ଈଶ୍ୱରୀ
ଈଶ୍ୱରୀ
ଛାତିରେ ସ୍ପନ୍ଦନ ଉଠୁଥିଲା।
ମନ ହଜୁଥିଲା ଗଙ୍ଗଶିଉଳିର ବଗିଚାରେ।
କେଜାଣି ଏସବୁ ପ୍ରିୟତମା ପତ୍ନୀଙ୍କ ପାଇଁ ହୋଇଥିବ!
ଦିନେ ଅଚାନକ ସମୟର ଚୋରାବାଲି ତାଙ୍କ ଉପରେ ମୃତ୍ୟୁର ଚାଦର ଢାଙ୍କିଦେଲା।ସେ ଆରପାରିକୁ ଚାଲିଗଲେ।
ତାଙ୍କ ମୃତ୍ୟୁ ପରେ ବଞ୍ଚିବାର ଇଚ୍ଛା ନ ଥିଲା।ସେ ଯିବା ପ୍ରାୟ ବର୍ଷେ ବିତିଲାଣି।ଏବେ ବଞ୍ଚିବାକୁ ଇଚ୍ଛା ହେଉଛି।
ବଞ୍ଚିବାକୁ କେବଳ ଆୟୁଷ ନୁହେଁ,କେତେ କଥା ଲୋଡ଼ା ହୁଏ।ଗୀତ, ଗପ,କବିତା, ଦେହ, ମନ,ଫୁଲ,ପ୍ରେମ,ସ୍ବପ୍ନ,ସମ୍ଭୋଗ - କାହା ପାଇଁ କ'ଣ ଲୋଡ଼ା ହୋଇଥାଏ।
ଛଳଛଳ ଯୌବନ।
ସ୍ତ୍ରୀ ଯିବା ପରେ ମୋର କାହାଣୀ ଅଧାଲେଖା ହୋଇ ରହିଥିଲା।ଏବେ ପୂରା କରିବାକୁ ଇଚ୍ଛା ହେଲା।ଫୁଲ ଆଉ ସ୍ବପ୍ନ ଲୋଡାହେଲେ।
ଫୁଲ ଓ ସ୍ବପ୍ନ ପଛରେ ପଡିଗଲି ମୁଁ।
ଆମ ମହାନଗରୀରେ ଦିନେ ଗୋଟିଏ ଅନ୍ଧ ଗଳି ଦେଇ ଅଗତ୍ୟା ମୋତେ ଫେରିବାକୁ ପଡିଲା।ହଠାତ୍ ଦେଖିଲି ଦେହରୁ ପିନ୍ଧାବାସ ଖୋଲି ଦେଇ ଗୋଟିଏ ନାବାଳିକା ବେଶ୍ୟା ମୋତେ ନିମନ୍ତ୍ରଣ କରୁଛି।ସ୍ତବ୍ଧ ହୋଇ ତା' ପାଖରେ ଠିଆ ହୋଇଗଲି।ତାକୁ ନିରେଖି ଚାହିଁଲି।
କିଏ ଏଇ ଈଶ୍ୱରୀ !
ହଠାତ୍ ଏତିକି ମୋ ପାଟିରୁ ବାହାରିଗଲା।
ପତ୍ନୀଙ୍କ ସୁନ୍ଦର ମୁହଁଟି ମୋତେ ଜଳଜଳ ଦିଶିଲା।
ନାବାଳିକା ପାଖକୁ ଲାଗି ଆସିଲି।ତା'ର ସ୍ତନରୁ କ୍ଷୀର ଝରୁଥିବା ଦେଖିଲି।
ଅଳ୍ପ ହସିଦେଇ କହିଲି - ' ମୋତେ ଦେହ ଦେଖେଇବା ଆବଶ୍ୟକ ନାହିଁ।ତୋ ଦେହ ତୁ ଲୁଚାଇ ରଖ।ତୋ ଦେହ ମୋର କ'ଣ ହେବ !ଲୁଗା ପିନ୍ଧି ତୋ କୁନିଛୁଆ ପାଖକୁ ତୁ ଯା'।ତାକୁ କ୍ଷୀର ଦେବୁ।ଏଇ ନେ' ଏ ଶହେ ଟଙ୍କା ରଖ । '
ପର୍ସରୁ ଟଙ୍କା ବାହାର କରୁକରୁ ମୋ ହାତରୁ ଝାମ୍ପିନେଲା ସେ।ମୁର୍କି ହସି କହିଲା - ' ବିବାହ ପ୍ରଲୋଭନରୁ ଅନ୍ତସତ୍ତ୍ବା ହେଲି।ଝିଅ ଜନ୍ମ ଦେଇ ପ୍ରତାରିତା ହେଲି।ଏବେ ଏଇ ମୋର ଠିକଣା।ହେଲେ ମୁଁ ମରିଯାଇନି।ମରିବାକୁ ଆଦୌ ଇଚ୍ଛା ନାହିଁ।ଏମିତି ବଞ୍ଚୁଛି।ଝିଅକୁ ବଞ୍ଚାଇ ରଖିଛି।ବାବୁ,ମୋ ଥନରେ ଯେଉଁ କ୍ଷୀର ଦେଖୁଛ, ତାହା ହେଉଛି ମୋର ମାତୃତ୍ବ,ମୋ ଝିଅର ଅଧିକାର।'
ଫୁଲ ଓ ସ୍ବପ୍ନ ପାଖରେ ଏବେ ଥିଲା ଭଳି ଲାଗୁଥିଲା।
- ' ମୋତେ ବିବାହ କରିବ ! ' କହିବି ଭାବିଲି,ହେଲେ କହି ପାରିଲିନି।
ବିବାହର ପ୍ରଲୋଭନ ଯାହାକୁ ଏଇ ଠିକଣାରେ ପହଞ୍ଚାଇ ଦେଇଛି,ସିଏ ଯେ ଆଉ ଥରେ ଏହାକୁ ଗ୍ରହଣ କରିବ,ବିଶ୍ୱାସ ହେଲାନି।ଗୋଟିଏ ଦୀର୍ଘଶ୍ବାସ ମୋ ଭିତରୁ ଉତୁରିଗଲା।
ଯେମିତି ହେଉ ବଞ୍ଚୁଛି ତ ସେ।ଖୁବ୍ ଆତ୍ମବିଶ୍ୱାସର ସହିତ ବଞ୍ଚୁଛି।ଆଉ ଗୋଟିଏ ଜୀବନକୁ ବଞ୍ଚାଇ ରଖିଛି।ଜୀବନ ଆଉ ଅଧିକ କ'ଣ ଆଶା କରେ ଯେ !ମନକୁମନ କହିଲି।ସେଠାରୁ ଫେରି ଆସିବାକୁ ଚାହିଁଲି।
ହେଲେ ତା' ପାଖରୁ ମୋର ଫେରନ୍ତା ପାଦ ଆଦୌ ଆଗକୁ ପଡୁ ନ ଥିଲା।
ସବୁ ଫୁଲ,ସବୁ ସ୍ବପ୍ନ ନିଜର ହୋଇପାରନ୍ତି କ'ଣ !
ଜଣେ ଈଶ୍ବରୀ ପାଖରୁ କ'ଣ ସହଜରେ ମୁହଁ ଫେରାଇ ନେଇ ହୁଏ !
ମୋତେ କେହି କୁହନ୍ତୁ ତ !!!