ଚିତ୍ର : ଏକ କରୋନାମୁକ୍ତ ସକାଳର
ଚିତ୍ର : ଏକ କରୋନାମୁକ୍ତ ସକାଳର
- କରୋନା ଗଲା ।
- ଗଲା ?
- ହଁ,ଏବେ ଏବେ ତ ଖବର ଆସିଲା କି କରୋନା ଆଉ ନାହିଁ । ସେ ଯେଉଁଠାରୁ ଆସିଥିଲା ସେଠିକି ଚାଲିଗଲା ।
- ବାଃ ! କେତେ ଭଲ । ମୁଁ ତ ଏଇ ସମୟକୁ କେବେଠୁ ଅପେକ୍ଷା କରିଥିଲି ।
- ହଁ,ସବୁ ରାତି ପାହେ । ସକାଳ ଆସେ ।
ତାଙ୍କର ଏତିକି କଥାରେ ଆତ୍ମବିଭୋର ହୋଇଗଲି । ମନର ସାଧା କାନଭାସରେ ଗୋଟେ ସୁନ୍ଦର ସକାଳର ଚିତ୍ର ଆଙ୍କିବାରେ ଲାଗିଲି ।
ଦିଗବଳୟ ସେ ପାଖେ ରକ୍ତିମ ଆଭା । ଜଳ, ସ୍ଥଳ, ଆକାଶ ସର୍ବତ୍ର ପ୍ରକୃତିର ସୌନ୍ଦର୍ଯ୍ୟ ବିଛାଡି ପଡିଛି । ବୃକ୍ଷଲତାର ଅଙ୍ଗେ ଅଙ୍ଗେ ନବ ପଲ୍ଲବ ଓ ନବ ପୁଷ୍ପର ସୌନ୍ଦର୍ଯ୍ୟ । ଘାସ ଗାଲିଚାରେ ବିନ୍ଦୁ ବିନ୍ଦୁ କାକର ଟୋପା ମୁକ୍ତାର ଶୋଭା ସୃଷ୍ଟି କରୁଛି ।
ଆଃ ! କି ସୁନ୍ଦର, ସତେଜ ସକାଳ !
ଆଜି ଏତେ ଦିନ ପରେ ବାହାରକୁ ଯାଇ ହେବ । ସାଙ୍ଗମାନଙ୍କ ସହିତ ଫୁର୍ତ୍ତି କରିହେବ । ତେଣୁ ସକାଳୁ ସକାଳୁ ମୁଣ୍ଡ ସାମ୍ପୋ କରିନେଲି । କିଚେନକୁ ଆସିଲି ଚା' ବନେଇବାକୁ । ମୋ ଓଦା କେଶରୁ ବିନ୍ଦୁ ବିନ୍ଦୁ ପାଣି ପଡୁଥିଲା । ପଛରେ ଆସି ଠିଆ ହୋଇଗଲେ ମୋ ସ୍ୱାମୀ । ତାଙ୍କ ଉପରେ ବୁନ୍ଦାଏ ପଡିଗଲା କି କ'ଣ,ସେ ଶିହରି ଉଠିଲେ । ମତେ ପଛରୁ ଭିଡି ଧରି ପଚାରିଲେ - " ଆଜି ଏତେ ରୋମାଣ୍ଟିକ ଖୁସି କ'ଣ ପାଇଁ ? "
- " କରୋନା ପରା ଗଲା । ଯାଅ ଡ୍ରଇଂ ରୁମରେ ବସ । ମୁଁ ଚା' କରି ନେଉଛି । ସାଙ୍ଗ ହୋଇ ପିଇବା । ଆଜି ଟିକେ ବୁଲାବୁଲିରେ ଯିବା । "
- " ସତରେ ଆଜି ବୁଲିଯିବା ନା କ'ଣ ? " ସେ କହିଲେ ।
ତାଙ୍କ ଖୁସି ସେ କ୍ଷଣି ସୀମା ଟପିଗଲା ବୋଧ, ମୋ ଓଦା କେଶ ଓ ମୁକୁଳା ପିଠି ଉପରେ ମୁଁ ତାଙ୍କ ପ୍ରେମର ଛିଟା ଅନୁଭବ କଲି । ମୁର୍କି ମୁର୍କି ହସି କିଛି ସମୟ ପାଇଁ ସେଇ ବିଭୋର ମୁହୂର୍ତ୍ତକୁ ହୃଦୟର ସହିତ ଉପଭୋଗ କଲି ।
ଡ୍ରଇଂରୁମରେ ଆମେ ଦୁହେଁ ଲଗାଲଗି ହୋଇ ବସି ଚା' ପିଇଲୁ । ସକାଳକୁ ଉପଭୋଗ କଲୁ । ତା'ପରେ ମୁଁ ମୋ ଚାରି ପାଖରେ ଥିବା ବୃତ୍ତ ଲିଭେଇଲି । ଦୁଆର ମୁହଁରେ କେବେଠୁ ଯେଉଁ ଲକ୍ଷ୍ମଣ ଗାର ଟାଣିଥିଲି ତାକୁ ମଧ୍ୟ ଲିଭେଇଦେଲି ।
ଧୀରେ ଧୀରେ ମୁଁ ନିଜକୁ ବେଶ୍ ସୁରକ୍ଷିତ ମନେ କରିବାକୁ ଲାଗିଲି । ଓଠରେ ଆତ୍ମସନ୍ତୋଷର ହସ ଫୁଟିଲା । ମୁଁ ଯାଇ ଝରକା ଖୋଲିଲି । ବାହାର ଦୁନିଆକୁ ଦେଖିବାକୁ ଚାହିଁଲି । ବାଲକୋନୀକୁ ଆସିଲି ତା'ପରେ । ତାଜା ପବନ ମୋ ଦେହରେ ଶିହରଣ ଖେଳାଇଦେଲା । ମୁଁ ଧାଇଁ ଯାଇ ସଦ୍ୟ ପ୍ରସ୍ପୁଟିତ ଗୋଲାପର ପାଖୁଡ଼ାକୁ ଛୁଇଁଲି । ଓଃ ! କି ଆନନ୍ଦ ! କିଛି ସମୟ ପାଇଁ ମୁଁ ହଜିଗଲି କୁଆଡ଼େ ।
- " କରୋନା ଗଲା ଲୋ,ଡ ଲି । ଆଉ ଡର ନାହିଁ । ଏଣିକି ଆମେ ଆଗ ପରି ଏକାଠି ବସି ଚା' ପିଇବା, ମନ ଖୋଲି ଗପିବା, ହସିବା । "
ଫାଟକ ଡେଇଁ ସବିତା ଆଣ୍ଟି ବାହାରକୁ ଆସି ମୋତେ ଡାକି ବଡ ପାଟିରେ କହିଲେ । ମୁଁ ଚମକି ପଡି ତାଙ୍କୁ ଚାହିଁଲି । ଅପରିସୀମ ଖୁସିରେ ଉବୁଟୁବୁ ହେଉଥିଲି ।
ବାଲକୋନୀରୁ ଦୌଡିଲି । ତାଙ୍କ ପରି ମୁଁ ବି ଫାଟକ ଖୋଲି ଦେଇ ବାହାରକୁ ବାହାରି ଆସିଲି । ତାଙ୍କୁ କହିଲି - " ଓଃ ! ବୋଝଟାଏ ସତରେ । ଆଣ୍ଟି ! ମତେ ଆଜି ଭାରି ଖୁସି ଲାଗୁଛି । ମୁଁ ଆଜି ୟାଙ୍କ ସାଙ୍ଗରେ ବାହାରକୁ ବୁଲିଯିବାର ଯୋଜନା କରି ସାରିଲିଣି । "
ବାହାରେ ବହୁତ ଲୋକ ଚଳପ୍ରଚଳ କରୁଥିଲେ । ସେମାନଙ୍କୁ ଦେଖି ମୋ ଭିତରେ ଆତ୍ମବିଶ୍ୱାସ ବଢିଗଲା । ଦେଖିଲି କାହାରି କାନ୍ଧରେ ଆଉ ବୋଝ ନାହିଁ । କେହି କେହି ନିଜ ପିଠିରେ ଦି'ଟା ଡେଣା ଖଞ୍ଜି ଦେଇଛନ୍ତି ।
ସମଗ୍ର ଆକାଶଟା ଭାରି ନିଜର ନିଜର ଲାଗୁଥିଲା ସେତେବେଳେ । ମୋର ବି ଉଡିବାକୁ ଭାରି ଇଚ୍ଛା ହେଲା । ଚାହିଁଲେ ଏଇନା ଭୁବନେଶ୍ୱରରୁ ଦିଲ୍ଲୀ ପୁଣି ଦିଲ୍ଲୀରୁ ନିୟୁର୍କ ଉଡି ଯାଇ ପାରିବି,ଭାବିଲି । ଭାବିଲି ଛୁଇଁ ପାରିବି ନଦ ନଦୀ,ଉତ୍ତାଳ ତରଙ୍ଗ, ବେଳାଭୂମି, ବୃକ୍ଷଲତା ଇତ୍ୟାଦି ।
ହେଲେ ଏ କରୋନା ପୁଣି ଫେରି ଆସିବନି ତ ? ମନକୁ ସନ୍ଦେହ ଛୁଇଁଲା ।
କରୋନା ଆଉ ଫେରି ନ ଆସୁ । ଆଉ ବିଗିଡି ନ ଯାଉ ଆମ ବିଶ୍ୱ । ଅକାଳରେ ମୃତ୍ୟୁ ମୁଖରେ ଆଉ ନ ପଡୁ ମଣିଷ । ସମସ୍ତେ ଭୟମୁକ୍ତ ଜୀବନ ବଞ୍ଚନ୍ତୁ । - ପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଁ ମନେମନେ ଏତିକି ପ୍ରାର୍ଥନା କଲି । ଅନ୍ୟମନସ୍କ ହେଲି ।
- " ସବୁ ରାତିର ଗୋଟେ ଅନ୍ତ ଥାଏ, ନ ଥାଏ କି ? " ସବିତା ଆଣ୍ଟି ପୁଣି କହିଲେ ।
ପ୍ରକୃତିସ୍ଥ ହୋଇ ମୁଁ ତାଙ୍କ ଆଡ଼କୁ ଚାହିଁଲି । ତାଙ୍କ ସହିତ କଥା ଶେଷ କରି ଘରକୁ ଫେରିଲି ।
ଘରକୁ ଫେରି ପୁଣି ଗୋଟେ କପ୍ ଚା' ଧରି ଏକାନ୍ତରେ ବସିଗଲି । ଖୁସି ଖୁସିରେ ମନର ସାଧା କାନଭାସରେ ପୁଣି ଥରେ ଗୋଟିଏ କରୋନା ମୁକ୍ତ ସୁନ୍ଦର ସକାଳର ଚିତ୍ର ଆଙ୍କିବାରେ ଲାଗିଲି ।
