Sachidananda Kar

Others

2.9  

Sachidananda Kar

Others

ଚକଲେଟ୍

ଚକଲେଟ୍

2 mins
631



             ବେଳ ଅବେଳ ବୁଝେନି ସେ।

             ଅଧିକାର ଥିବା ଭଳି ଅଚାନକ ମୋ କୋଠରୀ ଭିତରକୁ ପଶି ଆସେ।ହ୍ୟାଙ୍ଗରରେ ଝୁଲୁଥିବା ମୋ ସାର୍ଟ ପର୍ଯ୍ୟନ୍ତ ଚାଲିଯାଏ।ପକେଟରେ ହାତ ପୂରାଏ।

             ଡଟପେନ୍ ଛାଡିଦେଲେ ଆଉ କ'ଣ ବା ଥାଏ ସାର୍ଟ ପକେଟରେ !

             ଡଟପେନ୍ ବାହାର କରି ଆଣି ଦେଖେ।ତା'ପରେ କହିବାକୁ ଆରମ୍ଭ କରେ -

             - ' ବହୁତ କବିତା ଲେଖିଲେଣି ନା ? ଜାଣେ ଆପଣ ଖୁବ୍ ଭଲ କବିତା ଲେଖନ୍ତି।ମୋ ସାଙ୍ଗମାନେ ଆପଣଙ୍କର ତାରିଫ୍ କରନ୍ତି।ଲେଖନ୍ତୁ .....ଲେଖନ୍ତୁ।କବିଟିଏ ହେବା ବଡ ସୌଭାଗ୍ୟର କଥା । '

            ଜାଣେ ଯେଉଁମାନେ କବିତା ଲେଖନ୍ତି ସେମାନେ ପ୍ରଶଂସା ବିକଳ।ଉତ୍ସାହ, ତାଳି ସେମାନଙ୍କ ପାଇଁ ଆବଶ୍ୟକ।ଚର୍ଚ୍ଚାରେ ରହିବାକୁ ବି ପସନ୍ଦ କରନ୍ତି ସେମାନେ।ସବୁବେଳେ ପ୍ରେରଣା ଆଶାରେ ଥାଆନ୍ତି।ହେଲେ କବିତାର କ ଅକ୍ଷର ମୋତେ ଜଣାନାହିଁ।ଅବଶ୍ୟ କେବେ କେବେ କବିତା ପଢେ।କିଛି ବୁଝେ କିଛି ବୁଝି ପାରେନାହିଁ।

            ଝିଅଟିର କଥା ସବୁ ଭଲଲାଗେ।ଶୁଣିଯାଏ।ତା' ପାଟିରେ ହାତ ଦେବାର ସାହସ ମୋର ନ ଥାଏ।ମୋତେ ବେଶ୍ ଭଲଲାଗେ ସେ।ମୁଁ ବୋଧହୁଏ ଭଲଲାଗେ ତାକୁ।

           ଭାରି ସୁନ୍ଦର ଝିଅଟିଏ ସେ।ସମୁଦ୍ର କୂଳରେ ବୁଲୁବୁଲୁ ପସନ୍ଦ ଆସିଥିବା ଝିଅଟି ଠାରୁ କମ୍ ନୁହେଁ ।ମେଳାରେ ବୁଲୁବୁଲୁ ପସନ୍ଦ ଆସିଥିବା ଝିଅଟି ଠାରୁ ବି ଆଦୌ କମ୍ ନୁହେଁ ।କଲେଜରେ ସବୁଠୁ ସୁନ୍ଦରୀ ଲାଗୁଥିବା ଝିଅଟି ଠାରୁ ବି ସେ ଅଧିକ।ଗୋରା ରଙ୍ଗ,ସୁନ୍ଦର ଗଢଣ।ଗାଢ଼ ନାଲି ରଙ୍ଗର ସାଲୁଆର୍ ସାଙ୍ଗକୁ କଳା ରଙ୍ଗର କମିଜ୍ ତାକୁ ଖୁବ୍ ମାନେ।ମୋ ମନଟି ସବୁବେଳେ ତା' ପାଖରେ ହିଁ ଥାଏ।ସତରେ....।

            କବି ନୁହେଁ, ନ ହେଲେ କବିତା ଦେଖାଇବା ବାହାନାରେ ପାଖରେ ବସାନ୍ତି। ଦୁଇ ଚାରିଟା କବିତା ଦେଖାନ୍ତି। ପଢିବାକୁ କହନ୍ତି।କଥାରେ କଥାରେ ତା' ସହିତ ଆଗେଇବାକୁ ଉଦ୍ୟମ କରନ୍ତି।

            କବି ନ ହେଲି ନାହିଁ, କବିତାର ଦୃଷ୍ଟିକୋଣ , ବାକ୍ୟଛନ୍ଦ କିଛି ଜଣାଥାଆନ୍ତା ହେଲେ...... !ଅକବି ଜଣେ ମୁଁ।ତେଣୁ ସେପରି କିଛି କରି ପାରେନାହିଁ।ନିଜ ଉପରେ ବିରକ୍ତ ହୁଏ।ମନେମନେ ରହେ।

            କବିତାକୁ ଛାଡିଦେଲେ କ'ଣ ଆଉ କିଛି କଥା ନାହିଁ ! ନା ସମସ୍ତେ ଏଠି କବି ହେବାକୁ ବାଧ୍ୟ ! - ଏମିତି କହିପାରେ ନାହିଁ।ମନେମନେ ଝିଅଟି ଉପରେ ବିରକ୍ତ ହୁଏ।

            ଭାରି ବ୍ୟସ୍ତ ଲାଗେ ।

            ଦିନେ ମୋର ମନେହେଲା ଝିଅଟିର ଇଚ୍ଛା ଆଉ କିଛି।ପ୍ରେମ ତ ସବୁବେଳେ କିଛି ନା କିଛି ବାହାନା ଖୋଜୁଥାଏ।ଥରେ ଆରମ୍ଭ ହୋଇଗଲେ ତେଣିକି ସବୁ ଖୋଲାମେଲା।ଏଇଟା ତା'ର ଗୋଟିଏ ବାହାନା ନିଶ୍ଚୟ।ଡଟପେନ୍ ହାତକୁ ନେଇ କିଛି ମନଗଢା ମିଛ କହୁଛି ସେ।

            ପକେଟରେ ଆଉ କିଛି ଖୋଜୁଛିକି ଝିଅଟି !

            ମନକୁମନ କହିଲି ଏ କଥା।ମୋର କାହିଁକି ମନେହେଲା ସେ ଆଉ କିଛି ଖୋଜୁଛି।ଚକଲେଟ୍ ନୁହେଁ ତ !

            ପରଦିନ ଜାଣି ଜାଣି ଦୁଇଟା ଚକଲେଟ୍ ପକେଟରେ ରଖିଦେଲି।

            ଅଚାନକ ସେମିତି ପଶି ଆସିଲା ସେ।ପକେଟ୍ ପାଖକୁ ଗଲା।ଡଟପେନ୍ ନୁହେଁ, ଚକଲେଟ୍ ବାହାର କରି ଆଣିଲା।ହସିଦେଇ ଆସି ପାଖରେ ବସିଲା।କହିଲା - ' ମତେ ଏ ଚକଲେଟ୍ ଭାରି ପସନ୍ଦ। ' 

            ମୁଁ କିଛି କହିବା ଆଗରୁ ମୋତେ ଚାହିଁ ଜରି ଖୋଲି ହସି ହସି ଚକଲେଟ୍ ଖାଇବାକୁ ଲାଗିଲା ସେ।କବିତା ନୁହେଁ, ଏବେ ତା' ମୁହଁରେ କେବଳ ଚକଲେଟ୍ କଥା ହିଁ ଥିଲା।

            ଖାସ୍ ତା'ରି ପାଇଁ ଏବେ ସବୁଦିନ ମୋ ପକେଟରେ ଚକଲେଟ୍।

            ଆଉ.......

            ଏବେ ଖାଲି ମୋର ଚକଲେଟ୍ ପରିକା ହେବାକୁ ଇଚ୍ଛା।

            ......ତା' ପସନ୍ଦର।

            କେଜାଣି ହୋଇ ପାରିବି କି ନାହିଁ !


Rate this content
Log in