ଜୀବନ ବଦଳ
ଜୀବନ ବଦଳ
ନରହରି ସବୁଦିନେ ତା' ପୁଅ ସହିତ ପିଲା ପରି ବ୍ୟବହାର କରେ।ଦଶ ବର୍ଷର ପୁଅ।ମା' ଛେଉଣ୍ଡ।
ରୋଜଗାର ନାହିଁ।ତେଣୁ ପୁଅକୁ କିଛି ଦେଇପାରେନି ସେ।ବଡଘରର ପିଲାଙ୍କୁ ଦେଖଲେ ନିଜ ଭିତରେ ଲୁଚିଲୁଚି କାନ୍ଦେ।କେବଳ ପେଟପୂରା ଖାଇବାକୁ ଦେଇପାରେ ବୋଲି ମନରେ କିଛିଟା ସାନ୍ତ୍ବନା ଥାଏ।
- ବାପା,ମୁଁ କିଛି କାମ କରିବି। ଦିନେ ପୁଅ ତାକୁ କହିଲା।
- କାମ କରିବା ବୟସ କ'ଣ ତୋର ହେଲାଣି?ତୁ ଖେଳିବୁ ଯା'।'ସେ କହିଲା।
ପୁଅ ଖେଳିବାକୁ ଚାଲିଗଲା।
ଯାଉଯାଉ ଗୋଟେ ବଡ଼ ଘର ପାଖରେ ଅଟକିଗଲା ସେ।ଘରୁ ଭାସିଆସୁଥାଏ ସୁନ୍ଦର ବାସ୍ନା।- ଆହା ! କି ସୁନ୍ଦର ବାସ୍ନା! ସେ କହିପକାଇଲା।
ଏତିକିବେଳେ ତା' ବୟସର ପିଲାଟିଏ ଆସି ତା' ପାଖରେ ପହଞ୍ଚିଲା।ହାତରେ ଧରିଥାଏ ଖଣ୍ଡେ ପୁରି। ଦାନ୍ତରେ ଟିକେଟିକେ କାମୁଡ଼ି ଖାଉଥାଏ।
ଏହା ପୁରିର ବାସ୍ନା।ବୁଝିଗଲା ସେ।
- ମା' ପୁରି ଛାଣୁଛନ୍ତି।ଆଣିଦେବି? ପିଲାଟି କହିଲା।
ପାଟିରୁ ଗଡ଼ି ଆସୁଥିବା ଲାଳକୁ ଢୋକି ସେ କହିଲା - ନା,ମୋ ମା'ବି ଆଜି ପୁରି ଛାଣିଥିଲେ।ଖାଇ ଖେଳିବାକୁ ଆସିଲି। କହି ଆଗକୁ ଚାଲିଗଲା।
- ଆହା!ମିଛ କହି ଚାଲିଆସିଲି।ପୁରି ଦୁଇଟା ଖାଇଥିଲେ କେତେ ଭଲ ହୋଇଥାନ୍ତା ! ମନକୁମନ କହିଲା ସେ।ତା'ର ମା' ମନେପଡିଲା।ସେ କାନ୍ଦିପକାଇଲା।
ଯାଉଯାଉ ଆଉ ଗୋଟେ ବଡ଼ଘର ପାଖରେ ଠିଆ ହୋଇଗଲା ସେ।
- ଫୁଙ୍ଗୁଳା ଦିହ!ଡ୍ରେସ୍ ଆଣିଦେବି? ମୋର ବହୁତ ଅଛି। ତା' ବୟସର ପିଲାଟିଏ ତା' ପାଖରେ ପହଞ୍ଚି କହିଲା।କହି ଡ୍ରେସ୍ ଆଣିବାକୁ ଘର ଭିତରକୁ ଦୌଡିଲା।
ସେ ଆଶ୍ଚର୍ଯ୍ୟ ହେଉଥିଲା।ପିଲାଟି ତାକୁ ହଳେ ସୁନ୍ଦର ଡ୍ରେସ୍ ଆଣି ଦେଖାଇଲା।- ଏଡ଼େ ସୁନ୍ଦର ଡ୍ରେସ୍! ସେ ମନକୁମନ କହିଲା।ତା'ର ଲୋଭ ହେଲା।ସେ ବଦଳାଇ ଦେଲା ତା'ର ଡ୍ରେସ୍।
ଏବେ ସେ ଖୁସିଖୁସିରେ ବାପା ପାଖକୁ ଦୌଡ଼ିଲା।ଆସି ବାପାକୁ ସବୁ କହିଲା।
ବାପାର ଖୁସିର ଚେହେରାକୁ ଅପେକ୍ଷା କରୁଥିଲା ସେ।
ହଠାତ୍ ବଦଳିଗଲା ତା' ବାପା।ରାଗିଯାଇ ଟାଣ ସ୍ବରରେ କହିଲା - କାଲି ଯଦି ତୋ ବାପାକୁ ବଦଳାଇ ଦେବାକୁ ତତେ କେହି କହେ,ଦେଖୁଛି ତୁ ବଦଳାଇଦେବୁ।
ଆଜିଯାଏ ତା' ପ୍ରତି ପିଲା ପରି ବ୍ୟବହାର କରି ଆସିଥିବା ବାପାର ଏଇ କଡ଼ା କଥା ତାକୁ ଭାରି ବାଧିଲା।ନିଜର ଭୁଲ୍ ବୁଝି ପାରିଲା ସେ।ଡ୍ରେସ୍ ଫେରାଇଦେବା ପାଇଁ ଏକମୁହାଁ ଧାଇଁଲା।
- କେହିଜଣେ ଆସି କହନ୍ତା କି , ନରହରି! ତୁ ଏତେ ଦିନ ଯାଏ ତା'ର ବାପା ହେଲୁ।ଏବେ ମୁଁ ତା'ର ବାପା ହେବାକୁ ଚାହେଁ।ଯାହା ହେଲେ ହୁଅନ୍ତା ପଛେ,ନିଜକୁ ବଦଳ କରିଦିଅନ୍ତି।କିଛି ଦେଇପାରୁନି ଯେତେବେଳେ....।
ପୁଅ ତା' ପାଖରୁ ଚାଲିଗଲାଣି କେତେବେଳୁ।ଏକାଏକା ବସି ମନଦୁଃଖରେ ଏଇକଥାକୁ ବାରମ୍ବାର ନିଜକୁ କହୁଥିଲା ନରହରି।