✿ ଜୋତା ✿
✿ ଜୋତା ✿
✿ ଜୋତା ✿
{୧}
ମୋତେ ଲାଗେ , ଆମେ ସେମିତି ଗରୀବ ନଥିଲୁ , ଯେ ଗୋଟେ ହଳ ଚପଲକୁ ବାରମ୍ବାର ରିପେୟାର୍ କରି ପିନ୍ଧୁଥିବୁ !
ଓଃ ! ବାପା ! ନିଜେ ହେଲେ ନିଜ କାମ କରନ୍ତେ !
ପଲିଥିନ୍ ରେ ଓହଳାଇ ସେ ମୋଚି ଚାଚା ପାଖକୁ ନେଲାବେଳେ , ଅପମାନରେ ମୋ ମୁହଁ ପୋଡିଯାଏ ।
- ବାପା ଙ୍କ ଦେହ କେମିତି ? ଭଲ ତ ? ଢେର୍ ଦିନ ହେଲା ଦେଖିନି ।
- ଭଲ ।
ମୁଁ ମୋବାଇଲ ଖେଳାଇବାର ବାହାନା କରେ । ଶଃ ମୋଚିଟେ ବି ଆମଘର ଖବର ରଖୁଛି !
ଭାରି ଚିଡାଲାଗେ ବାପାଙ୍କୁ । ଦୁଇ ତିନିଶ' ର କଥା । ନୂଆ ହଳେ ନେଇପାରନ୍ତେ । ଗୋଟେ ମୋଚିକୁ କୈଫିୟତ୍ ଦେବାକୁ ପଡନ୍ତାନି । ଝାମେଲା ତୁଟନ୍ତା ।
କହିହୁଏନି କିଛି । ବାପା ସବୁବେଳେ ଚାହାଁନ୍ତି , ଘରେ ତାଙ୍କ ହିସାବରେ କାମ ହେଉ । ଅହଂକାର ବୋଧେ ! ମନ ଭିତରେ ଢେର ଅସନ୍ତୋଷ ରଖି ମୁଁ ଚୁପ୍ ରହେ ।
{୨}
- ମା ! ପାଁଶ' ଦର୍କାର ।
- କଣ କରିବୁ ?
- ସ୍ପୋର୍ଟସୁ' କିଣିବି ।
- ଏବେପା' କଣ ହଳେ ଆଣିଥିଲୁ ?
- ତାକୁ ପିନ୍ଧି ଖେଳି ହେବନି ।
- ଓଃ , ରହ ବାପାଙ୍କୁ କୁହେଁ ।
{୩}
ଆମ ଶିଢି ତଳେ ଜୋତାଷ୍ଟାଣ୍ଡ । ବାପା କାଠପଟାରେ ତିଆରି କରାଇଥିଲେ । ସେଥିରେ ଖୁନ୍ଦାଖୁନ୍ଦି ହୋଇ ମୋର ଆଉ ଝୁନିର ଜୋତାସବୁ । ଚାରିଟା ଥାକରୁ ଦୁଇଟା ମୋର , ଦୁଇଟା ତାର । ମା'ର ସେ ଫୁଲପକା ନାରଂଗି ହାଓ୍ୱାଇ ଚପଲ , ଆଉ ବାପାଙ୍କ ସେ ଅତିପ୍ରିୟ ରୋଗୀଣା ଗୋଧୀଚମଡ଼ାର ଜୋତା ଦୁଇଟି ପଡିରୁହନ୍ତି କେମିତି ଗୋଟେ ଅପରିଛନିଆ ହୋଇ । ଭାରି ଦୃଷ୍ଟିକଟୁ ହୁଏ । କହିହୁଏନି କିଛି ।
ଥରେ , ଝୁନି ସହ ମିଶି ମା'କୁ କହିଲୁ ,
- ବାପାଙ୍କ ଲାଗି ହଳେ ଜୋତା ଆଣିବୁ , ପଇସା ଦେ' ।
- ନିଜ କଥା ନିଜେ ବୁଝ । ବାପାଙ୍କ ରାଗତ ଜାଣିଛ ।
ମା' ଆମ ମୁହଁ ବନ୍ଦ କରିଦେଲା ।
{୪}
ଝୁନି ଜିଦ୍ କଲା । ତା ବଏଫ୍ରେଣ୍ଡ୍ କୁ ହିଁ ବାହାହେବ ! ଜାଣିଶୁଣି ଭାରି ଭଲଭଲ ପ୍ରସ୍ତାବ ସବୁ ନିଜେ ଭାଙ୍ଗି ଦେଉଥିଲା । ମୁଁ ଜାଣିଥିଲି ସେ ପିଲାକୁ । କେମିତି ତା' ପାଲରେ ପଡିଲା କେଯାଣି ?
ବାପା କିଛିଦିନ ଗୁମସୁମ୍ ରହିଲେ । ପଦା ବଜାରକୁ ଆଉ ବାହାରିଲେ ନାହିଁ । ଘର ଅନ୍ଧାରରେ ରହି ବୋଧେ ନିଜକୁ ପ୍ରସ୍ତୁତ କରାଉଥିଲେ , କେମିତି ଏ ଅପବାଦ ସହିବେ ! ହଠାତ୍ ଦିନେ ସକାଳୁ ଝୁନିକୁ ଉଠେଇ କହିଲେ -
- ମା ଆସନ୍ତା ତିଥିରେ କାମଟା ସାରିଦେବା ।
ନିଦ ମଳମଳ ଆଖିରେ ଝୁନି ବାପାଙ୍କୁ ହାଁ' କରି ଚାହିଁଥିଲା । ମା ପିଢ଼ା ଉପରେ ବସି ଲୁହ ଗଡାଉଥିଲା ଚୁପଚାପ୍ । ମୁଁ ରାଗ ଗରଗର ହେଉଥିଲି ।
{୫}
ଝୁନିର ବା'ଘର ମନ୍ଦିରରେ ଯେନତେନ ସରିଗଲା । ବାପା ବେଶିଲୋକଙ୍କୁ କହିନଥିଲେ । ସେ ଯିବାପରେ , ଜୋତାଷ୍ଟାଣ୍ଡ ରେ ଦୁଇଟା ଥାକ ଯଦିଓ ଖାଲି ହୋଇଗଲା , ତେବେ ମୁଁ ମୋର ଖୁନ୍ଦାଖୁନ୍ଦି ଜୋତାଙ୍କୁ ଟିକେ ଛଡାଛଡା କରି ସଜାଇ ଦେଲି । ଜାଗା ପୁରିଗଲା , ସୁନ୍ଦର ବି ଦେଖାଗଲା । ମା' ବାପାଙ୍କ ଦି'ହଳ ଯାକ କେମିତି ଗୋଟେ ଅଳିଆ ପରି ପଡିଥାନ୍ତି କୋଣରେ ସେମିତି ।
{୬}
ଦିନେ ସେ ମୋଚିକୁ କହିଲି -
- ଚାଚା ! ବୁଝାନ୍ତନି ଯାଇ ବାପାଙ୍କୁ , ନୂଆହଳେ ଆଣନ୍ତେ ?
- ହେ ହେ .. ଥାଉ ବାବୁ । ବାପାତ ଆଉ ଆସିପାରୁନାହାଁନ୍ତି । ଅନ୍ତତଃ ତାଙ୍କ ଜୋତା ଆସୁଛି । କେଉଁ କାଳୁ ତାଙ୍କୁ ଜାଣିଛି । କେତେ ଭଲ ମଣିଷ । ଏ ଜୋତା ଛୁଇଁଦେଲେ ପାଦ ଛୁଇଁଲା ପରି ଲାଗୁଛି ।
ମୋଚିଟେ ମୁହଁରୁ ଏକଥା ଶୁଣିବାକୁ ଭଲଲାଗୁନଥିଲା ମୋଟେ । ତଥାପି ମୁଁ ନିରୁପାୟ । ଏ ଜୋତା ପୁଣି ଦି'ମାସରେ ଛିଡିବ । ବାପା ପଠେଇବେ ମୋତେ ।
ଜୋତାହଳେର ଆୟୁଷ ଅବା କେତେ ? ତାକୁ ଅମର କରିଦେବାର ବାପାଙ୍କ ଇଚ୍ଛାକୁ , ଏଇ ମୋଚିଟା ସହଯୋଗ କରୁଥିବାରୁ , ଖୁବ୍ ଘୃଣା ଲାଗେ ଲୋକଟାକୁ । ସେ କହିପାରନ୍ତା ,
- ନା ଆଉ ଚଳିବନି ଏଗୁଡା । ବଦଳାଇ ନୂଆଆଣ ।
ବାପା ହୁଏତ ମାନିନିଅନ୍ତେ ମୋଚିର କଥା !!!!
{୭}
ମୋତେ ଛୋଟିଆ ଚାକିରୀ ଖଣ୍ଡେ ଖୁବ୍ ଦର୍କାର ଥିଲା । ମୁଁ ଅଯୋଗ୍ୟ ନଥିଲି । ମୋତେ ଚାକିରୀଟେ ଦେବାକୁ କେହି ଯୋଗ୍ୟ ହେଉନଥିଲେ । ଝୁନି ବା'ଘର ରେ ବାପା ସବୁ ସାରିଦେଇଥିଲେ । ଏବେ ପେନସନ୍ ରେ ଚଳୁଥିଲା ଘର ।
ଏଇ ବେକାରୀ ସମୟଟା ସବୁ ପୁଅ ମାନଙ୍କ ପାଇଁ ଖୁବ୍ ଦୁର୍ବିସହ । ମା ବୁଝାଉଥିଲା ବେସ୍ତ ନହୋଇ ଚେଷ୍ଟା କରିବାକୁ । ବାପା କିଛି କହୁ ନଥିଲେ ।
ମୁଁ ବେଳେବେଳେ ଚାହେଁ , ବାପା ମୋତେ ଖୁବ୍ ଗାଳି କରନ୍ତେ କି । ମୋ ପଛରେ ଏତେ ଖର୍ଚ୍ଚ କରିବି ମୁଁ ଅମଣିଷ ! ଅନ୍ତତଃ ତାଙ୍କଠୁଁ ଗାଳି ଶୁଣି କିଛି ଋଣ ସୁଝି ପାରନ୍ତି !
ମୋ ଅପାରଗତା କୁ ନେଇ ବାପାଙ୍କ ଚୁପ୍ ରହିବା ମୋତେ ଆଉରି କଷ୍ଟ ଦିଏ ।
ସତରେ କଣ ବାପା ହୋଇଗଲାପରେ , ମଣିଷଟା ଅଭଙ୍ଗା ପଥର ପାଲଟିଯାଏ ???
{୮}
- କାଲି ରାତିରୁ ବାପାଙ୍କ ପାଦ ବେଶି ବିନ୍ଧୁଛି । ଯା ଟିକେ ନେଇ ଡାକ୍ତର ଦେଖେଇ ଆଣିବୁ ।
- ହଉ , କହ ବାହାରନ୍ତୁ ।
ଡାକ୍ତର ଭଲକି ଦେଖିଲେ ବାପାଙ୍କୁ । ବ୍ଲଡପ୍ରେସର୍ , ସୁଗାର୍ କଥା ସବୁ ବୁଝିଲେ । କହିଲେ
- ଏସବୁ ଅଧିକା ଓଜନ ବୋହିବାର ଫଳ । ପାଦରେ ପ୍ରେସର ଆସୁଛି । ଦେଖନ୍ତୁ , ଗୋଇଠି ଘୋରି ହୋଇଗଲାଣି । ଓଷଧ ଖାଆନ୍ତୁ । କଷ୍ଟ କମିଯିବ । ତେବେ ଖାଲିପାଦରେ ଚଲାବୁଲା କରିବେ ନାହିଁ ।
- ନାଇଁ ତ , ଜୋତା ବ୍ୟବହାର କରେ ସବୁବେଳେ ।
ଡାକ୍ତର ଦେଖିଲେ ନିରିଖେଇ । ବାପାଙ୍କ ପାଦ ଆକାର ର ଗୋଟେ ଗାଢୁଆ ଦାଗ , ଜୋତା ଉପରେ ଜଣାପଡ଼ୁଥିଲା । ସୋଲ୍ ପ୍ରାୟ ସରିଯାଇଥିଲା ।
ମୋତେ ଓଲଟାଇବାକୁ କହିଲେ । ଓଲଟାଇବାରୁ ଦେଖିଲି ଗୋଟେ ଛୋଟ ସରୁ ଲୁହାକଣ୍ଟା ପଶି ଯାଇଛି ଭିତରେ । ମଇଳା ଲାଗି ଜଣାପଡୁନି ଭଲକି । ସାଙ୍ଗେସାଙ୍ଗେ ଗାଡି ଚାବି ପୁରାଇ କାଢିଦେଲି ମୁଁ ।
ଡାକ୍ତର କହିଲେ - ଜୋତା ବଦଳାନ୍ତୁ ।
ବାପା କହିଲେ - କଣ୍ଟାଟା କାଢିଦେଲାତ ପୁଅ । ପୁଣି ...!!!
✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿