STORYMIRROR

Sachidananda Kar

Others

3  

Sachidananda Kar

Others

ଜୀବନ ଭଗ୍ନାଂଶ

ଜୀବନ ଭଗ୍ନାଂଶ

3 mins
160

    ଆପଣ ସାହିତ୍ୟ କରନ୍ତି କି?

   

ମୋତେ ଦେଖୁ ଦେଖୁ ହଠାତ୍ ଏମିତି ପ୍ରଶ୍ନ ପଚାରିଦେଲେ ସେ ।  


    ହାତରେ ବଙ୍କୁଲୀବାଡି, ମୁହଁରେ ପାଚିଲା ଦାଢି, ଆଶ୍ଵିନ ଆକାଶର ଭାସମାନ ମେଘରଙ୍ଗର ଚୁଟି ସବୁ । ବୟସ ସତୁରିରୁ ଆଦୌ କମ୍ ଲାଗୁ ନ ଥିଲା । କାଠଯୋଡ଼ି ରିଂ ବନ୍ଧରେ ଥିବା ସ୍ଥାୟୀ ସିମେଣ୍ଟ ବେଞ୍ଚ ଉପରେ ବସିଥିଲେ ସେ ।  


    ମୋର ଖୁବ୍ ଅପରିଚିତ ଥିଲେ ମଧ୍ୟ ତାଙ୍କ ପ୍ରଶ୍ନ ମୋତେ ତାଙ୍କ ପାଖରେ ଅଟକାଇ ଦେଲା । - " ହଁ, ମୁଁ ସାହିତ୍ୟ କରେ । " ଇଷତ୍ ହସିଦେଇ ମୁଁ ତାଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେଲି । 

  

    - "ତେବେ ମୋର ଅନୁମାନ ସତ୍ୟ । ଯଦି ସମୟ ଅଛି ବସନ୍ତୁ । କଥାବାର୍ତ୍ତା ହେବା । ସାହିତ୍ୟିକଙ୍କ ସହିତ କଥାବାର୍ତ୍ତା ହେବାକୁ ମୋତେ ଖୁବ୍ ଭଲଲାଗେ । " ସେ ଅନୁରୋଧ ଭରା ଭଙ୍ଗୀରେ କହିଲେ ।  


    ମୋ ବାପା ବୟସର ମଣିଷ ଥିଲେ ସେ । ତାଙ୍କ ଅନୁରୋଧ ଏଡାଇ ପାରିଲି ନାହିଁ । ସାନ୍ଧ୍ଯ ଭ୍ରମଣ ଓ ସୁନ୍ଦର ଶରତ ପ୍ରକୃତିର ସାନ୍ଧ୍ଯ ଦୃଶ୍ୟ ଉପଭୋଗରେ ପୂର୍ଣ୍ଣଛେଦ ଟାଣି ମୁଁ ତାଙ୍କ ପାଖରେ ବସିପଡିଲି ।  


    - " ଅନେକ ସ୍ୱପ୍ନ ଦେଖିଥିଲି । ହେଲେ ଜୀବନ ଅପୂର୍ଣ୍ଣତାରେ ଭରିଗଲା । ସମୟ ଆସି ସରିବାକୁ ବସିଲା । ସାକାର ହୋଇପାରିଲା ନାହିଁ ଅନେକ ସ୍ୱପ୍ନ । " କଥା ଆରମ୍ଭ କରିବାକୁ ଯାଇ ସେ କହିଲେ ।  


    - " ତା' ହେଲେ ଏମିତି ବଞ୍ଚିବାର ବାଟ ଖୋଜି ଚାଲିଛନ୍ତି ଆପଣ?କିଛି ପାଇବାର ଆଶାରେ ଉଠି ଧାଇଁବାରେ ଲାଗିଛନ୍ତି । ଧାଇଁ ଧାଇଁ ଥକି ଗଲା ପରେ ସ୍ଥିର ହୋଇ ବସି ଯାଉଛନ୍ତି । ଏଇଆ ନା? " ମୁଁ ସିଧା ସିଧା ତାଙ୍କ ମୁହଁକୁ ଚାହିଁ କହିଲି ।  


    - " ହଁ, ଦିନ ପରେ ଦିନ ବିତିଗଲା । ସମୟ ମାପି ନେଲା ବୟସ । ନଇଁଗଲା ଜୀବନ ବୃକ୍ଷ । ଜୀବନ ଗୋଟେ ଭଗ୍ନାଂଶ ପାଲଟିଗଲା । ଏବେ ପ୍ରାପ୍ତି ଅପ୍ରାପ୍ତିର ହିସାବ କରିବାକୁ ପଡୁଛି । ଶୋଷ ଅବସୋସ ଖୋଜିବାକୁ ହେଉଛି ।" ଜଣେ ଚିନ୍ତାଶୀଳ ମଣିଷ ପରି ସେ କହିଲେ ।  


    କିଛି କହିବା ପୂର୍ବରୁ କିଛି ସମୟ ପାଇଁ ମୁଁ ଚାହିଁ ରହିଲି ତାଙ୍କ ନୀରସ ମୁହଁଟି ଆଡେ । ତାଙ୍କ କଥାରେ ସତ୍ୟତା ଥିବା କହି ଦେଉଥିଲା ତାଙ୍କ ମୁହଁ । ତାଙ୍କୁ କ'ଣ କହିବି ଭାବି ଧୀରେଧୀରେ ଅନ୍ୟମନସ୍କ ହୋଇଗଲି ।  


    ମୋ ଶଦ୍ଦକୁ ଅପେକ୍ଷା କରିଥିଲେ ସେ । ଚାହିଁ ରହିଥିଲେ ମୋ ମୁହଁ ଆଡେ ।  


    ହଠାତ୍ ପ୍ରକୃତିସ୍ଥ ହୋଇ ତାଙ୍କୁ କହିଲି - " ସ୍ୱପ୍ନ ଦେଖିଲେ, ଅଥଚ ପ୍ରକୃତିର ବିଚିତ୍ର ବିଭବ ଦେଖି ପାରିଲେନି କାହିଁକି?ଆଲୋକ, ପବନ, ପାଣି, ଫୁଲର ସୁରଭି, ପକ୍ଷୀର ସୁମଧୁର କାକଳି ଏଠି ମାଗଣାରେ ମିଳୁଛି । କେବେ ସେସବୁ ସଂସ୍ପର୍ଶରେ ଆସିଛନ୍ତି?ବିଭୋର ହୋଇଛନ୍ତି କେବେ ମାଟିର ବାସ୍ନାରେ? " 


    - " ନା, ସେଥିପାଇଁ ସମୟ କୋଉଠି ମିଳିଲା କି ମୋତେ?ସ୍ୱପ୍ନ ପଛରେ ଧାଇଁ ଧାଇଁ ତ ବିତିଗଲା ତମାମ୍ ଜୀବନ । ଧୀରେଧୀରେ ସ୍ୱପ୍ନ ସବୁ ଦୀର୍ଘଶ୍ବାସ ପାଲଟିଗଲେ । ଏବେ ଜୀବନ ସଙ୍ଗୀତ ଶୁଣିବା ମୋ ପାଇଁ ସ୍ୱପ୍ନ ପରି ହୋଇଛି ।" ସେ ନିରାଶ ଭାବରେ କହିଲେ ।  


    - " କେବେ ଦେଖିଛନ୍ତି କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟ?ଉପଭୋଗ କରିଛନ୍ତି କି ସେଇଠି ପ୍ରସ୍ତର ଦେହରେ ଲୁଚି ରହିଥିବା ତା'ର ମାଦକତାକୁ?ଘଞ୍ଚ ବନାନୀ ଭିତରେ ବୁଲି କେବେ ଦେଖିଛନ୍ତି କି ଛାଇ ଆଲୁଅର ଖେଳ?ଦେଖିଛନ୍ତି କି ନଦ ନଦୀ , ଝରଣା, ପାହାଡ଼, ସମୁଦ୍ରର ମନଲୋଭା ଦୃଶ୍ୟ? " ମୁଁ ପୁଣି କହିଲି ।  


    - " ନା, ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ କେବଳ ସ୍ୱପ୍ନ ପଛରେ ପଡିରହିଲି । ସେସବୁ କିଛି ଦେଖିପାରିଲି ନାହିଁ ଜୀବନରେ । " ସେ କହିଲେ ଦୁଃଖ ପ୍ରକାଶ ଭଙ୍ଗୀରେ ।  


    - " ସେଥିପାଇଁ ଆଜି ନାନା ଅପୂର୍ଣ୍ଣତାରେ ଭରିଗଲା ଜୀବନ । ଜୀବନ ପାଲଟିଗଲା ଦୀର୍ଘଶ୍ବାସ । ଅନ୍ୟକୁ ଆକର୍ଷଣ କରିବା ପାଇଁ କେବଳ ସ୍ୱପ୍ନ ପୂରଣ ନୁହେଁ, ଜୀବନରେ ଆହୁରି ଅନେକ ଉପାଦାନ ରହିଛି । ଆପଣ ସେପର୍ଯ୍ୟନ୍ତ ଯାଇ ପାରିନାହାନ୍ତି । ତା' ନ ହେଲେ ଆଜି ପରିଣତ ବୟସରେ ଆପଣଙ୍କୁ ଏତେ କଥା ଭାବିବାକୁ ପଡୁ ନ ଥାନ୍ତା । ଜୀବନ କେବେ ଅପୂର୍ଣ୍ଣ ହୋଇ ରହି ନ ଥାନ୍ତା । " ମୁଁ ବୁଝାଇବା ଭଙ୍ଗୀରେ କହିଲି ।  


    ମୋ କଥାଶେଷରେ ଅନ୍ୟମନସ୍କ ହୋଇଗଲେ ସେ । 'ଆସୁଛି' କହି ମୁଁ ତାଙ୍କ ପାଖରୁ ଉଠି ଚାଲିଗଲି ।  


    - " ତେବେ କ'ଣ ସାରାଜୀବନ ସ୍ୱପ୍ନ ପଛରେ ପଡିଥିବା ମଣିଷମାନଙ୍କର ଏ ହେଉଛି ଶେଷ ପରିଣତି? " 


    ଏଇ ଗୋଟିଏ ପ୍ରଶ୍ନକୁ ନେଇ ସେଦିନ ମୁଁ ବିବାକ୍ ଅନ୍ୟମନସ୍କ ହୋଇରହିଲି । ହଁ, ଖୁବ୍ ଅନ୍ୟମନସ୍କ ରହିଲି । ଖୁବ୍ .... । 



Rate this content
Log in