Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Sachidananda Kar

Others


4  

Sachidananda Kar

Others


ଦେହପୋଡିର ଦୃଶ୍ୟ

ଦେହପୋଡିର ଦୃଶ୍ୟ

2 mins 160 2 mins 160


        ମୁଁ ତୁହାକୁତୁହା ଅଣନିଃଶ୍ୱାସୀ ହେଉଥିଲି । ମୋ ଆଶଙ୍କା ଝାଳନାଳରେ ଲହୁଲୁହାଣ ହେଉଥିଲା । ଅସ୍ଥିରତା ଏମିତି ଶୀର୍ଷକୁ ଚାଲି ଯାଉଥିଲା ଯେ ମୁଁ ତା' ଦେହରେ ନିଆଁ ଲଗେଇ ତାକୁ ପୋଡି ମାରିଦେବାକୁ ଇଚ୍ଛା କରୁଥିଲି । 


        ମୋର ଯେତେ ସବୁ ଅଶ୍ୱସ୍ତି,ଲୁହ ଓ ଯନ୍ତ୍ରଣାର ସେ ହିଁ ଥିଲା କାରଣ । 


        ରକ୍ତ, ମାଂସର ଶରୀର ଧରିଥିବା ମଣିଷଟେ ମୁଁ । କେତେ ମୁଣ୍ଡପାତି ସହିବି ! ତେଣୁ ଏମିତି ମୋର ଇଚ୍ଛା । ହୋଇପାରେ ନିଷ୍ଠୁରତା । 


        ଅନ୍ୟର ସ୍ୱପ୍ନ ଭାଙ୍ଗି ହସ,ଖୁସି, ସୁଖ,ଶାନ୍ତି ଓ ସନ୍ତୋଷ ଲୁଟିବାର ଫଳ ତାକୁ ମିଳିବା ଦରକାର । ତେଣୁ ତାକୁ ଜାଳି ପୋଡି ମୁଠାଏ ପାଉଁଶରେ ପରିଣତ କରି ଦେବାକୁ ମୁଁ ଭାବୁଥିଲି । 


        ମୋର ଗୋଟେ ହସଖୁସିର ସଂସାର ଥିଲା । ସରଳ ହୃଦୟ ଓ ନିଷ୍କପଟ ମନ ନେଇ ବଞ୍ଚୁଥିଲି ମୁଁ । ହେଲେ ତା'ର କ'ଣ ହେଉଥିଲା କେଜାଣି ସେ ମୋତେ ଉଜାଡି ଦେବା ଉଦ୍ୟମରେ ସବୁବେଳେ ରହୁଥିଲା । ଉଜାଡି ଦେଉଥିଲା ବି । 


        ଧନ,ମାନ,କ୍ଷମତା କି ଯଶ କିଛି ମୁଁ ଚାହୁଁ ନ ଥିଲି ତା' ଠାରୁ । ଲୋଡୁଥିଲି କେବଳ ମୁଠାଏ ବିଶ୍ୱାସ ଓ ବନ୍ଧୁତ୍ୱ । ହେଲେ ସେତକ ବି ଦେଉ ନ ଥିଲା ସେ । ମୋତେ ସବୁବେଳେ ନିରାଶ କରି ଦେଉଥିଲା । 


        ନିଜକୁ ବୁଝାଉଥିଲି ମୁଁ । ଆଶା, ଆଶ୍ୱାସନା ଦେଉଥିଲି । ସମ୍ଭାବନାକୁ ମନରେ ସାଇତି ରଖୁଥିଲି । ହେଲେ ଆଶା, ଆଶ୍ୱାସନା ଓ ସମ୍ଭାବନାକୁ ପାଥେୟ କରି ମଣିଷ ଦୀର୍ଘ ପଥରେ ଅଗ୍ରସର ହୋଇପାରେ କ'ଣ !


        ମୁଁ ବାରମ୍ବାର ଝୁଣ୍ଟୁଥିଲି । ବାରମ୍ବାର ଶିଖୁଥିଲି । ନିରାଶାର ନିଃଶ୍ୱାସରେ ଅହରହ ଜଳୁଥିଲି । 


        ଦିନେ ଆଉ ନିଜକୁ ଆଶା, ଆଶ୍ୱାସନା ଦେଇପାରିଲି ନାହିଁ । ସମ୍ଭାବନାର ବୀଜଟି ମୋ ମନରୁ ମରିଗଲା । ନିରୂପାୟ ମୁଁ ତାକୁ ପୋଡି ଜାଳି ପାଉଁଶ କରିଦେବାକୁ ବାହାରିଲି । 


        ସେଦିନ ଅମାବାସ୍ୟା ହୋଇଥାଏ । ଚାରିଆଡେ ବହଳ ଅନ୍ଧାର । ମୁଁ ମୋର ଲକ୍ଷ୍ୟ ସାଧନ ପାଇଁ ବାହାରି ପଡିଲି । ମୋ ହାତରେ ଥିଲା କିଛି ପେଟ୍ରୋଲ ଓ ଗୋଟେ ଡିଆସିଲି । ଆଜି ସବୁକିଛିର ପରିସମାପ୍ତି କରିଦେବି - ଏଇ ଗୋଟିଏ ଜିଦ୍ ମୋ ଭିତରେ ଥିଲା । 


        ଅନ୍ଧାରର ସୁଯୋଗ ନେଇ ମୁଁ ଯାଇ ସେ ରହୁଥିବା କୋଠରୀ ପାଖରେ ପହଞ୍ଚିଲି । କବାଟ ଫାଙ୍କ ଦେଇ କ୍ଷୀଣ ଆଲୋକରେ ଭିତରକୁ ଚାହିଁଲି । ହଠାତ୍ ମୋ କାନରେ ପଡିଲା ତା'ର ଆକୁଳ କ୍ରନ୍ଦନ, ହା ହତାଶାର ସ୍ୱର ଓ ବଞ୍ଚିବାକୁ ଚରମ ବ୍ୟାକୁଳତା । 


        ଏଁ ! ଏ କ'ଣ ଶୁଣୁଛି ମୁଁ ! ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା । 


        ଏବେ ମୁଁ ଧୀରେ ନିରେଖି ଚାହିଁଲି ତା' ଆଡେ । ଦେଖିଲି - ତା' ଭିତରେ କାହିଁ କେତେଦିନରୁ ଜମାଟ ବାନ୍ଧିଥିବା ଈର୍ଷା - ଅହଂକାର ନିଆଁରେ ତା'ର ଦେହ,ମନ ଓ ଜୀବନ ହୁତୁହୁତୁ ହୋଇ ଜଳୁଥିବାର କରୁଣ ଦୃଶ୍ୟ । 


        ଓଃ ! କି ତୀବ୍ରତା ସେ ନିଆଁର ! ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇଗଲି । ଖୁବ୍ ଡରିଗଲି ମଧ୍ୟ । 


        ଯିଏ ଅହରହ ଜଳୁଛି, ପୋଡି ପାଉଁଶ ହୋଇ ଯାଇଥିବା ତା' ମୁହଁରେ ମୁଁ ଆଉ କି ନିଆଁ ଜାଳିବି ଯେ ! ମନକୁମନ କହିଲି ମୁଁ । 


        ପାଦେ ପଛକୁ ଫେରିଲି । ଈଶ୍ୱରଙ୍କୁ ଡାକି କହିଲି - " ହେ ଈଶ୍ୱର ! ଏ ଡହଡହ ଆଉଟା ପିଣ୍ଡକୁ ଟିକେ ଶୀତଳ ସ୍ପର୍ଶ ଦେଇ ମୁକ୍ତିର ବାଟ ଦେଖାଅ । ଶିଖାଅ ବନ୍ଧୁତ୍ୱର ଲାଭ ଓ ଜୀବନକୁ, ସଂସାରକୁ ଫୁଲବନ କରିବାର ମନ୍ତ୍ର । ଏ ମାଟି ତ ଏତିକି ହିଁ ଚାହେଁ । "


       ଏବେ ମୋର ପାଦ କେବଳ ପଛକୁ ପଛକୁ ହିଁ ପଡୁଥିଲା । ମୋ ହାତରେ ଥିବା ପେଟ୍ରୋଲ ଓ ଦିଆସିଲିକି ମୁଁ ହଜେଇ ଦେଲି ଅନ୍ଧାରରେ । ଗୋଟିଏ ଦୀର୍ଘଶ୍ୱାସ ନିଜ ଭିତରୁ ଉତାରି ଦେଇ, ହାତରେ ଆଶାର ମଶାଲ୍ ଧରି ଘରକୁ ଫେରି ଆସିଲି । 


        ବାଟସାରା ଯାହା ମୋ ଆଖି ଆଗରେ ବାରମ୍ବାର ଭାସି ଉଠୁଥିଲା ତାହା ହେଉଛି ତା'ର ଦେହପୋଡିର ଦୃଶ୍ୟ । ହଁ,ଦେହପୋଡିର ଦୃଶ୍ୟ । 



Rate this content
Log in