Anil Kumar Parhi

Others Thriller

3.0  

Anil Kumar Parhi

Others Thriller

ଦର୍ପଣ - ୨

ଦର୍ପଣ - ୨

6 mins
7.4K


ଚାକୁଲୁ..... ଚାକୁଲୁ ..... ଚାକୁଲୁ .......ଏମିତି ଗୋଟେ ଶବ୍ଦ ମୋ କାନରେ ବାରମ୍ବାର ବାଜୁଥିଲା। ଯେମିତି କୁକୁରଟେ ଘୁଅ ଖାଉଛି କି ଗାଈଟେ ତୋରାଣି ହାଣ୍ଡିର ଶେଷତମ ଭାତଗଣ୍ଡାକ ଚାଟି ଖାଉଛି।

ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସରିଥିଲା। ମଞ୍ଚ ପରିଚାଳକ ସ୍ବାଧୀନୋତ୍ତର ଓଡିଆ ପ୍ରବନ୍ଧ ଆଲୋଚନାକୁ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତା, ତାପରେ ନିତ୍ସେ ଓ ବର୍ଥ୍ସ ଦେଇ ଗୀତାର ଗୋଟିଏ ଶ୍ଳୋକରେ ଆରମ୍ଭକଲେ। ସଭାସ୍ଥଳ କରତାଳିରେ ଗୁଞ୍ଜରିତ ହୋଇଉଠିଲା। ଲୋକେ ବାଃ,ବାଃ କହିଉଠିଲେ। ସଂଚାଳକଙ୍କ ଗୁରୁଗମ୍ଭୀର ସ୍ବର ମେସିନକୃତ ପ୍ରତିଧ୍ବନିକୁ ତୋଳି ମୋ ଆଗରେ ଗୋଟାଏ ଦ୍ବନ୍ଦ୍ବାତ୍ମକ ପରିବେଶ ସୃଷ୍ଟିକରୁଥିଲା। ଲମ୍ବାବାଳ, ଲମ୍ବାକଲି, କପାଳର ଲମ୍ବା ସିନ୍ଦୂରଗାର, ବିଜାତୀୟ ଅତିକଳ୍ପିତ ଭୌତିକ ପୋଷାକ ସଂଚାଳକଙ୍କୁ ସ୍ବତନ୍ତ୍ର କରୁଥିଲା ନିଶ୍ଚୟ। ଆଜିକାଲି ଯାତ୍ରାର ରେକର୍ଡ ଡାନ୍ସରଙ୍କ ପରି ସଭାର ଏହି ସଂଚାଳକ/ସଂଚାଳିକାଙ୍କର କାଳେ ଡିମାଣ୍ଡ ଅଛି। ସଭାରେ ଯିଏ ଯାହା କହୁ, ଯିଏ ଅତିଥି ହୋଇ ଆସୁ, ଏହି ସଂଚାଳକ/ସଂଚାଳିକାମାନେ କାଳେ ଚଳେଇନିଅନ୍ତି। ଏମାନେ ତ୍ରିଭାଷୀ। ଓଡିଆ, ଇଂଗ୍ରେଜୀ ଆଉ ହିନ୍ଦୀରେ କହିପାରିବେ। ଜଣେ ପାଲାବାଲା ଯେତିକି କବିତା କି କ୍ବେଟେସନ୍ ମନେ ରଖିନଥିବ, ଏମାନେ ରଖିଥିବେ। ଏକ୍ସଟେମ୍ପରରେ ଏମାନେ ପାରଙ୍ଗମ।

ଚାକୁଲୁ....... ଚାକୁଲୁ ....... ଚାକୁଲୁ.... ପୁଣି ସେହି ଶବ୍ଦ ମୋ କାନରେ।

କାନ୍ଥରେ ଟଙ୍ଗା ହୋଇଛି ଆଠ ବାଇ ଚାରିର ଫ୍ଲେକ୍ସ। ବଡବଡ ଅକ୍ଷରରେ ଅନୁଷ୍ଠାନର ନାମ, ଠିକଣା, ସମ୍ବର୍ଦ୍ଧନା ଉତ୍ସବ ଇତ୍ୟାଦି ଲେଖାସରିବା ପରେ ଗୋଟିଏ କାଗଜରେ ଆଜିର ତାରିଖ ଓ ବର୍ଷ ଲେଖାଯାଇ ଠିକ୍ ତଳକୁ ପିନ୍ ରେ ମାରିଦିଆଯାଇଛି। ଆଗରେ ଫଟା ରେକ୍ସିନ ଗଦିର ହାତନଥିବା ଲୁହା ଚେୟାର୍। ଚେୟାରମାନଙ୍କ ଉପରେ ତଉଲିଆ ପଡିଥିଲେହେଁ ଅତିଥିମାନଙ୍କ ଚେୟାର ଉପରେ ଏକଡସେକଡ ହବା ଯୋଗୁଁ ଠାଏଠାଏ ତଉଲିଆ ଖସି ସେହି ଫଟା ଅଂଶ ଦିଶୁଛି।

ମଞ୍ଚାସୀନ ଅତିଥିମାନେ ପରସ୍ପର ଆଡକୁ ମୁହଁ ଲମ୍ବେଇ ମଝିରେମଝିରେ କଣ ଗପୁଛନ୍ତି। ସେମାନଙ୍କ ଚେୟାର ପଛରେ ଗଳଦଘର୍ମ ଆୟୋଜକ ଯାହାଙ୍କ ଇନ୍ ଛିନଛତରିଆ ହୋଇ ପେଣ୍ଟ ଉପରେ ଶୋଇପଡିଲାଣି, ସେ ବାରମ୍ବାର ଅତିଥିମାନଙ୍କ କାନ ପାଖକୁ ମୁହଁ ଆଣି କଣ୍ କହୁଛନ୍ତି। ଆୟୋଜକ ପ୍ରାରମ୍ଭିକ ସଂଗୀତ ଗାଇସାରିଥିବା ସମ୍ବଲପୁରୀ ଶାଢିପିନ୍ଧା ତରୁଣୀଙ୍କୁ ପାଖକୁ ଡାକି ବରାଦ କରୁଛନ୍ତି। କଣ୍ କି? ଖାଇବା କଥା? ଅତିଥିମାନଙ୍କ ଆଗରେ ବିଶଲେରୀ ପାଣିବୋତଲ ତ ଚାରିକାତ୍ ମାରି ପଡିଛନ୍ତି। ଅତିଥିମାନଙ୍କୁ ଶୋଷ ହେଉଥିବ, ଏକଥା ବିଶ୍ବାସଯୋଗ୍ୟ ନୁହେଁ।

ସ୍ବତନ୍ତ୍ର ଅତିଥିମାନଙ୍କ ଖାଇବା ବି ସ୍ବତନ୍ତ୍ର, ଅନ୍ତତଃ ସଭାମଣ୍ଡପରେ। ଘରେ ଯିଏ ଯାହା ଖାଇଲା ଖାଉ ଏଠି କାଗଜ ପ୍ଲେଟରେ ରହିବ ସଲ୍ଟେଡ୍ କାଜୁ, ପ୍ୟାରିସ ବ୍ୟାକେରୀ ଅଧା ନମକିନ୍, ଅଧା ମିଷ୍ଟି ବିସ୍କୁଟ୍, ଅଢେଇଟା ସେଓ ଖଣ୍ଡ, ପଚାଭଲ ମିଶି ଚାରିପାଞ୍ଚଟା ଅଙ୍ଗୁରୁ, ଗୋଟେ ଅଗଭଙ୍ଗା କଦଳୀ। ଆୟୋଜକମାନେ ସଭା ଆୟୋଜନର ମୁଖ୍ୟ ପର୍ବର ହିସାବକିତାବ କରିବା ଆଗରୁ ମଞ୍ଚାସୀନ ଅତିଥିଙ୍କ ପାଇଁ କେତେଟା ବ୍ୟାଜ୍, କେତେଟା ନାଲି ଧଡିଥିବା ଧଳାହଳଦିଆ ଉତ୍ତରୀୟ, କେତେଟା ପଚାଶଟଙ୍କିଆ ବୁକେ ଆଉ ଅଧକିଲେ ଅଙ୍ଗୁରୁ, ଅଧକିଲେ ସେଓ, ଢଜନେ କଦଳୀ ଆଉ ଶହେଗ୍ରାମ କାଜୁ ଇତ୍ୟାଦିର ହିସାବ ସାରିଦେଇ ସବୁଠୁ ଅପଦାର୍ଥକୁ ଏ ଦାୟିତ୍ବ ଦେଇଦେଇଥାନ୍ତି। ଏ ଗୁରୁତ୍ବହୀନ ବୁଝିବା ପାଇଁ କାହାର ସମୟ କାହିଁଯେ! ଅତିଥିମାନେ ଘରେ ସ୍ବାସ୍ଥ୍ୟ ପାଇଁ ଯେତିକି ବଦକନ୍ସସ ସେତିକି ଅଧିକ କନ୍ସସ୍ ସଭାରେ। ଖାଇବାର ଆଚରଣ ବି ଷ୍ଟେଟସ୍ ବଢାଏ।

ମାଇକ୍ ଟିକିଏ ରହିରହି କୁଉଉଁ ହୋଇ ଏମିତି ଚିତ୍କାର ଛାଡୁଥିଲା ଯେ କାନ ବଧିରା ହୋଇଉଠୁଥିଲା।

ଯଦି କେବେ କ୍ଷଣଟିଏ ନୀରବତାର ବାହାରି ଆସୁଥିଲା, ମୋତେ ସେହି ଚାକୁଲୁଚାକୁଲୁ ଶବ୍ଦ ଶୁଭୁଥିଲା।

ଦୁଇଶ ଚେୟାର ଭିତରୁ ପ୍ରାୟ ଶହେ ଖଣ୍ଡେ ଭରିଯାଇଥିଲା। କିଛି ଫ୍ଲୋଟିଙ୍ଗ୍ ସାହିତ୍ୟିକ ଯିବାଆସିବା ଜାରି ରଖିଥିଲେ ଆଉ ସେହି ଅନୁସାରେ ପାଉଟ୍ ସହିତ ସେଲ୍ଫି ନେଉଥିବା ତରୁଣୀମାନଙ୍କ ବି ଯାଆସ ଲାଗିରହିଥିଲା। ଜଣେ ଯୁଯୁତ୍ସୁ ଲେଖକ ମୋତେ କହିଥିଲେ - ସମୟ ଯାହା ହେଲାଣି ଆୟୋଜକମାନେ ପ୍ରତି ସାହିତ୍ୟ ସଭାରେ ବ୍ୟୁଉଟି ନହେଲେ ରାମ୍ପ ଶୋ ର ଆୟୋଜନ କରିବା କଥା! ଆଜି ମୋର ସେହିକଥା ହୃଦୟଙ୍ଗମ ହେଉଥିଲା।

ମୁଁ ନୀରବରେ ବସିଥିଲି, ମାନେ ଏଠିକୁ ମୋତେ ଆଣିବା ପାଇଁ ଜଣେ ସାହିତ୍ୟିକ ବନ୍ଧୁ ମୋତେ ପ୍ରତାରିତ କରିଥିଲେ। ସେ ପୁରସ୍କୃତ ହେବେ ଏବଂ ମୋ ପୁରସ୍କାର ଶୋ ରେ ସେ ଉପସ୍ଥିତ ରହୁଥିବାରୁ ତାଙ୍କ ଉତ୍ସବରେ ମୋର ରହିବାର ଆବଶ୍ୟକତା ଥିଲା। ହେଲେ, ସେଇଟା ମିଛକଥା। ବନ୍ଧୁ ମୋତେ ଭାଲୁ ଲାଙ୍ଗୁଡ ଧରେଇ ଚମ୍ପଟ୍। ଏଠି ମୋର ପ୍ରାୟ କେହି ଚିହ୍ନା ନାହାଁନ୍ତି। ମୁଣ୍ଡଟା ବିନ୍ଧିଲାଣି, ଟିକେ ଚା ହୁଅନ୍ତା କି! ମୋର ଇଚ୍ଛାକରିବା ସରିଛି କି ନାହିଁ ସୋଲ କପରେ ଚା ବାଣ୍ଟିବାଣ୍ଟି ହାଜର ହୋଇଗଲା ଚା ବାଲା। ମୁଁ ଚା ପିଇଲି।

ହଠାତ୍ ଗୋଟାଏ ପ୍ଲାଷ୍ଟିକ ବଲ ଆସି ମୋ ମୁଣ୍ଡରେ ବାଜିଲା। ମୁଁ ପାଟିକଲି - କିଏ ରେ! ଚାରିପାଞ୍ଚ ବର୍ଷର ତେଲକଳା ହେଇ ଜନସନ ପାଉଡର ଲଗେଇଥିବା କୁନି ଛୁଆଟେ ତା କୁନି ହାତ ପତେଇ ଠିଆହେଲା। ମୁଁ ତା ହାତକୁ ବଲ୍ ବଢେଇଦେଲି। ବାପାମା ସଭାକୁ ଆସିଛନ୍ତି, କାହା ପାଖରେ ଛୁଆକୁ ଛାଡିବେ ଯେ! ଆଜି ରାତି ପାଇଁ ରୋଷେଇ ବନ୍ଦ। ଏଇଠୁ ଖାଇଦେଇ ପରିବାର ଘରକୁ ଯିବ। ଛୁଆମାନଙ୍କ ଖେଳିବା ପାଇଁ ଶ୍ରୋତାମାନଙ୍କ ପଛରେ, ହଲରେ ଖାଲି ଜାଗା ବି ଅଛି।

ମୋର ଭାବନା ବାଧାପ୍ରାପ୍ତ ହେଲା। ଜଣେ ସାହିତ୍ୟିକ-ପ୍ରଶଂସକ ଭାରି ସତର୍କତାର ସହିତ ଦୁଇଟି ଚେୟାର ଧାଡି ଭିତରେ ଗୋଡ ପଶେଇ ମୋ ପାଖ ଚେୟାରରେ ବସୁବସୁ ନମସ୍କାର କଲେ। ଆଜ୍ଞା! - ସେ କହିଲେ - ଆପଣଙ୍କ ଗଳ୍ପ " ଏ ସିନ୍ଦୂର କାହାପାଇଁ" ମୋତେ ମାସେ କାଳ କନ୍ଦେଇଛି! ଆହା! କି ପ୍ରେମ, କି କରୁଣ କଥା! ମୁଁ ହଠାତ କିଂକର୍ତ୍ତବ୍ୟବିମୂଢ ହୋଇଉଠିଲି। ସ୍ବାଭାବିକ୍ ହୋଇ କହିଲି - ମୋର ତ ସେମିତି କିଛି ଗପ ନାହିଁ ଆଜ୍ଞା! ମୁଁ ପ୍ରେମଗପ ଲେଖିନି!

ଲୋକଟି ହସିଲା - ଭୁଲିଯାଇଥିବେ! ଏତେ ଗପ ଲେଖିଲେଣି, ଏକାଡେମୀ ପାଇଲେଣି!

କିଏ ମୁଁ? ମୁଁ ଏକାଡେମୀ ପୁରସ୍କାର ପାଇଛି! - ମୁଁ ପ୍ରଶ୍ନ କଲି।

ଲୋକଟି ମୋତେ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ପଚାରିଲା - ଆପଣ ପ୍ରଭାସ ଦାସ ତ!

ନାଇଁ ଆଜ୍ଞା! ମୁଁ ଚକିତ ହୋଇ ମୋ ପରିଚୟ ଦେଲି। ଲୋକଟି ମୋତେ ଗଭୀରଭାବରେ ନିରୀକ୍ଷଣ କଲା ଓ ଏଥର ଦୁଇଧାଡିର ସଂକୀର୍ଣ୍ଣ ଗଳାପଥରେ ଫେରୁଫେରୁ ମୋ ଚପଲପିନ୍ଧା ପାଦ ଦୁଇଟିକୁ ଦଳିମକ୍ଚି ଦେଇଗଲା।

ପୁଣି ମୋତେ ଶୁଭିଲା ଚାକୁଲୁ, ଚାକୁଲୁ। ନାଇଁମ କୁକୁରଟେ ବୋଧେ ପଶିଆସିଛି ନା କଣ! କୁକୁରିଆ ଗନ୍ଧ ବି ନାକରେ ବାଜୁଛି। ମୁଁ ଆଗପଛ ହୋଇ ଅନେଇଲି।

ଅତିଥିମାନଙ୍କ ପରିଚୟ ପ୍ରଦାନ ଚାଲିଛି। କେବଳ ନବକୋଟି କର୍ଣ୍ଣାଟ କଳବର୍ଗେଶ୍ବର କୁ ବାଦ୍ ଦିଆଯାଇ ଆଉସବୁ କୁହାସରିଲାଣି! ହେଃ, କେମିତି ସେ ଅତିଥି ଆଉ ପରିଚୟ ପ୍ରଦାନକରୁଥିବା ବ୍ୟକ୍ତି ଥକ୍କି ପଡୁନାହାଁନ୍ତି ଯେ!

ଜଣେ ପିନ୍ଧିଥାନ୍ତି ସଫାରୀ, ଜଣେ ସୁଟ୍, ଜଣେ ଖଦଡ। ତିନୋଟି ପୋଷାକର ଆଧିପତ୍ୟ ସାହିତ୍ୟରେ ଖୁବ୍ ଅନେକ। ସମ୍ଭ୍ରାନ୍ତ ଦିଶିଲେ ବକିହେବନା!

ଓଡିଆ ସାହିତ୍ୟ ସଭାରେ ଏ ପରିଚୟ ପ୍ରଦାନ ଭାଗଟି ଦ୍ବିତୀୟ ଦୀର୍ଘ ବିଷୟ ହୋଇଥାଏ। ଦୁର୍ଭାଗ୍ୟ ଯେ ପରିଚୟ ପ୍ରଦାନ ସରିବା ମାତ୍ରକେ ସଂଚାଳକ ଆଉଥରେ ପ୍ରଶଂସାର ଖିଅଧରି କୀର୍ତ୍ତନ କରନ୍ତି। ଏଇ ତ ସଭା ଯେଉଁଠି ନିଜର ଜ୍ଞାନଗାରିମା ଦେଖେଇହେବ!

ବହୁ ସମୟପରେ ବନ୍ଧୁ ଆସି ପହଞ୍ଚିଲେ। ମୁଁ ଲଘୁ ବିରକ୍ତି ପ୍ରକାଶ କଲି। ସେ ନିର୍ବିକାର ଚିତ୍ତରେ କହିଲେ - ଏଠି ଗୋଟେ ଜାଗାରେ ହାତଗୋଡ ବାନ୍ଧି ବସିଲେ ଚିହ୍ନିବ କିଏ! ଦୀର୍ଘ ତିରିଶବର୍ଷ ହେଲା ସାହିତ୍ୟ ଲେଖି ଆଲୁଅଟା କରିପକେଇଛ ତମେ! ତମକୁ ଏଇ କାଲିକା ଲେଖକଟେ ଚିହ୍ନିନି ହୋ!

ମୁଁ ହସିଲି।

ସେ କହିଲେ - ତମ ଏ ହସରେ ଗୋଟେ ଏକେଲା ରହିବାର ଅହଂ ବାରିହୋଇପଡୁଛି। ତମେ ମନେମନେ ଭାବୁଛ ଯେ କିଏ ଚିହ୍ନିଲେ ଚିହ୍ନୁ, ନହେଲେ ଢୋ। ହ ନା? ହେଲେ ଭାଇ ଭଲ ଲେଖିଦେଲେ କେହି ବଡଲେଖକ ହୋଇଯାଏନା। ଲେଖାକୁ ଏକ ଡିପ୍ଲୋମାସି କର!

ମୁଁ ପୁଣି ହସିଲି।

ଭାଷଣ ଆରମ୍ଭ ହୋଇସାରିଥାଏ। ବିଶ୍ବ ସାହିତ୍ୟ ଫୁଟିଉଠୁଥାଏ ବକ୍ତାଙ୍କ ମୁଖରେ। କମ୍ ଲୋକ! ଚିଫ୍ ସେକ୍ରେଟାରୀ ରାଙ୍କରୁ ଅବସର ନେଇଛନ୍ତି। ସବଜେକ୍ଟ ଫିଜିକ୍ସ, ଓଡିଆ ସାହିତ୍ୟରେ ଜ୍ଞାନ ଦେଖ! ହେଲେ, ବକ୍ତାମାନଙ୍କ ଅତିଦୀର୍ଘ ବକ୍ତବ୍ୟରେ ସବୁଠାରୁ ଅଧିକ ବୋର ହେଉଥିଲେ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭାମାନେ। ବିଚରା କେତେ ଆଶାନେଇ ଆସିଛନ୍ତି, ସେମାନେ ପୁରସ୍କାର ପାଇବା ଅନ୍ୟମାନେ ଦେଖିବେ। ଓଡିଆ ଭାଷାସାହିତ୍ୟ ସଭାରେ କେତେଟା ଅତି କାଢୁ ଅତିଥି ସବୁବେଳେ ଥାଆନ୍ତି। ସଭା ଚାଲିଥିବ, ହଠାତ ସଂଚାଳକ ଘୋଷଣା କରିବେ ଅମୁକ ଅତିଥି ଏକ ଜରୁରୀ କାମରେ ଯିବେ, ଏଣୁ ସେ ତାଙ୍କ ବକ୍ତବ୍ୟ ରଖିବେ। ଠିକ୍ ସେହି ଅତିଥିଙ୍କ ପଛକୁ ଆଉଜଣେ ଉଠିବେ। ପ୍ରଥମେପ୍ରଥମେ ଭାଷଣ ବକିବା ଏବଂ ସର୍ବସମ୍ମୁଖରେ ଗୌରବର ସହିତ ବିଦାୟ ନେବାର ଏ ଫନ୍ଦିଫିକର। ଯଦି ସଭା ଖାଲି ହୋଇଯିବ, ତେବେ ପ୍ରତିଭାମାନେ ସମ୍ବର୍ଦ୍ଧିତ ହେବେ କାହା ହାତରୁ! ଫଟୋ ଉଠେଇବେ କାହା ସହ!

ଚାକୁଲୁ, ଚାକୁଲୁ! କୁକୁରିଆ ଗନ୍ଧ! ବନ୍ଧୁଙ୍କୁ ଶବ୍ଦ ଓ ଗନ୍ଧ ବିଷୟରେ ପଚାରିଲି। ବନ୍ଧୁ ନାହିଁ କରି କହିଲେ - ଶବ୍ଦର କଣ ଗନ୍ଧ ଥାଏ!

ମନେମନେ ହସିଲି ଏଥର। ଶବ୍ଦର ହିଁ ତ ଗନ୍ଧ ଥାଏ। ବାରୁଦର ଗନ୍ଧ, ସାଂପ୍ରଦାୟିକତାର ଗନ୍ଧ, ଅହଂକାର, ଅଜ୍ଞାନ, ପରଶ୍ରୀକାତରତାର ଗନ୍ଧ! ଛାଡ! ସେପଟେ ଟିଫିନ ପ୍ୟାକେଟ୍ ର ଖଡଖାଡ ଶୁଭିଲାଣି। ବେସର୍ମ ବକ୍ତା ଗପୁଛନ୍ତି, ଶ୍ରୋତା ରିଲିଫ୍ ସାମଗ୍ରୀ ଗୋଟେଇଲା ପରି ଅବସ୍ଥାରେ। ମୋ ବନ୍ଧୁ ସିଟରୁ ଉଠିଯାଇ ତାଙ୍କ ପ୍ୟାକେଟ ନେଇଆସିଥିଲେ। ମୋତେ ବି ଯିବାକୁ ବାଧ୍ୟ କରୁଥିଲେ। ମୁଁ ଚୁପଚାପ ବସିରହିଲି।

ସେ ସୌଜନ୍ୟ ନିବେଦନ କଲେ - ନିଅ! ମୁଁ କହିଲି - ନାଇଁ ଥ୍ୟାଙ୍କସ।

ସାହିତ୍ୟ ସଭାରେ ନିଜ ପାଇଁ ସିଟ୍ ବାଛିବା କାଠିକର ପାଠ। କେଉଁଠି ବସିବ! ଆଗ ଧାଡି ବହୁ ବିଶିଷ୍ଟ ଅତିଥିଙ୍କ ପାଇଁ। ତା ପଛଧାଡି ଅଳ୍ପ ବିଶିଷ୍ଟ ..... । ଏଇ ଦୁଇଧାଡିଙ୍କ ପାଖରେ ପ୍ରେସ, କ୍ୟାମେରା! ତେବେ, ତୃତୀୟ ଧାଡିପାଇଁ ଠେଲାପେଲା।

ଆମେ ବସିଥିଲୁ ପଞ୍ଚମ ଲାଇନରେ, ଅର୍ଥାତ ଆସନ୍ତା କାଲି ଖବରକାଗଜମାନଙ୍କ ପୃଷ୍ଟାମଣ୍ଡିତ କରି ଯେଉଁ ବିକୃତ ରଙ୍ଗୀନ ଫଟ ବାହାରିବ, ସେଥିରେ ଆମେ ନଥିବୁ।

ଶ୍ରୋତା ଟିଫିନ ପ୍ୟାକେଟ ପାଇଲେ, ଚାଲିଲେ ଘରକୁ। କେଇ ମିନିଟରେ ସଭାଗୃହ ତିନିଭାଗ ଖାଲି ହୋଇଗଲା।

ମୋତେ ଶୁଭିଲା ସେହି ଚାକୁଲୁ ଚାକୁଲୁ।

ମୁଁ ମୋ ଟିଫିନ ପ୍ୟାକେଟଟା ବି ପାଇଗଲି। ଗୋଟେ ଦୀର୍ଘକାୟ ସିଙ୍ଗଡା, ଦିଶୁଥାଏ ହାତରେ ଚିତା କୁଟେଇ, କଲିପାଖ ବାଳକୁ ତାଂଛି, ଅଶୋଭନୀୟ ଟିସର୍ଟ ପିନ୍ଧା ଯୁବ ଲେଖକ ପରି। ଗୋଟେ ନିର୍ବଳୁଆ ଭେଜିଟେବଲ ଚପ୍, ବୟସ୍କ ଅପାରଗ ସାହିତ୍ୟିକଙ୍କ ପରି। ଆଉ ଲୋଭନୀୟ ମିଠା ଉପସ୍ଥିତ ମିଠାଛୁରୀ।

କିଛିସମୟ ପରେ ଟିଫିନ ବାଣ୍ଟୁଥିବା ବ୍ୟକ୍ତିଜଣକ ଧାଇଁଆସିଲେ ମୋର ଠିକ୍ ଆଗରେ ବସିଥିବା ସାହିତ୍ୟିକଙ୍କ ପାଖକୁ। କହିଲେ - ଆଜ୍ଞା କାହାକାହା ପାଖକୁ ଦୁଇତିନିଟା ମିଠା ଅଧିକ ଚାଲିଯାଇଛି। ଆମର ସର୍ଟେଜ ପଡୁଛି। ପ୍ଲିଜ୍ ପ୍ୟାକେଟଟା ଦେଖିନିଅନ୍ତୁ, ଅଧିକ ଥିଲେ ଫେରେଇଦିଅନ୍ତୁ। ଆଗରେ ବସିଥିବା ସାହିତ୍ୟିକ ବୋଧେ ମୋ ପରି ଡାଇବେଟିସ ଆକ୍ରାନ୍ତ ଥିଲେ। ମିଠାଟିକୁ ଆଗ ଖାଇଦେଇଥିଲେ। ସେ ନିଜର ସଫେଇ ଦେବାପାଇଁ ପ୍ୟାକେଟଟିକୁ ଅଣେଇ ଧରିଲେ। ସେହି ଧାଡିରେ ଆଉ କେତେଜଣ ବି ପ୍ୟାକେଟ ଦେଖେଇଦେଲେ। ମୋ ଉପରେ ତୀର୍ଯ୍ୟକ ଦୃଷ୍ଟିପକେଇ କୈଫିୟତ ମାଗୁଥିବା ବ୍ୟକ୍ତି ଅଦୃଶ୍ୟ ଶତୃ ଉଦ୍ଦେଶ୍ୟରେ କହିଲେ - ଶଳେ ନଅଙ୍କରୁ ଉଠିଆସିଛନ୍ତି! ଲେଖକ ନା ......!

ମୁଁ ଆଉ ରହିପାରିଲି ନାହିଁ ଉଠିଆସିଲି। ମୋ ପଛେପଛେ ସେହି ଚାକୁଲୁଚାକୁଲୁ ଓ କୁକୁରିଆ ଗନ୍ଧ ବି ଉଠିଆସିଲେ।

ବାହାରେ ଦୁଇତିନିଟି କୁକୁର ମୋ ଆଡକୁ ମାଡିଆସିଲେ ଓ ମୋ ଗୋଡରେ ଘଷିହେଲେ। ମୁଁ ମୋ ହାତକୁ ଶୁଂଘିଲି। ଆରେ, କୁକୁରିଆ ଗନ୍ଧ ତ ମୋ ଦେହରୁ ଆସୁଛି!!!!

ଶେଷ


Rate this content
Log in