STORYMIRROR

Pravanjan Dash

Others

3  

Pravanjan Dash

Others

ଚାଷୀ

ଚାଷୀ

2 mins
316

ଫସଲର ଗାଆଁ ହରିଦାସପୁର। କଥାରେ କହନ୍ତି, “ହରିଦାସପୁର ହେଉଛି ତିନିଖଣ୍ଡି ବ୍ଲକର ଭାତହାଣ୍ଡି”। ମାଗୁଣି ମାଝୀ ସେଇ ଗାଆଁର ଜଣେ ନାମମାତ୍ର କ୍ଷୁଦ୍ରଚାଷୀ। ଘରଡିହ ଖଣ୍ଡକୁ ଛାଡିଦେଲେ ଚାଷଜମି ମାତ୍ର ଦି ଗୁଣ୍ଠ। ଏଇ ଫସଲରୁ ଯାହା ଯେତିକି ପାଏ ସେଥିରେ ବହୁ ଦୁଃଖ କଷ୍ଟରେ ବର୍ଷ ସାରା ଚଳିଯାଏ। ସାତ ପ୍ରାଣୀର ପରିବାର ତା’ର ସେଥିରେ ପୁଣି ରୋଗୀଣା ବାପା ମାଆ ଦିଟା। ବଡ଼ ଝିଅ ଆର୍ଥିକ ଅଭାବରୁ ଅଧାରୁ ପାଠ ଛାଡି ଘରେ ରହି ଘରକାମ କଲା। ସାନ ଝିଅ ଅବସ୍ଥା ବି ସେଇଆ। ବାକି ସବୁ ଛୋଟଛୋଟ ଗାଆଁ ସରକାରୀ ଇସ୍କୁଲରେ ପଢ଼ନ୍ତି। ପାଠ ଯାହା ହଉ କି ନହଉ ମଧ୍ୟାହ୍ନ ଭୋଜନ ଗଣ୍ଡାକରେ ପେଟ ଟିକକ ପୁରୁ। ଯାହାର ପେଟରେ ଭୋକ ଚିନ୍ତା ତା’ର ପାଠଶାଠରେ ଯାଏ ଆସେ କେତେ? ଏସନ ଖରିଫ୍ ଫସଲ ପାଇଁ ମାଗୁଣି ଘରଡିହ ଖଣ୍ଡକ ବନ୍ଧା ପକେଇ ବ୍ୟାଙ୍କରୁ କିଛି ଟଙ୍କା ଋଣ ଆଣିଥିଲା। ହେଲେ ଦଇବ ଦାଉ ସାଜିଲା। କେତେବେଳେ ପାଣି ଅଭାବରୁ ଗଛ ମଲା ତ ଆଉ କେତେବେଳେ ଅଦିନିଆ ଲଗାଣ ବର୍ଷାରେ ଗଛ ଜୋଲାଙ୍ଗ ପାଇଲା। ସେଥିରେ ପୁଣି ପଙ୍ଗପାଳ ଦଳ କୋଉଠୁ ସଇତାନ ପରି ମାଡି ଆସି ତା’ର ବଳକା ଫସଲ ଟିକକ ବି ଧ୍ୱଂସ କରିଦେଇ ଗଲେ। ସହାୟତା ପାଇଁ ମାଗୁଣି କେତେ କାହାକୁ ନେହୁରା ହେଲା। ବାରମ୍ବାର ବ୍ଲକକୁ ଯାଇ ଆପତ୍ତି ଅନୁରୋଧ କଲା। ହେଲେ ମିଳିଲା କେବଳ କିଛି ଶୁଖିଲା ପ୍ରତିଶୃତି। ଟଙ୍କା ପାଇଁ ବ୍ୟାଙ୍କ୍ ଅଫିସର୍ ଆସି ଘରେ ବସିଲେ। ଟଙ୍କା ନଦେଲେ ଘରଡିହ ଖଣ୍ଡକ ହାତରୁ ଚାଲିଯିବ। ଏପଟେ ଘରେ ବଢ଼ିଲା ଝିଅକୁ ସେପଟେ ପୁଣି ସବୁ ଦୋକାନରେ ବାକି। ଦୋକାନୀ ଗୁଡାକ ବାରମ୍ବାର ଘରକୁ ଆସି ମାଗୁଣିକୁ ହନ୍ତସନ୍ତ କରି ପକାଇଲେଣି। କିଛି ଦୋକାନୀ ବାକି ଦେବାବି ବନ୍ଦ କରିଦେଲେଣି। ବିଚରା ମାଗୁଣି କିଛି ଉପାୟ ନପାଇ ନିରୁପାୟ ସାଜିଲା। ଟଙ୍କା କଥା ଭାବିଭାବି ଭୋକ ଶୋଷ ଭୁଲିଗଲା। ଆଖିରୁ ପାଣି ମରିଗଲା। ନିରୀହ ପିଲାଙ୍କ ଭୋକିଲା ପେଟକୁ ଦେଖି ସେ ଆଉ ସହି ପାରିଲିନି। ଶେଷରେ ଦିନେ ସକାଳୁ ବାରିପଟ ଆମ୍ବତୋଟାରେ ଝୁଲନ୍ତା ଅବସ୍ଥାରେ ମାଗୁଣି ମାଝୀର ମୃତଦେହ ଦେଖିବାକୁ ମିଳିଲା। ସମସ୍ତେ କଥା ହେଉଥିଲେ ଅସହାୟ ସାଜି ବିଚରା ମାଗୁଣିଟା ମରିଗଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍