Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Abhiram Mandal

Children Stories

2.5  

Abhiram Mandal

Children Stories

ଜଳପରୀ

ଜଳପରୀ

4 mins
425


ଅନେକ ଦିନ ତଳର କଥା । ଏ ଭିତରେ କେତେ ଯେ ବର୍ଷ ବିତି ଯାଇଛି ତାହା କହିହେବ ନାହିଁ । ସେତେବେଳେ ସମୁଦ୍ର କୂଳରେ ଥିଲା ଛୋଟ ଗାଁଟିଏ । ଗାଁର ଅଧିବାସୀ ସମସ୍ତେ ପ୍ରାୟ ଧୀବର ଶ୍ରେଣୀର । ସମୁଦ୍ରରୁ ମାଛ ଧରିବା ସେମାନଙ୍କର ପ୍ରଧାନ କାମ । ସେହି ଗାଁରେ ବୁଢାଟିଏ ରହୁଥିଲା । ତାର ଦୁଇ ପୁଅ । ବଡ଼ ପୁଅର ନାଁ ଦୁର୍ଯ୍ୟୋଧନ, ସାନ ପୁଅର ନାଁ ଯୁଧିଷ୍ଠିର । ନାଁ ଅନୁସାରେ ଗୁଣ ବି ତଦ୍ରୁପ । ବଡ଼ ପୁଅ ମନରେ ହିଂସା, ଦ୍ୱେଷ,ଘୃଣାଭାବ ଭରପୁର ହେଇ ରହିଥିଲା । ସେ ସର୍ବଦା ଅନ୍ୟର ଅମଙ୍ଗଳ କାମନା କରୁଥିଲା । ମାତ୍ର ସାନ ପୁଅ, ଆକାଶ ପରି ଉଦାର । ତାର ହୃଦୟରେ ଶାନ୍ତି, ଅହିଂସା ପୁରି ରହିଥିଲା । ବୁଢା ତାର ଜୀବନ କାଳ ମଧ୍ୟରେ ଯାହା ସମ୍ପତ୍ତି ରଖିଥିଲା ସେଥିରେ ଏହି ୩ ଜଣ ଖୁସିରେ ଚଳି ଯାଉଥିଲେ । ମାତ୍ର କିଛି ଦିନ ପରେ ବୁଢାଟି ପରପାରିକୁ ଚାଲିଯିବାରୁ ବଡ଼ ପୁଅ ଦୁର୍ଯ୍ୟୋଧନ ସମସ୍ତ ସମ୍ପତ୍ତି ଅକ୍ତିଆର କଲା । ସାନ ଭାଇକୁ କିଛି ଦେଲା ନାହିଁ । ସାନ ଭାଇ ଯେତେବେଳେ ବଡ଼ ଭାଇକୁ ନିଜର ଭାଗ ମାଗିଲା, ସେତେବେଳେ ବଡ ଭାଇ କହିଲା-" ତୋର ଏ ସମ୍ପତ୍ତି ଉପରେ କିଛି ଭାଗ ନାହିଁ । ଯା...ଯା...ବାଡ଼ିରେ ଯେଉଁ ପଥର ପଡିଛି, ତାହାକୁ ନେଇ ଯା' । ତୋ ଭାଗରେ ସେହି ପଥର ପଡିଛି ।" ସାନ ଭାଇ ଆଉ କିଛି ନକହି ଅଗତ୍ୟା ସେହି ପଥରକୁ ଧରି ସହର ଆଡେ ଚାଲିଲା ।


ସହରରେ ପଥର ଖଣ୍ଡିକ ବିକିବା ପାଇଁ ଚେଷ୍ଟା କଲା । ମାତ୍ର ପଥର ଖଣ୍ଡିକୁ କିଏ ବା କାହିଁକି ନବ ? ଯିଏ ଦେଖିଲା ସିଏ କହିଲା ଲୋକଟା ପାଗଳ ହେଇ ଯାଇଛି । ତାକୁ ବିକି ନପାରି ସେ ସମୁଦ୍ର କୁଳ ଆଡେ ଚାଲିଲା, ଯେଉଁଠାରେ କି ତାର ବାପା ସବୁଦିନେ ମାଛ ଧରୁଥିଲେ । ସେଠାରେ ପଥରକୁ ଥୋଇ ମନ ଦୁଃଖରେ ବସି ରହିଲା । ସେହି ସମୁଦ୍ରରେ ଏକ ଜଳପରୀ ବାସ କରୁଥିଲା । ସେ ପରୀଟି ଯୁଧିଷ୍ଟିରର ଦୁଃଖ ଦେଖି ତା ପାଖକୁ ଆସିଲା ଆଉ ତାକୁ ଦୁଃଖର କାରଣ ପଚାରିଲା । ସେ ପରୀଟିକୁ ସବୁ କଥା ସଂକ୍ଷେପରେ କହିଲା । ତା' କଥା ଶୁଣି ପରୀଟି ମଧ୍ୟ ଦୁଃଖ ପ୍ରକାଶ କଲା । ଏହାପରେ ସେ ପରୀଟି ତା' ପାଖରେ ଥିବା ଗୋଟିଏ ହୀରା ମୁଦି ଦେଇ କହିଲା-"ଏହାକୁ ରଖିଥାଅ । ଏହି ମୁଦିଟିକୁ ଧରି ମତେ ସ୍ମରଣ କଲେ ମୁଁ ତୁମ ପାଖରେ ପହଞ୍ଚିବି । ତୁମକୁ କିଛି ସୁନା ଦେଉଛି, ଏହାକୁ ନେଇ ତୁମେ ବ୍ୟବସାୟ କର ।" ସୁନା ପାଇ ଯୁଧିଷ୍ଠିର ଅତ୍ୟନ୍ତ ଖୁସି ହେଇଗଲା । ସେଥିରେ ସେ ବ୍ୟବସାୟ ଆରମ୍ଭ କଲା । କ୍ରମେ କ୍ରମେ ସେ ଜଣେ ଧନୀଲୋକ ହେଇଗଲା ଏବଂ ସମୁଦ୍ର କୂଳରେ ଏକ ଘର ନିର୍ମାଣ କଲା ।


ଏଣେ ବଡ଼ ଭାଇ ସମସ୍ତ ସମ୍ପତ୍ତି ନେଇ କୌଣସି କାମ ନ କରି ତାହାକୁ ବିକ୍ରି କରି ଖାଇବାକୁ ଲାଗିଲା । ବସି ଖାଇଲେ ତ ନଈ ବାଲି ସରେ । ସାମାନ୍ୟ ସମ୍ପତ୍ତି ବା କେତେଦିନ ଯିବ ? କିଛିଦିନ ପରେ ତାର ସବୁ ସମ୍ପତ୍ତି ସରିଗଲା । ସମ୍ପତ୍ତି ସରିଯିବାରୁ ତା ମୁଣ୍ଡରେ ଚିନ୍ତା ପଶିଲା । ଖାଇବାକୁ ନପାଇ ସେ ଏଣେ ତେଣେ ବୁଲିବାକୁ ଲାଗିଲା । ଦିନେ ବୁଲୁ ବୁଲୁ ସମୁଦ୍ର କୂଳରେ ଥିବା ସେହି ଘରଟିକୁ ଦେଖି ତାର କୌତୁହଳ ହେଲା । ଘରଟି କାହାର ଜାଣିବା ପାଇଁ ସେ ସେହି ଘର ଆଡେ଼ ଯାଉ ଯାଉ ତାର ସାନ ଭାଇକୁ ଦେଖିଲା । ସାନ ଭାଇ ତ ସର୍ବଦା ଶାନ୍ତି ପ୍ରିୟ । ତେଣୁ ସେ ପୂର୍ବ ଘଟଣା ଭୁଲି ବଡ଼ ଭାଇକୁ ସ୍ନେହ ଆଦର କରି ଘରକୁ ଡାକିନେଲା । ଏହାପରେ ବଡ ଭାଇ ଦୁର୍ଯ୍ୟୋଧନ ସେହିଠାରେ ରହିବାକୁ ଲାଗିଲା ।


ହେଲେ କଥାରେ ଅଛି ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ । ସାନ ଭାଇର ସମ୍ପତ୍ତି ଦେଖି ଦୁର୍ଯ୍ୟୋଧନର ଖୁବ ଇର୍ଷା ହେଲା । ଦିନେ ସେ ସାନ ଭାଇକୁ ଡାକି କହିଲା -" ଘରେ ଖାଲିଟାରେ ବସି ଭଲ ଲାଗୁନାହିଁ । ମତେ କିଛି ଟଙ୍କା ଦେ, ମୁଁ ବ୍ୟବସାୟ କରିବି ।" ସାନ ଭାଇ ଏ କଥା ଶୁଣି ତାକୁ ଏକ ହଜାର ସୁନା ମୋହର ଦେଲା । ବଡ଼ ଭାଇ ସେ ସୁନା ମୋହରତକ ନେଇ ସେ ସ୍ଥାନ ପରିତ୍ୟାଗ କଲା । କିଛିଦିନ ପରେ ପୁଣି ସାନ ଭାଇ ପାଖକୁ ଆସି କହିଲା -" ବ୍ୟବସାୟରେ ବହୁତ କ୍ଷତି ହେଉଛି । ସେ ଆଉ ଚାଲିବା ଅବସ୍ଥାରେ ନାହିଁ । ମତେ ଆଉ କିଛି ଟଙ୍କା ଦେ ।" ସାନ ଭାଇ କିଛି ନଭାବି ଆଉ ହଜାରେ ମୋହର ଦେଲା ।


ଏଥର ମଧ୍ୟ ସେତକ ନେଇ ପୂର୍ବପରି ଖର୍ଚ୍ଚ କରି ପୁନଶ୍ଚ ଯେତେବେଳେ ସାନଭାଇକୁ ଟଙ୍କା ମାଗିଲା, ସାନ ଭାଇ ମନରେ ସନ୍ଦେହ ହେଲା । ତେଣୁ ସେ ଟଙ୍କା ଦେବାକୁ ମନା କରିଦେଲା । ଟଙ୍କା ନପାଇବାରୁ ବଡ଼ ଭାଇ ଖୁବ ରାଗିଗଲା ଏବଂ ତାକୁ ମାରିଦେବା ପାଇଁ ଯୋଜନା କଲା । ରାତିରେ ସାନ ଭାଇ ଶୋଇଥିବା ଅବସ୍ଥାରେ ତାକୁ ଟେକି ନେଇ ସମୁଦ୍ରରେ ପକାଇ ଦେଲା ଏବଂ ଖୁସି ମନରେ ଘରକୁ ଫେରି ଆସିଲା । ମନେ ମନେ ଭାବିଲା ଏଥର କଣ୍ଟା ଗଲା । ସବୁ ସମ୍ପତ୍ତିର ଅଧିକାରୀ ସେ ।


କିନ୍ତୁ ସମୁଦ୍ରରେ ପଡ଼ିବାର ଠିକ ପୂର୍ବରୁ ଯୁଧିଷ୍ଟିରର ନିଦ ଭାଙ୍ଗିଗଲା ଏବଂ ସେ ଜଳପରୀକୁ ସ୍ମରଣ କଲା । ଜଳ ପରୀ ତତକ୍ଷଣାତ ସେଠାରେ ପହଞ୍ଚି ତାକୁ ଉଦ୍ଧାର କଲା ଆଉ କୂଳକୁ ଘେନି ଆସିଲା । ଏଥର ଜଳପରୀ ତାକୁ ନେଇ ତାର ବଡ଼ ଭାଇ ପାଖକୁ ଗଲା ।ସାନ ଭାଇକୁ ବଞ୍ଚିଥିବାର ଦେଖି ବଡ଼ ଭାଇର ହୋସ ଉଡ଼ିଗଲା । ପରୀଟି ଦୁର୍ଯ୍ୟୋଧନ ଉପରେ ଏତେ ରାଗିଥିଲା ଯେ ସେ ତାକୁ ଗୋଟିଏ ପଥର ମୂର୍ତ୍ତିରେ ପରିଣତ କରିଦେଲା । ତାହା ଥିଲା ବଡ଼ ଭାଇର କୁକର୍ମ ପାଇଁ ଉପଯୁକ୍ତ ଦଣ୍ଡ । ପଥର ମୂର୍ତ୍ତିକୁ ଦେଖି ସାନ ଭାଇ ଦୁଃଖ ପ୍ରକାଶ କରିବାରୁ ପରୀଟି କହିଲା -" ଏହି ଲୋକ ତୁମ ସହିତ ଯେଉଁ ବିଶ୍ୱାସ ଘାତକତା କରିଛି, ସେଥିପାଇଁ ମୁଁ ଏହାକୁ ଦଣ୍ଡ ଦେଲି । ଏହାକୁ ନେଇ ତୁମର ଘର ଆଗରେ ପ୍ରତିଷ୍ଠା କର । ଫଳରେ ଏହାକୁ ଦେଖି ଅନ୍ୟ କୌଣସି ଲୋକ ବିଶ୍ୱାସ ଘାତକତା କରିବ ନାହିଁ ।" ଏତିକି କହି ପରୀଟି ସମୁଦ୍ରଆଡେ ଚାଲିଗଲା ଆଉ ତାପରେ ସାନଭାଇ ଖୁବ ଖୁସିରେ ଜୀବନ ଅତିବାହିତ କଲା ।



Rate this content
Log in