STORYMIRROR

Prasanta Kumar Behera

Others

3  

Prasanta Kumar Behera

Others

କାହାକୁ କହିବନି (ପ୍ରଥମ ଭାଗ)

କାହାକୁ କହିବନି (ପ୍ରଥମ ଭାଗ)

4 mins
606


ରଞ୍ଜୁ , ମୋ କଲେଜ ବେଳର ସାଙ୍ଗ l ତିନି ବର୍ଷ ଏକାଠି ଗୋଟେ କ୍ଲାସ୍ ରୁମ୍ ରେ ପାଖା ପାଖି ବସିଛୁ, ଏକାଠି କେତେ ବୁଲିଛୁ, ତା' ଭିତରେ ଦୁଷ୍ଟାମି, ମନକଥା ସବୁ କୁହାକୁହି ହେବା ସହ କେତେକଣ ତା'ର ଇୟତା ନାହିଁ l କଲେଜ ପଢା ସରିଲା ପରେ ରଞ୍ଜୁ ସହ ଅନ୍ୟ ସାଙ୍ଗସବୁ କିଏ କୁଆଡେ ନିଜ ନିଜ ଜୀବନର ପନ୍ଥା ନିରୁପଣ କରିବାକୁ ଚାଲିଗଲେ l ପରେ କେତେବେଳେ କେଉଁଠି ଅଚାନକ ଦେଖାହେଲେ ନିଜ ଜୀବନର ଭଲ ମନ୍ଦ କଥାବାର୍ତ୍ତା କିଛି ହୋଇ ପୁଣି ଯିଏ ଯାହାର ବାଟରେ ଚାଲିଯାଉ l ଏମିତିରେ ଜୀବନ କହିଲେ ବୋଧେ ଏଇଆ l


ଏଇ କିଛି ବର୍ଷ ଭିତରେ ସୋସିଆଲ୍ ମିଡିଆ ଅସିଲା l ଫେସବୁକ୍, ହ୍ୱାର୍ଟ୍ସଅପ୍ ପରି ସୋସିଆଲ୍ ମିଡିଆ ମାଧ୍ଯମରେ ପୁରୁଣା ବନ୍ଧୁ ସବୁ ପରସ୍ପରକୁ ଭଲକରି ଜାଣିବାକୁ ପାଇଲେ l ବହୁତ ଅଜଣା ନୂଆ ବନ୍ଧୁ ମଧ୍ଯ ସୃଷ୍ଟିହେଲେ । ଏମିତିକି କିଛି ବାହାର ଦେଶର ଲୋକ ବି l ଏଇ ସୋସିଆଲ୍ ମିଡିଆର ସାହାଯ୍ୟରେ ସ୍କୁଲ୍ ଓ କଲେଜ ବେଳର ସାଙ୍ଗମାନେ ସବୁ ଏକାଠି ହୋଇ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ସବୁକୁ ହାତକୁ ନେଉଛନ୍ତି l ସୋସିଆଲ୍ ମିଡିଆର ସଦୁପଯୋଗ ସହ ସମୟେ ସମୟେ ଦୁରୂପଯୋଗ ମଧ୍ଯ ହେଉଛି l ଏଇ ଫେସବୁକ୍ ମାଧ୍ଯମରେ ଏସ୍.ଭି.ଏମ୍. କଲେଜରେ ମାତ୍ର ଦୁଇ ହଜାର ଟଙ୍କା ମାସିକିଆ ବେତନ ପାଇଥିବା କଲ୍ୟାଣୀର ୧୪ ବର୍ଷର ପୁଅକୁ କ୍ଯାନସର୍ ହେବାକଥା ଜାଣି ପାଖା ପାଖି ୧୫ ଲକ୍ଷ ଟଙ୍କାର ସାହାଯ୍ୟ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଦେଇଛନ୍ତି l ଏସ୍.ଭି.ଏମ୍. ର ପୁରାତନ ଛାତ୍ରଛାତ୍ରୀ ମାନେ ବହୁତ ସଂଖ୍ୟାରେ କଲ୍ୟାଣୀକୁ ସହଯୋଗର ହାତ ବଢାଇଛନ୍ତି l ଏମିତିକି ଏସ୍.ଭି.ଏମ୍.- ୯୦ ଗ୍ରୁପ ପାଖା ପାଖି ଏକଲକ୍ଷ ପନ୍ଦର ହଜାର ଟଙ୍କା ( ୧,୧୫,୦୦୦/- ) ନିଜ ନିଜ ଭିତରେ ଆଦାୟକରି କଲ୍ୟାଣୀର ଆକାଉଣ୍ଟ୍ ରେ ଡିପୋଜିଟ୍ କରିଛନ୍ତି l ଛାଡନ୍ତୁ ସେସବୁ କଥା l ଏବେ ଆମେ ଆଉ ଗୋଟେ ଦିଗକୁ ଆମ ଆଲୋଚନାକୁ ମୁହାଁଇବା l


ରଞ୍ଜୁ ସହିତ ଏଇ ଫେସବୁକ୍ ଆଉ ହ୍ୱାର୍ଟ୍ସଅପ୍ ମାଧ୍ଯମରେ ମୋର ପ୍ରାୟ କିଛିଦିନ ଅନ୍ତରରେ କିଛିନାକିଛି ବାର୍ତ୍ତାଳାପ ହୁଏ - ସମୟେ ସମୟେ ଫୋନ୍ ମାଧ୍ଯମରେ ବି l ଏମିତରେ ତ ଆମେ ଉଭୟେ କ୍ଲାସମେଟ୍ l ସେ ଯେବେ ଜଗତସିଂହପୁର ଆସେ ମୋତେ ଦେଖା କରେ l ସେ କଟକରେ ରହୁଥିବାରୁ ମୋ ପାଇଁ ଗୋଟେ ଭଡାଘର ମାତ୍ର ଦୁଇଦିନ ଭିତରେ ଯୋଗାଡ କରିଦେଲା l ମୁଁ କଟକ ଯେଉଁଦିନ ଆସିଲି ତାକୁ ଫୋନ୍ କଲି l ଜାଣିଲି କେଇ ଦିନ ପୂର୍ବରୁ ରାତି ଅଧରେ ଜଣେ ସମ୍ପର୍କୀୟର ମଶାଣିରେ ଶବ ସତ୍କାର କରି ଫେରୁଥିବା ବେଳେ ସ୍କୁଟିରୁ ପଡି ହାତ ଭାଙ୍ଗିବା ସହ ବେହୋସ୍ ହୋଇଥିଲା l ପି.ସି.ଆର୍. ଭ୍ୟାନ୍ ତାକୁ ସେମିତି ବେହୋସ୍ ଅବସ୍ଥାରେ କଟକ ମେଡିକାଲ୍ ରେ ନେଇ ଆଡମିଟ୍ କରିବା ସହିତ ତା' ମୋବାଇଲ୍ ରୁ ଘର ନମ୍ବର ପାଇ ଖବର ଦେବାରୁ ତା' ସ୍ତ୍ରୀ ଓ ଝିଅ ସେଠି ପହଞ୍ଚିଥିଲେ l ଦୁଇଦିନ ପରେ କିଛି ମାତ୍ରାରେ ସୁସ୍ଥ ହୋଇ ଘରକୁ ସେ ଫେରିଥିଲା l କିନ୍ତୁ ଗୋଟେ ହାତ ଭାଙ୍ଗିଥିବାରୁ ଘରେ ରହି ସମ୍ପୂର୍ଣ୍ଣ ରେଷ୍ଟ୍ ନେବାକୁ ହେଲା l


ରଞ୍ଜୁର ଏ ଦୁର୍ଘଟଣା ଘଟିବାର ବହୁ ପୂର୍ବରୁ ତା' ଝିଅର ପାଠପଢା ପାଇଁ ରାଜସ୍ଥାନକୁ ଯିବା ନିମନ୍ତେ ଆଗୁଆ ଟ୍ରେନ୍ ଟିକେଟ୍ କରିଥିଲା l ସେଇ ଟିକେଟ୍ ବୁକିଙ୍ଗ୍ ମୋବାଇଲ୍ ଆପ୍ ମାଧ୍ଯମରେ ହିଁ କରିଥିଲା l ବାପର ହାତ ଭାଙ୍ଗିବାରୁ ଝିଅର ରାଜସ୍ଥାନ ଯିବା କିଛିଦିନ ପାଇଁ ଘୁଞ୍ଚିବା ସ୍ୱାଭାବିକ୍ l ତେଣୁ ରଞ୍ଜୁ ଟିକେଟ୍ କ୍ୟାନସେଲ୍ କରି ନିଜ ଆକାଉଣ୍ଟକୁ କେମିତି ଟଙ୍କା ଫେରିବ ସେଇ ପଦକ୍ଷେପ ଗ୍ରହଣ କଲା l ବାଙ୍ଗାଲୋରର ଯେଉଁ ଅନଲାଇନ୍ କମ୍ପାନୀ ମାଧ୍ଯମରେ ଟିକେଟ୍ ବୁକିଙ୍ଗ୍ କରିଥିଲା ତା'ରି ମାଧ୍ଯମରେ ଟିକେଟ୍ କ୍ୟାନସେଲ୍ କରି ତାଙ୍କ ଅଫିସ୍ କୁ ଫୋନ୍ କରି ଟଙ୍କା ଟ୍ରାନ୍ସ୍ଫର୍ କରିଦେବାକୁ କହିଲା l 


କିଛି ସମୟ ପରେ ଆଉ ଗୋଟେ ନମ୍ୱରରୁ କଲ୍ ଆସିଲା l ରଞ୍ଜୁ କଲ୍ ରସିଭ୍ କରିବା ପରେ ସେପଟୁ କିଏ ଜଣେ ନାରୀ ହିନ୍ଦୀରେ ଯାହାସବୁ କହିଲା ତା'ର ଓଡିଆ ଏହିପରି - 


" କିଏ ରଞ୍ଜିତ ନାୟକ କହୁଥିଲେ ? ଆପଣଙ୍କର ରାଜସ୍ଥାନ କୋଟାକୁ ହୋଇଥିବା ଟ୍ରେନ୍ ଟିକେଟ୍ କ୍ୟାନସେଲ୍ ବାବଦ ଅର୍ଥ ୩୦୨୦ ଟଙ୍କା ଫେରସ୍ତ ଦିଆଯିବ l ଏଥିପାଇଁ ଏବେ ଆମ ତରଫରୁ ଗୋଟେ ଆପ୍ ର ଲିଙ୍କ୍ ଆପଣଙ୍କ ମୋବାଇଲ୍ କୁ ଯିବ l ଆପଣ ସେଇ ଲିଙ୍କ୍ କୁ ଆକ୍ସେପ୍ଟ କରି କ୍ଲିକ୍ କଲେ ଟଙ୍କାଟା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ଆପେଆପେ ଟ୍ରାନ୍ସ୍ଫର୍ ହୋଇଯିବ l "


ଯେହେତୁ କିଛି ସମୟ ପୂର୍ବରୁ ରଞ୍ଜୁ ବାଙ୍ଗାଲୋର୍ କୁ ଫୋନ୍ କରିଥିଲା ତେଣୁ ସ୍ୱାଭାବିକ ଭାବରେ ଉତ୍ତରରେ ଓକେ କହିଲା l ଫୋନ୍ କଲ୍ ମୁତାବକ୍ ସଙ୍ଗେସଙ୍ଗେ ଗୋଟେ ମେସେଜ ମଧ୍ଯ ମୋବାଇଲ୍ କୁ ଆସିଲା l ନିଜର ହାତ ଭାଙ୍ଗି ଥିବାରୁ ରଞ୍ଜୁ ଝିଅକୁ ମୋବାଇଲ୍ ଦେଇ କହିଲା ସେ ଲିଙ୍କ୍ ରେ କ୍ଲିକ୍ କରିବାକୁ l ଝିଅ ସେ ଲିଙ୍କ୍ ରେ କ୍ଲିକ୍ କରିଛି ତ ମୋବାଇଲ୍ ରେ କମ୍ପ୍ୟୁଟର୍ ପରି ଭିଉ ଆସିବା ଆରମ୍ଭ କଲା l ଏମିତି ହେବା ଦେଖି ରଞ୍ଜୁ ଜାଣିଗଲା ଯେ ସେମାନେ ବାଙ୍ଗାଲୋର୍ ରେ ଥାଇ ତା' ମୋବାଇଲ୍ ରେ ଥିବା ସମସ୍ତ ଡାଟାକୁ ଜାଣି ପାରୁଛନ୍ତି ଆଉ ବିଳମ୍ୱ କରିବା ଉଚିତ୍ ହେବନି ଚିନ୍ତା କରି ଝିଅକୁ କହିଲା ଶୀଘ୍ର ସେଥିରୁ ଏକ୍ଜିଟ୍ କରି ଯିବାକୁ l 


 କିନ୍ତୁ ସେତେବେଳକୁ ବିଳମ୍ୱ ହୋଇ ସାରିଥାଏ l ସେଇ ଦଶ ସେକେଣ୍ତ ଭିତରେ ସେମାନେ ତିନୋଟି ଟ୍ରାନଜାକ୍ସନ୍ କରି ସାରିଥିଲେ l ସବୁ ତ୍ରାନାଜାକ୍ସନ୍ ପେଟିଏମ୍ ମାଧ୍ଯମରେ ହୋଇଥିଲା l ପ୍ରଥମଟିରେ ୧୯,୯୯୯ ଟଙ୍କା, ଦ୍ୱିତୀୟରେ ସେଇ ୧୯,୯୯୯ ଟଙ୍କା ଓ ଶେଷଟିରେ ୬,୦୦୦ ଟଙ୍କା ଏମିତି ସମୁଦାୟ ୪୫,୯୯୮ ଟଙ୍କା ସେଇ ୧୦ ସେକେଣ୍ଡ୍ ଭିତରେ ରଞ୍ଜୁ ବ୍ୟାଙ୍କ ଆକାଉଣ୍ଟ୍ ରୁ ଉଡିଗଲା l 


ଘରେ ବସି ମୋବାଇଲ୍ ରେ ଆଙ୍ଗୁଠି ଟିପରେ ବ୍ଯାଙ୍କ୍ ସେବା ସହିତ କ୍ୟାସଲେସ୍ ଟ୍ରାନଜାକ୍ସନ୍ କରୁ କରୁ ରଞ୍ଜୁର ସେଇ ଆକାଉଣ୍ଟ୍ କ୍ୟାସଲେସ୍ ହୋଇଗଲା l ରଞ୍ଜୁ ଉଚ୍ଚ ଶିକ୍ଷିତ , ବହୁତ ଚଲାକ୍ ଆଉ ଇଣ୍ଟରନେଟ୍ ମାଧ୍ୟମରେ ସବୁ କାମ କରିବାରେ ଖୁବ୍ ସିଦ୍ଧହସ୍ତ ହୋଇ ମଧ୍ୟ ଯଦି ଏମିତି ଦଶା ଭୋଗିଲା ତାହେଲେ ସାଧାରଣ ଲୋକଙ୍କ ଅବସ୍ଥା ଏଇ ଧୂର୍ତ୍ତ ଶିକ୍ଷିତ କମ୍ପ୍ୟୁଟର ବିଶାରଦ ଚୋରମାନେ କଣ କରୁଥିବେ ସହଜେ ଅନୁମେୟ l


ଏ ଘଟଣା ରଞ୍ଜୁ ସହିତ ଘଟିବା ପ୍ରାୟ ଏଭିତରେ ଏକ ମାସ ହୋଇଗଲାଣି l ଘଟଣା ଘଟିବା ପରେ ପରେ ସେ ପୋଲିସ୍ ପାଖରେ ଏତଲା ମଧ୍ୟ ଦେଇଥିଲା l କିନ୍ତୁ କିଛି ସୁଫଳ ଏଯାଏ ମିଳିନି l ଆଜି ରଞ୍ଜୁ ସହ କଥା ହେଉଥିଲି l ସେ କହିଲା ଆଉ ସେ ଟଙ୍କା ମିଳିବାର ସମ୍ଭାବନା ନାହିଁ l ଏ ଠକାମିରେ ସେଇ କମ୍ପାନୀର ଲୋକ ଆଉ କିଛି ବ୍ଯାଙ୍କ କର୍ମଚାରୀ ସାମିଲ୍ ଅଛନ୍ତି l


ଏମିତିକା ଘଟଣାସବୁ ପ୍ରାୟ ଆଜିକାଲି ଲୋକମାନଙ୍କ ସହିତ ଘଟିଚାଲିଛି l କେଇ ମାସ ତଳେ ମୋ ପାଖକୁ ଗୋଟେ ଫୋନ୍ କଲ୍ ଆସିଲା l କେହିଜଣେ ହିନ୍ଦିରେ ଯାହାସବୁ କହିଲା ତାର ଓଡିଆ ଅବିକଳ ହେଉଚି ଏପରି,


 " ମୁଁ ମୁମ୍ୱାଇ ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରୁ କହୁଚି l ଆପଣଙ୍କ ଷ୍ଟେଟ ବ୍ଯାଙ୍କ ଏଟିମ୍ ବ୍ଲକ୍ ହୋଇ ଯାଇଚି l କାର୍ଡ ନମ୍ୱରଟା ଶୀଘ୍ର କୁହନ୍ତୁ l ତାକୁ ସଙ୍ଗେ ସଙ୍ଗେ ଅନବ୍ଲକ୍ କରିଦେବି ନଚେତ୍ ଆପଣଙ୍କର ସେଇ କାର୍ଡ ସବୁଦିନ ପାଇଁ ଅଚଳ ହୋଇଯିବ l" ( କ୍ରମଶଃ ........)



Rate this content
Log in