Sachidananda Kar

Others

2.5  

Sachidananda Kar

Others

ବୁଢ଼ା ଲୋକ

ବୁଢ଼ା ଲୋକ

2 mins
337



             ବୁଢ଼ା ଲୋକ।

             ଜୀବନର ଯେତେ ସୋପାନ ସବୁକୁ ଅତିକ୍ରମ କରି ଆସିଛି ସେ। ଏବେ ଶେଷ ସୋପାନରେ.........।

             ଦେଖି ଜାଣି ହୁଏ ନାହିଁ ପତ୍ରଟିଏ ଝଡି ପଡିବ କେବେ।ଚାହୁଁ ଚାହୁଁ ଝଡିଯାଏ ପତ୍ର।

             ଠିକ୍ ସେମିତି ସେ ବୁଢ଼ା ଲୋକଟି।କେବେ ଝଡା ପତ୍ରର ଅବସ୍ଥାକୁ ଆସିଯିବ କିଏ ଜାଣେ ?

             ଅତୀତ ନାହିଁ, ଭବିଷ୍ୟତ ବି ନାହିଁ।କେବଳ ଗୋଟିଏ ବର୍ତ୍ତମାନକୁ ନେଇ ବଞ୍ଚି ରହିଛି ସେ।

             ସ୍ବପ୍ନ ନାହିଁ, ଆଶା ବି ନାହିଁ।ବୁଢାଟିର ଜୀବନ ଏବେ ଖୁବ୍ ନିର୍ବିକାର ପାଲଟିଛି।

             କୃତଜ୍ଞତା କିଏ ଜଣାଉଛି କାହିଁ ! କିଏ କାହିଁ ସହାନୁଭୂତି ଦେଖାଉଛି ! ଏଇ ଶଦ୍ଦ ଦୁଇ ଯେମିତି ଅଭିଧାନରେ ଆଉ ନାହିଁ, ସେ ମନେକରୁଛି।

             କେତେବେଳେ କେମିତି କିଛି କହିବାକୁ ଚାହୁଁଛି ସେ।ସମସ୍ତେ ତ ନିଜ ନିଜ କାମରେ ବ୍ୟସ୍ତ।କିଏ ଶୁଣୁଛି ତା'ର କଥା ?

             ଓଲଟି ଲୋକେ କହୁଛନ୍ତି - କ'ଣ ମିଳିବ ତା' ବେକାର୍ କଥା ଶୁଣି ! ମୂଲ୍ୟହୀନ।ହାବୁଡ଼ରେ ପଡିଗଲେ ବୁଢାଟା ଏମିତି ଗପୁଛି ଯେ ଶୁଣିଲେ ମୁଣ୍ଡ ଭଲ ଥିବା ଲୋକର ବି ଖରାପ ହୋଇଯିବ।କ'ଣ ଭାବେ କେଜାଣି ସେ !ତା'ର କାମ ନାହିଁ ବୋଲି କ'ଣ ଆଉ କାହାର କାମ ନାହିଁ ନା କ'ଣ !

             ଦିନେ କିନ୍ତୁ ଏମିତି ନ ଥିଲା ସେ ବୁଢ଼ା।ଅନାହୂତ ଭାବେ ଜୀବନକୁ ପଶି ଆସୁଥିବା ଜୀବନର ସମସ୍ୟା ଓ ଯନ୍ତ୍ରଣାଗୁଡିକୁ ଗ୍ରହଣ କରି ପାରୁଥିଲା ସେ।ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଯଥେଷ୍ଟ ସମର୍ଥ ଥିଲା।ନିଜ ଭିତରେ ଖୁବ୍ ଦୃଢ ଥିଲା ସେ।ସମସ୍ୟାର ସହଜ ସମାଧାନ କରି ପାରୁଥିଲା।କଥା କହୁଥିଲେ ଫୁଟି ଯାଉଥିଲା ଫୁଲ।ମୁଣ୍ଡରୁ ଓହ୍ଲେଇ ଯାଉଥିଲା ବୋଝ।

             ଏହା ଯେ ଚିରସ୍ଥାୟୀ ନୁହେଁ - ଏକଥା କିନ୍ତୁ ଭାବି ନ ଥିଲା ବୁଢାଟି।ସକାଳେ ଉଇଁ ଆସିଥିବା ସୂର୍ଯ୍ୟ ସଂଧ୍ୟାରେ ଅସ୍ତ ଯାଏ।ମଉଳିଯାଏ ଉଜ୍ଜ୍ୱଳତା।ଏସବୁ ଜାଣି କେମିତି ଅଜଣା ଥିଲା ସେ।ବିରକ୍ତି ହେଉଥିଲା ଶୁଣିଲେ 

' ମନବୋଧ ଚଉତିଶା '।କହୁଥିଲା - ଦୃଢ଼ ମନକୁ ଦୁର୍ବଳ କରିବା ପାଇଁ ତାହା ଉଦ୍ଦିଷ୍ଟ , ଆଉ କିଛି ନୁହେଁ।ଜୀବନ ସ୍ବପ୍ନମୟ , ଆଶାପୂର୍ଣ୍ଣ।ନିରାଶର ଗୀତ ଶୁଣିବା କାହିଁକି !

             ଆଜି କିନ୍ତୁ ବୁଢାକୁ ଦେଖିଲେ ଭାବି ହୁଏନି ଏସବୁ କିଛି।ଏକ ଆଲୋକିତ ଜୀବନ ନେଇ ଯେ ସେ ବଞ୍ଚୁଥିଲା - ତାକୁ ଦେଖିଲେ ସତରେ ଏହା କେବେ କେହି କଳ୍ପନା ବି କରି ପାରିବେନି ଆଜି।ଯେଉଁମାନେ ଦେଖିଥିଲେ ତା'ର ତେଜ , କ୍ଷମତା , ଛଳଛଳ ଜୀବନ ,ସେମାନେ ସେସବୁ ଭୁଲିଗଲେଣି କେବେଠୁ।ଏବେ ସେ କେବଳ ବୁଢ଼ା - ଜଣେ ବୁଢ଼ା ଲୋକ।

             ସେ କିଛି ଭୁଲି ନାହିଁ ତା'ର ଅତୀତ।ବାହାରକୁ କିଛି ଦିଶୁନାହିଁ ସିନା, ଭିତରେ ଯେମିତି ସବୁ କିଛି ଅଛି - ଏମିତି ଅନୁଭବ କରୁଛି ସେ।ହେଲେ ଏଇ ଅନୁଭବର କିଛି ମୂଲ୍ୟ ଥିବା ସେ ମନେ କରୁନାହିଁ।ବରଂ ଭାବୁଛି,

ସେ ଏବେ ବୁଢ଼ା।ଜଣେ ବୁଢ଼ା ଲୋକ ସେ।ଏ ଅବସ୍ଥାରେ ତା'ର ସେସବୁ ଭୁଲିଯିବା ଉଚିତ।

             ନିଜର ଅତୀତ ଭୁଲିବାକୁ ଚେଷ୍ଟା କରୁଛି ସେ।କାରଣ ଆଜି ଯେତେ ବି ଯାହା କଷ୍ଟ ପାଉଛି ସବୁରି ମୂଳରେ ସେଇ ଅତୀତ ହିଁ ଅଛି।ତା'ର ଆଦୌ ବୁଢ଼ା ହେବାର ନ ଥିଲା - ସେ ଭାବୁଛି।ଯେତେ ଭୁଲିବାକୁ ଚାହୁଁଛି ସେତେ ବେଶୀ ବେଶୀ ମନେପଡୁଛି ଅତୀତ।

             ଆଜି କିଏ ମୂଲ୍ୟାୟନ କରୁଛି ତା'ର ଅତୀତକୁ ! କେହି କରୁନାହିଁ।କାରଣ ସେ ବୁଢ଼ା - ଜଣେ ବୁଢ଼ା ଲୋକ।

             ଜଣେ ବୁଢ଼ା ଲୋକକୁ ମୂଲ୍ୟାୟନ କରିବାକୁ ଯୋଗ୍ୟତା ଥାଏ କି କାହାର !

             ସେ ଆଜି ବୁଝୁଛି ଏ କଥା, ଆଉ କ୍ଷୋଭର ସହିତ କହୁଛି - ମୁଁ ବୁଢ଼ା , ଜଣେ ବୁଢ଼ା ଲୋକ।ବୁଢ଼ା ଲୋକର ମୁହଁକୁ ଚାହେଁ କି କେହି ! ବୁଢ଼ା ଲୋକ ପାଇଁ ସମୟ ଥାଏ କି କାହାର !

             ବୁଢ଼ା ଲୋକ ---------- , ମୁଁ ପରା।


Rate this content
Log in