STORYMIRROR

Prasanta Kumar Behera

Others

3  

Prasanta Kumar Behera

Others

ଖଣ୍ତା ବୁଲିଲା ଖଣ୍ତାଧାରରେ-୨ୟ ଅଂଶ

ଖଣ୍ତା ବୁଲିଲା ଖଣ୍ତାଧାରରେ-୨ୟ ଅଂଶ

4 mins
199


ସାହସର ସହିତ ପରିସ୍ଥିତିକୁ ମୁକାବିଲା କରିବାକୁ ଚିନ୍ତା କରି ମୁ଼ଁ ବସିଥିବା ସିଟ୍ ରୁ ଉଠି ବସ୍ ଡୋର୍ ପାଖକୁ ଆସି ସବୁ ଜାଣି ସୁଦ୍ଧା କିଛି ନ ଜାଣିବାର ଅଭିନୟ କରି କହିଲି ,


 " ଆଜ୍ଞା କଣ ହେଲା ? ମୁଁ ଏ ପିଲା ମାନଙ୍କର ଶିକ୍ଷକ l" 


ଏମିତିରେ ଛାତ୍ରାବାସର ପିଲାମାନେ ବସ୍ ର ଆଗ ଆଉ ପଛ ପଟେ ଦୁଇଟି ଫ୍ଲେକ୍ସ୍ ବ୍ୟାନର୍ ମାରି ପିକ୍ ନିକ୍ ଯାଉଥିବା ଜାଗାର ନାମ ସହିତ କଲେଜର ନାମ ଉଲ୍ଲେଖ କରିଥାନ୍ତି l ତେଣୁ ଫକିରପଡାରେ ରୁଣ୍ତ ହୋଇଥିବା ସବୁ ଲୋକ ସେ ବ୍ୟାନର ଦେଖି ପିଲାମାନେ ସୁନ୍ଦରଗଡର ଖଣ୍ତାଧାର ପିକ୍ ନିକ୍ କରିବାକୁ ଯାଉଛନ୍ତି ବୋଲି ଜାଣି ସାରିଥାନ୍ତି l 


ମୋ କଥା ସରିବା ପରେ ପରେ ଜଣେ ବୟସ୍କ ଲୋକ କହିଲେ, 


" ଆଛା ସାର୍ ଏ ଅଭଦ୍ର ପିଲାମାନଙ୍କୁ କାହିଁକି ସାଙ୍ଗରେ ନେଇ ଯାଉଛନ୍ତି ? " 


ମୁଁ ଦେଖିଲି ଏ ବୟସ୍କ ଲୋକ ଜଣଙ୍କ ବୋଧହୁଏ ଏ ଫକିରପଡା ଗାଁ ର ମୁରବି l ପୁଣି ନ ଜାଣିବାର ଅଭିନୟ କରି କହିଲି, 


" କଣ ହୋଇଛି ଆପଣ କୁହନ୍ତୁ ? କୋଉ ପିଲା କଣ କହିଛି କି ? " 


ମୋ କଥା ସରି ଆସିବା ପୂର୍ବରୁ ସେଇ ରାଗିକି ପାଚି ଯାଇଥିବା ଭାଇ ଜଣଙ୍କ ପୁରା ଫୁଲ୍ ଦମ୍ ରେ କହିଲେ, 


" ସେ ପଛରେ ବସିଥିବା ଗୋଟେ ଟୋକା ମୁଁ ଓ ମୋ ଭଉଣୀ ବାଇକ୍ ରେ ଆସୁଥିବା ବେଳେ କନ୍ଦରପୁର ବଜାରରେ ଅଭଦ୍ର ଭାଷାରେ କମେଣ୍ଟ୍ କରିଛି l ଆଗ ସେ କଥା ଫାଇନାଲ୍ ହେବ ତାପରେ ଯାହା l" 


ତା କଥା ସରିଛି କି ନାହିଁ କିଏ ଜଣେ ପଛଆଡୁ ଥାଇ କହିଲା,

 

" ଏତେ କଥାବାର୍ତ୍ତା ବୁଝାସୁଝାରୁ କଣ ମିଳୁଛି ? ଆଗ ସମସ୍ତଙ୍କୁ ବହେ ଲେଖା ମାଡ ଚଢେଇ ଦେଇ ଯାଅ l" 


ମୁଁ ଦେଖିଲି ଏ ଲୋକମାନଙ୍କ ଭିତରେ କିଛି ଅବୁଝା ତ ଆଉ କିଛି ବୁଝିବା ବିଚାରିବା ଲୋକ ବି ଅଛନ୍ତି l ବୁଦ୍ଧି ଖଟେଇ ଏଠୁ ଖସିଗଲେ ଯାଏ l କଥାରେ ଅଛି ମବ୍ ସାଇକୋଲଜି ଯେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟାଇବାକୁ ସକ୍ଷମ l ସେମାନେ ବସ୍ ଭିତରେ ପଶି ସମସ୍ତଙ୍କୁ ମାଡ ବସାଇବାରେ କିଛି ବି ଅସୁବିଧା ନାହିଁ l ଏମିତି ସବୁ ବିଭିନ୍ନ କଥା ଚିନ୍ତାକରି ମୁଁ ସେଇ ଯୁବକ ଜଣଙ୍କୁ ଇଙ୍ଗିତ କରି କହିଲି ,


" ଆଛା ଯେଉଁ ପିଲାଟା ସେମିତି ଅଭଦ୍ର କଥା କହିଲା ତାକୁ ଏବେ ଦେଖି ଚିହ୍ନି ପାରିବ କି ? ସେ ଘଟଣା ସମୟରେ ମୁଁ କୋବି କିଣିବାକୁ ଯାଇଥିଲି l ମୁଁ ବସ୍ ଭିତରେ ଥିଲେ ଏମିତି କେବେ ଘଟି ନଥାନ୍ତା " 


ସେ ସେମିତି ରାଗରେ ଲାଲ୍ ଲାଲ୍ ମୁହଁ କରି କହିଲା, " ହଁ ସେ ଟୋକାକୁ ମୁଁ ଚିହ୍ନି ପାରିବି ।" 


ଏତିକିରେ ମୁଁ ସ୍ଥିର କରିନେଲି କଣ କରିବାକୁ ହେବ l ଏ ଯୁବକକୁ ବସ୍ ଭିତରକୁ ଡାକି ସେ ଚିହେଁଇବା ଅଭଦ୍ର ପିଲାକୁ ତା ସାମ୍ନରେ ଢୋ ଢୋ କରି ଦୁଇ ଚାରି ଚଟକଣା ମୁଁ ବାସାଇଦେଲେ ହୁଏତ ଏ ଭାଇଟିର ରାଗ କମିବା ସହିତ ଏଠି ଉପସ୍ଥିତ ଥିଵା ଫକିରପଡାର ସବୁ ଲୋକ ବୁଝି ଯାଇପାରନ୍ତି l


ଏମିତି ଚିନ୍ତାକରି ସେଇ ଯୁବକ ଜଣଙ୍କୁ ଡାକି କହିଲି, 


" ତାହେଲେ ତମେ ବସ୍ ଭିତରକୁ ଆସ l ସେ ଅଭଦ୍ରକୁ ମୁଁ ଆଉ ତମେ ଉଭୟ ମିଶି ମାରବା l" 


ମୋର ଏହି କେଇ ପଦ କଥାରେ ସେଠି ବସ୍ ବାହାରେ ଠିଆ ହୋଇଥିବା ସବୁ ଲୋକ ଚୁପ୍ ଚାପ୍ ହୋଇଗଲେ l ଆଉ ବସ୍ ଭିତରେ ସବୁ ପିଲାମାନେ ବି ସ୍ତବ୍ଧ ହୋଇଗଲେ l ଛାତ୍ରମାନେ କେବେ ସ୍ୱପ୍ନରେ ବି ଭାବି ନଥିବେ ସାର୍ ଏମିତି ନିମନ୍ତ୍ରଣ କରି ସେ ଭାଇଙ୍କୁ ବସ ଭିତରକୁ ଆଣିବେ ବୋଲି l 


ମୋ ଉଦ୍ଦେଶ୍ଯ ହେଉଛି ମୋ ଛାତ୍ରକୁ ମୁଁ ଦୁଇ ଚାରିଟା ଚଟକଣା ମାରି ସେ ଭାଇଙ୍କୁ ହାତ ଯୋଡି ଭୁଲ୍ ମାଗିବାକୁ କହିବି ଆଉ ତାପରେ ସେ ଯୁବକଙ୍କୁ ବୁଝାଇବି ଯେ ଯାହା ହୋଇଛି ଭୁଲିଯାଅ l ଏତିକିରେ ନିଶ୍ଚେ ଏ ଅଘଟଣର ଜବନିକା ପଡିବା ସହିତ ଆଗକୁ ବଦମାସ୍ ଛାତ୍ରମାନେ ବି ସାଇଜ୍ ହୋଇଯିବେ l 


ସେ ଯୁବକ ଜଣଙ୍କ ଭିତରେ ବହୁତ ରାଗ ବସା ବାନ୍ଧି ଥିବାରୁ ମୋ କଥା ମୁତାବକ୍ ଧଡାସ୍ କରି ବସ୍ ଭିତରୁ ପଶି ଆସିଲେ l 

ସେ ବସ୍ ର ଦୁଇଟି ପାହାଚ ଚଢିଛନ୍ତି କି ନାଇଁ ଯେଉଁ ବୟସ୍କ ଲୋକ ପ୍ରଥମେ ମୋ ସହିତ କଥାବାର୍ତ୍ତା କରିଥିଲେ ସେ ଏଥର ସେଇ ଯୁବକକୁ କହିଲେ, 


" ସାର୍ ଡାକିଲେ ବୋଲି ତୁ କଣ ବସ୍ ଭିତରକୁ ଚଢି ଯାଉଛୁ ମାରିବାକୁ l ଆଗ ଓଲ୍ହା ବସ୍ ରୁ l ଆମରି ଏରିଆ ପିଲା ଖୁସିବାସୀରେ ପିକ୍ ନିକ୍ କରିବାକୁ ଯାଉଛନ୍ତି l ତୁ ଏଠି ସେ ପିଲାକୁ ମାଡ ମାରିଲେ ତାଙ୍କ ସେଇ ଖୁସି ଆଉ ରହିବ ? "


ତାଙ୍କର ଏତିକି କଥାରେ ସେଇ ଯୁବକ ଜଣଙ୍କ ଯେମିତି ଢଙ୍ଗରେ ବସ୍ କୁ ଚଢିଥିଲେ ସେମିତି ତଳକୁ ଓହ୍ଲାଇଗଲେ l 


ଏଥର ସେ ବୟସ୍କ ଲୋକ ଜଣଙ୍କ ପିଲା ମାନଙ୍କୁ ବୁଝାଇବାକୁ ଯାଇ କହିଲେ, " ଦେଖ ପିଲାମାନେ , ତମେମାନେ ଏମିତି କାମ କରିବନି ଯାହାଦ୍ୱାରା କଲେଜ କିମ୍ୱା ଜିଲ୍ଲାର ନାମ ତଳେ ପଡିବ l ପିକ୍ ନିକ୍ ଗୋଟେ ଖୁସିବାସୀର କଥା l ନିଜ ନିଜ ଭିତରେ ମଜା କର କିନ୍ତୁ ଅଭଦ୍ରାମୀ କାଇଁ କରିବ ? ଏ ଘଟଣା ଏଠି ନଘଟି ଯଦି ଆଉ କେଉଁଠି ଦୂରରେ ହୋଇଥାନ୍ତା ତାହେଲେ ଚିନ୍ତାକର କି ଅବସ୍ଥା ହୋଇଥାନ୍ତା l"


ତାପରେ ସେ ମୋ ଆଡକୁ ଅନାଇଁ କହିଲେ, " ଆପଣ ଯାଆନ୍ତୁ ସାର୍ l ପିଲାମାନେ କେମିତି ସୁରୁଖୁରୁରେ ଯାଇ ଫେରି ଆସନ୍ତୁ l "

ବସ୍ ଛାଡିବା ପରେ ମୁଁ ଯେତେ ପ୍ରକାର ଚେଷ୍ଟାକଲି ଜାଣିବାକୁ କିଏ ସେହି ବଦମାସ୍ ଟା କିନ୍ତୁ ଛାତ୍ରାବାସର ଛାତ୍ରମାନଙ୍କ ଭିତରେ ଏତେ ୟୁନିଟି ଯେ କେହି ବି ତା ନାଁ କହିଲେ ନାହିଁ l


ସେ ଯାହା ହେଉ ସେଠୁ ମୁକୁଳି ତା' ପରଦିନ ସକାଳ ସତଟା ସୁଦ୍ଧା ସୁନ୍ଦରଗଡର ଖଣ୍ତାଧାରରେ ପହଞ୍ଚିଗଲୁ l ଫକିରପଡା ଘଟଣା ପରେ ପିଲାମାନେ ଏତେ ମାତ୍ରାରେ ଡରି ଯାଇଥିଲେ ଯେ ବାଟସାରା ପୁରା ଚୁପ୍ ଚାପ୍ ହୋଇ ବସ୍ ରେ ବସି ରହିଥିଲେ l ଯାହାକୁ କୁହନ୍ତି ପୁରା ସୁନାପିଲା ପାଲଟି ଯାଇଥିଲେ l


( କ୍ରମଶଃ ........)



Rate this content
Log in