ଦର୍ପ ବିସର୍ଜନ
ଦର୍ପ ବିସର୍ଜନ
ରାଜ୍ୟାଭିଷେକ ପରେ ବାଇବ୍ଲେସ୍ ନଗରର ରାଜା ନିଜ ସୁନାର ଉଆସକୁ ଚାଲିଗଲେ ଯାହାକୁ ତିନିଜଣ ଏକାନ୍ତବାସୀ ଜାଦୁଗର ତାଙ୍କ ପାଇଁ ଗଢ଼ିଥିଲେ ।
ରାଜା ନିଜର ମୁକୁଟ ଓ ପାଟବସନ ଓହ୍ଲାଇ ପକାଇ ନିଜ ବିଷୟରେ ଭାବିବାକୁ ଲାଗିଲେ ।
“ଏବେ ମୁଁ ବାଇବ୍ଲେସ୍ ର ଶକ୍ତିଶାଳୀ ଶାସକ ହୋଇ ଯାଇଛି।”
ହଠାତ୍ ସେ ଦେଖିଲେ ରାଜମାତାଙ୍କ ଦ୍ଵାରା ପ୍ରଦତ୍ତ ଆରସୀରୁ ଏକ ଉଲଗ୍ନ ବ୍ୟକ୍ତି ବାହାରକୁ ବାହରୁଛି ।
ରାଜା ସେ ଲୋକକୁ ଚଢା଼ଗଳାରେ କହିଲେ ‘‘ତୁମେ କଣ ଚାହୁଁଛ ?’’
ଉଲଗ୍ନ ବ୍ୟକ୍ତିଟି ଉତ୍ତର ଦେଲା, ‘‘କିଛି ବି ନୁହଁ ! ତେବେ ସେ ଲୋକେ ତୁମକୁ ମୁକୁଟ କାହିଁକି ପିନ୍ଧେଇ ଦେଲେ ଯେ ?”
ରାଜା କହିଲେ, “ମୁଁ ଏ ଦେଶର ସବୁଠାରୁ ମହାନ ବ୍ୟକ୍ତି ସେଇଥିପାଇଁ ।’’
ଉଲଗ୍ନ ବ୍ୟକ୍ତି—‘‘ହେଲେ ତୁମେ ଏହାଠାରୁ ବି ମହାନ ହୋଇଥିଲେ ହେଁ ରାଜା ହେଵା ଯୋଗ୍ୟ ତ ନଥିଲ।’’
ରାଜା—, ‘‘ମୁଁ ଦେଶର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ତ ସେଇଥିପାଇଁ ସେମାନେ ମୋତେ ମୁକୁଟ ପିନ୍ଧେଇ ଦେଇଛନ୍ତି ।”
ଉଲଗ୍ନ ବ୍ୟକ୍ତି— “ ତୁମେ ଯେତେ ଅଧିକ ବୁଦ୍ଧିମାନ ହୋଇଥିଲେ ବି ରାଜା ଚୟନ କରାଯିବାର ଯୋଗ୍ୟ ତ ନଥିଲ।’’
ରାଜା ଆଉ ସହିପାରିଲେନି । ସେ ଚଟାଣ ଉପରେ ମୁଣ୍ଡ ନଇଁକରି ବସିପଡି଼ଲେ ଆଉ ଠିକ୍ ଛୋଟ ପିଲାଟିଏ ପରି କାନ୍ଦିବାକୁ ଲାଗିଲେ ।
ଉଲଗ୍ନ ବ୍ୟକ୍ତିଟି ନତମସ୍ତକ ପ୍ରାୟ ବସିରହିଥିବା ସେହି ଲୋକଟି ଆଡ଼େ କେତେକ କ୍ଷଣ ଚାହିଁଲା । ତହିଁପରେ ତା ମୁଣ୍ଡରୁ ଖସିପଡି଼ଥିବା ମୁକୁଟଟି ତାକୁ ପିନ୍ଧେଇ ଦେଇ ସ୍ନେହବୋଳା ଦୃଷ୍ଟିରେ ଅନେଇ ଅନେଇ ସେହି ଦର୍ପଣ ମଧ୍ୟରେ ପଶିଗଲା ।
ରାଜା ହଠାତ୍ ଚମକି ପଡି଼ଲେ। ସେ ଦର୍ପଣ ପାଖକୁ ଦୌଡି଼ଗଲେ ଆଉ ତା ଭିତରେ ଦେଖିବାକୁ ଲାଗିଲେ । ସେଥିରେ ସେ ଏବେ ସ୍ଵୟଂକୁ ମୁକୁଟ ପିନ୍ଧି ଛିଡା଼ ହୋଇଥିବାର ଦେଖିବାକୁ ପାଇଲେ ।
(ଲେବାନନ୍'ର ପ୍ରସିଦ୍ଧ ଲେଖକ ଖଲୀଲ୍ ଜିବ୍ରାନ'ଙ୍କର ଏକ କ୍ଷୁଦ୍ରଗଳ୍ପ “ଦ ଗ୍ରେଟର୍ ସେଲ୍ଫ୍”ର ଓଡ଼ିଆ ଭାବାନୁବାଦ !)