!ଖୁସି ଯଦି ଆକାଶକୁ ନ ଛୁଇଁଲା ତା'ହେଲେ ସେ କି ଖୁସି!!!
