ଚିତ୍ରକର
ଚିତ୍ରକର
ହାତରେ ଥିଲା ରଙ୍ଗତୂଳୀ। ମୁଁ ଚିତ୍ର ଆଙ୍କିବାରେ ବ୍ୟସ୍ତ ଥିଲି।
- " ମୋର କିଛି ଚିତ୍ର ଦରକାର ଥିଲା। ଦେଇପାରିବେ? "
ସେ କେତେବେଳୁ ଆସି ମୋ ଆଗରେ ଠିଆ ହୋଇଥିଲେ କେଜାଣି!ତାଙ୍କର ଏଇ ପ୍ରଶ୍ନରେ ମୁଁ ହଠାତ୍ ପ୍ରକୃତିସ୍ଥ ହୋଇ ତାଙ୍କୁ ଚାହିଁଲି।
- " ପାରିବିନି କାହିଁକି? " ମୁଁ ଉତ୍ତର ଦେଲି।
ଚେହେରାରୁ ବେଶ୍ ଭଦ୍ର ଲାଗୁଥିଲେ ସେ।ବୟସ ପ୍ରାୟ ସତୁରି ହେବ।ମୁହଁ ଖୁବ୍ ହସ ହସ ଥିଲା।
- " ତେବେ ଭଲ ହେଲା।ମୋର ଇଚ୍ଛା ପୂରଣ ହୋଇପାରିବ। " ସେ ହସିଦେଇ କହିଲେ।
- " ଆପଣ ବସନ୍ତୁ।ମୁଁ ମୋର ନିଜର ସବୁ ସାମର୍ଥ୍ୟକୁ ଆପଣଙ୍କ ପାଇଁ ଖର୍ଚ୍ଚ କରିବାକୁ ଚେଷ୍ଟା କରିବି। " ସମ୍ମାନର ସହିତ ମୁଁ ତାଙ୍କୁ କହିଲି।
ମୋ ସାମ୍ନାରେ ପଡିଥିବା ଏକ ଚେୟାରରେ ସେ ବସିଲେ।ବସୁ ବସୁ କହିଲେ - " ଅନେକ ବିଶ୍ୱାସ ନେଇ ମୁଁ ବହୁ ବାଟରୁ ଆପଣଙ୍କ ପାଖକୁ ଆସିଛି।ଚିତ୍ରାଙ୍କନ କ୍ଷେତ୍ରରେ ଆପଣଙ୍କର ଖୁବ୍ ନାଆଁ ଥିବା ଶୁଣିଛି। "
ତାଙ୍କର ଏଇ ପ୍ରଶଂସାପୂର୍ଣ୍ଣ କଥାରେ ମୁଁ ମୃଦୁ ହସିଲି।କହିଲି - " ଆପଣଙ୍କର ଇଚ୍ଛା ଅନିଚ୍ଛା, ଆଶା ପ୍ରତ୍ୟାଶାକୁ ମାନିନେଉଛି।ଏବେ କୁହନ୍ତୁ - କେଉଁ ପ୍ରକାର ଚିତ୍ର ଆପଣ ମୋ ଠାରୁ ଆଶା କରନ୍ତି। "
- " କିଛି ମହାପୁରୁଷ, ଧର୍ମଗୁରୁ ଆଉ ଦେଶସେବକଙ୍କର ଚିତ୍ର ମୋ ପାଇଁ ଆଙ୍କିଦିଅନ୍ତୁ ତେବେ।ଯଦି ପାରିବେ କିଛି ଶିକ୍ଷକ, ଡାକ୍ତର,ଅଫିସର ଓ ଇଞ୍ଜିନିୟରଙ୍କର ଚିତ୍ର ଆଙ୍କିଦେଲେ ଖୁସି ହୁଅନ୍ତି। " ସେ କହିଲେ।
ଅନ୍ୟ କିଛି କହିବେ ଆଶା କରୁଥିଲି।ତେଣୁ ତାଙ୍କ କଥାଶେଷରେ ଆଶ୍ଚର୍ଯ୍ୟ ହୋଇଗଲି।କିଛି ସମୟ ପାଇଁ ଗମ୍ଭୀର ରହିଲି।ପରେ ପ୍ରକୃତିସ୍ଥ ହୋଇ କହିଲି - "ଆପଣ ଖବରକାଗଜ ପଢୁଥାନ୍ତୁ।ମୁଁ ମୋ କାର୍ଯ୍ୟ ଆରମ୍ଭ କରୁଛି।"
ଏତିକି କହି ଟେବୁଲ ଉପରେ ପଡିଥିବା ଖବରକାଗଜଟି ତାଙ୍କ ଆଡକୁ ପେଲିଦେଲି।ସେ ହାତକୁ ନେଇ ପଢିବାକୁ ଆରମ୍ଭ କଲେ।ଯେହେତୁ କଥା ଦେଇ ସାରିଥିଲି,ମୁଁ ତାଙ୍କ ପ୍ରତି ମୋର ଏକାନ୍ତ ବଶମ୍ବଦ ପଣରେ ନିଜର ସବୁ ସାମର୍ଥ୍ୟକୁ ଖର୍ଚ୍ଚ କରି ରଙ୍ଗତୂଳୀ ଧରି ଚିତ୍ର ଆଙ୍କିବାରେ ଲାଗିଲି।
ମହାପୁରୁଷଙ୍କର ଚିତ୍ରରୁ ମୁଁ ମୋର ଚିତ୍ର ଅଙ୍କାଅଙ୍କି କାର୍ଯ୍ୟ ଆରମ୍ଭ କଲି।କେତୋଟି ଚିତ୍ର ଆଙ୍କିସାରିବା ପରେ ଦେଖିଲି ସେସବୁ ମୋତେ କଳା,କୁତ୍ସିତ, କଦାକାର ଦିଶିଲା।ମୋ ଆଖିରୁ ଲୁହ ଆପେ ଆପେ ଜକେଇ ଆସିଲା।ଦୀର୍ଘଶ୍ୱାସରେ ପୂରିଉଠିଲା ମୋ ଛାତି।ମୋର ସମଗ୍ର ମୁହୂର୍ତ୍ତକୁ ଆବୋରି ବସିଲା ଦୁଃଖ।
ମୁଁ ଅଟକିଗଲି।ପାରିବିନି ଭାବିଲି।ଆଉ ସେପରି ଚିତ୍ର ଆଙ୍କିବାରେ ସମୟ ସାରିବାକୁ ଇଚ୍ଛା ରଖିଲି ନାହିଁ।।
କିଛି ସମୟ ଏଣୁ ତେଣୁ ଭାବନାରେ ବିତିଗଲା।
ଏହାପରେ ଧର୍ମଗୁରୁମାନଙ୍କର ଚିତ୍ର ଆଙ୍କିବାକୁ ଆରମ୍ଭକଲି। ସେଥିରୁ କେତେଗୋଟି ଆଙ୍କି ସାରିବା ପରେ ଦେଖିଲି ସେସବୁ ଧୀରେ ଧୀରେ ଲାଲ୍ ବର୍ଣ୍ଣକୁ ଧାରଣ କରୁଛନ୍ତି।ଲାଗିଲା ସତେ ଯେମିତି ସେଇ ଚିତ୍ର ଭିତରୁ ନିଆଁ ଜଳିବାକୁ ଆରମ୍ଭ କରୁଛି।ଧୀରେ ଧୀରେ ମୋର ବିଚାରବୋଧକୁ ସେଇ ନିଆଁ ଗ୍ରାସ କରିବାକୁ ବସିଲା।ଆଉ ସେସବୁରେ ଆଗେଇ ପାରିଲିନି ମୁଁ।
ଏବେ ସେଭଳି ଚିତ୍ର ଆଙ୍କିବାରୁ ନିଜକୁ ଫେରାଇଆଣିଲି।ଅଳ୍ପ କିଛି ସମୟ ପାଇଁ ସ୍ଥିର ହୋଇ ବସିରହିଲି।
ଏହାପରେ ମୁଁ ଖୁବ୍ ଆଗ୍ରହରେ ଦେଶସେବକମାନଙ୍କର ଚିତ୍ର ଆଙ୍କିବାକୁ ଲାଗିଲି।ଯେତେ ଯାହା ଆଙ୍କିଲି ସବୁ ମୋତେ ଧୂସର, ବିବର୍ଣ୍ଣ ଦିଶିଲା।ମୁଁ ଥରିଉଠିଲି।ସତେ ଯେମିତି ସେମାନଙ୍କର ଶକ୍ତ ପଞ୍ଝା ଭିତରେ ମୁଁ କବଳିତ!ନିଜକୁ ନିଜେ ଖୁବ୍ ଅଧିକାରଶୂନ୍ୟ ଅନୁଭବ କଲି ସେତେବେଳେ।
ପୁଣି ଫେରାଇ ଆଣିଲି ନିଜକୁ।ଆଉ ସେଭଳି ଚିତ୍ର ଆଙ୍କିବାକୁ ଉଦ୍ୟମ କଲିନାହିଁ।
ଏବେ ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ଅଫିସରଙ୍କ ଚିତ୍ର ଗୋଟିକ ପରେ ଗୋଟିଏ ଆଙ୍କିବାରେ ଲାଗିଲି।ହେଲେ କାହିଁକି କେଜାଣି ମୋତେ କାନ୍ଦ ମାଡିଲା।ମୋର ହାତ ଛାଆଁ ଛାଆଁ ବାନ୍ଧି ହୋଇଗଲା।ମୋ ଆଖି ସାମ୍ନାରେ ମୋତେ ଦିଶିଲା ଗୋଟିଏ ଚକ୍ରବ୍ୟୂହ ଓ କିଛି ସତମିଛର ଖେଳ।ମୋତେ ସେମାନେ ଭିନ୍ନ କିଛି ରୂପରେ ଦିଶିବାକୁ ଲାଗିଲେ।
ଶେଷରେ ସ୍ତବ୍ଧ ହୋଇ ତାଙ୍କୁ କହିଲି - " ନା,ମୁଁ ପାରିବିନାହିଁ।ମୋ ଦ୍ୱାରା ସେପରି ଚିତ୍ର ଆଙ୍କିବା ଆଦୌ ସମ୍ଭବ ନୁହେଁ।ଗୋଟିଏ ନିରୋଳା ମଣିଷର ଚିତ୍ର ଆଙ୍କିବା ପାଇଁ ଯଦି କହିଥାନ୍ତେ,ତେବେ ହୁଏ ତ ଆଙ୍କି ପାରିଥାନ୍ତି। "
ସେ ମୁର୍କି ହସିଲେ ମୋ କଥା ଶେଷରେ।
ସଫଳ ଚିତ୍ରକରଟିଏ ହୋଇ ନ ପାରିବା ଅବସୋସରେ ସନ୍ତାପିତ ହେଉଥିଲି ମୁଁ।