ହେ ମୁଁ ତୋତେ ଡରେନି ମ
ହେ ମୁଁ ତୋତେ ଡରେନି ମ
ହେ ମୁଁ ତୋତେ ଡରେନି ମ।
କାହିଁକି ଡରିବି ?
ତୁ ତ ମୋ ନିଜର ! କିନ୍ତୁ କାହିଁକି ଡରେ?ତୁ ତ ଡରାଉନା । କଥା ତ କହି ପାରୁନା । ତୋର ଗୋଟିଏ ରୂପ ଅଛି କି ନାହିଁ ସେଟା ବି ମୁଁ ଜାଣିନି । ଜାଣିନି ଠିକଣା । ଏଇତକ ଜାଣିଛି ତୁ ମୋତେ ନିଶ୍ଚୟ ନିଜର କରିବୁ; ମୁଁ ଡରେ ବା କେଉଁଠି ଲୁଚେ ଯେତେ ଚେଷ୍ଟା କଲେ ତୋ ସହ ମୋର ହଠାତ୍ ଭେଟ ହେବ ।
ତୁ କୋଳେଇ ନେବୁ ନା ମୋତେ ସେଦିନ ?
ମୋର କୁଆଁ ଶବ୍ଦରୁ ମୁଁ କେବଳ ମାତ୍ର ଗୋଟିଏ ଆଶାରେ ଚାଲୁଛି । ତାକୁ କେବେ ଭେଟିବି । ଏଇ ସାକ୍ଷାତଟା କିନ୍ତୁ ବିନା ସୂଚନା ବେଳ ଅବେଳ ନଦେଖି ଆସିବ । ମୁଁ ପ୍ରସ୍ତୁତ ଥିବି କି ନଥିବି ସେ ବି ଜଣା ନାହିଁ ।
ହେଲେ ଦେଖ! ସବୁ ଦିନ ମୋର ତ ଅପେକ୍ଷା କେବଳ ତା ପାଇଁ । ଦେଖନ୍ତୁ ତ ଜାଣି ନଥିବା ଦେଖି ନଥିବା ନିହାତି ନିଜର ଅପ୍ରିୟ ସତ୍ୟକୁ ଭେଟିବାକୁ ମୋର କି ଉତ୍କଣ୍ଠିତ ଉଦବିଗ୍ନ ଆତ୍ମା !
ହେ ମୋର ଇପ୍ସିତ ! ତୁମେ ବଡ଼ କପଟୀ । ପରଖୁଛ ମୋତେ । କେତେ ଘଟଣ ଅଘଟଣ ମୋ ପାଇଁ ନିର୍ଦ୍ଦିଷ୍ଟ କରି ରଖିଛ । ତୁମେ ଜାଣିଛ;ବୋଧେ ସେଇ ପାଇଁ ମୁରୁକି ହସୁଛ ।
ସମ୍ପର୍କ, ସେହ୍ନ, ମମତା, ପ୍ରେମ, ଲୋଭ, ଆସକ୍ତି, ମୋହ ଜାଲ ଘେରାଇଛ ମୋ ଚାରିପାଖ । ଛନ୍ଦି ଦେଉଛ ଜାଲରେ । ଛଟପଟ ନିଃସହାୟ ମାଛ ପରି ମୁଁ ତୁଚ୍ଛାକୁ ବାଟେଇ ପିଟି ହେଉଛି। ଠକୁଛି ପ୍ରତି କ୍ଷଣେ; ଆଶ୍ଚର୍ଯ୍ୟ ଠିକୁନି ଟିକିଏ ବି ।
ବାର ବାର ଭୁଲ କରୁଛି । କେତେ ମୂର୍ଖ ମୁଁ ପଦବୀ ନେଇ କି ଗର୍ବ ମୋର! ଆଖି ଥାଇ ଅନ୍ଧ । ମୋର ସବୁ ବ୍ୟାଙ୍କରେ ଅଧିକ ସଞ୍ଚୟ । ସହର ଛାତିରେ କୋଠା । ମୋର ଗୋଟିଏ କଲମ ଗାର, ଛୋଟ ଦସ୍ତଖତ ବଦଳେଇ ଦେଇ ପାରେ କ୍ଷଣକେ ବହୁ ମଣିଷର ଭାଗ୍ୟ ।ଧ୍ୱଂସ ବି କରି ପାରେ ସେଇ ଦସ୍ତଖତଟି ଗୋଟିଏ ଦେଶର ବିନାଶ ।
ମୁଁ ରାବଣ ପରି ଜାଣିଛି ଦିନେ ସୀତା ହରଣ ରାବଣ ମରଣ ପରି ମୋର ପଦବୀ ଓ ବୟସର, କ୍ଷମତାର ଆୟୁ ସରିଯିବ । ଯେତେବେଳେ ମୋର ସେ ସମୟ ଆସିବ ସେଇ ଲୋକେ ଯିଏ ସାର୍ ସାର୍ କହି ମୁହଁକୁ ଚାହିଁ କଥା କହିବାକୁ ସାହସ କରୁ ନଥିଲେ, ଜୋତାରୁ ଛତା ପର୍ଯ୍ୟନ୍ତ ପୂଜା କରୁଥିଲେ; ସେମାନେ ଦେଖିଲେ ନମସ୍କାର ଟିଏ ଦେବାକୁ ଦ୍ଵିଧା ବୋଧ କରିବେ ।ଅଚିହ୍ନା ଲୋକ ପରି ବ୍ୟବହାର କରିବେ । ଅବଜ୍ଞାରେ ମୁହଁ ଫେଇ ମୋତେ କହୁଣୀରେ ପେଲିଦେଇ ପଛକୁ ମାଡ଼ି ଯିବେ ଆଗକୁ ।
ସେତେବେଳ ମୁଁ ଆଇ.ଏ.ଏସ୍, ଆଇ.ପି.ଏସ୍, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କି ଭୟଙ୍କରଠୁ ଅତି ଭୟଙ୍କର ସହରର ଡନ୍ ନଥିବି । ଜାଣିଛି ଭଲ ରକମ କିନ୍ତୁ ରାବଣ ପରି ସବୁ ଭୁଲ ହିଁ କରୁଛି । କେଡେ ନିର୍ବୋଧ ସତରେ ମୁଁ କେଉଁ ଗୋଟେ ନାମ ଓ କେଉଁ ଖୋଳପା ଭିତର ମଣିଷ ନାମର ବିସ୍ମୟ ଜୀବ !
ଜାଣିଛି ସୁନା ହରିଣ ଭ୍ରମ; ଗୋଟିଏ ଶେଷହୀନ ଶୋଷ। ଛାଡ଼ୁଛି କି ତା'ର ମୋହରୁ ମୁକ୍ତ କରି ନିଜକୁ! ସବୁ ଗୁଡା ସମ୍ପର୍କ ମିଛ ହେଲେ ବି ସାରା ପୃଥିବୀ ହୃଦୟରେ ସ୍ଥାନଟିଏ କରିବାରୁ ବିରତ ହେଉଛି କି? ପ୍ରଶଂସା କି ନିନ୍ଦା ଉଭୟରେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଯାଉଛି ।
ମିଛ ହେଉ ପଛେ ପ୍ରଶଂସା ଶୁଣିଲେ ଖୁସି ହୋଇ ଯାଉଛି । ପ୍ରଶଂସକ ମୋର ପ୍ରିୟପାତ୍ର, ବନ୍ଧୁ ବୋଲି ଭାବୁଛି । ସତରେ କେହି ମୋ ଭୁଲ ଦର୍ଶାଇଲେ ତାକୁ ଅପ୍ରିୟ ଶତ୍ରୁ ମଣୁଛି । ଅଜବ ନା ମୋ ଏ ସ୍ଵଭାବ! । ଦିବ୍ୟ ଚେତନା ଆଛନ୍ନ କଲାବେଳେ ନିଷ୍ପତ୍ତି ନେଉଛି ନା ଆଉ ଭୁଲ କରିବି ନାହିଁ ।
ବାସ୍ ସେଇ କ୍ଷଣକ ତାପରେ ଓହ୍ଲାଇ ଆସୁଛି ପୁଣି ଖୋଳପା ଭିତରକୁ । ରାଗ-ରୁଷା, ମାନ-ଅପମାନ, ମୋର-ତୋର, ପ୍ରହେଳିକା ଭିତରେ ପୁଣି ହଜାଉଛି ଅସ୍ତିତ୍ୱ । ନିରପେକ୍ଷ ହୋଇପାରୁନାହିଁ । ନିଜ ଭଉଣୀ, ଝିଅ ଆଖିକୁ ଭଉଣୀ ଝିଅ ଦେଖା ଗଲା ବେଳେ ଅନ୍ୟ ଭଉଣୀ, ଝିଅ ସେମିତି ଦିଶନ୍ତି ନାହିଁ !!
କଣ ଥାଏ ଏ ଆଖିରେ! । ଅତ୍ୟାଚାର, ବଳତ୍କାର ପରି ପାଶବିକ କ୍ରିୟାରେ ମଜ୍ଜୁଛି । ପରକିୟା ପ୍ରିତିରେ ରୁଚି ରଖୁଛି।ଅନ୍ଧାରେ ମୁଁ ପଶୁ କାମୁକ।ଦିନ ଆଲୁରେ ସତ୍ୟବାନ,ଶିବ ।ସତେକି ଏକ ପତ୍ନୀବ୍ରତ କରିଛି।
କଅଁଳ, କଷି ଛୁଆକୁ ବି କେମିତି କରିପାରୁଛି ଦୁଃଷ୍କର୍ମ! ଅନ୍ୟର ମୁଣ୍ଡ ଶିଡି କରି ଚଢି ଯାଉଛି ଉପରକୁ । କିନ୍ତୁ 'ତୁ' ହସୁଛୁ । ମୁଁ ତୋର ଆହୁରି ପାଖ ହୋଇ ଯାଉଛି । ଶେଷକୁ ଏଇଠି କରିଦେବୁ ମୋର 'ହିସାବ' ।
ତୁ ବାକି ରଖୁନାହିଁ କି ବାକି ଦେଉ ନାହିଁ । ସବୁ ନଗଦ ଏଇଠି ସଜାଡି ଥୋଇଛୁ ।
କେହି କଣ ନିଶ୍ଚିନ୍ତ ; ଆଉ ଏମିତି ଗୋଟିଏ ଦେବ ଦୁର୍ଲ୍ଲଭ ମଣିଷ ଜନ୍ମ ମିଳିବ !! ସତରେ ଜଣେ ମଲା ପରେ ଆଉ ଗୋଟିଏ ଜନ୍ମ ନିଏ ;ଏକଥା କିଏ ବା କହିବ। ହଁ ଯଦି ଥିବ ମିଳିବକି ଏପରି ଗୋଟିଏ ମଣିଷ ଜନ୍ମ!!
ତେବେ ଏଇ ଜନ୍ମଟି ଖୁସି ଖୁସି ହିସାବ ଖାତାରେ ବାକିବୁକର ନ ରଖି ଜୀଇଁ ଗଲେ କେମିତି ହୁଅନ୍ତା?
ଏଇଠି ତ ସ୍ୱର୍ଗ ପୁଣି ଏଇଠି ବି ନର୍କ।ଏତେ ଠେଲା ପେଲା,ମୋର ତୋର,ଖଣ୍ଡିଏ ଡାଳ,ଟିକିଏ ଜମି, ଗୋଟିଏ ମାଛ ପୋଖରୀ ବା କୌଣସି ପଦ ପଦବୀ କି ଗାଦି ବା ଗଦି ପାଇଁ ଏତେ ମରା ହଣା, କେସ୍ କୁସା କାହିଁକି??
କି ଦୌଡା ଦୌଡୁଛନ୍ତି ଆମେ ଅଣନିଃଶ୍ୱାସୀ ହୋଇ, କୁହନ୍ତୁ ତ।ଯେତେ ବଡ଼ ପଦବୀ କି ପଦ ଅବସର ନେବା ପରେ ଥାଏ କି?ସେଇ ସାଧାରଣ ମଣିଷଟିଏ ହେବା।ମଲା ପରେ ଆମକୁ ବଡ ଲୋକୀ ଶବ କୁହାଯିବ? ନାଁ ଆମେ ପୋଡ଼ାଗଲା ପରେ ଆମ ଚିତାଭସ୍ମକୁ କେହି ଏଇଟା ବଡ଼ ଲୋକ ଚିତାଭସ୍ମ ସେଇଟା ଗରିବର ବୋଲି କୁହନ୍ତି!
ହ ଏମିତି ହୁଏ ନାମୀ ଦାମୀ ହୋଇଥିଲେ ଫୁଲରେ ପୋତି ପକାନ୍ତି।କିନ୍ତୁ ଆଉ କିଏ ତ ଗୋଟିଏ ମାଳ ଫୁଲ ନାଇଁ ଶେଷ ଯାତ୍ରା କରେ! ହଉ ଏବେ ସବୁ ବଡ଼ କଥା ହେଲା;ଯିଏ ମଲା ସେ ଦେଖିବାକୁ ଆସିଲା କି ତା ପାଇଁ ଖୁବ ଜାକ ଜକମ୍ ରେ କଣ ହେଉଛି ? ତୁଇ ' ପଠେଇଥିଲୁ ପୁଣି ପାଖକୁ ଡାକି ନେବୁ!!
ବାସ୍ !ଏତିକି ତ କଥା!!
ଯା ମ ମୁଁ ତୋତେ କଣ ଡରିଛି !!! ନେଉନୁ ; ଠିକ୍ ପାଠ ପଢ଼ିଛି ଠିକ୍ ପାଠ ଲେଖିଛି ମ।
