★ ବୁଢୀ ★
★ ବୁଢୀ ★
ବହୁଦିନ ଆଗରୁ ସେ ତା'କୁ ଆଉ ମା' ଡାକୁନଥିଲା । ବୋଧେ ଚମ ଧୁଡୁଧୁଡୁ ହୋଇ , ଛାତିର ଥନ ଲୋଚାକୋଚା ହେଇ ସିଙ୍କୁଡି ଗଲାଦିନୁ କି'କଣ । ଦିନେ ଯେ' ହାତଟେକି ଖୁଆଉଥିଲା , ଏବେ ଚାହିଁ ରହିଥିଲା ପୁଅବୋହୁର ହାତଟେକାକୁ । ନା ତରୁଥିଲା ନା ମରୁଥିଲା । ପୁଅ ଏବେ ମା'କୁ ଡାକୁଥିଲା 'ବୁଢୀ' ।
- ବୁଢୀ ର କିଛି ଥଇଥାନ କର । ନୋଇଲେ ଆମେ ଘର ଛାଡିଦେବୁ ।
- ପୁଣି କ'ଣ କଲା ସେ ?
- କାହାକୁ ନା ଶାନ୍ତିରେ ରଖାଇଦେଉଛି , ନା ନିଜେ ଶାନ୍ତିରେ ରହୁଛି । ସବୁବେଳେ କାହାର ନା କାହାର ଖୁଣ କାଢି ସାମ୍ପୁଛି । ଦୁନିଆ ରୋଗ ବଇରାଗକୁ ତ ଦେହରେ ପାଳିପୋଷିଛି । ସେଇଥିରେ ପୁଣି ନଖରା ହଜାରେ। ଆଉ ପାରିହେବନି ।
- ଥଣ୍ଡାଗରମରେ ମରୁନି ବି ତ । ମୁଁ କରିବି କ'ଣ ?
- ନେଇ ଛାଡିଦେଇଆସ କେଉ ଦୂର ଇଲାକାରେ ।
- ଆଁଆଁ ? ମା' ଟା । ଲୋକେ କହିବେ କ'ଣ ?
- କ'ଣଟେ କହିବେ । ପାଗିଳି ହୋଇ , ନିଜେ କୁଆଡେ ଚାଲିଗଲା କହିହେବନିକି ?
- ଖୋଜିଖାଜି ପୁଣି ଚାଲିଆଇଲେ ?
- ପାରିବନି । ମଣିଷଟା । ପୋଷାପଶୁ ହେଇଥିଲେ ଶୁଙ୍ଘିଶାଙ୍ଘି ଆସିଯାଇଥାନ୍ତା । ସେଆଡେ ସେଆଡେ ମରିଯିବ । ତରିଯିବ ।
- ଆଛାହେଉ ।
★★★
ଯୋଜନାଟେ କରି ମୁହଁ ଅନ୍ଧାରରେ ବୁଢୀକୁ ପୁଅ ଟେକିନେଲାବେଳେ , ପୁଅର ଚାଲାଖି ବୁଝିନେଲା ବୁଢୀ । ହାଉଁ ହାଉଁ ହୋଇ ବଳପ୍ରମାଣେ ରଡି ଛାଡିଲା । ପାଖ ପଡିଶାଏ ଦୁଆରଝରକା ଖୋଲିବାରେ ଲାଗିଲେ । ଧରାପଡିଯିବା ଭୟରେ ବୁଢୀକୁ କଚାଡି ,ଗୋଟାପଣେ ଥରିଲାକୁ ଲାଗିଲା ପୁଅ ଏଥର । ବିକଳରେ ମାଈପକୁ ଚାହିଁବାରୁ , ମାଈପ ଟାଣିନେଲା ଘର ଭିତରକୁ ତାକୁ । କାଠ ଫାଳିଆଟେ ଧରେଇ କହିଲା -
- ନିଅ ମାରିପକାଅ ।
- ଏଇ ଫାଳିଆରେ ???
- ଛି ! କି ମରଦଟେ ମଁ ? ସବୁବେଳେ ଛୁଆଙ୍କୁ କହିବୁଲ ପରା , ସାନବେଳେ ବୁଢୀ ଦାନ୍ତକାଠି ରେ ତୁମ ପିଠିକୁ ଛାଇଦିଏ । ଏବେତ ପ୍ରତିଶୋଧ ନେବାର ବେଳ । ଏମିତି ଅଣପୁରୁଷା ହେଲେ ଚଳିବନି । ଦାନ୍ତକାଠି ଟେ କୁଆଡୁ ପାଇବି । ଏଇ କାଠଫାଳିଆରେ କାମସାର ।
- ମରିଯିବ । ଲୋକେ କହିବେ କ'ଣ ?
- ନହେଲେ ବୁଢୀ ଆମକୁ ପଦାରେ ପକେଇଦେବ ଲୋକଙ୍କ ଆଗରେ । ତୁମେକୁହଯେ , ବୁଢ଼ୀ ଡାହାଣୀ ସାଜି ଅଧାରାତିରେ ଛୁଆଙ୍କ ରକ୍ତ ପିଇବାକୁ ବସିଥିଲା । ଏତକରେ ତୁମେକ'ଣ , ଲୋକେ ମାରିଦେବେ ପିଟିପିଟି । କହିଦେଖ ଥରେ ।
- କଥାଟେ ଭଲ ପାଞ୍ଚିଲୁ ଯାହା ।
ଏଥର ପୁଅ ପିଟିଚାଲିଲା ମା'କୁ । ଦେଖୁଥିବା ଲୋକବି ସାହାଯ୍ୟ
କରିବାକୁ ଅଣ୍ଟା ଭିଡିଲେ ।
( ନିଜ ମା' କୁ 'ବୁଢୀ' ଡାକୁଥିବା ସବୁ ପୁତ୍ର , ପୁତ୍ରବଧୂ ଙ୍କୁ ଗପଟି ଉତ୍ସର୍ଗ )
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■