ଦୂରଦର୍ଶନ
ଦୂରଦର୍ଶନ
କଥା ସେ ବେଳର । ଯେତେବେଳେ ଖୁବ କମ ଲୋକଙ୍କ ଘରେ ଟେଲିଭିଜନ ଥିଲା । ଯାହା ଘରେ ଟେଲିଭିଜନ ନଥିଲା ସେମାନେ ଅନ୍ୟ ଘରକୁ ନିଜର ପ୍ରିୟ କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିଲେ । ସେତେବେଳେ ଆଜିକାଲି ପରି ହଜାରେ ଚ୍ୟାନେଲ ନଥିଲା । କି ରିମୋଟ ନଥିଲା ଯେ ରିମୋଟ ବଟମ ଚିପି ଚିପି ମନ ପସନ୍ଦର ଚ୍ୟାନେଲ ବଦଳାଇ ବଦଳାଇ ଦେଖିବେ । ସମସ୍ତଙ୍କର ସେଇ ଗୋଟିଏ ଲୋକପ୍ରିୟ ଚ୍ୟାନେଲ ଦୂରଦର୍ଶନ । ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ଥିଲା ସେଥିରେ । ଧାରାବାହିକ ମଧ୍ୟରେ ପୌରାଣିକ, ଐତିହାସିକ, କାଳ୍ପନିକ, ଅଧ୍ୟାତ୍ମିକ, ଯୁଗପେଯାଗୀ । ଫିଲ୍ମ ମଧ୍ୟରେ ଥିଲା ପୁରୁଣା ଓଡିଆ ହିନ୍ଦୀ । ତା ବାଦ୍ କ୍ରିକେଟ ଖେଳ, ସଂଗୀତ, ରଙ୍ଗୋଲୀ, ଚିତ୍ରାହାର, କମେଡି, ସ୍ୱସ୍ଥ୍ୟ, ସମ୍ପର୍କିତ ଆଲୋଚନା ଚକ୍ର ତଥା ବିଭିନ୍ନ ଆଲୋଚନା ଚକ୍ର ସହିତ ବ୍ୟକ୍ତି ବିଶେଷଙ୍କ ସହିତ ଇଣ୍ଟରଭ୍ୟୁ । ଏମିତି ଅନେକ ପ୍ରକାର ର କାର୍ଯ୍ୟକ୍ରମ ପ୍ରଦର୍ଶିତ କରି ଦୂରଦର୍ଶନ ଘରେ ଘରେ ସମସ୍ତଙ୍କ ପାଖରେ ପରିଚିତ ହୋଇପାରିଥିଲା ସେତେବେଳେ । ଆଜି ବି ଘଟଣା ଟିଏ ମନ ଭିତରେ ଉଙ୍କି ମାରେ । ସେତେବେଳେ ସକାଳ ନଅଟା ସମୟରେ ପ୍ରତି ରବିବାର ଚାଲିଥାଏ ରାମାନନ୍ଦ ସାଗରଙ୍କର ରାମାୟଣ ଆଉ ବି. ଆର ଚୋପ୍ରାଙ୍କର ମହାଭାରତ । ଏଇ ଘଟଣାଟା ବୋଧହୁଏ ରାମାୟଣ ସମୟର । ସେଦିନ ରାମାୟଣ ଦେଖିବା ପାଇଁ ମୁଁ ଯଥା ଶୀଘ୍ର କାମ ସାରି ଦେଇଥାଏ । କାରଣ କାମ କରୁଥିବା ସ୍ତ୍ରୀ ଲୋକଟି ସେଦିନ ଆସିନଥିଲା । ମୁଁ ରାମାୟଣ ଦେଖୁଥିବା ସମୟରେ କବାଟ ଫାଙ୍କରେ ଆଖି ଦୁଇଟି ଦେଖିବାକୁ ପାଇଲି । କିଏ ସେପଟେ ଲୁଚିଛି ଦେଖିବା ପାଇଁ ଧିରେ ଧିରେ କବାଟ ପାଖକୁ ଯାଇ ଦେଖିଲି ଆଠ ଦଶ ବର୍ଷର ପିଲାଟିଏ । ମତେ ଦେଖି ଚମକି ପଡିଲା । ଧାଇଁ ଯାଉଥିବା ସମୟରେ ମୁଁ ତା ହାତଟାକୁ ଧରି ପକାଇଲି । ପଚାରିଲି ତୁ କିଏ, ଏଠାରେ କଣ କରୁଥିଲୁ । ମୁଁ ସୁମିତ୍ରାର ପୁଅ । ମାଆର ଦେହ ଖରାପ ପାଇଁ ଆଜି ସେ କାମ କରି ଆସି ପାରିଲା ନାହିଁ । ସେଥିପାଇଁ ମତେ ପଠାଇଛି । ଆଜି ରାମାୟଣରେ କଣ ଦେବ ଯା ଦେଖି ଆସି ମତେ କହିବୁ । ଏବେ ଜାଣିପାରିଲି ଦୁରଦର୍ଶନର କାର୍ଯ୍ୟକ୍ରମ ଘରେ ଘରେ କେତେ ପରିଚିତ ଆଉ ସବୁ ଲୋକଙ୍କର କେତେ ପ୍ରିୟ । ଆଜି ଯେତେ ଚ୍ୟାନେଲ ହେଲେ ବି ସେହି ଦୂରଦର୍ଶନର ସମାଚାରର ମଜା ଆଜି ବି ମୁଁ ଚାହା ସହିତ ନିଏ ।
