କାକତାଳୀୟ ନ୍ଯାୟ କଥା
କାକତାଳୀୟ ନ୍ଯାୟ କଥା


ଜଣେ ଗାଉଁଲି ଲୋକକୁ ଅତର୍ଚ୍ଛିଆ ଝାଡା଼ ମଡେ଼ଇଲାରୁ ସେ ଆଖିବୁଜି ପଡିଆକୁ ଦୌଡ଼ିଲା । ଏମିତିରେ ତ ଦିନ ଦ୍ବିପହର ଲୋକ ସେ ବାଟେ ଦିଘୀକୁ ଗାଧେଇବା ସକାଶେ ଯାଉଥାନ୍ତି ।
ସେମାନଙ୍କ ସାମ୍ନାରେ ଖୋଲାପଡିଆରେ ବସି କେମିତି ବା ଝାଡା଼ ଫେରିବ ? ଏକଥା ଭାବି ସେ ପଡିଆର ଏକ କୋଣରେ ଥିବା ତାଳବଣକୁ ଢାଳ ଧରି ଗଲା । ସେଇଠି ଗୋଟାଏ ଦୁଇଟି ନୁହେଁ ଲଗାଲଗି ହୋଇ ପାଖାପାଖି ଆଠ ଦଶୁଟା ଛୋଟ ବଡ଼ ତାଳଗଛ ଥାଏ । ସହଜେ ଶ୍ରାବଣ ମାସ ଦକ୍ଷିଣ ଦିଗରୁ ମେଘ ଉଠେଇ ଥାଏ । ଲୋକଟି ଝାଡା଼ ଫେରୁଛି ଏତିକିବେଳେ ତା ମୁଣ୍ଡରେ ଦାଲଉକିରି ତାଳଟିଏ ଆସି ପଡ଼ିଲା। ସେ ଅଳ୍ପକେ ବର୍ତ୍ତିଯାଇ ଲଙ୍ଗଳା ମୁତୁରା ହୋଇ ସେ ତାଳବଣରୁ ବାହରକୁ ବାହାରି ଆସିଲା । ସେପଟେ ଯାଉଥିବା ଅନେକ ଲୋକ ତାକୁ ଏଭଳି ଦୌଡୁଥିବାର ଦେଖି ନାନାଦି ପ୍ରକାରର କଳ୍ପନାଜଳ୍ପନା କରିଲେ ।
ଘଟଣାଟା ଏ କାନ ସେ କାନ ହୋଇ ଶେଷକୁ ସେ ଗାଆଁର ତାନ୍ତ୍ରିକ ଜାଣିଲା । ଲୋକଙ୍କୁ ଠକି ଧନ ଅର୍ଜନର ଏକ ଉପାୟ ତା ମନକୁ ଆସିଲା । ସେ ଗାଆଁଟା ଯାକରେ ପ୍ରଚାର କରିଦେଲା ସେ ତାଳବଣରେ ପିଶାଚୁଣିଟେ ଅଛି । ମୋତେ ଗାଆଁର ଲୋକେ ମିଳିମିଶି ଏତିକି ଧନ, ସେତିକ ଦରବ ଦେଲେ ମୁଁ ସେ ପିଶାଚୁଣିକୁ ଜବତ କରି ଘଉଡାଇ ଦେବି । ଗାଆଁ ଲୋକେ ଏକଥାରେ ଡରିବାକୁ ଲାଗିଲେ ଅଧିକାଂଶ ଗ୍ରାମବାସୀ ଗୁଣିଆ କଥାକୁ ସତମାନି ନେଇଥାନ୍ତି । ହେଲେ ସେ ଗାଆଁର ଜଣେ ବିଜ୍ଞ ବୃଦ୍ଧ ବ୍ରାହ୍ମଣ ଏ ଗୁଣିଆର ଚାଲାକି ଠିକ୍ ଠାଉରେଇ ନେଇଥିଲେ । ଆସନ୍ନ ବିପଦକୁ ଦେଖି ଗ୍ରାମସଭା ବସିଲା ଆଗେ ଗୁଣିଆ ନିଜକଥା,ନିଜ କ୍ଷମତା କଥା ଗପିଲା... ତା କଥାକୁ ସମର୍ଥନ ଜଣେଇ ଗାଆଁର କିଛି ଲୋକ ନିଜ ମତ ରଖିଲେ ।
ଶେଷକୁ ପଞ୍ଚମାନଙ୍କର ମତ ଦେବାର ପାଳି ପଡ଼ିଲା ।
ସେ ବୃଦ୍ଧ ବିଜ୍ଞ ବ୍ରାହ୍ମଣ ଗ୍ରାମର ପଞ୍ଚ ମାନଙ୍କ ମଧ୍ୟରୁ ଜଣେ ଥିଲେ ତାଙ୍କ ପାଳି ପଡି଼ଲାରୁ ସେ ତାଳବଣକୁ ଦ୍ବିପହର ଓଳି ଝାଡା଼ ଫେରିବା ହେତୁ ଯାଇଥିବା ଲୋକକୁ ନିଜ ପାଖକୁ ଡାକିଲେ । ଲୋକଟି ଆସିଲାରୁ ସେ ତାକୁ ପଚାରିଲେ
-ତୁମେ ତାଳବଣକୁ କେବେ ଯାଇଥିଲ ?
-ଆଜ୍ଞା,ଦୁଇପହର ଓଳି !
-ତୁମ ବ୍ୟତୀତ ସେଠାରେ ଆଉ କେହି ଥିଲା କି ?
-ନା ମହାଶୟ !!!!!
-ତୁମ ଉପରେ ଯେବେ ତାଳ ପଡିଲା ତୁମେ କ'ଣ ଦେଖିଲ ?
-ମୋତେ ଲାଗିଲା ଯେମିତି ଚାରିଆଡ଼ ଅନ୍ଧାର ହୋଇଗଲା ହେଲେ ମୁଁ ଦେଖିଲି ତାଳଗଛରେ ବସିଥିବା କାକ ଟାଏ ଦୂରକୁ ଉଡି଼ଗଲା ।
ଏକଥା ଶୁଣି ବୃଦ୍ଧ ଜଣକ ବୋଇଲେ ପ୍ରମାଣ ହୋଇଗଲା; କୁଆଟା ତାଳଗଛ ପରେ ବସିଥିଲା ସେ ଉଡିଗଲାରୂ ତାଳଟି ପଡିଗଲା ଏଥିରେ ଭୂତପ୍ରେତ କ'ଣ ଅଛି ? ଗାଆଁ ଲୋକେ ବିଜ୍ଞ ବ୍ରାହ୍ମଣଙ୍କର କଥା ଶୁଣି ଆନନ୍ଦରେ କରତାଳି ଦେଲେ ଆଉ ବିଚରା ଗୁଣିଆ ନିଜ ଯୋଜନା ଅସଫଳ ହେବା ଜାଣି ସଭାରୁ ନିରାଶ ହୋଇ ଫେରିଲା । ରାତିକୁ ବ୍ରାହ୍ମଣଙ୍କର ସ୍ତ୍ରୀ ତାଙ୍କୁ ପୁଛିଲେ
ସତରେ କଣ୍ କୁଆଟା ଉଡି଼ଗଲାରୁ ତାଳଟା ପଡି଼ଥିଲା ନା ଏକଥାରେ କିଛି ଭେଦ ଅଛି ? ବ୍ରାହ୍ମଣ ପଣ୍ଡିତ ଅଳ୍ପ ହସି ବୋଇଲେ, ଏତିକି କଥା କଅଣ ବୁଝିପାରୁନାହଁ ମ..
ଆହେ ! ସେ ଖଣ୍ଟ ଗୁଣିଆଟା ଗାଆଁ ଲୋକଙ୍କୁ ଠକିବାକୁ ବସିଥିଲା ଯେ ମୁଁ ଏମିତି ଏକ କୌଶଳ କରିଥିଲି ନା .... ପଣ୍ଡିତିଆଣୀ ଭୟ ମିଶ୍ରିତ କଣ୍ଠରେ ପଣ୍ଡିତଙ୍କୁ ପଚାରୁଛନ୍ତି “ତା ହେଲେ କ'ଣ ଭୂତ ??????” ବ୍ରାହ୍ମଣ ଚିଡି଼ଲା କଣ୍ଠରେ କହିଲେ ଧେତ୍ ! ଆଗୋ “ଏ ତ ବର୍ଷାକାଳ ତାଳ ପକ୍ବ କାଳ ଏକାଳେ ନଯିବ ଜମା ତାଳମୂଳ"
ତାଳଟା କାକ କି ପିଶାଚୁଣି ଯୋଗୁଁ ପଡି଼ନାହିଁ ବର୍ଷା କାଳରେ ପାଚିଲେ ତା'ର ପଡି଼ବା ପ୍ରକୃତି ନିୟମ ତହିଁରୁ ସେ ବା କିମ୍ପା ବିଚ୍ୟୁତ ହୁଅନ୍ତା ଯେ..... ପଣ୍ଡିତିଆଣୀ ଏକଥାର ଭେଦ ଜାଣିଲାରୁ ପଣ୍ଡିତଙ୍କର ବୁଦ୍ଧିମତାକୁ ପ୍ରଶଂସା ନକରି ରହିପାରିଲେନି.... ହେଲେ ସମାଜ ଏଘଟଣା ଜମାରୁ ଭୂଲିଲା ନାହିଁ ...
ଲୋକେ ସେଇଦିନ ଠାରୁ ଏଭଳି ନ୍ୟାୟକୁ କାକତାଳି,କାକତାଳୀୟ ବା ଟାକତାଳିକା ନ୍ୟାୟ ନାମ ଦେଲେ.... ଆଜି ପରସ୍ପର ସହ ସମ୍ବନ୍ଧହୀନ ଦୁଇଟି ସମସାମୟିକ ଘଟଣା ଘଟିଲେ ଲୋକେ ତାକୁ “କାକତାଳୀୟ ନ୍ୟାୟ” କୁହନ୍ତି ।