ଚିର ସହଚର
ଚିର ସହଚର

3 mins

3
ମାଆ ଘୁଙ୍ଗୁରକୁ ବାବୁ ଘରୁ ନେଇଗଲାବେଳେ ଘୁଙ୍ଗୁର ଆଖିତରାଟି କିଛି ଦେଖୁଥିଲା. ମାଆ ଭାବିଲା ଝିଅଟି ତାର ଭଲମନ୍ଦ କିଛି ଖାଇବାକୁ ପାଉନି ବୋଲି ବୋଧହୁଏ ବାବୁଘର ପିଲାମାନଙ୍କର ସକାଳ ଜଳଖିଆ ପ୍ଲେଟରେ ଥିବା ଭଲ ଭଲ ଖାଇବାକୁ ଆଖିତରାଟି ଦେଖୁଛି, ସେଇଥିପାଇଁ ତ ମାଆ ତାର ତରବରରେ କାମ ସାରି ନେଇଯାଉଛି ଝିଅକୁ ଧରି ଘରକୁ. କାନ୍ଦ କାନ୍ଦ ମାଆ ଘରେ ପହଁଞ୍ଚି ବାବୁଆଣୀ ଦେଇଥିବା ଜଳଖିଆ ପୁଡିଆ ଖୋଲିବାକୁ ବସିଲା. ଭାବିଲା ଯା ହେଉ ମାଆ ସାଆନ୍ତାଣୀ ତା ଝିଅ ପାଇଁ କିଛି ଭଲ ଭଲ ଜଳଖିଆ ଦେଇଛନ୍ତି. ହେଲେ ପୁଡିଆ ଖୋଲି ଆଶ୍ଚର୍ଯ୍ୟ ହେଲା ସୁକାନ୍ତି କାରଣ ଭିତରେ ଥିଲା ବାସି ରୁଟି ଦିପଟ. ଭୋକିଲା ଘୁଙ୍ଗୁର ମାଆ ଆଖିରୁ ବହିଯାଉଥିବା ଲୁହ ଧାରକୁ ପୋଛି ଦେଇ କହୁଥିଲା ମନ ଖରାପ କରନା ମାଆ. ତୁ ଜାଣିଛୁ ମାଆ ଏଇ ବାସି ରୁଟି ସ୍ୱାସ୍ଥ୍ୟ ପକ୍ଷେ କେତେ ଉପକାରୀ!ପୁଣି ଜାଣିଛୁ ମାଆ ଏ ବାସି ରୁଟି ଠାରୁ ଆମ ହାଣ୍ଡିରେ ଥିବା ବାସି ପଖାଳ ଦେହକୁ ଆହୁରି ହିତକର. ତୁ ଭାବୁଥିବୁ ମୁଁ ବାବୁଘର ଛୁଆମାନଙ୍କ ପ୍ଲେଟରେ ଥିବା ଜାତି ଜାତି ନୂଆ ପ୍ରକାର ଜଳଖିଆକୁ ଆଖି ତରାଟି ଦେଖୁଥିଲି. ନା ଲୋ ମାଆ ମୋଟେ ନୁହେଁ ବରଂ ସେମାନଙ୍କ ପଢ଼ା ବହି ସବୁକୁ ଆଖି ତରାଟି ଦେଖୁଥିଲି. ପ୍ରତି ବର୍ଷ ଉପର ଶ୍ରେଣୀକୁ ଯାଉଥିବା ବାବୁଘର ପିଲାମାନେ ତଳ ଶ୍ରେଣୀ ବହିପତ୍ର ଏକାଠି କରି କବାଡିବାଲାକୁ ଦେଇଦିଅନ୍ତି. ସେମାନେ ମଧ୍ୟ ସେମିତି ସେଇ ବହିପତ୍ରକୁ ଅଦରକାରୀ ଭାବେ ରଖୁଥିଲେ. ସେଇ ବହିକୁ ଆଖି ତରାଟି ଚାହିଁଥିଲି ମାଆ. ସେସବୁ ମୋର ଭାରି ଦରକାରୀ. ତା ଭିତରେ ଥିବା ତଥ୍ୟ ଖାଲି ପରୀକ୍ଷା ପାଇଁ ନୁହେଁ ମାଆ ବରଂ ସବୁଦିନ ପାଇଁ ଦରକାରୀ.
ମାଆ କାନ୍ଦିଥିଲା ଖୁବ ଆଉ ଝିଅ ଘୁଙ୍ଗୁର ମୋର ବଡ଼ ହୋଇଗଲାଣି କହି କାନ୍ଦିପକେଇଲା ବେଳେ ଝିଅ କହୁଥିଲା ତୁ ଜାଣିଛୁ ମାଆ ମଧୁବାବୁ ପିଲଦିନେ କେଵେ ବି ସ୍କୁଲ ବନ୍ଦ କରୁନଥିଲେ. ଏମିତିକି ସେତେବେଳେ ଗାଁ ଗଣ୍ଡାରେ ଭଲ ସଡ଼କ ନଥିବା ସତ୍ୱେ ବର୍ଷା ଦିନେ ଓ ଝଡି ବର୍ଷାରେ ଓଦା ହୋଇ ମଧ୍ୟ ସେ ସ୍କୁଲ ଯାଉଥିଲେ ଓ ଗୋଡ଼ ଖସିଯାଉଥିବା ରାସ୍ତାଟିକୁ ଛୁଟି ବେଳେ ସବୁ ସାଙ୍ଗସାଥିମାନଙ୍କୁ ଏକଜୁଟ କରି ଗାଁ ରାସ୍ତାରେ ଗୋଡି, ମାଟି, ବାଲି ପକେଇ ସମତୁଲ କାରିଥିଲେ. ଏସବୁ ଲେଖଥିବା ବହିକୁ ଆମେ ଆଉ ଦରକାର ନାହିଁ କହି କବାଡିବାଲାକୁ ଦେଇଦେଲେ ଭବିଷ୍ୟତରେ ପାଇବା କାଁହୁଁ! ମାଆ ଘୁଙ୍ଗୁରକୁ ବୋକ ଦେଇ କହୁଥିଲା ସାର କଥାଟିଏ କହିଲୁ ଝିଅ.ତା ପରଠୁ ମାଆ ବାବୁ ଭାୟାମାନଙ୍କ ଘରୁ ପୁରୁଣା ବହିପତ୍ର ମାଗିଆଣେ ଘୁଙ୍ଗୁର ପାଇଁ. ମାଆ ଜାଣେ ଘୁଙ୍ଗୁରର ଖାଇବା, ପିନ୍ଧିବା ଅପେକ୍ଷା ବହିପତ୍ରରେ ଭାରି ଶରଧା. ଘୁଙ୍ଗୁର ବି ମନ ଧ୍ୟାନ ଦେଇ ପଢୁଥାଏ ଖୁବ. ସବୁ କ୍ଲାସରେ ଫାଷ୍ଟ ହୋଇ ଚାଲିଥାଏ.
ଆଜି ଘୁଙ୍ଗୁର ଉଚ୍ଚ ଶିକ୍ଷା ସମାପ୍ତ କରି ଭଲ ଚାକିରୀ ପାଇଛି. ମାଆ ସୁକାନ୍ତି ମଧ୍ୟ ଆଉ ବାର ଦୁଆର ଯାଇ କାମ ପାଇଟି କରୁନି ବରଂ ଝିଅ ଠାରୁ ଅକ୍ଷର ଶିଖି ରାମାୟଣ ମହାଭାରତ, ଗୀତା, ଭାଗବତ ପଢିପାରୁଛି. ଅନାବାଦୀ ଜମିରେ ଘର କରିଥିବା ଲୋକଙ୍କୁ ସେଦିନ ଉଠେଇବା ଚକ୍କରରେ ସବୁରି ଘରୁ ଜିନିଷ ପତ୍ର କଢ଼ା ଫୋପଡ଼ା ଚାଲିଥାଏ ତ କିଏ ସୁନା ଗହଣା, ଟଙ୍କା ପଇସା ତଥା ଶାଢ଼ୀ ପଟା ସବୁକୁ ଗୋଟେଇ ନେଲା ବେଳେ ଘୁଙ୍ଗୁର ଗୋଟେଇ ଚାଲିଥିଲା ତା ପୁରୁଣା କିନ୍ତୁ ଚିର ସହଚର ବହିଗୁଡିକୁ. ଜଣେ ଓ ଏସ ଅଫିସରଙ୍କ ବହି ପ୍ରୀତି ଦେଖି ପୋଲିସ କର୍ମଚାରୀମାନେ ଆଖି ତରାଟି ଦେଖିବା ସହ ସାହାଯ୍ୟ ସହଯୋଗ କରୁଥିଲେ ଘୁଙ୍ଗୁର ମ୍ୟାଡାମଙ୍କୁ. ମାଆ ସୁକାନ୍ତି ତାଙ୍କ ଆଖିଆଗରେ ତାଙ୍କ ମୂଲ୍ୟବାନ ଆସବାସପତ୍ର ଗୋଟାଇ ରଖିବାକୁ ବ୍ୟଗ୍ର ଥିଲା ବେଳେ ଘୁଙ୍ଗୁର ମ୍ୟାଡାମ କହୁଥିଲେ ସେସବୁ ଏଣିକି କିଣିହେବ ମାଆ କିନ୍ତୁ ଏହି ଦୁର୍ମୁଲ୍ୟ ବହି ଆଉ ମିଳିବନି. ପୋଲିସମାନେ ମଧ୍ୟ ବହିପତ୍ରସବୁକୁ ଠିକଠାକ ରଖାଥୁଆ କରିଚାଲିଥିଲା ବେଳେ ଅସହାୟ ସୁକାନ୍ତି ଆଖିତାରାଟି ଦେଖୁଥିଲେ ବିଗତ ଦିନର ପୁରୁଣା ସ୍ମୃତି ବହନ କରିଥିବା ଆସବାସପତ୍ର ସବୁକୁ. ନୂଆ କ୍ଵାଟର ସାରା ଝିଅ ଘୁଙ୍ଗୁରର ବହି ଆଉ ବହି ଦେଖି ମାଆ ଆଖି ତରାଟି ଦେଖୁଥିଲେ କେବଳ.